ମୁଖ୍ୟ ସୂଚୀ ଦେଖିବେ
ଓଡ଼ିଆ ଭାଗବତ ଲେଖକ/କବି: ଜଗନ୍ନାଥ ଦାସ
ନବମ ସ୍କନ୍ଧ

ବିଷୟସୂଚୀ

ପ୍ରଥମ ଅଧ୍ୟାୟସମ୍ପାଦନ କରନ୍ତୁ

ଆନନ୍ଦେ ଅଭିମନ୍ୟୁସୁତ । ଶୁଣିଣ ଗୋବିନ୍ଦ ଚରିତ ॥୧
ବ୍ୟାସକୁମର ମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥୨

ପରୀକ୍ଷିତ ଉବାଚସମ୍ପାଦନ କରନ୍ତୁ

ଭୋ ମୁନି ମନ୍ୱନ୍ତର କଥା । କ‌ହିଲ ସକଳ ବ୍ୟବସ୍ଥା ।।୩
ଯେ ମନ୍ୱନ୍ତରେ ଯେବା ଦେହୀ । ଧର୍ମ ରକ୍ଷଣେ ଭାବଗ୍ରାହୀ ।।୪
ଅନନ୍ତ ଯାହାର ମହିମା । କେ ଜାଣିପାରେ ଗୁଣ ସୀମା ।।୫
ତୁମ୍ଭେ କ‌ହିଲ ମୁନିଗଣୈ । ବିଷ୍ଣୁର ମହିମା ପ୍ରମାଣୈ ।।୬
ଦ୍ରବିଡ଼େଶ୍ୱର ସତ୍ୟବ୍ରତ । ସେ ରାଜ‌ଋଷି ଦଇବତ ।।୭
ଅତୀତ କଳ୍ପାନ୍ତରେ ଥିଲା । ଭାବେ ସେ ବିଷ୍ଣୁଙ୍କୁ ଭେଟିଲା ।।୮
ନିତ୍ୟେ ଗୋବିନ୍ଦପାଦ ଧ୍ୟାୟି । ବିଷ୍ଣୁର ତ‌ହୁଁ ଶିକ୍ଷା ପାଇ ।।୯
ପୁଣି ସେ ସୃଷ୍ଟି ଆଦିକାଳେ । କେମନ୍ତେ ବୈବସ୍ୱତକୁଳେ ।।୧୦
ବଇବସ୍ୱତ ମନୁ ହୋଇ । ଜନ୍ମ ଲଭିଲେ ଦେହବ‌ହି ।।୧୧
ପୁଣି ତାହାର ବୀର୍ଯ୍ୟେ ଜାତ । କେତେ ବା ହୋଇଲେକ ସୁତ ।।୧୨
ଇକ୍ଷ୍ୱାକୁ ଆଦି ଯେତେ ସୁତେ । ରାଜା ହୋଇଲେ ଏ ଜଗତେ ।।୧୩
ଏଣୁ ଆଦିତ୍ୟକୁଳେ ଯେତେ । କ‌ହିବା ବଂଶାନୁଚରିତେ ।।୧୪
କାହାର ବଂଶେ କେବା ହୋଇ । ଏ ଭୂମିତଳେ ଦେହ ବ‌ହି ।।୧୫
ଯେବା ଚରିତ କଲେ ଯେତେ । ଭୋ ମୁନି କ‌ହ ମୋ ଅଗ୍ରତେ ।।୧୬
ମୋତେ ଏ ସଙ୍କଟୁ ଉଦ୍ଧର । ମୁଁ ତୁମ୍ଭ ଚରଣେ କିଙ୍କର ।।୧୭
ଭୂତ ଭବିଷ୍ୟ ବର୍ତ୍ତମାନେ । ସମ୍ପୂର୍ଣ୍ଣ ବଂଶାନୁକୀର୍ତ୍ତନେ ।।୧୮
ଏବେ ଜଗତେ କଲା ଯାହା । କ‌ହିବା ମୋତେ ଯେବେ ଦୟା ।।୧୯

ସୁତ ଉବାଚସମ୍ପାଦନ କରନ୍ତୁ

ଏମନ୍ତେ ଋଷିଗଣ ମଧ୍ୟେ । ଉତ୍ତରାସୁତ ଅନବାଦେ ।।୨୦
ଶୁଣି ଆନନ୍ଦେ କୃତକୃତ୍ୟ । କ‌ହ‌ନ୍ତି ବ୍ୟାସଙ୍କର ସୁତ ।।୨୧

ଶୁକ ଉବାଚସମ୍ପାଦନ କରନ୍ତୁ

ଶୁଣ ହେ ନୃପ ପରୀକ୍ଷିତ । ଆଦିତ୍ୟ ବଂଶର ଚରିତ ।।୨୨
ହରି ମହିମା ଅପ୍ରମିତ । କେବା କଥନେ ସମରଥ ।।୨୩
ସଂକ୍ଷେପେ କ‌ହିବଇଁ ତୋତେ । ମୁଁ ଯୋଗବଳେ ଜାଣେ ଯେତେ ।।୨୪
ଏ ଭୂମି ମଧ୍ୟେ ଦେହ ବ‌ହି । ଶତେ ବରଷେ କେବା କ‌ହି ।।୨୫
ରବିର ବଂଶେ ନୃପ ଯେତେ । ଯେ ଯାହା କଲେ ଏ ଜଗତେ ।।୨୬
ଭକତ ଶିଷ୍ୟେ ଏହା କ‌ହି । ଏବେ ତୁ ଶୁଣ ମନ ଦେଇ ।।୨୭
ଯେବା ଉପୁଜେ ଯା'ର ଅଂଶେ । ବଇବସ୍ୱତ ମନୁବଂଶେ ।।୨୮
ଶୁଣ ପାଣ୍ତବ ଚୂଡ଼ାମଣି । ପ୍ରଳୟ କାଳେ ବେଦବାଣୀ ।।୨୯
ଯେ ହରି ଅନାଦି କାରଣ । ଜଗତାଆତ୍ମା ନାରାୟଣ ।।୩୦
ପୂର୍ବେ ଯେ ସଂସାର ସଂହରି । ଜଳେ ଅନନ୍ତଶ‌ଯ୍ୟା କରି ।।୩୧
ନିବିଡ଼ ଅନ୍ଧାରେ ଶୋଇଲେ । ତାହାକୁ କେହି ନ ଦେଖିଲେ ।।୩୨
ସେ ପୁଣି ପ୍ରଳୟର ଅନ୍ତେ । ଉଦ୍ଭାନେ ଶୋଏ ଅନାୟତ୍ତେ ॥୩୩
ତା' ନାଭିକମଳୁ ପ୍ରକାଶ । ହୋଇଲା ହିରଣ୍ମୟକୋଷ ॥୩୪
ସୁବର୍ଣ୍ଣମୟ ଦିବ୍ୟରୂପୀ । ଉଠିଲା ମହାଜଳ ବ୍ୟାପୀ ॥୩୫
ସେ ପଦ୍ମକୋଷୁଁ ବ୍ରହ୍ମା ଜାତ । ଯା'ର ଶରୀରୁ ଏ ଜଗତ ॥୩୬
ଭୂମି ଭିଆଇ ଯୋଗବଳେ । ବସିଲା ସମାଧି ନିଶ୍ଚଳେ ॥୩୭
ବ୍ରହ୍ମାର ମନରୁ ବାହାର । ହୋଇଲା ମରୀଚି କୁମର ॥୩୮
କଶ୍ୟପ ତା'ର ତହୁଁ ଜାତ । ଯା'ର ମହିମା ଅପ୍ରମିତ ॥୩୯
ଦକ୍ଷ ଦୁହିତା ବିଭା କଲା । ତା' ତହୁଁ ସୂର୍ଯ୍ୟ ଉପୁଜିଲା ॥୪୦
ସୂର୍ଯ୍ୟର ପତ୍ନୀ ସଜ୍ଞା ନାମ । ଅତି ସୁନ୍ଦର ଅନୁପମ ॥୪୧
ତା'ର ଉଦରୁ ଦିବ୍ୟ ତନୁ । ହୋଇଲା ଶ୍ରାଦ୍ଧ ଦେବ ମନୁ ॥୪୨
ସେ ପୁଣି ଶ୍ରଦ୍ଧାକନ୍ୟା ଗର୍ଭେ । ଦଶକୁମର କଲା ଭାବେ ॥୪୩
ରୂପେ ଶୋଭିତ ଅନୁପମ । ଶୁଣ ହେ ତାହାଙ୍କର ନାମ ॥୪୪
ଇକ୍ଷ୍ୱାକୁ ନୃପ ପୁତ୍ରବେନି । ଶର୍ଯ୍ୟାତି ଦିଷ୍ଟ ଧୃଷ୍ଟ ଘେନି ॥୪୫
ପୁଣି କରୁଷ ନରିଷ୍ୟନ୍ତ । ପୃଷଧ୍ର ନଭଗ ଉଦିତ ॥୪୬
ହୋଇଲେ ପୁଣି କବି ଆଦି । ଏ ରୂପେ ଦଶ ଯେ ପ୍ରସିଦ୍ଧି ॥୪୭
ସେ ଶ୍ରାଦ୍ଧଦେବ ପୁତ୍ର ଅର୍ଥେ । ବିଚାରି ବଶିଷ୍ଠ ସଙ୍ଗତେ ॥୪୮
ମିତ୍ରାବରୁଣ ଅର୍ଥେ ଇଷ୍ଟି । ଆରମ୍ଭ କଲା ପୁତ୍ର କଷ୍ଟୀ ॥୪୯
ଏମନ୍ତେ ତା'ର ଶ୍ରଦ୍ଧା ନାରୀ । ବଶିଷ୍ଠ ସଙ୍ଗତେ ବିଚାରି ॥୫୦
ବୋଲଇ ମୁହିଁ ପୟୋବ୍ରତା । ଯେମନ୍ତେ ହୋଇବ ଦୁହିତା ॥୫୧
ସେ ଅର୍ଥେ ତୁମ୍ଭେ ଯଜ୍ଞକର । ସେବଇ ଚରଣେ ତୁମ୍ଭର ॥୫୨
ତା' ଶୁଣି କୁଶକେତୁବଳା । ବିପ୍ରଙ୍କ ସଙ୍ଗେ ବିଚାରିଲା ॥୫୩
ଆହୁତି ଦେଲା ଅପ୍ରମିତ । ଏମନ୍ତେ କନ୍ୟା ହେଲା ଜାତ ॥୫୪
ତା' ରୂପ ଜଗତ ମୋହିଲା । ତାହାକୁ ଇଳା ନାମ ଦେଲା ॥୫୫
ରାତ୍ରେ ସେ କନ୍ୟା ରୂପ ଦେଖି । ସେ ମନୁ ଶୟନ ଉପେକ୍ଷି ॥୫୬
ବୋଲଇ ବିପ୍ରଙ୍କୁ ଅନାଇଁ । ଏମନ୍ତ ଦେଖିଲାତ ନାହିଁ ॥୫୭
ତୁମ୍ଭେ ସକଳେ ବ୍ରହ୍ମବେତ୍ତା । ଏ କର୍ମ ଅସମ୍ଭବ କଥା ॥୫୮
ବ୍ରାହ୍ମଣ କର୍ମ ତ ନୁହଁଇ । ଏମନ୍ତ କଲ କିସ ପାଇଁ ॥୫୯
ତୁମ୍ଭେ ଯେ ନିଜ ତପୋବଳେ । ଦଗ୍ଧ କଳୁଷ ଏ ଶୟଳେ ॥୬୦
ସଙ୍କଳ୍ପ ହୋଇଲା ଅନ୍ୟଥା । ଏ ବଡ଼ ଅସମ୍ଭବ କଥା ॥୬୧
ଅଜ୍ଞାନୀ ଜନଙ୍କର ମତ । ମୋର ସଙ୍କଳ୍ପ ବିପରୀତ ॥୬୨
ଏମନ୍ତେ ମନୁଙ୍କ ନିକଟେ । ବଶିଷ୍ଠ ମିଳି ଯଜ୍ଞବାଟେ ॥୬୩
ହୋତାଙ୍କ ବ୍ୟଭିଚାର ଜାଣି । ମନୁଙ୍କୁ କହନ୍ତି ଯେ ମୁନି ॥୬୪
ତୋହର ନିଜ ନାରୀ ବୋଲେ । ଦୁହିତା ଅର୍ଥେ ଯଜ୍ଞ କଲେ ॥୬୫
ମୁଁ ଏବେ ସାଧିବି ତୋ' ଅର୍ଥେ । କହିବି ବିଷ୍ଣୁଙ୍କ ଅଗ୍ରତେ ॥୬୬
ଯେମନ୍ତେ ଏ କନ୍ୟା ତୋହର । ହୋଏ ପୁରୁଷ କଳେବର ॥୬୭
ଏମନ୍ତ କହି ମହାଯତି । ବିଷ୍ଣୁଙ୍କୁ କଲେ ଦିବ୍ୟସ୍ତୁତି ॥୬୮
ବଶିଷ୍ଠ ସ୍ତୁତିବାକ୍ୟ ଶୁଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥୬୯
ଇଳା କନ୍ୟାକୁ ବିଷ୍ଣୁ ଚାହିଁ । ବୋଇଲେ ପୁତ୍ର ହୁଅ ତୁହି ॥୭୦
ତକ୍ଷଣେ ପୁରୁଷ ହୋଇଲା । ସୁଦ୍ୟୁମ୍ନ ତା'ର ନାମ ହେଲା ॥୭୧
ନିଜ ଭୁବନେ ଗଲେ ହରି । ଏବେ ହୋ ଶୁଣ ଦଣ୍ତଧାରୀ ॥୭୨
ଦେବଙ୍କ ବଚନ ସ୍ୱଭାବ । କେ ତାହା ଅନ୍ୟଥା କରିବ ॥୭୩
ଶୁଣ ରାଜନ ଶୁଦ୍ଧମନେ । ସେ ମନୁପୁତ୍ର ଏକ ଦିନେ ॥୭୪
ମୃଗୟା ଅର୍ଥେ ଘୋର ବନେ । ପଶିଲା ହରଷିତ ମନେ ॥୭୫
ଧନୁ କମାଣ ଧରି କରେ । ବସିଲା ଅଶ୍ୱର ଉପରେ ॥୭୬
ସେବକବଳ ତା'ର ଯେତେ । ଧାଇଁଲେ ଅଶ୍ୱ-ପୃଷ୍ଠ-ଗତେ ॥୭୭
ନାନା ଆୟୁଧ କରେ ଧରି । ପଶୁ ଖୋଜନ୍ତି ବନେ ହେରି ॥୭୮
ଗିରି କାନନେ ଲତା କୁଞ୍ଜେ । ଖୋଜି ଅନେକ ବୃକ୍ଷ ପୁଞ୍ଜେ ॥୭୯
ମୃଗ ନ ଦେଖି ଘୋରବନେ । ପଶିଲେ ଉତ୍ତର କାନନେ ॥୮୦
ମେରୁ ନିକଟେ ଖେଦମନେ । ମିଳିଲେ ସୁକୁମାର ବନେ ॥୮୧
ଯେ ବନେ ପ୍ରଭୁ ଶୂଳଧାରୀ । ସଙ୍ଗତେ ଘେନି ନିଜ ନାରୀ ॥୮୨
ନିରତେ ପୀଡ଼ିତ ମଦନେ । ଗଉରୀ ସଙ୍ଗତେ ନିର୍ଜନେ ॥୮୩
ନିତ୍ୟେ ରମନ୍ତି ସୁଖ ମନେ । ଆନନ୍ଦେ ପୁଷ୍ପିତ କାନନେ ॥୮୪
ସେ ବନେ ପଶି ମନୁବଳା । ଅନେକ ମୃଗ ବଧ କଲା ॥୮୫
ମୃଗଙ୍କୁ ମାରି ଅବହେଳେ । ଗ୍ରାମକୁ ଆସିବାର ବେଳେ ॥୮୬
ଅଶ୍ୱ ସହିତେ ସର୍ବ ଜନେ । ତକ୍ଷଣେ ସୁକୁମାର ବନେ ॥୮୭
ସର୍ବେ ହୋଇଲେ ସ୍ତିରୀଗଣ । ଅଶ୍ୱ ସହିତେ କୁଘଟଣ ॥୮୮
ଚାହାଁନ୍ତି ଅନ୍ୟେ ଅନ୍ୟ ମୁଖେ । ସର୍ବେ ରହିଲେ ମନଦୁଃଖେ ॥୮୯
ସ୍ତିରୀ ସ୍ୱଭାବେ କଲେ ଭ୍ରାନ୍ତି । ସଲଜ୍ଜେ ଚଳି ନ ପାରନ୍ତି ॥୯୦
ଶୁକ ବଦନୁଁ ବାକ୍ୟ ଶୁଣି । ବୋଲେ ପାଣ୍ତବ ଚୂଡ଼ାମଣି ॥୯୧

ପରୀକ୍ଷିତ ଉବାଚସମ୍ପାଦନ କରନ୍ତୁ

ଭୋ ମୁନି ଅସମ୍ଭବ ବାଣୀ । ହୃଦୟ କମ୍ପିଲା ତ ଶୁଣି ॥୯୨
ନାରୀ ହୋଇଲେ କିସ ଅର୍ଥେ । ଏ କଥା କହ ମୋ' ଅଗ୍ରତେ ॥୯୩
ସୁଦ୍ୟୁମ୍ନ ମନୁର ନନ୍ଦନ । ପୁରୁଷ କଲେ ଭଗବାନ ॥୯୪
ସେ କିପାଁ କାମିନୀ ହୋଇଲା । ଅଶ୍ୱ ସହିତେ ମନୁବଳା ॥୯୫
କି ଅବା ବନେ ଥିଲା ଦୋଷ । କିବା ଶଙ୍କର କଲେ ରୋଷ ॥୯୬
କିପାଁ ହୋଇଲେ ସ୍ତିରୀ ଦେହ । ସଂଶୟ ଯାଉ ମୁନି କହ ॥୯୭
ମୁନି କହନ୍ତି ଅନୁରାଗେ । ଆନନ୍ଦେ ପରୀକ୍ଷିତ ଆଗେ ॥୯୮

ଶୁକ ଉବାଚସମ୍ପାଦନ କରନ୍ତୁ

ଶୁଣ ହେ ଅଭିମନ୍ୟୁ ସୁତ । କହିବା ତହିଁର ଚରିତ ॥୯୯
ସପତ ଋଷି ଏକମେଳେ । ଶଂକର ଦରଶନ ଛଳେ ॥୧୦୦
ଦିଶନ୍ତି ରବି ତେଜ ପ୍ରାୟେ । ସେ ବନେ ଚଳନ୍ତି ନିର୍ଭୟେ ॥୧୦୧
ଦୂରୁ ତାହାଙ୍କ ରୂପ ଦେଖି । ଅମ୍ବିକା ଶଙ୍କର ଉପେକ୍ଷି ॥୧୦୨
ଶିବ ସଙ୍ଗମ ଛାଡ଼ି ବେଗେ । ବସ୍ତ୍ର ପିନ୍ଧିଲେ ବୃକ୍ଷ ଲାଗେ ॥୧୦୩
ଲାଜେ ଲୁଚାଇ କଳେବର । ଭୟେ କମ୍ପନ୍ତି ଥରହର ॥୧୦୪
ଶଂକର ରହେ ଅଧୋମୁଖେ । ଚାହିଁ ନ ପାରି ମନଦୁଃଖେ ॥୧୦୫
ଏମନ୍ତ ମୁନିଗଣ ଚାହିଁ । ପାଦେହେଁ ନପାରନ୍ତି ଯାଇ ॥୧୦୬
ତାହାଙ୍କ ଗତି ଦେଖି ଛନ୍ନେ । ତକ୍ଷଣେ ଗଲେ ଅନ୍ୟବନେ ॥୧୦୭
ପଥ ଚଳନ୍ତି ମହାଶ୍ରମେ । ମିଳିଲେ ନାରାୟଣାଶ୍ରମେ ॥୧୦୮
ସେ କଥା ଜାଣି ଶୂଳପାଣି । ଅମ୍ବିକା ମୁଖ ଚାହିଁ ଭଣି ॥୧୦୯
ପୁରୁଷ ହୋଇ ଯେବେ ଏଥେ । ପ୍ରବେଶ ହୋଇବ ବନସ୍ତେ ॥୧୧୦
ତକ୍ଷଣେ ହେଉ ସ୍ତିରୀରୂପ । ଏମନ୍ତ ରୁଦ୍ର ଦେଲେ ଶାପ ॥୧୧୧
ସେ ଦିନୁ ମହାଦେବ-ରୋଷେ । ସେ ବନେ ପୁରୁଷ ନ ପଶେ ॥୧୧୨
ଏବେ ହୋ ଶୁଣ ନର ନାଥ । ମନୁତନୟ ବିପରୀତ ॥୧୧୩
ଅଶ୍ୱ ସହିତେ ଘୋରବନେ । ସର୍ବେ ଭ୍ରମନ୍ତି ଦୁଃଖମନେ ॥୧୧୪
ସେ ବନୁ ଗଲେ ଅନ୍ୟବନେ । ସୋମ ନନ୍ଦନ ତପସ୍ଥାନେ ॥୧୧୫
ଭ୍ରମନ୍ତି ଏକୁ ଆରେ ଧରି । ସ୍ୱଭାବେ ସର୍ବେ ମନୋହରୀ ॥୧୧୬
ତାହାଙ୍କ ମଧ୍ୟେ ଇଳା ଦେଖି । ସେ ବୁଧ ତପସ୍ୟା ଉପେକ୍ଷି ॥୧୧୭
ମନ କଳ୍ପିଲା କାମଭୋଳେ । ତକ୍ଷଣେ ଧରି ତା'କୁ କୋଳେ ॥୧୧୮
ବଳେ ରମିଲା ଚନ୍ଦ୍ରସୁତ । ତକ୍ଷଣେ ହେଲା ପୁତ୍ର ଜାତ ॥୧୧୯
ତାହାକୁ ଦେଖି ଗୁଣଧାମ । ଦେଲେ ସେ ପୁରୁରବା ନାମ ॥୧୨୦
ଏବେ ହୋ ଶୁଣ କୁରୁବୀର । ସେ ବନେ ମନୁର କୁମର ॥୧୨୧
କୁଳ ଆଚାର୍ଯ୍ୟ ସୁମରିଲେ । ତକ୍ଷଣେ ବଶିଷ୍ଠ ମିଳିଲେ ॥୧୨୨
ତାହାର ସ୍ତିରୀରୂପ ଚାହିଁ । ସେ ବ୍ରହ୍ମଋଷି ଦୟା ବହି ॥୧୨୩
ଯେମନ୍ତେ ପୁରୁଷ ହୋଇବ । ତକ୍ଷଣେ ସେବି ସଦାଶିବ ॥୧୨୪
ଅନେକ କଲେ ଦିବ୍ୟସ୍ତୁତି । ଶୁଣି ସନ୍ତୋଷ ପଶୁପତି ॥୧୨୫
ଆପଣା ବାକ୍ୟ ସତ୍ୟ ଅର୍ଥେ । ବଶିଷ୍ଠେ ଚାହିଁ ଦୟାଚିତ୍ତେ ॥୧୨୬
ବୋଲନ୍ତି ଅମ୍ବିକା ରମଣ । ବଶିଷ୍ଠ ମୋ'ର ବାକ୍ୟ ଶୁଣ ॥୧୨୭
ଏ ଯେ ତୋହର ଗୋତ୍ରେ ଜାତ । ସ୍ୱଭାବେ ଶ୍ରାଦ୍ଧଦେବ ସୁତ ॥୧୨୮
ମାସେ ଏ ହୋଇବ କାମିନୀ । ପୂର୍ବେ ବିଷ୍ଣୁର ବାକ୍ୟ ଘେନି ॥୧୨୯
ମାସେ ଏ ପୁରୁଷ ହୋଇବ । ଜୀବନ୍ତେ ଯେତେକାଳ ଥିବ ॥୧୩୦
ଏମନ୍ତ ତାକୁ ଦେଇ ବର । ତକ୍ଷଣେ ଗଲେ ଶୂଳଧର ॥୧୩୧
ଏମନ୍ତେ ଯେତେ କାଳ ଥିଲା । ମାସକେ ପୁରୁଷ ଅବଳା ॥୧୩୨
ରାଜ୍ୟ ସେ କଲା ଏହିମତେ । ନିଗମବାଣୀ ଅନୁମତେ ॥୧୩୩
ତାହାର ରାଜ୍ୟେ ପ୍ରଜାଜନେ । ବଞ୍ଚନ୍ତି ଦୁଃଖସୁଖ ମନେ ॥୧୩୪
ତା'ର ହୋଇଲେ ତିନିସୁତ । ଶୁଣ ରାଜନ ପରୀକ୍ଷିତ ॥୧୩୫
ଗୟ ଉତ୍କଳ ପୁତ୍ରବେନି । ବିମଳ ନାମେ ହୋଏ ତିନି ॥୧୩୬
ଦକ୍ଷିଣ ପଥେ ତିନି ରାଜା । ଧର୍ମେ ପାଳନ୍ତି ଜନପ୍ରଜା ॥୧୩୭
ଏମନ୍ତେ କେତେକାଳ ଗଲା । ସୁଦ୍ୟୁମ୍ନ ମନେ ବିଚାରିଲା ॥୧୩୮
ପୁରୁରବାକୁ ରାଜା କରି । ଛାଡ଼ିଲା ପ୍ରତିଷ୍ଠାନ ପୁରୀ ॥୧୩୯
ତପସାଧନେ ବନେ ଗଲା । ସେ ବନେ ଶରୀର ଛାଡ଼ିଲା ॥୧୪୦
ଚନ୍ଦ୍ରବଂଶର ଆଦ୍ୟପୀଢ଼ । ସୁଜନେ ମନ କର ଦୃଢ଼ ॥୧୪୧
ବଂଶାନୁଚରିତ ଏ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୧୪୨
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୪୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ପ୍ରଥମୋଽଧ୍ୟାୟଃ । ।

ଦ୍ୱିତୀୟ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଶୁଣ ହୋ ଅଭିମନ୍ୟୁ ସୁତ । କହିବା ବଂଶାନୁଚରିତ ॥୧
ସୁଦ୍ୟୁମ୍ନ ଶ୍ରାଦ୍ଧଦେବବଳା । ତପକରଣେ ବନେ ଗଲା ॥୨
ତପେ ଛାଡ଼ିଲା ନିଜ ତନୁ । ତା' ଶୁଣି ବୈବସ୍ୱତ ମନୁ ॥୩
ଅପୁତ୍ର-ଭୟେ ସେ ଉଚ୍ଚାଟେ । ମିଳିଲା ଯମୁନାର ତଟେ ॥୪
ଶତେ ବରଷ ଦେବ ମତେ । ସମାଧି କରି ଦୃଢ଼ ଚିତ୍ତେ ॥୫
ସନ୍ତତି ଅର୍ଥେ ସୂର୍ଯ୍ୟବଳା । ବିଷ୍ଣୁ ଚରଣେ ପୂଜା କଲା ॥୬
ଅନେକମତେ ସ୍ତୁତି କରି । ତୋଷିଲା ପ୍ରଭୁ ନରହରି ॥୭
ପ୍ରସନ୍ନ ହୋଇ ମହାବାହୁ । ବୋଇଲେ ଦଶପୁତ୍ର ହେଉ ॥୮
ଇକ୍ଷ୍ୱାକୁ ଆଦି ଦଶ ପୁତ୍ରେ । ହୋଇବେ କହି ଅଛି ତୋତେ ॥୯
ସେ ଦଶପୁତ୍ର ମଧ୍ୟେ ଏକ । ପୃଷଧ୍ର ନାମେ ସୁବିବେକ ॥୧୦
ବଶିଷ୍ଠ-ବାକ୍ୟେ ଗୋରୁ ପାଳେ । ରାତ୍ରେ ବୀରାସନେ ନିଶ୍ଚଳେ ॥୧୧
ଏମନ୍ତେ ଏକଦିନ ରାତ୍ରେ । ମେଘ-ଅନ୍ଧାର ବୃଷ୍ଟି ପାତେ ॥୧୨
ଜନ୍ତୁଙ୍କ ଘୋର ନିଦ୍ରା କାଳେ । ଶାŸର୍ଦ୍ଦୂଳ ମିଳିଲା ଗୋକୁଳେ ॥୧୩
ଆଘ୍ରାଣେ ତା'ର ବାସ ପାଇ । ଭୟେ ଉଠିଲେ ସର୍ବ ଗାଈ ॥୧୪
ଭ୍ରମନ୍ତି ଇତସ୍ତତ ହୋଇ । ବ୍ୟାଘ୍ର ଧଇଲା ଏକ ଗାଈ ॥୧୫
ବେଗେ ଚାପିଲା ନଖ ଦାଢ଼େ । ପୁଣି ଆକର୍ଷି ଅତି ଗାଢ଼େ ॥୧୬
ସେ ଗୋରୁ ଭୟେ ରାବ ଦେଲା । ତା' ଶୁଣି ଉଠି ମନୁବାଳା ॥୧୭
ତୀକ୍ଷ୍‌ଣ ଖଡ଼ଗ ହସ୍ତେ ଘେନି । ନିବିଡ଼-ଅନ୍ଧାର-ରଜନୀ ॥୧୮
କପିଳା ଗୋଷ୍ଠେ ଥିଲା ଶୋଇ । ଅନ୍ଧାରେ କେହି ନ ଜାଣଇ ॥୧୯
ଶାŸର୍ଦ୍ଦୂଳ ବୋଲି ତା'ର ଶିର । ଛେଦିଲା ମନୁର କୁମର ॥୨୦
ଖଡ଼ଗ ଶିଖା ବ୍ୟାଘ୍ର ମୁଣ୍ତେ । ପଡ଼ି ଛିଡ଼ିଲା କର୍ଣ୍ଣ ଖଣ୍ତେ ॥୨୧
ବ୍ୟାଘ୍ରର ଶିରେ ହୋଇ କ୍ଷତ । ପଥେ ବରଷିଲା ରକତ ॥୨୨
ପୃଷଧ୍ର ଜାଣେ ବ୍ୟାଘ୍ର ମଲା । ଏମନ୍ତେ ରଜନୀ ପାହିଲା ॥୨୩
ବଭ୍ରୁ ମରଣ କଥା ଶୁଣି । ବଶିଷ୍ଠ ତାହା ମନେ ଗୁଣି ॥୨୪
ମିଳିଲେ ପୃଷଧ୍ର ସମୀପେ । ତାହାକୁ ଶାପ ଦେଲେ କୋପେ ॥୨୫
ତୁ ଯେ ବୋଲାଉ କ୍ଷତ୍ରିଦେହ । ଏବେ ତୁ କର୍ମେ ଶୂଦ୍ର ହୁଅ ॥୨୬
ଏମନ୍ତେ ଗୁରୁଶାପ ପାଇ । କପାଳେ କରାଞ୍ଜଳି ଦେଇ ॥୨୭
ଗୁରୁଙ୍କ ଶାପ ପରିହାରେ । ଊର୍ଦ୍ଧ୍ୱବଦନେ ତପ କରେ ॥୨୮
ବିଷ୍ଣୁର ଚରଣ କମଳେ । ସମାଧି କରି ଯୋଗ ବଳେ ॥୨୯
ଆତ୍ମାକୁ ଭାବି ଏକେ ଏକେ । ସକଳ ଭୂତେ ହରି ଦେଖେ ॥୩୦
ନିଗ୍ରହ କରି ଇନ୍ଦ୍ରିଗଣେ । ନିଃଶଙ୍କେ ନିବାସ ଅରଣ୍ୟେ ॥୩୧
ଯେବା ମିଳଇ ଯେତେବେଳେ । ସେ ଭକ୍ଷ କରେ ସନ୍ଧ୍ୟାକାଳେ ॥୩୨
ଶରୀର ଆତ୍ମାର ସଂଯତେ । ଜଡ଼ ବଧିର ଅନ୍ଧମତେ ॥୩୩
ଭୂମି କରଇ ପର୍ଯ୍ୟଟନ । ଏମନ୍ତେ ଗଲା କେତେଦିନ ॥୩୪
ଯହୁଁ ହୋଇଲା ଗ୍ରୀଷ୍ମକାଳ । ବିପିନେ ଉଠିଲା ଅନଳ ॥୩୫
ସେ ଅଗ୍ନି ମଧ୍ୟେ ଦେହ ଦେଲା । ତକ୍ଷଣେ ଗୋବିନ୍ଦେ ପଶିଲା ॥୩୬
ତା' ଦେଖି ତା'ର ସାନଭାଇ । ବିଷୟା ରସେ ନରସଇ ॥୩୭
ରାଜ୍ୟ ବିସର୍ଜି ବନ୍ଧୁମେଳେ । ପଶିଲା ଅରଣ୍ୟ ଗହଳେ ॥୩୮
ନିରତେ ନାରାୟଣ ପାଦେ । ଭକତି କଲା ଅପ୍ରମାଦେ ॥୩୯
ଅନ୍ତେ ପଶିଲା ହରିଦେହେ । କିଶୋର ବୟସେ ବିମୋହେ ॥୪୦
କରୂଷ ତହୁଁ ଯେତେ ସୁତ । ରାଜା ହୋଇଲେ ବଳବନ୍ତ ॥୪୧
ସ୍ୱଭାବେ ବ୍ରହ୍ମଣ୍ୟ ଧାର୍ମିକ । ନିରତେ ବିଷ୍ଣୁର ସେବକ ॥୪୨
ଉତ୍ତରାପଥେ ହୋଇ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥୪୩
ଧୃଷ୍ଟରୁ ଧାର୍ଷ୍ଟ କ୍ଷତ୍ରି ହୋଏ । ସେ ନ ପଡ଼ିଲେ ମାୟାମୋହେ ॥୪୪
ନିରତେ ଜ୍ଞାନଭାବେ ଜାଣି । ପୂଜିଲେ ପ୍ରଭୁ ଚକ୍ରପାଣି ॥୪୫
ହରିଭକତି ଭାବଭୋଳେ । ବସିଲେ ସମାଧି ନିଶ୍ଚଳେ ॥୪୬
ନୃଗର ପୁତ୍ର ଯେ ସୁମତି । ସୁମତି ପୁତ୍ର ଭୂତଜ୍ୟୋତି ॥୪୭
ବସୁ ଯେ ତାହାର ସନ୍ତତି । ସ୍ୱଧର୍ମେ ପାଳଇ ସେ କ୍ଷିତି ॥୪୮
ପ୍ରତୀକ ବସୁତହୁଁ ଜାତ । ଓଘବାନ ନାମେ ତା' ସୁତ ॥୪୯
ତାହାର କନ୍ୟା ଓଘବତୀ । ସୁଦରଶନ ତା'ର ପତି ॥୫୦
ନରିଷ୍ୟନ୍ତର ଯେ ନନ୍ଦନ । ନାମ ତାହାର ଚିତ୍ରସେନ ॥୫୧
ଚିତ୍ରସେନର ପୁତ୍ର ଋକ୍ଷ । ତହୁଁ ମୀଢ଼ବାନ ପ୍ରତ୍ୟକ୍ଷ ॥୫୨
ମୀତ୍ୱର ପୁତ୍ର ନାମ ପୂର୍ଣ୍ଣ । ଇନ୍ଦ୍ରସେନ ତା'ର ନନ୍ଦନ ॥୫୩
ତାହାଙ୍କ ସୁତ ବୀତିହୋତ୍ର । ତା' ତହୁଁ ସତ୍ୟଶ୍ରବା ଜାତ ॥୫୪
ଉରୁଶ୍ରବା ତାହାଙ୍କ ସୁତ । ତା' ତହୁଁ ଜାତ ଦେବଦତ୍ତ ॥୫୫
ଅଗ୍ନିବେଶ୍ୟ ତା'ଙ୍କ ସନ୍ତତି । ତା' ତହୁଁ ଅଗ୍ନି ଉତପତ୍ତି ॥୫୬
ଅଗ୍ନିବେଶ୍ୟଙ୍କ ଦୁଇ ନାମ । ଯେ ଜାତୁକର୍ଣ୍ଣ ଯେ କାନୀନ ॥୫୭
ଏ ଦୁଇ ନାମେ ମହାଋଷି । ଜଗତ ମଧ୍ୟେ ସଦା ଘୋଷି ॥୫୮
ତା' ତହୁଁ ଅଗ୍ନିବେଶ୍ୟାୟନ । ବ୍ରାହ୍ମଣବଂଶ ଉତପନ୍ନ ॥୫୯
ନରିଷ୍ୟନ୍ତର ବଂଶମାନ । ସମସ୍ତ ଶୁଣିଲ ରାଜନ ॥୬୦
ଦିଷ୍ଟବଂଶର କଥାମାନ । ଏବେ ତୁ ଶୁଣ ହୋ ରାଜନ ॥୬୧
ନାଭାଗ ନାମେ ଦିଷ୍ଟସୁତ । କର୍ମେ ସେ ବୈଶ୍ୟଜାତି ପ୍ରାପ୍ତ ॥୬୨
ତାହାର ସୁତ ଭଲନ୍ଦନ । ବତ୍ସ›ପ୍ରୀତି ତା'ର ନନ୍ଦନ ॥୬୩
ପ୍ରାଂଶୁ ତାହାର ସୁତ ହୋଏ । ଯା ରୂପ କନ୍ଦର୍ପକୁ ମୋହେ ॥୬୪
ପ୍ରମତି ନାମେ ତା'ର ସୁତ । ଖନିତ୍ର ତା'ର ବଂଶେ ଜାତ ॥୬୫
ଚାକ୍ଷୁଷ ନାମେ ତା'ର ପୁତ୍ର । ବିବିଂଶତି ତାହାର ସୁତ ॥୬୬
ତହିଁରୁ ରମ୍ଭ ହେଲା ଜାତ । ଶୁଣ ରାଜନ ପରୀକ୍ଷିତ ॥୬୭
ରମ୍ଭର ପୁତ୍ର ଖନୀନେତ୍ର । ପରମ ଧାର୍ମିକ ଯେ ଖ୍ୟାତ ॥୬୮
ତାହାର ସୁର କରନ୍ଧମ । ତା' ତହୁଁ ଅବିକ୍ଷିତ ଜନ୍ମ ॥୬୯
ମରୁତ୍ତ ତାହାର ସନ୍ତତି । ସେ ଭୂମି ମଧ୍ୟେ ଚକ୍ରବର୍ତ୍ତୀ ॥୭୦
ସମ୍ବର୍ତ୍ତ ଅଙ୍ଗିରାର ବଳା । ଯାହାର ଯାଗ କରାଇଲା ॥୭୧
ସେ ଯଜ୍ଞେ ସର୍ବ ଦେବେ ଆସି । ନିତ୍ୟେ ଯଜ୍ଞକୁ ପରଶଂସି ॥୭୨
ବୋଲନ୍ତି ଯଜ୍ଞପାତ୍ରେ ଚାହିଁ । ଏମନ୍ତ ଦେଖିଲା ତ ନାହିଁ ॥୭୩
ହିରଣ୍ୟମୟ ବସ୍ତୁ ଦେଖି । ରସ ଭୋଜନେ ହୋଇ ସୁଖୀ ॥୭୪
ଇନ୍ଦ୍ର ମାତିଲେ ସୋମ ଖାଇ । ବିପ୍ରେ ମାତିଲେ ଦାନ ପାଇ ॥୭୫
ଯା'ର ସଭାରେ ବିଶ୍ୱଦେବା । ବାୟୁ ସମେତ କଲେ ସେବା ॥୭୬
ମରୁତ୍ତ ସୁତ ଦମ ନାମ । ଜଗତ ରୂପ ଦେଖେ ସମ ॥୭୭
ରାଜବର୍ଦ୍ଧନ ତା' ନନ୍ଦନ । ତା'ର ସୁଧୃତି ଅନୁପମ ॥୭୮
ସୁଧୃତି କୁମର ସୁମତି । ନର ନାମରେ ସେହୁ ଖ୍ୟାତି ॥୭୯
କେବଳ ତାହାର ନନ୍ଦନ । ତା'ର କୁମର ବନ୍ଧୁମାନ ॥୮୦
ତା'ର କୁମର ବେଗବାନ । ବନ୍ଧୁ ଯେ ତାହାର ନନ୍ଦନ ॥୮୧
ତା'ର ତନୁଜ ତୃଣବିନ୍ଦୁ । ତା' ରୂପେ ପଟାନ୍ତର ଇନ୍ଦୁ ॥୮୨
ତାହାର ପତ୍ନୀ ଅଳମ୍ଭୁଷା । ଅପ୍ସରାଗଣେ ସେ ପ୍ରଶଂସା ॥୮୩
ତା' ଗର୍ଭେ ଇଡ଼ବିଡ଼ା ଜାତ । ବିଶ୍ରବା ମୁନି ଯାର କାନ୍ତ ॥୮୪
ବିଶ୍ରବା ଇଡ଼ବିଡ଼ା ଗର୍ଭେ । କୁବେର ଉପୁଜିଲେ ଭାବେ ॥୮୫
ସେ ମୁନି ଯୋଗେଶ୍ୱର ବଳା । ଆନନ୍ଦେ ପୁତ୍ରେ ଶିକ୍ଷା ଦେଲା ॥୮୬
ତୃଣବିନ୍ଦୁର ପୁତ୍ରଗଣ । ଏବେ ତାହାଙ୍କ ନାମ ଶୁଣ ॥୮୭
ବିଶାଳ ଶୂନ୍ୟବନ୍ଧୁ ଆର । ଧୂମକେତୁ ଆଦି କୁମର ॥୮୮
ବୈଶାଳୀ ପୁରୀ ଯେ ନିମାଁଇ । ତା' ତହୁଁ ହେମଚନ୍ଦ୍ର ହୋଇ ॥୮୯
ଧୂମ୍ରାକ୍ଷ ନାମେ ତା'ର ସୁତ । ଏବେ ହୋ ଶୁଣ ନରନାଥ ॥୯୦
ସଂଯମ ତାହାର ତନୁଜ । ତହୁଁ କୃଶାଶ୍ୱ ଯେ ଦେବଜ ॥୯୧
କୃଶାଶ୍ୱ ପୁତ୍ର ସୋମଦତ୍ତ । ତା'ର ମହିମା ଅଦଭୁତ ॥୯୨
ଅନେକ ଅଶ୍ୱମେଧ କଲା । ପରମବ୍ରହ୍ମେ ସେ ପଶିଲା ॥୯୩
ସୁମତି ସୋମଦତ୍ତ ବଳା । ରୂପେ ବିରାଜେ କାମକଳା ॥୯୪
ତା'ର କୁମର ମହାଶୟ । ନାମ ଯାହାର ଜନ୍ମେଜୟ ॥୯୫
ବୈଶାଳୀପୁରେ ଏତେ ରାଜା । ସୁଖେ ପାଳିଲେ ଜନପ୍ରଜା ॥୯୬
ଯଶ ତାହାଙ୍କ ନିଜ ଧନ । ସକଳ ଗୁଣେ ବିଦ୍ୟମାନ ॥୯୭
ଏମନ୍ତେ କହିଲି ମୁଁ ତୋତେ । ଶୁଣ ପରୀକ୍ଷ ଏକଚିତ୍ତେ ॥୯୮
ବଂଶାନୁଚରିତ ଏ ବିଧି । ଯା'ର ସ୍ମରଣେ ସର୍ବସିଦ୍ଧି ॥୯୯
ଏହା ଯେ ଶୁଣନ୍ତି ଶୁଣାନ୍ତି । ଅପୁତ୍ର ସୁପୁତ୍ର ଲଭନ୍ତି ॥୧୦୦
କମଳା ରହେ ତା' ଭୁବନେ । ଯଶ ବଢ଼ଇ ଦିନେ ଦିନେ ॥୧୦୧
ଶୁଣ ସୁଜନେ ଏହା ନିତ୍ୟେ । ସଂସାରୁ ତରିବ ଯେମନ୍ତେ ॥୧୦୨
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଦ୍ୱିତୀୟୋଽଧ୍ୟାୟଃ । ।

ତୃତୀୟ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଏବେ ହୋ ଶୁଣ ସାବଧାନେ । ମନୁର ବଂଶାନୁବିଧାନେ ॥୧
ଶର୍ଯ୍ୟାତି ନାମେ ମନୁସୁତ । ଶୁଣ ହୋ ତାହାର ଚରିତ ॥୨
ସ୍ୱଭାବେ ବ୍ରହ୍ମିଷ୍ଠ ହୋଇଲା । ଅଙ୍ଗିରା ଯଜ୍ଞେ ଦୀକ୍ଷା ଦେଲା ॥୩
ସୁକନ୍ୟା ନାମେ ତା'ର କନ୍ୟା । ହୋଇଲା ରୂପେ ଅନୁପମା ॥୪
ସେ କନ୍ୟା ପିତାର ସଙ୍ଗତେ । ଆନନ୍ଦେ ପଶିଲା ବନସ୍ତେ ॥୫
କୁମାରୀ ପାଞ୍ଚ ସାତ ସଙ୍ଗେ । ବନେ ଭ୍ରମଇ ଅତିରଙ୍ଗେ ॥୬
ସେ ବନେ ଭୃଗୁର ନନ୍ଦନ । ତପସ୍ୱୀ ନାମ ତା' ଚ୍ୟବନ ॥୭
ସେ ବନେ ନିଶ୍ଚଳ ଆସନେ । ବସିଲା ଯୋଗର ଧାରଣେ ॥୮
ରହିଲା ଅନେକ ବରଷ । ହୋଇଲା ଅସ୍ଥି ଚର୍ମ ଶେଷ ॥୯
ବଲ୍ମୀକ କୀଟ ତା'ର ଦେହେ । ମୁଖ ଢାଙ୍କିଲେ ମୂତ୍ତିକାଏ ॥୧୦
ବଲ୍ମୀକ କୁଦ ପ୍ରାୟ ଦିଶେ । କେବଳ ନୟନ ପ୍ରକାଶେ ॥୧୧
ଏମନ୍ତେ ରାଜକନ୍ୟା ଗଲା । ଚ୍ୟବନ ନିକଟେ ମିଳିଲା ॥୧୨
ବଲ୍ମୀକ କୁଦ ମଧ୍ୟେ ଭିନ୍ନ । ଦିଶଇ ମୁନିଙ୍କ ନୟନ ॥୧୩
ଅଦ୍‌ଭୁତ ବେନି ଜ୍ୟୋତି ଚାହିଁ । ସୁକନ୍ୟା ମନେ ବିଚାରଇ ॥୧୪
ଏ ତ ସୁନ୍ଦର ଜ୍ୟୋତି ଦିଶେ । ତେଜେ ତିମିର ବନେ ନାଶେ ॥୧୫
ଏମନ୍ତ ମନେ ପରିମାଣି । କଣ୍ଟକ ବୃକ୍ଷୁଁ କଣ୍ଟା ଆଣି ॥୧୬
ସେ ବେନି ଜ୍ୟୋତି କଲା କ୍ଷତ । ତକ୍ଷଣେ ସ୍ରବିଲା ରକତ ॥୧୭
ବଲ୍ମୀକ ମଧ୍ୟେ ଶୋଣି ବହେ । ଧାରା ଦିଶଇ ମୁନି ଦେହେ ॥୧୮
ମୁନିଙ୍କି ଅପରାଧ କଲା । ଶୁଣ ହେ ଅଭିମନ୍ୟୁବଳା ॥୧୯
ତକ୍ଷଣେ ରାଜାର ସମେତେ । ଅପରେ ଥିଲେ ଲୋକ ଯେତେ ॥୨୦
ସର୍ବେ ହୋଇଲେ ଅପରାଧୀ । ହୋଇଲା ମୂତ୍ରଦ୍ୱାରା ରୁନ୍ଧି ॥୨୧
ସୁକନ୍ୟା ସଙ୍ଗେ କନ୍ୟା ଯେତେ । ଥିଲେ ଯେ ରାଜାଙ୍କ ସଙ୍ଗତେ ॥୨୨
କେହି ନ ପାରେ ମୂତ୍ର କରି । କାନ୍ଦନ୍ତି ମୂତ୍ରଦ୍ୱାରା ଧରି ॥୨୩
ସର୍ବେ କରନ୍ତି ହାହାକାର । ଶୁଣି ଶର୍ଯ୍ୟାତି ନୃପବର ॥୨୪
ସକଳେ ପୁଚ୍ଛି ଦୁଃଖମନ । କନ୍ୟାକୁ ବୋଲନ୍ତି ବଚନ ॥୨୫
ତୁ ଯେ ବନସ୍ତେ ଭ୍ରମୁ ଥିଲୁ । କାହିଁକି ଅବା ଆଚରିଲୁ ॥୨୬
ସେ କର୍ମବଳେଟି ଏ ବ୍ୟାଧି । ରହିଲା ମୂତ୍ରଦ୍ୱାର ରୁନ୍ଧି ॥୨୭
ସର୍ବେ ମରିବା ଏହିକ୍ଷଣି । ସୁକନ୍ୟା କହେ ତାହା ଶୁଣି ॥୨୮
ଭୋ ତାତ ବଲ୍ମୀକ ଉପରେ । ଜ୍ୟୋତି-ଯୁଗଳ ଦେଖି ଖରେ ॥୨୯
ଅଦ୍‌ଭୁତ ପ୍ରାୟେ ମୁହିଁ ମଣି । କଣ୍ଟକ ବୃକ୍ଷୁଁ କଣ୍ଟା ଆଣି ॥୩୦
ଭେଦିଲି ସେ ଜ୍ୟୋତି ଅଦ୍‌ଭୁତ । ତକ୍ଷଣେ ସ୍ରବିଲା ରକତ ॥୩୧
ତା' ଶୁଣି ନୃପ ଅତିବେଗେ । ମିଳିଲା ବଲ୍ମୀକର ଆଗେ ॥୩୨
ସଂଭ୍ରମେ ବେନିକର ଯୋଡ଼ି । କହେ ବଲ୍ମୀକ ତଳେ ପଡ଼ି ॥୩୩
ଭୋ କୀଟ ବଲ୍ମୀକ ତୋ' ଦେହ । ରୁଧିର ବହେ କିମ୍ବା କହ ॥୩୪
ମୁଁ ତୋ'ର କଲି ଅପରାଧ । ତୋ'ଜ୍ୟୋତି କନ୍ୟା କଲାଭେଦ ॥୩୫
ସେ କନ୍ୟା ସ୍ୱଭାବେ ଚଞ୍ଚଳ । ସର୍ବେ ପାଇଲୁ ପ୍ରତିଫଳ ॥୩୬
ନିରୋଧ ହେଲା ମୂତ୍ରଦ୍ୱାରା । ରଖ ଶରଣ ଗଲି ତୋ'ର ॥୩୭
ଏମନ୍ତ ରାଜାବାକ୍ୟ ଶୁଣି । ଚ୍ୟବନ କହେ ଖେଦବାଣୀ ॥୩୮
ଭୋ ନୃପ ଭୃଗୁର କୁମର । ଚ୍ୟବନଋଷି ନାମ ମୋ'ର ॥୩୯
ମୁଁ ଏ ଅରଣ୍ୟେ ତପ କରି । ଚିନ୍ତଇ ପ୍ରଭୁ ନରହରି ॥୪୦
ଆସନେ ବସିଲି ନିଶ୍ଚଳ । ଏମନ୍ତେ ଗଲା କେତେକାଳ ॥୪୧
ବଲ୍ମୀକ କୀଟ ମୋ' ଶରୀରେ । ମାଂସ ରୁଧିର ଭକ୍ଷି ଖରେ ॥୪୨
ମୃତ୍ତିକା ମୋହର ଉପରେ । ମୁଖେ ଆଚ୍ଛାଦି ନିରନ୍ତରେ ॥୪୩
ଦେହ ଭକ୍ଷିଲେ ସ୍ୱାଦୁ ରସେ । କେବଳ ଅସ୍ଥି ରହେ ଶେଷେ ॥୪୪
ଏମନ୍ତ ମୁନିମୁଖୁଁ ଶୁଣି । ଚରଣେ ପଡ଼ି ନୃପମଣି ॥୪୫
ଧରିଣ ମୁନିଙ୍କ ଚରଣ । ବୋଲଇ କର ପରିତ୍ରାଣ ॥୪୬
ଏ ଯେ ସୁକନ୍ୟା ମୋ' ଦୁଲଣୀ । ଏ ହେଉ ତୋହର ଘରଣୀ ॥୪୭
ସତ୍ୟ ବଚନ ଏ ମୋହର । ଏଥକୁ ସାକ୍ଷୀ ଦିବାକର ॥୪୮
ଏମନ୍ତ ରାଜା ମୁଖୁଁ ଶୁଣି । ଚ୍ୟବନ କହେ ମଞ୍ଜୁବାଣୀ ॥୪୯
ଏ ଯେବେ ସତ୍ୟବାକ୍ୟ ତୋ'ର । ସ୍ରବୁ ସକଳ ମୂତ୍ରଦ୍ୱାର ॥୫୦
ଶୁଣି ସେ ଚ୍ୟବନ ବଚନ । ଫିଟିଲା ମୂତ୍ର-ନିରୋଧନ ॥୫୧
ସର୍ବେ ଲଭିଲେ ପରିତ୍ରାଣ । ଏବେ ହୋ ପରୀକ୍ଷିତ ଶୁଣ ॥୫୨
ମୁନିଙ୍କି କନ୍ୟାଦାନ କରି । ରାଜା ଚଳିଲା ନିଜ ପୁରୀ ॥୫୩
ନିଜ ଜନଙ୍କ ସଙ୍ଗେ ମିଶି । ଚ୍ୟବନ ମହିମା ପ୍ରକାଶି ॥୫୪
ସୁକନ୍ୟା ଚ୍ୟବନ ସମୀପେ । ଖଟଇ ମନ ଅନୁରୂପେ ॥୫୫
ନିତ୍ୟେ କଳ୍ପିତ ଭିକ୍ଷା ଆଣି । ଯେ ମିଳେ ଶାକ କନ୍ଦ ପାଣି ॥୫୬
ଏମନ୍ତେ ଶୁଣ ନୃପବର । ବିଧାତା ବଳ ବଳୀୟାର ॥୫୭
ଏମନ୍ତେ କେତେକାଳ ଗଲା । ସୁକନ୍ୟା ରଜ ପ୍ରକାଶିଲା ॥୫୮
ସେ ଦିନ ପ୍ରଭାତର କାଳେ । ଅଶ୍ୱିନୀ କୁମାରେ ମିଳିଲେ ॥୫୯
ମୁନିଙ୍କି ନମସ୍କାର କରି । ବସିଲେ ଆସନ ଆବୋରି ॥୬୦
ଚ୍ୟବନ ଉଠି ମନତୋଷେ । ଅଶ୍ୱିନୀ କୁମାରଙ୍କ ପାଶେ ॥୬୧
ପାଦ୍ୟାର୍ଘେ ଚରଣ ପୂଜିଲେ । ଅନେକ ସ୍ତୁତିବାକ୍ୟ କଲେ ॥୬୨
ବୋଲନ୍ତି ବିଶ୍ୱାସ କରାଇ । ଦେବଙ୍କ ବୈଦ୍ୟ ତୁମ୍ଭେ ଦୁଇ ॥୬୩
ଯେ ତୁମ୍ଭ ନାମ ଉଚ୍ଚାରନ୍ତି । ରୋଗ-ପ୍ରବନ୍ଧୁ ସେ ତରନ୍ତି ॥୬୪
ଦେଖ ଏ ମୋହର ଶରୀର । ଜରା ଅବସ୍ଥା ଜରଜର ॥୬୫
ଶର୍ଯ୍ୟାତି କନ୍ୟା ମୋତେ ଦେଲା । ଭାବ ଅଭାବ ନ ଜାଣିଲା ॥୬୬
ଦେଖ ଏ କନ୍ୟା ପତିବ୍ରତା । ଏହାକୁ ହୁଅ ବରଦାତା ॥୬୭
ଏ ବୃଦ୍ଧ-ଦୁଃଖ ମୋର ହର । ଯୁବାବୟସ ମୋତେ କର ॥୬୮
ମୁଁ ପୁଣି ତୁମ୍ଭ ଉପକାରେ । କରିବି ଯଥାର୍ଥ ବେଭାରେ ॥୬୯
ତୁମ୍ଭେ ଯେ ଦେବବୈଦ୍ୟ ଦୋଷେ । ଯଜ୍ଞେ ନ ଲଭ ସୋମ ଅଂଶେ ॥୭୦
ଏବେ ମୁଁ ତୁମ୍ଭୁଙ୍କୁ ବରିବି । ଆନନ୍ଦେ ଯଜ୍ଞଭାଗ ଦେବି ॥୭୧
ଇନ୍ଦ୍ର କି କରିବ ମୋହର । ଯୁବା ଶରୀର ମୋତେ କର ॥୭୨
ଏମନ୍ତ ମୁନିମୁଖୁଁ ଶୁଣି । ଅଶ୍ୱିନୀ ସୁତେ ମନେ ଗୁଣି ॥୭୩
ବୋଲନ୍ତି ମୁନି ମୁଖ ଚାହିଁ । ଏ କଥା ଅନ୍ୟଥା ନୁହଇ ॥୭୪
ଅମ୍ବର ସଙ୍ଗେ ସିଦ୍ଧହ୍ରଦେ । ସ୍ନାହାନ କର ଅପ୍ରମାଦେ ॥୭୫
ହୋଇବ କନ୍ଦର୍ପ ଶରୀର । ପ୍ରତ୍ୟକ୍ଷ ଦେଖ ମନ୍ତ୍ରବଳ ॥୭୬
ତା' ଶୁଣି ଚ୍ୟବନ ଆନନ୍ଦେ । ବେଗେ ପଶିଲେ ସିଦ୍ଧହ୍ରଦେ ॥୭୭
ତିନିହେଁ ହସ୍ତେ ହସ୍ତଧରି । ଜଳେ ବୁଡ଼ିଲେ ବୋଲି ହରି ॥୭୮
ତକ୍ଷଣେ ଏକରୂପ ହୋଇ । ଉଠିଲେ କନ୍ୟାମୁଖ ଚାହିଁ ॥୭୯
କି ଅବା ଦେବା ପଟାନ୍ତର । ରୂପେ ମୋହିଲେ ସୁରନର ॥୮୦
ସେ କନ୍ୟା ତୀରେ ଚାହିଁଥିଲା । ନିଜ ସ୍ୱାମୀକି ନ ଚିହ୍ନିଲା ॥୮୧
ବିକଳେ ହୋଇ ଛନ୍ନଛନ୍ନ । ଚାହିଁଣ ତାହାଙ୍କ ବଦନ ॥୮୨
କର ଅଞ୍ଜଳି ଶିରେ ଦେଇ । ବୋଲଇ ମୋତେ କର ତ୍ରାହି ॥୮୩
ମୁଁ ଯେବେ ସତ୍ୟ ପତିବ୍ରତା । ନିକଟେ ଦିଅ ମୋର ଭର୍ତ୍ତା ॥୮୪
ଅଶ୍ୱିନୀ ସୁତେ ତାହା ଶୁଣି । ସ୍ୱାମୀକି ଦେଲେ ତା'ର ଆଣି ॥୮୫
ଋଷିଙ୍କି ନମସ୍କାର ହୋଇ । ସ୍ୱର୍ଗେ ଚଳିଲେ ବେନିଭାଇ ॥୮୬
ଶୁଣ ହୋ ପରୀକ୍ଷିତ ଏବେ । ଶର୍ଯ୍ୟାତି ଯଜ୍ଞର ଆରମ୍ଭେ ॥୮୭
ଚ୍ୟବନ ଆଶ୍ରମେ ମିଳିଲା । ନୟନେ ଅଦ୍‌ଭୁତ ଦେଖିଲା ॥୮୮
ନିଜର କନ୍ୟାର ପାଶେ ବସି । ପୁରୁଷେ ଦିଶେ ତେଜ ରାଶି ॥୮୯
ସୁକନ୍ୟା ଆସି ପିତା ପାଦେ । ସ୍ୱଭାବେ ନମିଲା ଆନନ୍ଦେ ॥୯୦
ତାହାକୁ କଲ୍ୟାଣ ନ କରି । କନ୍ୟାକୁ ବୋଲେ କୋପକରି ॥୯୧
ଅଦ୍ଭୁତ କର୍ମ ଏ ତୋହର । ଅତ୍ୟନ୍ତ ବୃଦ୍ଧ ତୋ'ର ବର ॥୯୨
ତା'ର ଚରଣେ ସେବା ଛାଡ଼ି । ଯୁବା ପୁରୁଷେ ଲୋଭ ବଢ଼ି ॥୯୩
କେମନ୍ତେ ଟଳିଲା ତୋ' ମତି । ସଂସାରେ ଯେସନେ ଅସତୀ ॥୯୪
କୁଳ ଦୂଷଣ କର୍ମ କଲୁ । ବୃଦ୍ଧ ସ୍ୱାମୀକି ଉପେକ୍ଷିଲୁ ॥୯୫
ଜାର ପୁରୁଷେ କଲୁ ମତି । ଏ ବଡ଼ ତୋହର ଅନୀତି ॥୯୬
ଉଭୟ କୁଳ କଲୁ ନାଶ । ପରପୁରୁଷେ ତୋ' ବିଶ୍ୱାସ ॥୯୭
ଏ କର୍ମେ ପିତା-ପତି-ବଂଶ । ନରକେ କରାଇଲୁ ବାସ ॥୯୮
ଏମନ୍ତ ପିତାବାକ୍ୟ ଶୁଣି । ହସି ବୋଲଇ ତା' ଦୁଲଣୀ ॥୯୯
ଭୋ ତାତ ଭ୍ରାନ୍ତି ତୁ ନ କର । ଏହିଟି ମୋର ନିଜ ବର ॥୧୦୦
ଏମନ୍ତ ପିତାର ଅଗ୍ରତେ । ସର୍ବ କହିଲା ଆଦି ଅନ୍ତେ ॥୧୦୧
ଯେମନ୍ତେ ସ୍ୱର୍ଗ ବୈଦ୍ୟେ ଆସି । ସୁନ୍ଦର କଲେ ଜଳେ ପଶି ॥୧୦୨
ବୃଦ୍ଧକୁ ଯୁବା ରୂପ କଲେ । ରଥ ଆରୋହୀ ସ୍ୱର୍ଗେ ଗଲେ ॥୧୦୩
ଏମନ୍ତେ ପୁତ୍ରୀ ବାକ୍ୟ ଶୁଣି । ଅତି ଆନନ୍ଦ ନୃପମଣି ॥୧୦୪
ତକ୍ଷଣେ ଦୁହିତା ବଚନ । ଅଦ୍‌ଭୁତ ଶୁଣି ସେ ରାଜନ ॥୧୦୫
ଅତି ଆନନ୍ଦେ ମୋଦ ଭରି । ନିଜ ଦୁହିତା କୋଳକରି ॥୧୦୬
ତକ୍ଷଣେ ନିଜପୁରେ ଗଲା । ଶୁଣ ହେ ଅଭିମନ୍ୟୁ ବଳା ॥୧୦୭
ନିଜ ଭୁବନେ ନୃପମଣି । ଚ୍ୟବନ ମୁନି ଗୃହେ ଆଣି ॥୧୦୮
ଆଗମ-ନିଗମ-ଉକତେ । ଯଜ୍ଞ ସେ କଲା ବିଧିମତେ ॥୧୦୯
ଚ୍ୟବନ ବାକ୍ୟେ ଯଜ୍ଞ ଘରେ । ମିଳିଲେ ଅଶ୍ୱିନୀ କୁମାରେ ॥୧୧୦
ତାହାଙ୍କୁ ସୋମ ଦେବା ବେଳେ । ଇନ୍ଦ୍ର ମିଳିଲା ଯଜ୍ଞଶାଳେ ॥୧୧୧
ବଜ୍ର ଉଞ୍ଚାଇ କୋପଭରେ । ନିଷେଧ କଲା ମନ୍ତ୍ରସ୍ୱରେ ॥୧୧୨
ତା' ଦେଖି ଚ୍ୟବନ ଉଠିଲେ । ଇନ୍ଦ୍ରର ବଜ୍ରକୁ ସ୍ତମ୍ଭିଲେ ॥୧୧୩
ମାରି ନ ପାରି ବଜ୍ର କୋପେ । ଇନ୍ଦ୍ର ଶରୀର ଭୟେ କମ୍ପେ ॥୧୧୪
ବୋଲଇ ମୁନିମୁଖ ଚାହିଁ । ଏ କଥା ଉଚିତ ନୁହଇ ॥୧୧୫
ଯଜ୍ଞେ ଏହାଙ୍କ ଭାଗ ନାହିଁ । ଆହୁତି ଦିଅ କାହିଁ ପାଇଁ ॥୧୧୬
ଚ୍ୟବନ ବୋଲେ ଇନ୍ଦ୍ରେ ଚାହିଁ । ସତ୍ୟ ଯେ କରିଅଛି ମୁହିଁ ॥୧୧୭
ଏ ଯହୁଁ ଯୁବା କଲେ ମୋତେ । ଆହୁରି ଦେବି ଯଜ୍ଞ ଅନ୍ତେ ॥୧୧୮
ଯଜ୍ଞରେ ଶେଷଭାଗ ପାଇ । ସନ୍ତୋଷ ହେବେ ବେନିଭାଇ ॥୧୧୯
ବ୍ୟାଧି ନାଶିବେ ଯଜମାନେ । ଏମନ୍ତେ ଚ୍ୟବନ ବଚନେ ॥୧୨୦
ତୋଷ ହୋଇଲେ ସୁରନାଥ । ମୁନି ଛାଡ଼ିଲେ ତା'ର ହସ୍ତ ॥୧୨୧
ସେଦିନୁ ସର୍ବଦେବେ ଯଜ୍ଞେ । ତା'ଙ୍କୁ ସ୍ଥାପିଲେ ହବିର୍ଭାଗେ ॥୧୨୨
ଶେଷେ ସେ ସୋମଭାଗ ପା'ନ୍ତି । ଏବେ ହୋ ଶୁଣ ନରପତି ॥୧୨୩
ଏମନ୍ତେ ଯଜ୍ଞକର୍ମ ଫଳେ । ପୁତ୍ରେ ଜନ୍ମିଲେ ରାଜାକୁଳେ ॥୧୨୪
ଅତି ସୁନ୍ଦର ଅନୁପମ । ଶୁଣ ହେ ତାହାଙ୍କର ନାମ ॥୧୨୫
ଉତ୍ତାନବରହି ଆନର୍ତ୍ତ । ତୃତୀୟେ ଭୂରିସେନ ଜାତ ॥୧୨୬
ଶର୍ଯ୍ୟାତି ପୁତ୍ରେ ମହାତେଜେ । ପ୍ରଜାପାଳିଲେ ଶୁଭେ ରାଜ୍ୟେ ॥୧୨୭
ଆନର୍ତ୍ତ ନାମେ ମଧ୍ୟ ସୁତ । ଶୁଣ ହେ ତାହାଙ୍କ ଚରିତ ॥୧୨୮
ସେ ନିତ୍ୟେ ହରି ସେବା କରେ । ସେ ପୁଣ୍ୟେ ତା'ପତ୍ନୀ ଉଦରେ ॥୧୨୯
ରେବତ ନାମେ ପୁତ୍ର ଜାତ । ହୋଇଲା ଅତି ବଳବନ୍ତ ॥୧୩୦
ସମୁଦ୍ର ମଧ୍ୟେ ପୁର କଲା । ତା' ନାମ କୁଶସ୍ଥଳୀ ଦେଲା ॥୧୩୧
ସେ ରାଜ୍ୟେ ବସି ଦିନାକେତେ । ଭୋଗ ଭୁଞ୍ଜିଲା ନାନାମତେ ॥୧୩୨
ନିତ୍ୟେ ସେ ବିଷ୍ଣୁଙ୍କୁ ସେବଇ । ତାହାର ଶତ୍ରୁ ନାହିଁ କେହି ॥୧୩୩
ତାହାର ଶତେ ପୁତ୍ର ଜାତ । ତାହାଙ୍କ ମଧ୍ୟେ ଜ୍ୟେଷ୍ଠଭ୍ରାତ ॥୧୩୪
କକୁଦ୍ମୀ ନାମ ତା'ର ହୋଏ । ଇନ୍ଦ୍ର କମ୍ପଇ ଯା'ର ଭୟେ ॥୧୩୫
ରେବତୀ ନାମେ କନ୍ୟା ତା'ର । ସୁନ୍ଦରେ ନାହିଁ ପଟାନ୍ତର ॥୧୩୬
ସେ କନ୍ୟା ଘେନି ଅତି ଦୁଃଖେ । ଦିନେ ମିଳିଲେ ବ୍ରହ୍ମଲୋକେ ॥୧୩୭
ଭୂମିରେ ନୃପତି କୁମର । ଯେତେ ମିଳିଲେ ତା'କୁ ବର ॥୧୩୮
ତା'ଙ୍କୁ ନ ଦେଲା କୁଳ ଶ୍ରେଷ୍ଠେ । ମିଳିଲା ବ୍ରହ୍ମାଙ୍କ ନିକଟେ ॥୧୩୯
ସେ ବ୍ରହ୍ମା ଘେନି ମହାଜନ । କରଇ ବିଷ୍ଣୁର କୀର୍ତ୍ତନ ॥୧୪୦
କ୍ଷଣେ ରହିଲେ ତା'କୁ ଦେଖି । ସେ ଧାତା କୀର୍ତ୍ତନ ଉପେକ୍ଷି ॥୧୪୧
ତକ୍ଷଣେ ଚାହିଁ ତା' ବଦନ । ବୋଲନ୍ତି ମଧୁର ବଚନ ॥୧୪୨
କିପାଁ ଅଇଲୁ ବ୍ରହ୍ମଲୋକେ । ଏ କନ୍ୟା ଘେନି ମନଦୁଃଖେ ॥୧୪୩
ବ୍ରହ୍ମା ବଚନେ ଦଣ୍ତଧାରୀ । ଚରଣେ ନମସ୍କାର କରି ॥୧୪୪
ବୋଲଇ ଅତି ଦୁଃଖ ଭରେ । ଏ କନ୍ୟା ଦେବି କେଉଁ ବରେ ॥୧୪୫
ଏ କଥା ରାଜା ମୁଖୁଁ ଶୁଣି । ହସି ବୋଲନ୍ତି କୁଶପାଣି ॥୧୪୬
ଅଦ୍‌ଭୁତ୍ କଥା ଏ ତୋହର । ଭୂମିରେ ନ ବରିଲୁ ବର ॥୧୪୭
ଯା' କଥା ଅଇଲୁ ତୁ କହି । ଭୂମିରେ ତା'ଙ୍କ ବଂଶ ନାହିଁ ॥୧୪୮
ବ୍ରହ୍ମାଣ୍ତ ମଧ୍ୟେ କାଳ ବଳେ । ଅନେକ ଯୁଗ ବହି ଗଲେ ॥୧୪୯
ତୋ' ପୁତ୍ର ନାତି ଯେତେ ଥିଲେ । କାଳର ବଳେ ନାଶ ଗଲେ ॥୧୫୦
ତୋ' ଗୋତ୍ର ନାହିଁ ରବି ତଳେ । ଶୁଣ ହେ ଯେତେ ଯୁଗ ଗଲେ ॥୧୫୧
ପ୍ରଚଣ୍ତ କାଳଲୀଳା ବଳେ । ବିଷ୍ଣୁ ବିହରେ ରବି ତଳେ ॥୧୫୨
ସପତ ବିଂଶ ଚତୁର୍ଯୁଗ । ଭୂମିରେ କାଳ କଲା ଭୋଗ ॥୧୫୩
ଅଧିକ ତିନିଯୁଗ ଗଲା । କଳିର ଆଗମନ ହେଲା ॥୧୫୪
ଦ୍ୱାପର ଯୁଗ ଅବସାନ । ଏବେ ତୁ ଶୁଣ ମୋ' ବଚନ ॥୧୫୫
ଭାରା ନିବାରଣ ନିମନ୍ତେ । ବିଷ୍ଣୁ ଜନ୍ମିଲେ ଏ ଜଗତେ ॥୧୫୬
ଦେବକୀ-ଗର୍ଭେ ଦେହ ବହି । ନୀଳ-ଧବଳ ରୂପ ହୋଇ ॥୧୫୭
ଅନନ୍ତ ବଳଭଦ୍ର ରୂପେ । ଜନ୍ମ ଲଭିଲେ ମୋହ କଳ୍ପେ ॥୧୫୮
ଏ କନ୍ୟାରତ୍ନ ତା'ଙ୍କୁ ଦେଇ । ଭବସାଗରୁ ତର ତୁହି ॥୧୫୯
ଏମନ୍ତ ବ୍ରହ୍ମା ମୁଖୁଁ ଶୁଣି । ଆନନ୍ଦ ମନେ ନୃପମଣି ॥୧୬୦
ତକ୍ଷଣେ ନିଜ ପୁରେ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥୧୬୧
ତାହାର ଯେତେ ଭାଇ ଥିଲେ । ଯକ୍ଷଙ୍କ ଭୟେ ପଳାଇଲେ ॥୧୬୨
ସେ କନ୍ୟା ବଳଭଦ୍ରେ ଦେଇ । ଆନନ୍ଦେ କୃତକୃତ୍ୟ ହୋଇ ॥୧୬୩
ତପକରଣେ ଶୁଦ୍ଧମନେ । ମିଳିଲା ବଦରିକାଶ୍ରମେ ॥୧୬୪
ଯାହା ବୋଇଲେ ନରହରି । ଭାଷା ପ୍ରବନ୍ଧେ ଗୀତ କରି ॥୧୬୫
ସୁଜନେ ଏଣେ ମତି କର । ତରିବ ସଂସାର-ସାଗର ॥୧୬୬
ଅନ୍ତେ ପାଇବ ଚକ୍ରଧର । ଏଣେ ବିଶ୍ୱାସ ନିତ୍ୟେ କର ॥୧୬୭
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୬୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ତୃତୀୟୋଽଧ୍ୟାୟଃ । ।

ଚତୁର୍ଥ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ନାଭାଗ ନଭଗର ବଳା । ପୂର୍ବେ ସେ ବ୍ରହ୍ମଚର୍ଯ୍ୟ କଲା ॥୧
ଭାଇଏ ତା'ର ଭାଗ କାଟି । ସର୍ବ ସମ୍ପଦ ନେଲେ ବାଣ୍ଟି ॥୨
ଭାଇଙ୍କୁ ବୋଲେ ଭାଗ କାହିଁ । ପିତା ତୋ' ଭାଗେ ବୋଲେ ଭାଇ॥୩
ପିତାଙ୍କୁ ବୋଲନ୍ତେ ତା' ଯାଇ । ସେ ବୋଲେ ଉଚିତ ନୁହଇ ॥୪
ବୋଇଲା ପୁଣି ଯାଅ ତୁହି । ଅଙ୍ଗିରସଙ୍କ ଯଜ୍ଞ ଯହିଁ ॥୫
ତାହାଙ୍କୁ ଦେବୁ ଉପଦେଶ । ଲଭିବୁ ଦ୍ରବିଣ ଅଶେଷ ॥୬
ପିତାର ବୋଲେ ଯଜ୍ଞେ ଗଲା । ଅନେକ ଧନ ସେ ଲଭିଲା ॥୭
ତା' ଘେନି ସେ ଯେ ବାଟେ ଆସେ । ମିଳିଲା କାଳିଆ ପୁରୁଷେ ॥୮
ବୋଲଇ ମୋ'ର ଧନ ନେଇ । ପଳାଇ ଯାଉ କାହିଁପାଇଁ ॥୯
ସେ ବୋଲେ ନ ଜାଣଇ କିଛି । ପିତା ବଚନେ ନେଉଅଛି ॥୧୦
ପୁରୁଷ ବୋଲେ ତୁ ପଚାର । ପିତାଙ୍କୁ ଏ ଧନ କାହାର ॥୧୧
ତହୁଁ ନାଭାଗ ବେଗେ ଗଲା । ସକଳ ପିତାଙ୍କୁ କହିଲା ॥୧୨
ପିତା ବୋଇଲେ ସତ୍ୟ ଏହା । ପୂର୍ବେ ଋଷି ଏ କଲେ ଯାହା ॥୧୩
ଯଜ୍ଞର ଶେଷ-ଧନ ଆଦି । ରୁଦ୍ରଙ୍କ ଭାଗ ବୋଲି ବିଧି ॥୧୪
ନାଭାଗ ତହୁଁ ବେଗେ ଗଲା । ରୁଦ୍ରେ ସକଳ ସମର୍ପିଲା ॥୧୫
ପିତା ପୁତ୍ରର ସତ୍ୟ ଜାଣି । ରୁଦ୍ର ବୋଲନ୍ତି ସାଧୁବାଣୀ ॥୧୬
ବୋଇଲେ ସର୍ବ ଘେନିଯାଅ । ଆବର ବ୍ରହ୍ମଜ୍ଞାନ ପାଅ ॥୧୭
ଏମନ୍ତେ ସେ ନାଭାଗ ରାଜା । ସୁଖେ ପାଳିଲା ଜନପ୍ରଜା ॥୧୮
ଅନେକ କାଳ ରାଜ୍ୟ କଲା । ଅନ୍ତେ ସେ ଗୋବିନ୍ଦେ ପଶିଲା ॥୧୯
ନାଭାଗ-ପୁତ୍ର ଅମ୍ବରୀଷ । ସେ ରାଜା ବିଷ୍ଣୁର ବିଶ୍ୱାସ ॥୨୦
ବ୍ରାହ୍ମଣ ଶାପ ନ ଲାଗିଲା । ତା' ଶୁଣି ଅଭିମନ୍ୟୁବଳା ॥୨୧
ଶୁକ ଚରଣ ବେନି ଧରି । ବୋଲେ ପରୀକ୍ଷ ଦଣ୍ତଧାରୀ ॥୨୨

ରାଜା ଉବାଚସମ୍ପାଦନ କରନ୍ତୁ

ନାଭାଗ ପୁତ୍ର ଅମ୍ବରୀଷ । ସେ ଯେବେ ବିଷ୍ଣୁର ବିଶ୍ୱାସ ॥୨୩
ବ୍ରାହ୍ମଣ ଶାପ ନ ଲାଗିଲା । ମୋତେ ତ ସନ୍ଦେହ ଲାଗିଲା ॥୨୪
ଯେ ବ୍ରହ୍ମଦଣ୍ତ ବଜ୍ରଘୋର । କେମନ୍ତେ ତହୁଁ ହେଲା ପାର ॥୨୫
କି ଅବା ତା'ର ତପ ଫଳୁଁ । ତରିଲା ବ୍ରହ୍ମଶାପାନଳୁଁ ॥୨୬
ଏ କଥା କହ ମୁନି ମୋତେ । ସଂଶୟ ଲାଗିଲା ମୋ' ଚିତ୍ତେ ॥୨୭
ଏମନ୍ତ ରାଜା-ପ୍ରଶ୍ନ ଶୁଣି । ଶୁକ କହନ୍ତି ମଞ୍ଜୁବାଣୀ ॥୨୮

ଶୁକ ଉବାଚସମ୍ପାଦନ କରନ୍ତୁ

ଶୁଣ ରାଜନ ଏକଚିତ୍ତେ । ଯେ ପ୍ରଶ୍ନ ବଂଶାନୁଚରିତେ ॥୨୯
ନାଭାଗସୁତ ଅମ୍ବରୀଷ । ଯେମନ୍ତେ ବିଷ୍ଣୁର ବିଶ୍ୱାସ ॥୩୦
ବ୍ରାହ୍ମଣ ଶାପ ନଲାଗିଲା । ଅନ୍ତେ ସେ ଗୋବିନ୍ଦେ ପଶିଲା ॥୩୧
ସେ ସପ୍ତଦ୍ୱୀପେ ଏକ ରାଜା । ସୁଖେ ପାଳଇ ଜନପ୍ରଜା ॥୩୨
ସାତ୍ତ୍ୱିକ-ସମ୍ପଦ ତାହାର । ବିବେକ କେ କରୁ ଗୋଚର ॥୩୩
ସପତ ଦ୍ୱୀପେ ରାଜାପଣେ । ପ୍ରଜା ପାଳଇ ଅନୁକ୍ଷଣେ ॥୩୪
ଶରୀର ସୁଖକୁ ନ ଲେଖେ । ସମ୍ପଦ ସ୍ୱପ୍ନ-ପ୍ରାୟ ଦେଖେ ॥୩୫
ଯେ ପ୍ରାଣୀ ସମ୍ପଦ ଇଚ୍ଛନ୍ତି । ଅନ୍ତେ ସେ ନରକେ ପଡ଼ନ୍ତି ॥୩୬
ଏମନ୍ତ ନିଶ୍ଚେ ଜାଣି ମନେ । ହରି ଭଜଇ ତତ୍ତ୍ୱଜ୍ଞାନେ ॥୩୭
ବିଷ୍ଣୁଭକତ ଯେତେ ଜନ । ତାହାଙ୍କ ପାଦେ ତା'ର ମନ ॥୩୮
ସାଧୁଙ୍କ ପାଦେ ନିତ୍ୟେ ସେବେ । ସଂସାର ଆତ୍ମାରୂପେ ଭାବେ ॥୩୯
ହରିଚରଣ ଯୁଗେ ମନ । ବିଷ୍ଣୁ ଉଚ୍ଚାରଇ ବଦନ ॥୪୦
ବିଷ୍ଣୁର ମନ୍ଦିର ମାର୍ଜନେ । କର ଯୁଗଳ ଅନୁଦିନେ ॥୪୧
ଶ୍ରବଣ ଯୁଗ ତା' ସୁକଥା । ନିତ୍ୟେ ଶୁଣଇଁ କୃଷ୍ଣକଥା ॥୪୨
ନିରତେ ତାହାର ନୟନ । କଳ୍ପଇ ବିଷ୍ଣୁ-ଦରଶନ ॥୪୩
ଶରୀର-ଚର୍ମ ଅନୁଦିନେ । କଳ୍ପେ ବୈଷ୍ଣବ-ଆଲିଙ୍ଗନେ ॥୪୪
ହରିଚରଣ ପଦ୍ମଗନ୍ଧେ । ନିରତେ ନାସା ତା' ଆମୋଦେ ॥୪୫
ଶ୍ରୀକୃଷ୍ଣଚରଣ ତୁଳସୀ । ତା'ର ରସନା ତେଣେ ରସି ॥୪୬
ଚରଣ ଯୁଗ କଳ୍ପେ ନିତ୍ୟେ । କୃଷ୍ଣ ମନ୍ଦିରେ ଉପଗତେ ॥୪୭
ବିଷ୍ଣୁ ଚରଣେ ନମସ୍କାର । ଶିର କଳ୍ପଇ ନିରନ୍ତର ॥୪୮
ଚିତ୍ତ କଳ୍ପର ଦାସପଣେ । ବୈଷ୍ଣବ ଚରଣ ସେବନେ ॥୪୯
ହରି-ଭକତ-ଜନେ ରତି । ନିରତେ କଳ୍ପେ ତା'ର ମତି ॥୫୦
ଦେହ ବିଷୟ ତା'ର ଯେତେ । କଳ୍ପଇ ହରିଭାବ ନିତ୍ୟେ ॥୫୧
ବିପ୍ର ଦେବତା ପାଦେ ସେବେ । ପ୍ରଜାଙ୍କୁ ଦେଖେ ବିଷ୍ଣୁଭାବେ ॥୫୨
ସକଳ ସମ୍ପଦ ପ୍ରସିଦ୍ଧି । ଭିଆଇ କରେ ଅଶ୍ୱମେଧି ॥୫୩
ବିପ୍ରଚରଣ ଦାନେ ପୂଜେ । ଯେ ଅଧିଯଜ୍ଞ ବିଧି ଭଜେ ॥୫୪
ଅସିତ ବଶିଷ୍ଠ ଗୌତମ । ସଙ୍ଗତେ ଘେନି ମୁନିଗଣ ॥୫୫
ବିପ୍ର-ସେବନ ଅନୁମତେ । ସରସ୍ୱତୀର ଅଭିସ୍ରୋତେ ॥୫୬
ତାହାର ଯଜ୍ଞସଭା ମଧ୍ୟେ । ତ୍ରିଦଶେ ଅତ୍ୟନ୍ତ ଆନନ୍ଦେ ॥୫୭
ମୁନି-ବ୍ରାହ୍ମଣ ମଧ୍ୟେ ବସି । ନିତ୍ୟେ ଯଜ୍ଞକୁ ପରଶଂସି ॥୫୮
ଦେବ-ମନୁଷ୍ୟ ସଭାଗତେ । ସର୍ବେ ଦିଶନ୍ତି ଏକମତେ ॥୫୯
ଦେବେ ସେ ସଭାମଧ୍ୟେ ଥା'ନ୍ତି । ସ୍ୱର୍ଗ-ଗମନ ନ ବାଞ୍ଛ‚ନ୍ତି ॥୬୦
କୃଷ୍ଣକୀର୍ତ୍ତନ ସଭା ମଧ୍ୟେ । ସକଳେ ଶୁଣନ୍ତି ଆନନ୍ଦେ ॥୬୧
ସ୍ୱର୍ଗର ପ୍ରାୟ ମହୀ ଦିଶେ । ଅଷ୍ଟମନିଧି ଯହିଁ ବସେ ॥୬୨
ଏମନ୍ତ ଭକ୍ତିଯୋଗ ବଳେ । ସେ ରାଜା ସରସ୍ୱତୀ କୂଳେ ॥୬୩
ସ୍ୱଧର୍ମେ ବିଷ୍ଣୁଙ୍କୁ ତୋଷିଲା । ସର୍ବକାମନା ଉପେକ୍ଷିଲା ॥୬୪
ଗୃହ ସମ୍ପଦ ଦାରା ସୁତ । ଜ୍ଞାତି ବାନ୍ଧବ ଇଷ୍ଟ ମିତ୍ର ॥୬୫
ରାଜସମ୍ପଦ ଆଦି ଯେତେ । ଯେ ଅଶ୍ୱ କୁଞ୍ଜର ସହିତେ ॥୬୬
ଅପରେ ଦିବ୍ୟବସ୍ତୁ ଯେତେ । ଇଚ୍ଛା ନ କରେ ତା'ର ଚିତ୍ତେ ॥୬୭
ନିରତେ ଗୋବିନ୍ଦ ଚରଣେ । ମନନିବେଶେ ଅନୁକ୍ଷଣେ ॥୬୮
ତାହାର ଶୁଦ୍ଧଚିତ୍ତ ଜାଣି । ଚକ୍ରକୁ ରାଇ ଚକ୍ରପାଣି ॥୬୯
ବୋଇଲେ ଅମ୍ବରୀଷ ମେଳେ । ତୁ ଚକ୍ର ଥିବୁ ସର୍ବକାଳେ ॥୭୦
ଏହାକୁ ରଖ ନିରନ୍ତରେ । ଯେମନ୍ତେ ସର୍ବଦୁଃଖୁଁ ତରେ ॥୭୧
ଏମନ୍ତେ ବିଷ୍ଣୁ ଆଜ୍ଞା ପାଇ । ସେ ଚକ୍ର ରକ୍ଷାକଲା ଯାଇ ॥୭୨
ସେ ରାଜା ପତ୍ନୀର ସମେତେ । ଉପାସେ ଏକାଦଶୀ ବ୍ରତେ ॥୭୩
କାର୍ତ୍ତିକ ଶୁକ୍ଳପକ୍ଷେ ହରି । ପୂଜିଲା ଉପବାସ କରି ॥୭୪
ପ୍ରଭାତ କାଳେ ମଧୁବନେ । କାଳନ୍ଦୀକୂଳେ ଏକଧ୍ୟାନେ ॥୭୫
ଆନନ୍ଦେ ପତ୍ନୀର ସମେତେ । ବିଷ୍ଣୁ ପୂଜିଲା ଦୃଢ଼ଚିତ୍ତେ ॥୭୬
ଦ୍ରବ୍ୟ ସମ୍ପାଦି ଅତିରେକେ । ପୂଜିଲା ମହାଅଭିଷେକେ ॥୭୭
ଉତ୍ତମ ବସ୍ତ୍ର ଅଳଙ୍କାର । ସୁଗନ୍ଧମାଲ୍ୟ ଉପହାର ॥୭୮
ସଙ୍ଗତେ ଘେନି ନିଜନାରୀ । ଏକାନ୍ତ ଭାବେ ପୂଜା କରି ॥୭୯
ଉତ୍ତମ ବ୍ରାହ୍ମଣ ବସାଇ । ସୁନ୍ଦର ଧେନୁମାନ ଦେଇ ॥୮୦
ଧେନୁକୁ କରି ଅଳଙ୍କାର । ସୁବର୍ଣ୍ଣ ଶୃଙ୍ଗ ରୌପ୍ୟ ଖୁର ॥୮୧
ବିବିଧ ବସ୍ତ୍ର ମଣ୍ତି ଅଙ୍ଗେ । ଗନ୍ଧାଦି ଧୂପଦୀପ ସଙ୍ଗେ ॥୮୨
ପୃଷ୍ଠ-ପାରୁଷେ ତାମ୍ର କାଂସ୍ୟେ । ଧେନୁକୁ ମଣ୍ତିଲା ହରଷେ ॥୮୩
ସୁଶୀଳା ବତ୍ସା ପୟୋସ୍ୱିନୀ । ମଣ୍ତିଲା ଅଳଙ୍କାର ଘେନି ॥୮୪
ବିପ୍ର ବସାଇ ବାକ୍ୟ କଲା । ବତ୍ସା ସହିତେ ଧେନୁ ଦେଲା ॥୮୫
ସୁସ୍ୱାଦୁ ଅନ୍ନ ଷଡ଼ରସେ । ବିପ୍ରଙ୍କୁ ଭୁଞ୍ଜାଇ ସନ୍ତୋଷେ ॥୮୬
ବିପ୍ରଙ୍କ ପାଦଯୁଗେ ଲାଗି । ପାରଣା ଅର୍ଥେ ଆଜ୍ଞା ମାଗି ॥୮୭
ଉଦ୍ୟମ କଲା ନରପତି । ଏମନ୍ତେ ମିଳିଲା ଅତିଥି ॥୮୮
ଦୁର୍ବାସା ଶଂକରଙ୍କ ଅଂଶେ । ଯାହାଙ୍କୁ ଦେଖି ଦେବେ ତ୍ରାସେ ॥୮୯
ତାହାଙ୍କୁ ଦେଖି ନୃପମଣି । ଆସନ ପାଦାସନ ଆଣି ॥୯୦
ପୂଜିଲା ଅତିଥି ସ୍ୱଭାବେ । ଆନନ୍ଦେ ଅତି ଗଉରବେ ॥୯୧
ପୁଣି ଚରଣ ତଳେ ପଡ଼ି । ରାଜା ବୋଲଇ କରଯୋଡ଼ି ॥୯୨
ଭୋ ମୁନି ପାରଣା ମୋହର । ମୋ ଗୃହେ କର ତୁ ଆହାର ॥୯୩
ତକ୍ଷଣେ ଅମ୍ବରୀଷ ବୋଲେ । ଦୁର୍ବାସା ଅଙ୍ଗୀକାର କଲେ ॥୯୪
ଆନନ୍ଦ ମନେ ଧ୍ୟାନ କରି । କାଳିନ୍ଦୀ ଜଳେ ମୋଦ ଭରି ॥୯୫
ବିଳମ୍ବେ ସ୍ନାନ-ସନ୍ଧ୍ୟା କଲେ । ନିଶ୍ଚିନ୍ତେ ବସି ନଦୀକୂଳେ ॥୯୬
ଏବେ ହେ ଶୁଣ ନୃପମଣି । ରାଜା ବିଷାଦ-ମନେ ଗୁଣି ॥୯୭
ପାରଣା ହୋଇଲା ଉଛୁର । ଅତିଥି ନଇଲା ମୋହର ॥୯୮
କେମନ୍ତେ କରିବି ଭୋଜନ । ଅବଜ୍ଞା କରି ମହାଜନ ॥୯୯
ଅର୍ଦ୍ଧ ମୁହୂର୍ତ୍ତେ ଅଛି ବେଳ । ଯଥାର୍ଥ ପାରଣାର କାଳ ॥୧୦୦
ଉଛୁର ପାରଣାର ବେଳା । ମୋତେ ତ ସଙ୍କଟ ପଡ଼ିଲା ॥୧୦୧
ଯେ କର୍ମ କଲେ ସାଧୁବାଣୀ । ରାଜା ବିଚାରେ ମନେ ଗୁଣି ॥୧୦୨
ଲୋକେ ବୋଲିବେ ମୋତେ ଶୁଣି । ଅଧର୍ମ କଲା ନୃପମଣି ॥୧୦୩
ପାରଣା କଲେ ବେଦମତେ । ଅଧର୍ମ ନ ଲାଗିବ ମୋତେ ॥୧୦୪
ଜଳ ଗଣ୍ତୂଷେ କରି ପାନ । ଅତିଥି କରାଇ ଭୋଜନ ॥୧୦୫
ପଛେ ମୁଁ କରିବି ଆହାର । ଏତେ ବିଚାରି ନୃପବର ॥୧୦୬
ଜଳ ପାରଣା ଅପାରଣ । ଏ ଆଦି ନିଗମ ବଚନ ॥୧୦୭
ବିଚାରି ବ୍ରାହ୍ମଣଙ୍କ ତୁଲେ । ଜଳ ଗଣ୍ତୂଷେ ପାନ କଲେ ॥୧୦୮
ତକ୍ଷଣେ ଜଳପାନ କରି । ଭୟେ ସୁମରେ ହରିହରି ॥୧୦୯
ଦୁର୍ବାସା ଆଗମନ ଚାହିଁ । ରାଜା ରହିଲେ ତୋଷ ହୋଇ ॥୧୧୦
ଦୁର୍ବାସା ଯମୁନାର କୂଳେ । ସ୍ୱକର୍ମ ସାରି ସାୟଂକାଳେ ॥୧୧୧
ମିଳିଲେ ଅମ୍ବରୀଷ ପାଶେ । ପାରଣା କରିବାର ଆଶେ ॥୧୧୨
ନୃପତି କରି ବହୁମାନ୍ୟ । ବୋଲଇ କରିବା ଭୋଜନ ॥୧୧୩
ଏମନ୍ତ ଅମ୍ବରୀଷ ବାଣୀ । ଦୁର୍ବାସା ମନେ ମନେ ଗୁଣି ॥୧୧୪
ସ୍ୱାଭାବେ ସର୍ବଜ୍ଞାତା ପୁଣ । ଜାଣିଲେ କଲା ଏ ପାରଣ ॥୧୧୫
ରାଜାର ବଦନକୁ ଚାହିଁ । ବୋଲନ୍ତି କୋପଭର ହୋଇ ॥୧୧୬
ତୁ ଅନାଦର କରି ମୋତେ । ଜଳ ଯେ ଭକ୍ଷିଲୁ ଯୁଗତେ ॥୧୧୭
ଅତିଥି କଲୁ ଅବହେଳା । ଭୁଞ୍ଜିଲୁ ପାରଣାର ବେଳା ॥୧୧୮
ତୁ ଯେ ଅବଜ୍ଞା କଲୁ ମୋତେ । ଉଚ୍ଛିଷ୍ଟ ଭୁଞ୍ଜିବି କେମନ୍ତେ ॥୧୧୯
ତୁ ମୋତେ କଲୁ ଅବହେଳ । ଭୁଞ୍ଜ ଏ ଅଧର୍ମର ଫଳ ॥୧୨୦
ଏମନ୍ତ ବୋଲି କୋପଭରେ । ଜଟା ଉପାଡ଼ି ନିଜ କରେ ॥୧୨୧
ଭ୍ରୁକୁଟୀ କୁଟୀଳ ଲୋଚନ । ରାଜାଙ୍କୁ ବୋଲନ୍ତି ବଚନ ॥୧୨୨
ଦେଖ ଏ ନୃପତିର ଗତି । ସମ୍ପଦେ ହୋଇ ମୂଢ଼ମତି ॥୧୨୩
ଧର୍ମେ ବଞ୍ଚିତ ବିଷ୍ଣୁ ଭକ୍ତେ । ବୋଲେ ମୁଁ ଈଶ୍ୱର ସାକ୍ଷାତେ ॥୧୨୪
ଅତିଥି-ମତେ ପୂଜା କଲା । ପାରଣା ଅର୍ଥେ ନିମନ୍ତ୍ରିଲା ॥୧୨୫
ଭିକ୍ଷା ନ ଦେଇ ଆଗ ମୋତେ । ପାରଣା କଲା ଏ ଯୁଗତେ ॥୧୨୬
ମୋତେ ଯେ କଲା ଅବହେଳ । ସ୍ୱଦେହେ ଭୁଞ୍ଜୁ ତା'ର ଫଳ ॥୧୨୭
ଜଟାକୁ ଚାହିଁ ଆଜ୍ଞା ଦେଲେ । ଅନଳ ହୁଅ ତୁ ବୋଇଲେ ॥୧୨୮
ତକ୍ଷଣେ ହୁଁକାର କରାଳ । ଉଠିଲା କୃତିହା ଅନଳ ॥୧୨୯
ତେଜେ ଆଚ୍ଛାଦେ ଦଶଦିଶ । ପବନ ବହେ ଅଣଚାଷ ॥୧୩୦
ଧୂମ ପୂରିତ ଶୂନ୍ୟ ମଧ୍ୟେ । ବେଗେ ଧାଇଁଲା ଘୋରନାଦେ ॥୧୩୧
ପ୍ରଳୟାଳନ ପ୍ରାୟେ ହୋଇ । ମିଳିଲା ରାଜା ଆଗେ ଯାଇ ॥୧୩୨
ଜଳନ୍ତା ଖଡ଼୍‌ଗ କରେ ଧରି । ମିଳିଲା ଘୋରନାଦ କରି ॥୧୩୩
ଭୂମି କମ୍ପଇ ପାଦଘାତେ । ପର୍ବତ ଉଡ଼େ ଶ୍ୱାସ ବାତେ ॥୧୩୪
ଦେଖି ତାହାର ତେଜ କଳା । ରାଜା ଚରଣେ ନ ଘୁଞ୍ଚିଲା ॥୧୩୫
ତା'ର ବଦନ ରାଜା ଚାହିଁ । ମନେ ଚିନ୍ତିଲେ ଭାବଗ୍ରାହୀ ॥୧୩୬
ତକ୍ଷଣେ ବିଷ୍ଣୁଚକ୍ର ଆସି । କୋଟିଏ ସୂର୍ଯ୍ୟ ପ୍ରାୟେ ଦିଶି ॥୧୩୭
କୃତିହା ଅନଳ ଉପରେ । ପଡ଼ିଲା ମହାନାଦ ଭରେ ॥୧୩୮
ତକ୍ଷଣେ ଅନଳ ଲିଭିଲା । ଦିଗ-ଆକାଶ ପ୍ରକାଶିଲା ॥୧୩୯
ସୁଦରଶନ ତେଜ ଦେଖି । ଦୁର୍ବାସା ଭୟେ ବୁଜେ ଆଖି ॥୧୪୦
ବଦନେ ଦେଇ ବେନିକର । ଭୟେ କମ୍ପଇ ଥରହର ॥୧୪୧
ସଂଭ୍ରମେ ଚାହିଁ ନ ପାରିଲା । ଜୀବନ ଭୟେ ପଳାଇଲା ॥୧୪୨
ତା'ର ଭାଜିବା ଦେଖି ପଛେ । ଚକ୍ର ଧାଇଁଲା ଅନ୍ତରୀକ୍ଷେ ॥୧୪୩
ମଣ୍ତୁକ ଦେଖି ସର୍ପ ଯେହ୍ନେ । ଧାମଇଁ ଗର୍ଜିତ ବଦନେ ॥୧୪୪
ଦୁର୍ବାସା ଦଶଦିଶ ଚାହିଁ । ଭୟେ ନ ପାରଇ ପଳାଇ ॥୧୪୫
ପଶିଲା ମେରୁ-ଗୁହା ମଧ୍ୟେ । ସୁଦରଶନ ପଛେ ଖେଦେ ॥୧୪୬
ଦିଶ-ଆକାଶ-ଭୂମି ଗତେ । ବିବର-ସମୁଦ୍ର-ସହିତେ ॥୧୪୭
ଦିଗପାଳଙ୍କ ପୁରେ ଲୁଚେ । ଚକ୍ରକୁ ଦେଖେ ପଛେପଛେ ॥୧୪୮
ଯହୁଁ ଯହିଁକି ଧାମେ ବେଗେ । ସୁଦରଶନ ପଛେ ଲାଗେ ॥୧୪୯
ସୁଦରଶନ ତେଜ ଦେଖି । କେହି ନ ପାରେ ତା'କୁ ରଖି ॥୧୫୦
କେଣେ ହେଁ ଠାବ ନ ପାଇଲା । ସତ୍ୟଲୋକକୁ ପଳାଇଲା ॥୧୫୧
ଶୂନ୍ୟେ ପଳାନ୍ତେ ମନଦୁଃଖେ । ଭୟେ ପଶିଲା ବ୍ରହ୍ମଲୋକେ ॥୧୫୨
ବ୍ରହ୍ମାର ସମୀପେ ମିଳିଲା । ଶରଣ ସମ୍ଭାଳ ବୋଇଲା ॥୧୫୩
ବିଧାତା ରଖ ମୋ'ର ପ୍ରାଣ । ତୁମ୍ଭରେ ପଶିଲି ଶରଣ ॥୧୫୪
ଏମନ୍ତେ ମୁନିବାକ୍ୟ ଶୁଣି । ଉଚ୍ଚେ କହନ୍ତି କୁଶପାଣି ॥୧୫୫

ବ୍ରହ୍ମା ଉବାଚସମ୍ପାଦନ କରନ୍ତୁ

କଳାସ୍ୱରୂପୀ ଯେ ଈଶ୍ୱର । ଭ୍ରୂଭଙ୍ଗ ମାତ୍ରେ ଯା' ସଂସାର ॥୧୫୬
ମୁଁ ବ୍ରହ୍ମା ଈଶ୍ୱର ସହିତେ । ଭୃଗୁ ଦକ୍ଷାଦି ମୁନି ଯେତେ ॥୧୫୭
ପ୍ରଜା ଈଶ୍ୱର ଭୂତେଶ୍ୱର । ଦେବ ସହିତେ ସୁରେଶ୍ୱର ॥୧୫୮
ସେ ହରି ଆଜ୍ଞା ଶିରେ ଧରି । ଯେଝା ବିଷୟେ ଅଧିକାରୀ ॥୧୫୯
ଅଛୁଁ ସଂସାର ଲୋକହିତେ । ତା' ରିପୁ ରଖିବୁଁ କେମନ୍ତେ ॥୧୬୦
ଏମନ୍ତ ବିଧାତା ବଚନ । ଶୁଣି ଦୁର୍ବାସା ଛନଛନ ॥୧୬୧
ତହୁଁ ଚଳିଲା ମନଦୁଃଖେ । ବେଗେ ପଶିଲା ଶିବଲୋକେ ॥୧୬୨
ଶଙ୍କର ଚରଣେ ପଡ଼ିଲା । ଶରଣ ସମ୍ଭାଳ ବୋଇଲା ॥୧୬୩
ଦୁର୍ବାସା ବାକ୍ୟ ଶୁଣି ହର । ସଂଭ୍ରମେ ବୋଲନ୍ତି ଉତ୍ତର ॥୧୬୪

ଶଙ୍କର ଉବାଚସମ୍ପାଦନ କରନ୍ତୁ

ଶୁଣ ଦୁର୍ବାସା ତୋତେ କହୁଁ । ଆମ୍ଭେ ଯାହାର ଆଜ୍ଞା ବହୁଁ ॥୧୬୫
ବ୍ରହ୍ମାଣ୍ତ ପାଳନ ପ୍ରକାଶେ । ଯେବା ବିଷୟ ଜୀବକୋଷେ ॥୧୬୬
କାଳର ବଳେ ଦୃଶ୍ୟାଦୃଶ୍ୟ । ଭ୍ରମନ୍ତି ସେ ଯୋନି ଅଶେଷ ॥୧୬୭
ତାହାଙ୍କ ମଧ୍ୟେ ଆମ୍ଭେ ଭ୍ରମି । ଗତ ଆଗତେ ପଥଶ୍ରମୀ ॥୧୬୮
ମୋ' ସଙ୍ଗେ ବ୍ରହ୍ମାଦିକୁମର । ନାରଦ ବ୍ରହ୍ମ ମୁନିବର ॥୧୬୯
କପିଳ ଦେବଳ ଆସୁରି । ଧର୍ମ ମରୀଚି ଆଦି କରି ॥୧୭୦
ଯେ ଅନ୍ୟ ସିଦ୍ଧ ମୁନିଜନ । ବେଦାନ୍ତ ପାର ଦରଶନ ॥୧୭୧
ଜାଣି ନ ପାରେ ତା'ର ମାୟା । ନିରତେ ଭ୍ରମାଏ ବିଷୟା ॥୧୭୨
ସେ ବିଷ୍ଣୁଚକ୍ର ନିବାରଣେ । ସମର୍ଥ ଅଛି କେ ଶରଣେ ॥୧୭୩
ତୁ ଏବେ ଚଳ ବିଷ୍ଣୁପୁର । ହରି ଚରଣେ ଆଶ୍ରେକର ॥୧୭୪
ସେ ତୋତେ ରଖିବେ ଶରଣ । ଅନ୍ୟଥା ନାହିଁ ପରିତ୍ରାଣ ॥୧୭୫
ଦୁର୍ବାସା ମହେଶ ବଚନେ । ପଶିଲା ବିଷ୍ଣୁର ଭୁବନେ ॥୧୭୬
ଲକ୍ଷ୍ମୀ ସହିତେ ଯହିଁ ହରି । ଅଛନ୍ତି ଗୃହାଶ୍ରମ କରି ॥୧୭୭
ବିଷ୍ଣୁର ଚକ୍ର-ତେଜ ଭରେ । ଘର୍ମ-ଭୂଷିତ କଳେବରେ ॥୧୭୮
ଦୁର୍ବାସା ଶୋକ ଗଦଗଦେ । ପଡ଼ିଲା ବିଷ୍ଣୁ-ପଦ୍ମ‌ପାଦେ ॥୧୭୯
କାତରେ କମ୍ପଇ ଶରୀର । ଡାକଇ ପ୍ରଭୁ ରକ୍ଷାକର ॥୧୮୦
ଭୋ ନାଥ ଅନନ୍ତ ଅଚ୍ୟୁତ । ତୁ ସନ୍ଥଜନଙ୍କର ନାଥ ॥୧୮୧
ମୁଁ ତୋରେ ଅପରାଧ କରି । ଶରଣ ଗଲି ରଖ ହରି ॥୧୮୨
ମୁଁ ତୋ' ମହିମା ନ ଜାଣିଲି । ତେଣୁ ମୁଁ ସଙ୍କଟେ ପଡ଼ିଲି ॥୧୮୩
ତୋ'ର ସେବକେ ଅପରାଧ । କଲି ମୁଁ ରଖ ହେ ଗୋବିନ୍ଦ ॥୧୮୪
ତୋ'ର ଭକତ ତୋ'ର ଲୋକ । ମୋତେ ଏ ଚକ୍ରତେଜୁଁ ରଖ ॥୧୮୫
ଦୁର୍ବାସା ମୁଖ ଚାହିଁ ହରି । କହନ୍ତି ଅତି ମୋଦ ଭରି ॥୧୮୬

ଭଗବାନ ଉବାଚସମ୍ପାଦନ କରନ୍ତୁ

ମୁଁ ଭକ୍ତଜନର ଅଧୀନ । ମୋ' ତହୁଁ ଭକ୍ତ ନୋହେ ଭିନ୍ନ ॥୧୮୭
ଭକତ ଦେହ-ପ୍ରାଣ ମୁହିଁ । ସେବଇଁ ପରିଚାର ହୋଇ ॥୧୮୮
ସାଧୁଙ୍କ ହୃଦେ ମୁଁ ବସଇ । ତା'ଙ୍କ ଭକତି-ଭାବ ବହି ॥୧୮୯
ତା'ଙ୍କ ଭକତି-ପ୍ରୀତି ମୋତେ । ଆନନ୍ଦ ଦେଉଥାଇ ଚିତ୍ତେ ॥୧୯୦
ଭକ୍ତଟି ମୋହର ଶରୀର । ତିଳେ ହେଁ ନାହିଁ ଅଭ୍ୟନ୍ତର ॥୧୯୧
ଭକ୍ତ ନିମନ୍ତେ ଦେହ ବହି । ସଂସାରେ ନାନା ରୂପ ହୋଇ ॥୧୯୨
ଅତ୍ୟନ୍ତ ପ୍ରିୟ ମୋ'ର ଭକ୍ତ । ମୁଁ ଭକ୍ତଜନଙ୍କର ହିତ ॥୧୯୩
ଏ କଥା ମୁନିଙ୍କ ସଙ୍ଗମେ । ଜାଣନ୍ତି ଆଗମ ନିଗମେ ॥୧୯୪
ତା' ତହୁଁ ପ୍ରିୟ କେହି ନାହିଁ । ଶୁଣ ଦୁର୍ବାସା ମନ ଦେଇ ॥୧୯୫
ଏକଥା ପରମ୍ପରା ବିଧି । ବେଦ-ପୁରାଣ ମାର୍ଗେ ସିଦ୍ଧି ॥୧୯୬
ଶରଣ ଯେ ମୋ'ର ଚରଣେ । ସମ୍ପଦ ତୁଚ୍ଛ ପ୍ରାୟେ ମଣେ ॥୧୯୭
ଦାରା ମନ୍ଦିର ସୁତ ଧନ । କେବେ ହେଁ ନ କଳ୍ପେ ତା' ମନ ॥୧୯୮
ଯେ ପ୍ରାଣ ଛାଡ଼େ ମୋ'ର ହିତେ । ମୁଁ ତା'କୁ ଛାଡ଼ିବି କେମନ୍ତେ ॥୧୯୯
ମୋ'ର ବିଷୟେ ଚିତ୍ତ ସ୍ଥାପେ । ମୋତେ ଦେଖନ୍ତି ଆତ୍ମା ରୂପେ ॥୨୦୦
ମୁଁ ତାକୁ ଦିଶେ ସର୍ବଭୂତେ । ହୃଦୟେ ଥାଏଁ ଅବିରତେ ॥୨୦୧
ଭକ୍ତିରେ ମୋତେ ବଶ କରି । ନିଜ ପୁରୁଷେ ଯେହ୍ନେ ନାରୀ ॥୨୦୨
ମୋ'ର ଚରଣ ନିତ୍ୟେ ଚିନ୍ତି । ଚତୁର୍ଦ୍ଧା ମୁକ୍ତି ନ ବାଞ୍ଛ‚ନ୍ତି ॥୨୦୩
ଜନ୍ମ-ମରଣ ତା'ର ନାହିଁ । ସ୍ଥିତି ସଂହାର ଆଉ କାହିଁ ॥୨୦୪
ମୋ'ର ହୃଦୟ ଭକ୍ତଜନ । ମୁହିଁ ଟି ତାହାଙ୍କ ଜୀବନ ॥୨୦୫
ମୋ' ତହୁଁ ନ ଜାଣନ୍ତି ଆନ । ମୁଁ ତା'ଙ୍କ ପ୍ରିୟ ଇଷ୍ଟ ଧନ ॥୨୦୬
ଏବେ ମୋ ଭକ୍ତ-ଅପରାଧେ । ସୁଦରଶନ ତୋତେ ବାଧେ ॥୨୦୭
ଯେ ମୋ'ର ଭକ୍ତକୁ ପୀଡ଼ନ୍ତି । ମୋ' ଚକ୍ର ତେଜେ ନାଶ ଯା'ନ୍ତି ॥୨୦୮
ବିପ୍ରେ ଯେ ତପ ବିଦ୍ୟା ବଳେ । ଶ୍ରେୟ କରନ୍ତି ଏ ଶୟଳେ ॥୨୦୯
ସେ ଯେବେ ଭକ୍ତକୁ ପୀଡ଼ନ୍ତି । ଉଭୟ ଲୋକ ନ ଲଭନ୍ତି ॥୨୧୦
ଏବେ ତୁ ଯାଆ ବେଗ ହୋଇ । ନାଭାଗ ପୁତ୍ର ଅଛି ଯହିଁ ॥୨୧୧
ତା'ରେ ଶରଣ ପଶ ଏବେ । ମୋ' ଚକ୍ରୁ ନିସ୍ତରିବୁ ଯେବେ ॥୨୧୨
ଗୋବିନ୍ଦ ଆଜ୍ଞା ପରମାଣେ । ଦୁର୍ବାସା ଗଲା ତତ୍‌କ୍ଷଣେ ॥୨୧୩
ହରିଭକତଙ୍କ ମହିମା । କେ କହିପାରେ ଗୁଣସୀମା ॥୨୧୪
ଭକ୍ତଚରଣ ସେବା ଫଳେ । ପ୍ରସନ୍ନ ହୋନ୍ତି ହରି ଭଲେ ॥୨୧୫
ସୁଜନେ ଚିନ୍ତ ହରିପାଦେ । ତରିବ ବିଷୟ ପ୍ରମାଦେ ॥୨୧୬
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୨୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଚତୁର୍ଥୋାଽଧ୍ୟାୟଃ । ।

ପଞ୍ଚମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଏମନ୍ତେ ବିଷ୍ଣୁର ବଚନେ । ଦୂର୍ବାସା ଗଲେ ତୋଷମନେ ॥୧
ତକ୍ଷଣେ ଅମ୍ବରୀଷ ପାଦେ । ପଡ଼ିଲେ ଜୀବନ ପ୍ରମାଦେ ॥୨
ଚରଣ ତଳେ ତାଙ୍କୁ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥୩
ବିପ୍ର ଜୀବନ ରକ୍ଷା ଅର୍ଥେ । କର-ଅଞ୍ଜଳି ଦେଇ ମାଥେ ॥୪
ସୁଦରଶନ ମୁଖ ଚାହିଁ । ଡାକନ୍ତି କର ତ୍ରାହି ତ୍ରାହି ॥୫

ଅମ୍ବରୀଷ ଉବାଚସମ୍ପାଦନ କରନ୍ତୁ

ଭୋ ଚକ୍ର ତୋ' ମହିମା ଯେତେ । କେ କହିପାରେ ଏ ଜଗତେ ॥୬
ତୁ ଅଗ୍ନି ତୁ ଆଦିତ୍ୟ ସୋମ । ସର୍ବଜ୍ୟୋତିଙ୍କ ଗୁଣଧାମ ॥୭
ତୁ ଆପ କ୍ଷିତି ବାୟୁରୂପୀ । ବ୍ୟୋମ ପ୍ରକାଶେ ସର୍ବବ୍ୟାପୀ ॥୮
ତୁ ତନମାତ୍ର ଇନ୍ଦ୍ରିଗଣ । ବିରାଜପୁରୁଷ କାରଣ ॥୯
ଭୋ ଚକ୍ର ତୋତେ ନମସ୍କାର । ସ୍ୱଭାବେ ତୁ ସହସ୍ର ଅର ॥୧୦
ବିଷ୍ଣୁର ନିଜ ପ୍ରିୟ ତୁହି । ତୋ' ଭାବ ନ ଜାଣନ୍ତି କେହି ॥୧୧
ସକଳ ଶସ୍ତ୍ରତେଜ ହରୁ । ତୋ'ର ମହିମା ମହାମେରୁ ॥୧୨
ତୁ ଲୋକପାଳ ସର୍ବଆତ୍ମା । ତୁ ତେଜ-ପୁରୁଷ ମହାତ୍ମା ॥୧୩
ତୁ ସର୍ବ-ଧର୍ମ-କର୍ମ-ହେତୁ । ଅଧର୍ମକୁଳ ଧୂମକେତୁ ॥୧୪
ତ୍ରୈଲୋକପାଳ ଶୁଦ୍ଧଚେତା । ମନହୁଁ ବେଗ ବଳବନ୍ତା ॥୧୫
ତୋହର ନିଜ ତେଜ ତ୍ରାସେ । ସଂସାର ଘୋରତମ ନାଶେ ॥୧୬
ଶ୍ରୁତି ତୋ' ମହିମା ନ ଜାଣେ । କେବଳ ପ୍ରକାଶ ପ୍ରମାଣେ ॥୧୭
ସଦଅସଦ ରୂପ ତୋ'ର । ବ୍ରହ୍ମାଶିବଙ୍କୁ ଆଗୋଚର ॥୧୮
ଦାନବ ବଳେ ନରହରି । ତୋତେ ପେଷନ୍ତି ବେଗକରି ॥୧୯
ତୁ ଦୈତ୍ୟବଳ ମଧ୍ୟେ ପଶି । ସକଳ ନିଜ ତେଜେ ଧ୍ୱଂସି ॥୨୦
ଅସୁର ରଣେ ତୋ'ର ତେଜ । ଦେଖି କମ୍ପଇ ଗ୍ରହରାଜ ॥୨୧
ଏଣୁ ଜଗତ ତ୍ରାଣ ଅର୍ଥେ । ଖଳ ବିନାଶେ ଧରି ହସ୍ତେ ॥୨୨
ତୋ' ବଳେ ବଳୀ ଗଦାଧର । ତୁ ଏବେ ମୋତେ ତ୍ରାହିକର ॥୨୩
ଏ ବିପ୍ର କୁଳଦେବ ମୋର । ଏହା ଜୀବନ ରକ୍ଷା କର ॥୨୪
ମୁଁ ଯେବେ ଦାନ ଯଜ୍ଞ କରି । ସ୍ୱଧର୍ମ ମାର୍ଗକୁ ଆଚରି ॥୨୫
ବ୍ରାହ୍ମଣ-ଚରଣକମଳେ । ଯେବେ ସେବନ ମୋ'ର କୁଳେ ॥୨୬
ଯେବେ ଗୋବିନ୍ଦ ପ୍ରୀତ ମୋତେ । ମୁଁ ସମେ ଦେଖେ ସର୍ବଭୂତେ ॥୨୭
ଏ ଧର୍ମେ ଯେବେ ମୋର ଦୀକ୍ଷା । ଏ ବିପ୍ର ପ୍ରାଣ ହେଉ ରକ୍ଷା ॥୨୮

ଶୁକ ଉବାଚସମ୍ପାଦନ କରନ୍ତୁ

ଏମନ୍ତ ଶୁଣି ତା' ବଚନ । ବିଷ୍ଣୁର ଚକ୍ର ସୁଦର୍ଶନ ॥୨୯
ତକ୍ଷଣେ ନିଶାକର ପ୍ରାୟେ । ଶୀତଳ ଲାଗେ ବିପ୍ର ଦେହେ ॥୩୦
ଦୁର୍ବାସା ଜୀବନ ପାଇଲା । ସନ୍ତୋଷେ ଚକ୍ରକୁ ଚାହିଁଲା ॥୩୧
ଚକ୍ରକୁ ନମସ୍କାର କରି । ବୋଲେ ଦୁର୍ବାସା ବ୍ରହ୍ମଚାରୀ ॥୩୨

ଦୁର୍ବାସା ଉବାଚସମ୍ପାଦନ କରନ୍ତୁ

ଦେଖ ଅନନ୍ତଦାସଙ୍କର । ମହାମହିମା ଅଗୋଚର ॥୩୩
ଅପ୍ରାଧ କଲେ ହେଁ ସହନ୍ତି । ବିଷ୍ଣୁଙ୍କୁ ସର୍ବଦେହେ ଚିନ୍ତି ॥୩୪
ସାଧୁ କି ଅବା ନ ଉପେକ୍ଷେ । ହରି ସକଳ ଦେହେ ଦେଖେ ॥୩୫
ଯା' ନାମ ସୁମରଣ ମାତ୍ରେ । ଦୁରିତ ନରହଇ ଗାତ୍ରେ ॥୩୬
ସେ ତୀର୍ଥପଦ ଦାସ ଯେତେ । ଦୁଃଖ ନାଶନ୍ତି ଏ ଜଗତେ ॥୩୭
ଯେଣୁ ରଖିଲୁ ମୋ' ଜୀବନ । ତୋ'ର ମହିମା ଧନ୍ୟ ଧନ୍ୟ ॥୩୮
ଏମନ୍ତ ବିପ୍ର ମୁଖୁଁ ଶୁଣି । କପୋଳେ ଦେଇ ବେନିପାଣି ॥୩୯

ଅମ୍ବରୀଷ ଉବାଚସମ୍ପାଦନ କରନ୍ତୁ

ବୋଲେ ଦୁର୍ବାସା ମୁଖ ଚାହିଁ । ଭୋ ବିପ୍ର କର ମୋତେ ତ୍ରାହି ॥୪୦
ତୁ ଯେ ଅତିଥି ମୋ'ର କୁଳେ । ମିଳିଲୁ ପାରଣାର ବେଳେ ॥୪୧
ପାରଣା ଭୟେ ମୁଁ ଗୁପତେ । ଅପ୍ରାଧ କଲି ଦୁଷ୍ଟଚିତ୍ତେ ॥୪୨
ସେ ଅପରାଧ ମୋ ନ ଧର । ପାରଣା ମୋ'ର ଗୃହେ କର ॥୪୩
ଏମନ୍ତ ରାଜାର ବଚନେ । ପାରଣା କଲେ ତୋଷମନେ ॥୪୪
କଲ୍ୟାଣ କରି ଅମ୍ବରୀଷେ । ଅନେକ ମନର ହରଷେ ॥୪୫
ତକ୍ଷଣେ ଶୂନ୍ୟମାର୍ଗେ ଗଲେ । ବ୍ରହ୍ମାର ଭୁବନେ ମିଳିଲେ ॥୪୬
କହିଲେ ଅମ୍ବରୀଷ ବାଣୀ । ବ୍ରହ୍ମା ସନ୍ତୋଷ ତାହା ଶୁଣି ॥୪୭
ରାଜାକୁ କଲେ ଧନ୍ୟଧନ୍ୟ । ଏବେ ହୋ ଶୁଣସି ରାଜନ ॥୪୮
ସେ ଅମ୍ବରୀଷ ଦଣ୍ତଧାରୀ । ପୁତ୍ରକୁ ରାଜ୍ୟେ ରାଜା କରି ॥୪୯
ହରିଚରଣେ ମନ ଦେଇ । ପଶିଲା ଘୋର ବନେ ଯାଇ ॥୫୦
ପ୍ରାଣ ଛାଡ଼ିଲା ତପବଳେ । ପଶିଲା ବିଷ୍ଣୁର ମଣ୍ତଳେ ॥୫୧
ସେ ଅମ୍ବରୀଷର ଆଖ୍ୟାନ । ଯେ କରେ ଶ୍ରବଣ କୀର୍ତ୍ତନ ॥୫୨
ହରିଚରଣ ମନେ ଚିନ୍ତି । ଅନ୍ତେ ସେ ଗୋବିନ୍ଦେ ପଶନ୍ତି ॥୫୩
ସୁଜନେ ଅମ୍ବରୀଷ ବାଣୀ । ସଂସାରୁ ତର ଏହା ଶୁଣି ॥୫୪
ଅମୃତ ରସମୟବାଣୀ । ଭକତ ମହିମା ବଖାଣି ॥୫୫
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୫୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ପଞ୍ଚମୋଽଧ୍ୟାୟଃ । ।

ଷଷ୍ଠ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଏବେ ହୋ ଶୁଣ ନରନାଥ । କହିବା ବଂଶାନୁଚରିତ ॥୧
ସେ ଅମ୍ବରୀଷ ପୁତ୍ର ତିନି । ବିରୂପ ଶମ୍ଭୁ କେତୁ ଘେନି ॥୨
ରୂପେ ଦିଶନ୍ତି ଅନୁପମ । ଅଶେଷ ଗୁଣେ ଗୁଣଧାମ ॥୩
ପୃଷଦଶ୍ୱ ବିରୂପ ପୁତ୍ର । ରଥୀତର ଯେ ତା'ର ସୁତ ॥୪
ସେ ରଥୀତର ଅପୁତ୍ରିକ । ଉପାୟ କଲା ସେ ଅନେକ ॥୫
କେବେହେଁ ପୁତ୍ର ତା' ନୋହିଲା । ଅଙ୍ଗିରା ତୁଲେ ବିଚାରିଲା ॥୬
ବୋଇଲା ମୋ'ର ପତ୍ନୀ ଗର୍ଭେ । ସନ୍ତତି କର ତୁମ୍ଭେ ଭାବେ ॥୭
କ୍ଷତ୍ରଜ ପୁତ୍ର ହେଉ ମୋ'ର । ଅପୁତ୍ର ଦୁଃଖୁଁ କର ପାର ॥୮
ଏମନ୍ତ ରାଜାର ବଚନେ । ଅଙ୍ଗିରା କରି ଗର୍ଭାଧାନେ ॥୯
ଶତକୁମର ବ୍ରହ୍ମତେଜେ । ଜନ୍ମିଲେ ଅଙ୍ଗିରାର ବୀର୍ଯ୍ୟେ ॥୧୦
ସେ ପୁଣି ଅଙ୍ଗିର ହୋଇଲେ । କ୍ଷତ୍ରିୟ କ୍ଷେତ୍ର ଉପୁଜିଲେ ॥୧୧
ପୁଣି ମନୁର ଘ୍ରାଣୁଁ ଜାତ । ଇକ୍ଷ୍ୱାକୁ ନାମେ ହୋଏ ସୁତ ॥୧୨
ସେ ଇକ୍ଷ୍ୱାକୁର ବଂଶ ଯେତେ । କହିବା ଶୁଣ ଏକଚିତ୍ତେ ॥୧୩
ହୋଇଲେ ଶତେକ କୁମର । ତାହାଙ୍କ ମଧ୍ୟେ ବଂଶଧର ॥୧୪
ବିକୁକ୍ଷି ନିମି ଦଣ୍ତ ନାମ । ଅତି ପ୍ରଶସ୍ତ ଗୁଣଗ୍ରାମ ॥୧୫
ଏ ତିନିପୁତ୍ର ଆଦି ଯେତେ । ରାଜା ହୋଇଲେ ଏ ଜଗତେ ॥୧୬
ପୂର୍ବେ ପଚିଶ ତା'ର ପୁତ୍ରେ । ରାଜା ହୋଇଲେ ଆର୍ଯ୍ୟାବର୍ତ୍ତେ ॥୧୭
ପଶ୍ଚିମେ ତା'ର ପଞ୍ଚବିଂଶେ । ଜ୍ୟେଷ୍ଠ ତିନିହେଁ ମଧ୍ୟଦେଶେ ॥୧୮
ଅପରେ ଦକ୍ଷିଣ ଉତ୍ତର । ଏବେ ହୋ ଶୁଣ ନୃପବର ॥୧୯
ଏମନ୍ତେ ପୁତ୍ରେ ପୁତ୍ରେ ତା'ର । ପୃଥିବୀ ଭାଙ୍ଗେ ନୃପବର ॥୨୦
ହେଲେ ସେ ନୃପତିକେଶରୀ । ତଦନ୍ତେ ଶୁଣ ଦଣ୍ତଧାରୀ ॥୨୧
ଇକ୍ଷ୍ୱାକୁ ପିତୃଶ୍ରାଦ୍ଧ ଦିନେ । ବିକୁକ୍ଷି ରାଇ ସନ୍ନିଧାନେ ॥୨୨
ବୋଇଲେ ବନ ପଶୁଗଣ । ମୋ ପିତୃଶ୍ରାଦ୍ଧ ଅର୍ଥେ ଆଣ ॥୨୩
ତକ୍ଷଣେ ପିତା ଆଜ୍ଞା ପାଇ । ପଶିଲା ଘୋରବନେ ଯାଇ ॥୨୪
ଶବରଗଣ ତୁଲେ ଗଲା । ଅନେକ ପଶୁ ବଧକଲା ॥୨୫
ଶ୍ରାଦ୍ଧକୁ ଯୋଗ୍ୟ ଯେତେ ମାଂସ । ତାହାଙ୍କ ମଧ୍ୟେ ଏକ ଶଶ ॥୨୬
ଅରଣ୍ୟେ ପଥଶ୍ରମ ପାଇ । କ୍ଷୁଧାର୍ତ୍ତେ ଚଳି ନ ପାରଇ ॥୨୭
ଶଶା ଗୋଟିଏ ପତ୍ରେ ପୋଡ଼ି । ମାଂସ ଭକ୍ଷିଲା ଧର୍ମ ହୁଡ଼ି ॥୨୮
ଶେଷ ଯେତେକ ପଶୁ ଥିଲା । ପିତା ସମୀପେ ନେଇ ଦେଲା ॥୨୯
ସେ ପୁଣ ବଶିଷ୍ଠଙ୍କୁ ଆଣି । ଆନନ୍ଦେ ବୋଲେ ନୃପମଣି ॥୩୦
ଏ ପଶୁ ମାଂସେ ଶ୍ରାଦ୍ଧକର । ଏମନ୍ତ ଶୁଣି ମୁନିବର ॥୩୧
ବଶିଷ୍ଠ ରାଜା ବାକ୍ୟ ଶୁଣି । ସେ କଥା ଯୋଗବଳେ ଜାଣି ॥୩୨
ବୋଇଲେ ରାଜାମୁଖ ଚାହିଁ । ପ୍ରୋକ୍ଷଣେ ଯୋଗ୍ୟ ଏ ନୁହଇ ॥୩୩
ଦେବତା-ପିତୃଅର୍ଥେ ମାଂସ । କେମନ୍ତେ ଦେବି ଅବଶେଷ ॥୩୪
ତୋ'ର କୁମର କ୍ଷୁଧା ଅର୍ଥେ । ଶଶାଏ ଭକ୍ଷିଲା ବନସ୍ତେ ॥୩୫
ବନେ ଭକ୍ଷିଲା ଅଗ୍ରଭାଗ । ଏ ମାଂସ ଶ୍ରାଦ୍ଧେନୋହେ ଯୋଗ୍ୟ ॥୩୬
ଏମନ୍ତେ ଗୁରୁବାକ୍ୟ ଶୁଣି । କୋପେ ବୋଲଇ ନୃପମଣି ॥୩୭
ଏ ପୁତ୍ର ପାପିଷ୍ଠ-ପାମର । ଏହାକୁ ରାଜ୍ୟୁ ଦୂର କର ॥୩୮
ତକ୍ଷଣେ ରାଜାର ବଚନେ । ପୁରୁଁ ବାହାର କଲେ ଜନେ ॥୩୯
ସେ ପୁଣ ବିପ୍ରଙ୍କ ଚରଣେ । ସେବା କରଇ ଅନୁକ୍ଷଣେ ॥୪୦
ପିତାର ଅନ୍ତେ ରାଜା ହେଲା । ଶଶାଦ ନାମ ସେ ପାଇଲା ॥୪୧
ପୃଥିବୀ ଶାସନ ସେ କଲା । ଯଜ୍ଞେ ହରିଙ୍କୁ ଆରାଧିଲା ॥୪୨
ଶଶାଦ ପୁତ୍ର ପୁରଞ୍ଜୟ । ନାମ ତା' ହୋଏ ଇନ୍ଦ୍ରବାହ ॥୪୩
ପରୋପକାରେ ଧର୍ମ କଲା । କକୁସ୍ଥ ନାମ ସେ ବହିଲା ॥୪୪
ଏମନ୍ତେ ଶୁକବାକ୍ୟ ଶୁଣି । ବୋଲେ ପରୀକ୍ଷ ନୃପମଣି ॥୪୫
କକୁସ୍ଥ ନାମ ତା' କେମନ୍ତେ । ଏ କଥା କହ ମୁନି ମୋତେ ॥୪୬

ଶୁକ ଉବାଚସମ୍ପାଦନ କରନ୍ତୁ

ମୁନି ବୋଲନ୍ତି ଶୁଣ ରାୟେ । ଦେବେ ଯେ ଅସୁରଙ୍କ ଭୟେ ॥୪୭
ଦେବ ଦାନବ କୃତ ଯୁଗେ । ଯୁଦ୍ଧ ଆରମ୍ଭ କଲେ ରଙ୍ଗେ ॥୪୮
ଗୁରୁଙ୍କୁ ପୁଛିଲେ ଦୈବତେ । ସଂଗ୍ରାମେ ଜିଣିବୁ କେମନ୍ତେ ॥୪୯
ବୋଲଇ ଅଙ୍ଗିରା କୁମର । ପୁରଞ୍ଜୟକୁ ଯୋଦ୍ଧା କର ॥୫୦
ତା'ର ନାରାଚେ ରିପୁଗଣେ । ବେଗେ ଭାଜିବେ ଘୋରରଣେ ॥୫୧
ଶୁଣି ବିବୁଧେ ତୋଷ ହେଲେ । ପୁରଞ୍ଜୟକୁ ନିମନ୍ତ୍ରିଲେ ॥୫୨
ସେ ପୁଣି ଦେବବାକ୍ୟ ଶୁଣି । କପାଳେ ଦେଇ ବେନିପାଣି ॥୫୩
ବୋଲଇ ଇନ୍ଦ୍ର କନ୍ଧେ ବସି । ସଂଗ୍ରାମ କରିବି ସାହସି ॥୫୪
ନୋହିଲେ ଯୁଦ୍ଧ ନାହିଁ ମୋ'ର । ଏମନ୍ତ ଶୁଣି ତା' ଉତ୍ତର ॥୫୫
ହେଉ ବୋଇଲେ ସୁରଗଣେ । ଇନ୍ଦ୍ର ମିଳିଲେ ତତ୍‌କ୍ଷଣେ ॥୫୬
ସଂଗ୍ରାମେ ବୃଷରୂପ ହୋଇ । ପୁରଞ୍ଜୟ କନ୍ଧେ ଆରୋହି ॥୫୭
ସ୍ତୁତି କରନ୍ତି ଦେବଗଣେ । ସେ ପୁରଞ୍ଜୟ ଘୋରରଣେ ॥୫୮
ଅଭେଦ-ସେହ୍ନା ଦେହେ ଭରି । ଧନୁ-ନାରାଚ ହସ୍ତେ ଧରି ॥୫୯
ନିର୍ଭୟେ ଇନ୍ଦ୍ରକନ୍ଧେ ରହି । ତକ୍ଷଣେ ବିଷ୍ଣୁତେଜ ବହି ॥୬୦
ପଶ୍ଚିମ ଦିଗେ ବେଗେ ଗଲା । ଅସୁର ଭୁବନେ ମିଳିଲା ॥୬୧
ରୁନ୍ଧିଲା ଦେବ ଘେନି ସାଥେ । ପବନ ନ ବହଇ ପଥେ ॥୬୨
ଦେବ-ଦାନବ ଘୋରରଣ । ହୋଇଲା ଲୋମହରଷଣ ॥୬୩
ଅସୁରେ ନାନାଶସ୍ତ୍ର ଧରି । ଧାଇଁଲେ ଘୋରନାଦ କରି ॥୬୪
ତାହାର ବାଣ ଅଗ୍ନି ପ୍ରାୟେ । ପଡ଼ିଲା ଅସୁରଙ୍କ ଦେହେ ॥୬୫
ସମରେ ରହି ନ ପାରିଲେ । ପଳାଇ ନିଜ ପୁରେ ଗଲେ ॥୬୬
ଅସୁରବଳ ରଣେ ଜିଣି । ସକଳ ଧନରତ୍ନ ଆଣି ॥୬୭
ଇନ୍ଦ୍ରକୁ ଦେଇ ସର୍ବଧନ । ତୋଷିଲା ବିବୁଧଙ୍କ ମନ ॥୬୮
ଇନ୍ଦ୍ରାଦି ଦେବେ ବିଷ୍ଣୁ ବୋଲେ । କକୁସ୍ଥ ନାମ ତା'କୁ ଦେଲେ ॥୬୯
ଏଣୁ ତା' ନାମ ଭୋ ରାଜନ । କହିଲୁ କଲୁ ଯେ ପ୍ରଶନ ॥୭୦
ତଦନ୍ତେ ଶୁଣ ଭୋ ରାଜନ । ବଂଶାନୁଚରିତ ବିଧାନ ॥୭୧
ଅନେନା ପୁରଞ୍ଜୟ ସୁତ । ପୃଥୁ ତାହାର ତହୁଁ ଜାତ ॥୭୨
ତା'ର ତନୟ ବିଶ୍ୱଗନ୍ଧି । ତା' ପୁତ୍ର ଚନ୍ଦ୍ର ନାମେ ସିଦ୍ଧି ॥୭୩
ତା' ସୁତ ଯୁବନାଶ୍ୱ ନାମ । ଶ୍ରାବସ୍ତ ତାହାର ନନ୍ଦନ ॥୭୪
ଶ୍ରାବସ୍ତୀପୁର ଯେ ନିର୍ମାଇ । ସପତଦ୍ୱୀପେ ରାଜା ହୋଇ ॥୭୫
ତା'ର କୁମର ବୃହଦଶ୍ୱ । ପବନୁଁ ବେଗ ଯାଇ ଅଶ୍ୱ ॥୭୬
ତା'ର ସୁତ କୁବଳୟାଶ୍ୱ । ଯେ ରାଜା ଉତଙ୍କେ ବିଶ୍ୱାସ ॥୭୭
ଏକ ବିଂଶ ସହସ୍ର ସୁତ । ତା'ଠାରୁ ହୋଇଲେ ସମ୍ଭୂତ ॥୭୮
ସେ ରାଜା ଉତଙ୍କର ହିତେ । ପୁତ୍ରଙ୍କୁ ଘେନିଣ ସଙ୍ଗତେ ॥୭୯
ସେ ଧୁନ୍ଧୁ ସଙ୍ଗେ ରଣ କରି । ରଣେ ତାହାର ପ୍ରାଣ ହରି ॥୮୦
ଧୁନ୍ଧୁ ଅସୁର ଯେଣୁ ବଧି । ତେଣୁ ଧୁନ୍ଧୁମାର ପ୍ରସିଦ୍ଧି ॥୮୧
ଧୁନ୍ଧୁ ମୁଖରୁ ଅଗ୍ନିଜ୍ୱାଳା । ପ୍ରଚଣ୍ତ ଭାବେ ସେ ଜଳିଲା ॥୮୨
ସମସ୍ତେ ହେଲେ ଭସ୍ମୀଭୂତ । ରହିଲେ ମାତ୍ର ତିନିସୁତ ॥୮୩
ଦୃଢ଼ାଶ୍ୱ କପିଳାଶ୍ୱ ବେନି । ଭଦ୍ରାଶ୍ୱ ସହିତେ ସେ ତିନି ॥୮୪
ହର୍ଯ୍ୟଶ୍ୱ ଦୃଢ଼ାଶ୍ୱର ସୁତ । ତା' ତହୁଁ ନିକୁମ୍ଭ ସମ୍ଭୂତ ॥୮୫
ନିକୁମ୍ଭ ଠାରୁ ଯେ ଜନମ । ତାହାର ବହୁଳାଶ୍ୱ ନାମ ॥୮୬
କୃଶାଶ୍ୱ ନାମେ ତା'ର ସୁତ । ତା'ର ତନୟ ସେନଜିତ ॥୮୭
ତା' ସୁତ ଯବନାଶ୍ୱ ନାମେ । କେବେ ହେଁ ନରହିଲା ଗ୍ରାମେ ॥୮୮
ଅପୁତ୍ର ପଣେ ଦୁଃଖମନେ । ପତ୍ନୀ ସମେତେ ଗଲା ବନେ ॥୮୯
ଶତେକ ପତ୍ନୀ ତା'ର ତୁଲେ । ଋଷିଙ୍କ ଆଶ୍ରମେ ମିଳିଲେ ॥୯୦
ଦେଖି ତାହାର ଶତେ ନାରୀ । ମୁନି ସକଳେ ଦୟାକରି ॥୯୧
ରାଜାର ପୁତ୍ର ଜନ୍ମ ଅର୍ଥେ । ଯଜ୍ଞ କରାଇଲେ ସମସ୍ତେ ॥୯୨
କଳସେ ତୀର୍ଥ ଜଳ ଭରି । ଗର୍ଭର ଅର୍ଥେ ମନ୍ତ୍ରି ବାରି ॥୯୩
ଯଜ୍ଞର ଶାଳେ ଘଟ ଥୋଇ । ସକଳେ ନିଦ୍ରାଗତେ ଶୋଇ ॥୯୪
ଏମନ୍ତେ ରାଜା ଯଜ୍ଞଶାଳେ । ଅତି ତୃଷିତ ଅନ୍ତରାଳେ ॥୯୫
ସହି ନ ପାରି ରାତ୍ର ଅନ୍ତେ । ଜଳ କଳସ ଘେନି ହସ୍ତେ ॥୯୬
ଦେଖିଲେ ସକଳେ ଅଜ୍ଞାନ । ତୁଷାର୍ତ୍ତେ କଲା ଜଳପାନ ॥୯୭
ଏମନ୍ତେ ପାହିଲା ରଜନୀ । ନିଦ୍ରା ତେଜିଲେ ସର୍ବମୁନି ॥୯୮
ଉଦୟ କାଳେ ମନ୍ତ୍ରସ୍ୱରେ । କୁମ୍ଭ ତୋଳିଲେ ବେନିକରେ ॥୯୯
ଦେଖିଲେ କୁମ୍ଭେ ଜଳ ନାହିଁ । ଚକିତେ ଚଉଦିଗେ ଚାହିଁ ॥୧୦୦
ବୋଲନ୍ତି ପାଇ ମନେ ଭ୍ରମ । କେ ପ୍ରାଣୀ କଲା ଏଡ଼େ କର୍ମ ॥୧୦୧
ମନ୍ତ୍ରିତ ଫୁସବନ ବାରି । କେ ପାନ କଲା ତୃଷାଭରି ॥୧୦୨
ତକ୍ଷଣେ ବେନିକର ଯୋଡ଼ି । ମୁନିଙ୍କ ପାଦତଳେ ପଡ଼ି ॥୧୦୩
ରାଜା ବୋଇଲା ମୁଁ ଅଜ୍ଞାନେ । ତୃଷା ତୋଷିଲି ଜଳପାନେ ॥୧୦୪
ଶୁଣି ବ୍ରାହ୍ମଣେ କୋପବହି । ବୋଇଲେ ବିଷ୍ଣୁମାୟା ଏହି ॥୧୦୫
ପ୍ରାଣୀ ଯେ ଦଇବ ଅଧୀନ । ମାୟାର ବଳେ ହରେ ଜ୍ଞାନ ॥୧୦୬
ବୋଇଲେ ରାଜାମୁଖ ଚାହିଁ । ଗର୍ଭ ଧଇଲୁ ଏବେ ତୁହି ॥୧୦୭
ଏବେ ତୋ' ଜୀବନ ସମ୍ଭାଳ । ଏମନ୍ତେ ଗଲା କେତେକାଳ ॥୧୦୮
ଏମନ୍ତେ ପୁତ୍ର ଜନ୍ମକାଳେ । ରାଜା ଉଦର ବାହୁ ବଳେ ॥୧୦୯
ଦକ୍ଷିଣ କୁକ୍ଷି ବିଦାରିଲା । ତକ୍ଷଣେ ଭୂମିରେ ପଡ଼ିଲା ॥୧୧୦
ରାଜା ନମଲା ପୁଣ୍ୟବଳେ । ଉଭାରି ଦେଖନ୍ତି ସକଳେ ॥୧୧୧
ପୁତ୍ର ରୋଦଇ କ୍ଷୀର ଅର୍ଥେ । ତା' ଦେଖି ଇନ୍ଦ୍ର ଦୟାଚିତ୍ତେ ॥୧୧୨
ବୋଇଲେ ବିପ୍ରଙ୍କୁ ଅନାଇଁ । ରାଜାର ସ୍ତନଯୁଗ ନାହିଁ ॥୧୧୩
ଏ ପୁତ୍ର ଲୋଡୁଅଛି କ୍ଷୀର । ଏମନ୍ତ ବୋଲି ନିଜ କର ॥୧୧୪
ଅଙ୍ଗୁଳି ତା'ର ତୁଣ୍ତେ ଦେଲା । ତକ୍ଷଣେ କ୍ଷୁଧା ତା' ହରିଲା ॥୧୧୫
ଇନ୍ଦ୍ର ବୋଲଇ ତା'କୁ ଚାହିଁ । ତୋହର ହୋଇଲି ମୁଁ ଧାଈ ॥୧୧୬
ତୁ ଯେ ହୋଇଲୁ ବଳବନ୍ତା । ଏଣୁ ତୋ' ନାମଟି ମାନ୍ଧାତା ॥୧୧୭
ସେ ପୁଣି ଚକ୍ରବର୍ତ୍ତୀ ହୋଇ । ପାଳଇ ସପ୍ତଦ୍ୱୀପା ମହୀ ॥୧୧୮
ଇନ୍ଦ୍ର ତାହାକୁ ବର ଦେଲେ । ଅଜୟ ହୁଅସି ବୋଇଲେ ॥୧୧୯
ସେ ପୁଣି ନିଜ ତେଜ ବଳେ । ଅବନୀ ପାଳଇ ନିଶ୍ଚଳେ ॥୧୨୦
ତାହାର ତେଜେ ଦସ୍ୟୁଗଣ । ଭୟେ ପଳାନ୍ତି ଛାଡ଼ି ରଣ ॥୧୨୧
ଏଣୁ ସେ ନିଜ ତେଜ ଧାମ । ପାଇଲା ତ୍ରସଦ୍ଦŸସ୍ୟୁ ନାମ ॥୧୨୨
ରାବଣ ଆଦି ଦସ୍ୟୁ ଯେତେ । ତ୍ରାସନ୍ତି ସେ ବସିଲେ ରଥେ ॥୧୨୩
ଏମନ୍ତ ନାମ ଇନ୍ଦ୍ର ଦେଲା । ଅନେକ କାଳ ରାଜ୍ୟ କଲା ॥୧୨୪
ତା' ରିପୁ ନାହିଁ ଏ ଶୟଳେ । ବଞ୍ଚିଲା ବିଷ୍ଣୁତେଜ ବଳେ ॥୧୨୫
ଅନେକ ମତେ ଯଜ୍ଞ କଲା । ଦକ୍ଷିଣା ବିପ୍ରଗଣେ ଦେଲା ॥୧୨୬
ଯେ ହରି ସର୍ବ ଦେବମୟେ । ଦେବେ ବସନ୍ତି ଯା'ର ଦେହେ ॥୧୨୭
ସେ ହରି ଯଜ୍ଞେ ତୋଷ କରି । ସୁଖେ ପାଳିଲା ବସୁନ୍ଧରୀ ॥୧୨୮
ସୂର୍ଯ୍ୟର ତେଜ ଯେତେ ଦୂର । ଯହିଁ ବା ଚନ୍ଦ୍ରମା ସମୀର ॥୧୨୯
ମାନ୍ଧାତା ତେତେଦୂର ରାଜା । ସର୍ବେ କରନ୍ତି ପାଦପୂଜା ॥୧୩୦
ସେ ପୁଣି ଶଶବିନ୍ଦୁ ପୁରେ । କନ୍ୟା ଲଭିଲା ସ୍ୱୟମ୍ବରେ ॥୧୩୧
ସେ କନ୍ୟା ଇନ୍ଦୁମତି ନାମ । ରୂପରେ ଅଟେ ଅନୁପମ ॥୧୩୨
ତାହାର ଗର୍ଭେ ପୁତ୍ର ତିନି । ଜନ୍ମିଲେ ବିଷ୍ଣୁତେଜ ଘେନି ॥୧୩୩
ପୁରୁକୂତ୍ସ› ଯେ ଅମ୍ବରୀଷ । ଏ ଆଦି ମୁଚୁକୁନ୍ଦ ଶେଷ ॥୧୩୪
ଏ ଅନ୍ତେ ପଞ୍ଚାଶ ଦୁହିତା । ଉତ୍ପତ୍ତି କଲେ ମାନ୍‌ଧାତା ॥୧୩୫
ସେ କନ୍ୟାଗଣ ବିଭାକାଳେ । ସୌଭରିମୁନି ଯୋଗବଳେ ॥୧୩୬
ବିବାହ କଲେ କନ୍ୟାଗଣ । ସେ କଥା ଏକମନେ ଶୁଣ ॥୧୩୭
ସୌଭରିଋଷି ବୃନ୍ଦାବନେ । କାଳିନ୍ଦୀ ଜଳେ ଯୋଗଧ୍ୟାନେ ॥୧୩୮
ତପ କରନ୍ତି ଦୃଢ଼ଚିତ୍ତେ । ଏମନ୍ତେ କିଛିକାଳ ଅନ୍ତେ ॥୧୩୯
ସମାଧି ଭାଜିଲା ଚଞ୍ଚଳେ । ସ୍ଥିରେ ଚାହିଁଲେ ନଦୀଜଳେ ॥୧୪୦
ଦେଖିଲେ ମୀନଗଣ ମଧ୍ୟେ । ରୋହିତ ଖେଳଇ ଆନନ୍ଦେ ॥୧୪୧
ବାଳକ ମୀନ ତା' ଶରୀରେ । କ୍ରୀଡ଼ନ୍ତି ପୁଚ୍ଛ ପୃଷ୍ଠ ଶିରେ ॥୧୪୨
ଏମନ୍ତ ହୋଇ ପ୍ରତିଦିନେ । ଖେଳନ୍ତି ମୁନି ସନ୍ନିଧାନେ ॥୧୪୩
ସୌଭରି ମୁନି ତାହା ଚାହିଁ । ଲାଳସଚିତ୍ତେ ବିଚାରଇ ॥୧୪୪
ଦେଖ ଏ ରୋହିତର ଭାଗ୍ୟ । କୁଟୁମ୍ବ ମଧ୍ୟେ ସୁଖ ଭୋଗ ॥୧୪୫
ମୁଁ ଏବେ କରି ଗୃହାଶ୍ରମ । ସାଧିବି ଯଥା କୁଳ ଧର୍ମ ॥୧୪୬
ଏତେ ବିଚାରି ତପ ଛାଡ଼ି । ଗୃହ କରଣେ ଚିତ୍ତ ବଢ଼ି ॥୧୪୭
ମାର୍ଗେ ଚଳନ୍ତି ସେ ବିଚାରି । ବିବାହ ଅର୍ଥେ ବ୍ରହ୍ମଚାରୀ ॥୧୪୮
ଗୃହସ୍ଥ ନୋହେ ସେହୁ ଭଲେ । ଦାରା ପରିଗ୍ରହ ନ କଲେ ॥୧୪୯
ଏତେ ବିଚାରି ଦୃଢ଼ଚିତ୍ତେ । ମିଳିଲେ ନୃପତି ଅଗ୍ରତେ ॥୧୫୦
ମୁନି ଆଗମ ରାଜା ଦେଖି । ଉଠିଲେ ଆସନ ଉପେକ୍ଷି ॥୧୫୧
ଅତିଥିମତେ ପୂଜା କଲେ । ଆସନେ ନେଇ ବସାଇଲେ ॥୧୫୨
ଅନେକ ଗଉରବ କରି । ତା' ଦେଖି ମୁନି ସଉଭରି ॥୧୫୩
ବୋଇଲେ ରାଜା ମୁଖ ଚାହିଁ । ବିଭା କରାଅ ମୋତେ ତୁହି ॥୧୫୪
ଗୃହେ କଳ୍ପିଲା ମୋର ମନ । କନ୍ୟାଏ ଦିଅ ମୋତେ ଦାନ ॥୧୫୫
ମୋହର ସନ୍ତତି ହୋଇଲେ । ସ୍ୱଧର୍ମ ରଖିବୁ ତୁ ଭଲେ ॥୧୫୬
ଏମନ୍ତେ ମୁନି ମୁଖୁଁ ଶୁଣି । ରାଜା ବିଚାରେ ମନେ ଗୁଣି ॥୧୫୭
ଏ ଅତିବୃଦ୍ଧ ଜରଜର । ବାତେ କମ୍ପଇ ତା' ଶରୀର ॥୧୫୮
ବୃଦ୍ଧଙ୍କ ମଧ୍ୟେ ଅତିବୃଦ୍ଧ । ଗୃହ କରଣେ କଲେ ସଧ ॥୧୫୯
ମୋ'ର ଦୁହିତା ଅତି ସୁଖୀ । ଏହାକୁ ଦେଲେ ହେବ ଦୁଃଖୀ ॥୧୬୦
ନ ଦେଲେ ମୋ'ର ଭଲ ନାହିଁ । ଏତେ ବିଚାରି ମୁନି ଚାହିଁ ॥୧୬୧
ବୋଲଇ ଶିରେ ଦେଇ କର । ଭୋ ମୁନି ଶୁଣ ମୋ' ଉତ୍ତର ॥୧୬୨
ପଞ୍ଚାଶ କନ୍ୟା ଅଛି ମୋ'ର । ଅନ୍ତଃପୁରକୁ ବିଜେ କର ॥୧୬୩
ଯେ କନ୍ୟା ତୁମ୍ଭଙ୍କୁ ବରିବ । ସୁମନେ କରି ପ୍ରୀତିଭାବ ॥୧୬୪
ସେ କନ୍ୟା ନିଶ୍ଚେ ଦେବି ମୁହିଁ । ଏମନ୍ତେ ରାଜା ସତ୍ୟ ପାଇଁ ॥୧୬୫
ମୁନି ଉଠିଲେ ତୋଷ ହୋଇ । ତକ୍ଷଣେ ଅନ୍ତଃପୁରେ ଯାଇ ॥୧୬୬
ଦ୍ୱାରପାଳକୁ ରାଜା ଚାହିଁ । ବୋଇଲା ଘେନିଯାଅ ତୁହି ॥୧୬୭
ଯେ କନ୍ୟା ବରିବ ଏ ବର । ଦେବଇଁ ସତ୍ୟ ଏ ମୋହର ॥୧୬୮
ଦ୍ୱାରପାଳର ହସ୍ତ ଧରି । ପୁରେ ପଶିଲେ ସଉଭରି ॥୧୬୯
ମିଳିଲେ କନ୍ୟାଙ୍କ ମନ୍ଦିରେ । ମାୟା-ମୋହନ-କଳେବରେ ॥୧୭୦
ରୂପେ କନ୍ଦର୍ପ ରୂପ ଗଞ୍ଜେ । ଜଗମୋହନ ତେଜ ପୁଞ୍ଜେ ॥୧୭୧
କନ୍ୟାଙ୍କୁ ଚାହିଁ ଦ୍ୱାରପାଳ । ଅଳପ ନମିଲା କପୋଳ ॥୧୭୨
ବୋଲଇ କନ୍ୟାଙ୍କୁ ଅନାଇଁ । ମୁଁ ତୁମ୍ଭ ପିତା ଆଜ୍ଞା ପାଇ ॥୧୭୩
ସଙ୍ଗତେ ଆଣିଅଛି ବର । ଯାହାର ଇଚ୍ଛା ତୁମେ ବର ॥୧୭୪
ଏକଇ କନ୍ୟା ଦେବେ ଦାନ । ଅଧିକେ ନାହିଁ ପ୍ରୟୋଜନ ॥୧୭୫
କନ୍ୟାଏ ତା'ର ରୂପ ଚାହିଁ । ନୟନ ପିଛା ନଚଳଇ ॥୧୭୬
ସର୍ବେ ଇଚ୍ଛନ୍ତି ତା'ର ସଙ୍ଗ । ଅନଳେ ଯେସନେ ପତଙ୍ଗ ॥୧୭୭
ଏକ ଆରେକ ଆଗ ହୋଇ । ବୋଲନ୍ତି ମୋ'ର ବର ଏହି ॥୧୭୮
ମୁହିଁ ବରିଲି ଆଗେ ବର । ନିଶ୍ଚୟେ ବର ଏ ମୋହର ॥୧୭୯
ଏମନ୍ତେ ଏକୁ ଆରେ ବାଦେ । ମୁନିଙ୍କି ବରିଲେ ଆନନ୍ଦେ ॥୧୮୦
ତକ୍ଷଣେ ଦ୍ୱାରପାଳ ଗଲା । ନୃପତି ଆଗେ ଜଣାଇଲା ॥୧୮୧
ବୋଲଇ ବିଧାତାର ମାୟା । କେ ଆନ କରେ ପ୍ରଭୁ ଏହା ॥୧୮୨
ଦଇବବଳ ଆକର୍ଷଣେ । ସର୍ବେ ବରିଲେ ବରପଣେ ॥୧୮୩
ଶୁଣି ତାହାର ମୁଖୁଁ ବାଣୀ । ସଂଭ୍ରମଚିରେ ନୃପମଣି ॥୧୮୪
ଆନନ୍ଦେ କନ୍ୟାଦାନ କଲା । ଅନେକ ଯଉତୁକ ଦେଲା ॥୧୮୫
ପଞ୍ଚାଶ କନ୍ୟା ବିଭା କରି । ପୁରୁଁ ବାହାର ସଉଭରି ॥୧୮୬
ସମ୍ପଦ ସିଦ୍ଧି ଯୋଗବଳେ । ଗୃହସ୍ଥ-ଆଶ୍ରମ ନିଶ୍ଚଳେ ॥୧୮୭
ନାନାପ୍ରକାରେ ଭୋଗକଲେ । ଅନେକ ପୁତ୍ର ନାତି ତୁଲେ ॥୧୮୮
ଯେ ଭୋଗକଳ୍ପେ ତା'ଙ୍କ ମନେ । ତକ୍ଷଣେ ମିଳେ ସନ୍ନିଧାନେ ॥୧୮୯
ଦିଗପାଳଙ୍କ ଭୋଗ ଆଦି । ଅତୁଲ୍ୟ ଅମୂଲ୍ୟ ପ୍ରସିଦ୍ଧି ॥୧୯୦
ଏମନ୍ତ ଭୋଗ ଅନୁଦିନେ । ବିହାର ପୁଷ୍ପିତ କାନନେ ॥୧୯୧
ଏମନ୍ତେ କିଛିକାଳ ଗଲା । ବୈରାଗ୍ୟ ମନେ ଉପୁଜିଲା ॥୧୯୨
ନିଜ କପାଳେ ହସ୍ତ ମାରି । ତାପେ ବୋଲନ୍ତି ସଉଭରି ॥୧୯୩
ଦଇବ ବଳ ଦେଖ ମୋତେ । ତପ ମୁଁ କଲି ମୋକ୍ଷ ଅର୍ଥେ ॥୧୯୪
ଜଳେ ଅନାଇଁ ମୀନବଂଶେ । ଜ୍ଞାନ ହାରିଲି ସଙ୍ଗଦୋଷ ॥୧୯୫
ଏକ ମୁଁ ଭଜିଲି ଅନେକ । ନିଶ୍ଚୟେ ପଡ଼ିବି ନରକ ॥୧୯୬
ଏମନ୍ତ ଭାଳି ସେ ଏକାନ୍ତେ । ତକ୍ଷଣେ ପଶିଲେ ବନସ୍ତେ ॥୧୯୭
ପତ୍ନୀ ସମେତେ ତପ ଦାହି । ଅନ୍ତେ ଲଭିଲେ ଭାବଗ୍ରାହୀ ॥୧୯୮
ସୁଜନେ ଶୁଣ ଏକଚିତ୍ତେ । ଯେ ଧର୍ମ ବଂଶାନୁଚରିତେ ॥୧୯୯
କହିଲି ଆତ୍ମାହିତ ବାଣୀ । ଯେଣେ ଭକତି ତତ୍ତ୍ୱ ଜାଣି ॥୨୦୦
ସଂସାର ଅନ୍ଧକୂପେ ଥାଇ । ଏ ବିନୁ ଆନଗତି ନାହିଁ ॥୨୦୧
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୨୦୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଷଷ୍ଠୋଽଧ୍ୟାୟଃ । ।

ସପ୍ତମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଏବେ ହୋ ଶୁଣ ତୁ ନରେଶ । ମାନ୍ଧାତା ପୁତ୍ର ଅମ୍ବରୀଷ ॥୧
ପିତାମହଙ୍କୁ ସେବା କଲା । ସେ ଫଳେ ସୁପୁତ୍ର ଲଭିଲା ॥୨
ତା' ସୁତ ଯୁବନାଶ୍ୱ ହୋଇ । ପାଳଇ ସପ୍ତଦ୍ୱୀପା ମହୀ ॥୩
ହାରୀତ ତାହାର କୁମର । ମାନ୍ଧାତା ବଂଶେ ସେ ପ୍ରବର ॥୪
ନାଗେନ୍ଦ୍ର ବାକ୍ୟେ ନାଗଯୂଥେ । ଗନ୍ଧର୍ବ ବଳକୁ ହାରନ୍ତେ ॥୫
ସେ ନାଗେ ଆସି ରାତ୍ର କାଳେ । ପୁରୁକୁତ୍ସ›କୁ ଘେନିଗଲେ ॥୬
ସକଳ ଭ୍ରାତୃଗଣ ଥାଇ । ନର୍ମଦା କନ୍ୟା ତା'କୁ ଦେଇ ॥୭
ପାତାଳ ପୁରେ ଘେନିଗଲେ । ଗନ୍ଧର୍ବବଳେ ଯୁଝାଇଲେ ॥୮
ସେ ପୁଣି ବିଷ୍ଣୁତେଜେ ବଳୀ । ଗନ୍ଧର୍ବବଳ ନାଶ କରି ॥୯
ମିଳି ସକଳ ନାଗବଳେ । ସନ୍ତୋଷ ବର ତା'କୁ ଦେଲେ ॥୧୦
ଯେ ପ୍ରାଣୀ ଶୟନର କାଳେ । ନର୍ମଦା ନାମ ତିନି ବେଳେ ॥୧୧
ରାତ୍ର ଦିବସ ସନ୍ଧ୍ୟା ସ୍ମରେ । ସର୍ପଭୟରୁ ସେ ନିସ୍ତରେ ॥୧୨
ଏବେ ହୋ ପୁରୁକୁତ୍ସ› ବଂଶେ । କହିବା ଶୁଣ ତୁ ହରଷେ ॥୧୩
ସର୍ବସମ୍ପଦ ଗୁଣଗ୍ରାମ । ତା' ସୁତ ତ୍ରସŸଦ୍ଦସ୍ୟୁ ନାମ ॥୧୪
ସେ ବିଷ୍ଣୁତେଜେ ଅନର୍ଗଳା । ଯେ ଅନରଣ୍ୟ ଜାତ ହେଲା ॥୧୫
ହର୍ଯଶ୍ୱ ତାହାର ନନ୍ଦନ । ତହୁଁ ପ୍ରାରୁଣ ତ୍ରିବନ୍ଧନ ॥୧୬
ତା'ର ତନୟ ସତ୍ୟବ୍ରତ । ତ୍ରିଶଙ୍କୁ ନାମେ ଯେ ବିଦିତ ॥୧୭
ପିତାଙ୍କ ଶାପ ସେହୁ ଘେନି । ଲଭିଲା ଚଣ୍ତାଳର ଯୋନି ॥୧୮
ବଶିଷ୍ଠ ଶାପ ମହାଘୋର । କୌଶିକ ତେଜେ ହେଲା ପାର ॥୧୯
ଶରୀର ଘେନି ସ୍ୱର୍ଗେ ଗଲା । ଉତ୍ତର ଆକାଶେ ବସିଲା ॥୨୦
ଜଗତେ ରହିଲା ତା' ଯଶ । ଅଦ୍ୟାପି ରାତ୍ରେ ହୋଏ ଦୃଶ୍ୟ ॥୨୧
ଦେବେ ତାହାକୁ କୋପ କଲେ । ଭୂମିରେ ପଡ଼ ତୁ ବୋଇଲେ ॥୨୨
ତକ୍ଷଣେ ଆଧୋମୁଖ ହୋଇ । ପଡ଼ନ୍ତେ କୌଶିକ ଅନାଇଁ ॥୨୩
ସ୍ତମ୍ଭନ କଲେ ବେଦମନ୍ତ୍ରେ । ପୁଣି ବସିଲା ନିଜ କ୍ଷେତ୍ରେ ॥୨୪
ତାହାର ସୁତ ହରିଶ୍ଚନ୍ଦ୍ର । ସପତ ଦ୍ୱୀପେ ସେ ନରେନ୍ଦ୍ର ॥୨୫
ତାହାର ଅର୍ଥେ ଅନ୍ୟୋଅନି । ବଶିଷ୍ଠ ବିଶ୍ୱାମିତ୍ର ବେନି ॥୨୬
ବହୁ ବରଷ ଯୁଦ୍ଧ କଲେ । ପକ୍ଷୀଙ୍କ ପ୍ରାୟ ରୂପ ହେଲେ ॥୨୭
ସେ ପୁଣି ଅପୁତ୍ରିକ ହୋଇ । ନାରଦ ମୁନିଙ୍କି ଅନାଇଁ ॥୨୮
ସନ୍ତତି ଅର୍ଥେ ପ୍ରଶ୍ନକଲା । ବିକଳେ ତ୍ରିଶଙ୍କୁର ବଳା ॥୨୯
ନାରଦ ମୁନି ତା' ପ୍ରସ୍ତାବେ । କହିଲେ ଆତ୍ମା ପ୍ରିୟ ଭାବେ ॥୩୦
ତୁ ଯାଇ ବରୁଣ-ଚରଣେ । ବିଶ୍ୱାସେ ପଶ ତା' ଶରଣେ ॥୩୧
ସେ ତୋତେ ପ୍ରସନ୍ନ ହୋଇଲେ । ସନ୍ତତି ଲଭିବୁ ତୁ ଭଲେ ॥୩୨
ଏମନ୍ତେ ନାରଦ ବଚନେ । ମିଳିଲେ ବରୁଣ ଭୁବନେ ॥୩୩
ବରୁଣ ଚରଣରେ ପଡ଼ି । ରାଜନ କହେ କରଯୋଡ଼ି ॥୩୪
ହେ ପ୍ରଭୁ କର ଅନୁଗ୍ରହ । ମୋହର ହେଉ ଯେ ତନୟ ॥୩୫
ପୁତ୍ର ଉତ୍ପନ୍ନ ହେଲେ ମୋର । ଯଜ୍ଞେ ମୁଁ ଦେବି ତା'ର ଶିର ॥୩୬
ତା'ର ବଚନେ ତୁଷ୍ଟ ହେଲେ । ବରୁଣ ତୋଷେ ବର ଦେଲେ ॥୩୭
ବରୁଣ ବରେ ପୁତ୍ର ଜାତ । ନାମ ତା' ହୋଇଲା ରୋହିତ ॥୩୮
ଦେଖିଣ ପୁତ୍ରର ଜନମ । ରାଜାଙ୍କୁ କହନ୍ତି ବରୁଣ ॥୩୯
ହେ ନୃପ ମୋର ଯଜ୍ଞ କର । ଏବେ ତୋ' ହୋଇଲା କୁମର ॥୪୦
ବରୁଣ ବାକ୍ୟ ଶୁଣି କର୍ଣ୍ଣେ । ବିଚାରେ ହରିଶ୍ଚନ୍ଦ୍ର ମନେ ॥୪୧
ଏ ପୁତ୍ର ଅପବିତ୍ର ଶିଶୁ । ଯାଗେ କି ରୂପେ ହେବ ପଶୁ ॥୪୨
ଏହା ବିଚାରି ନରପତି । ବରୁଣେ କରଇ ବିନତି ॥୪୩
ଶୁଣିମା ହେଉ ପାଶହସ୍ତ । ଏ ପୁତ୍ର ମୋ'ର ଅପବିତ୍ର ॥୪୪
ମନୁଷ୍ୟ ପଶୁ ଭିଆଇଲେ । ଯଜ୍ଞ ମୁଁ କରିବଇଁ ଭଲେ ॥୪୫
ନିŸର୍ଦ୍ଦନ୍ତ ପଶୁ ଅସଂସ୍କାର । ଦନ୍ତ ନିର୍ଗମ ନାହିଁ ତା'ର ॥୪୬
ଦନ୍ତ ନ ଥିଲେ ଯଜ୍ଞ କାହିଁ । ଏମନ୍ତେ ଦିନାକେତେ ରହି ॥୪୭
ତୁଣ୍ତେ ଜନ୍ମିଲା ତା'ର ଦନ୍ତ । ରାଜାକୁ ବୋଲେ ପାଶହସ୍ତ ॥୪୮
ଦନ୍ତ ହୋଇଲା ତୋ' କୁମର । ତା' ମାଂସେ ମୋର ଯଜ୍ଞକର ॥୪୯
ବରୁଣ ମୁଖୁଁ ଏହା ଶୁଣି । ସେ ହରିଶ୍ଚନ୍ଦ୍ର ମନେ ଗୁଣି ॥୫୦
ଦନ୍ତ ସମ୍ପୂର୍ଣ୍ଣେ ପଶୁ ଶୁଚି । ବରୁଣ ତାହା ଦେଖି ଘୁଞ୍ଚି ॥୫୧
ପୁଣି କେତେହେଁ ଦିନ ଗଲା । ସମ୍ପୂର୍ଣ୍ଣେ ଦନ୍ତ ଉପୁଜିଲା ॥୫୨
ଏବେ କି ବିଳମ୍ବ ତୋହର । ବରୁଣ ବୋଲେ ଯଜ୍ଞକର ॥୫୩
ବରୁଣେ ଚାହିଁ ରାଜା କହେ । ପ୍ରଥମ ଦନ୍ତ ଶୁଦ୍ଧ ନୋହେ ॥୫୪
ଏ ଦନ୍ତ ପଡ଼ି ଯେବେ ଉଠେ । ତେବେ ସେ ଯଜ୍ଞ ପଶୁ ଘଟେ ॥୫୫
ଏମନ୍ତେ କିଛି କାଳ ଅନ୍ତେ । ତୁଣ୍ତୁ ପଡ଼ିଲେ ସର୍ବଦନ୍ତେ ॥୫୬
ପୁଣି ଉଠିଲେ ଏକ ତୁଲେ । ବରୁଣ ରାଜା ଚାହିଁ ବୋଲେ ॥୫୭
ଦନ୍ତ ହୋଇଲା ପୁନର୍ବାର । ଭୋ ରାଜା ଏବେ ଯଜ୍ଞକର ॥୫୮
ତା' ଶୁଣି ବୋଲେ ନୃପମଣି । ଏ ନୋହେ କୁଳଧର୍ମ ବାଣୀ ॥୫୯
କ୍ଷତ୍ରିୟ ବଂଶେ ହୋଇ ଜାତ । ଯାବତ ନୁହଁଇ ସମର୍ଥ ॥୬୦
ତାବତ୍ ମାଂସ ଶୁଦ୍ଧ ନୋହେ । ଏମନ୍ତ ବୋଲେ ପୁତ୍ର ସ୍ନେହେ ॥୬୧
ବରୁଣ ତା'ର ବାକ୍ୟ ମାନି । କିଛି ନ କହି ହେଲେ ତୁନି ॥୬୨
ଏମନ୍ତେ କାଳ ବଞ୍ଚାଇଲା । ତା' ଜାଣି ପୁତ୍ର ବିଚାରିଲା ॥୬୩
ପିତା ଯେ କରିଛନ୍ତି ସତ୍ୟ । ଅବଶ୍ୟ ଯଜ୍ଞେ ହେବି ହତ ॥୬୪
ପ୍ରାଣର ରକ୍ଷା ଚିନ୍ତା କଲା । ତକ୍ଷଣେ ଗ୍ରାମ ଉପେକ୍ଷିଲା ॥୬୫
ଧନୁ-କମାଣ ଘେନି କରେ । ପଶିଲା-ଗହନ ବନରେ ॥୬୬
ବନେ ବୁଲନ୍ତେ ଧର୍ମ ଗୁଣି । ଶୁଣିଲା ଅନ୍ତରୀକ୍ଷ ବାଣୀ ॥୬୭
ବରୁଣ ପିତା ବନ୍ଦି କଲା । ଯାବତ ଯଜ୍ଞ ନ ପାଇଲା ॥୬୮
ତେଣୁ ଉଦରେ ରୋଗ ଜାତ । ବରୁଣ ଶାପେ ହୋଇ ଗ୍ରସ୍ତ ॥୬୯
ଶୁଣି ରୋହିତ ଶୋକାକୁଳେ । ଗ୍ରାମକୁ ଆସିବାର ବେଳେ ॥୭୦
ଇନ୍ଦ୍ର ମିଳିଲା ଆସି ପଥେ । ବୋଲଇ ରୋହିତ ଅଗ୍ରତେ ॥୭୧
ଯଜ୍ଞ ନ କଲା ତୋ'ର ତାତ । କୋପେ ବରୁଣ କଲାଗ୍ରସ୍ତ ॥୭୨
ତୋତେ ଗ୍ରାସିବ କୋପ ବହି । ଏବେ ଅରଣ୍ୟେ ଥାଅ ତୁହି ॥୭୩
ଧର୍ମକୁ ଯେବେ ତୋ'ର ମନ । ଧରଣୀ କର ପର୍ଯ୍ୟଟନ ॥୭୪
ଅନେକ ପୁଣ୍ୟତୀର୍ଥ କର । ଧର୍ମେ ବିଶ୍ୱାସ ଯେବେ ତୋ'ର ॥୭୫
ଏମନ୍ତେ ଇନ୍ଦ୍ରର ବଚନେ । ରୋହିତ ତୀର୍ଥ କରେ ବନେ ॥୭୬
ପୁଣି ଗ୍ରାମକୁ ଇଚ୍ଛାକରେ । ଆସନ୍ତେ ଇନ୍ଦ୍ର ତା' ନିବାରେ ॥୭୭
ଏକ ଦ୍ୱିତୀୟ ତ୍ରି ଚତୁର୍ଥେ । ପଞ୍ଚମ ବର୍ଷେ ତା'କୁ ପଥେ ॥୭୮
ବୃଦ୍ଧ ବ୍ରାହ୍ମଣ ରୂପ ଧରି । ଗ୍ରାମ ଗମନେ ବିଘ୍ନ କରି ॥୭୯
ଷଡ଼ବରଷ ବନେ ଥିଲା । ଅନେକ ତୀର୍ଥ ସେ ଭ୍ରମିଲା ॥୮୦
ସପ୍ତବରଷେ ନିଜ ଗ୍ରାମେ । ମିଳିଲା ଯାଇ ତୀର୍ଥାଶ୍ରମେ ॥୮୧
ଶୁଣିଲା ଅଜୀଗର୍ତ୍ତ ମୁନି । ବିକିବା ଅର୍ଥେ ପୁତ୍ର ତିନି ॥୮୨
ତାହାଙ୍କ ପାଶେ ସେ ମିଳିଲା । ମଧ୍ୟମ ପୁତ୍ରକୁ କିଣିଲା ॥୮୩
ସେ ପୁତ୍ର ଶୁନଃଶେଫ୍ ନାମ । ସକଳ ଗୁଣେ ଗୁଣଧାମ ॥୮୪
ପିତାର ଅଗ୍ରେ ନେଇ ଦେଲା । ତା' ଦେଖି ବରୁଣ ଛାଡ଼ିଲା ॥୮୫
ସେ ହରିଶ୍ଚନ୍ଦ୍ର ଆସି ପୁରେ । ଯଜ୍ଞ ଆରମ୍ଭିଲେ ସମ୍ଭାରେ ॥୮୬
ପୁରୁଷମେଧ ଯଜ୍ଞ ମତେ । ବିଷ୍ଣୁଙ୍କୁ ପୂଜି ବେଦପଥେ ॥୮୭
ଆଚାର୍ଯ୍ୟ ବିଶ୍ୱାମିତ୍ର କରି । ଜମଦଗ୍ନିଙ୍କୁ ବ୍ରହ୍ମା ବରି ॥୮୮
ବଶିଷ୍ଠ ସାମଗାନେ ବରି । ସମିଧ ହୋତା ତା'ଙ୍କୁ କରି ॥୮୯
ବରୁଣ ଅର୍ଥେ ଯଜ୍ଞ କଲା । ସକଳ ଦେବଙ୍କୁ ତୋଷିଲା ॥୯୦
ସନ୍ତୋଷ ହୋଇ ସୁରନାଥ । ଦେଲେ ସୁବର୍ଣ୍ଣମୟ ରଥ ॥୯୧
ଶୁନଃଶେଫର କଥା ଯେତେ । ପଛେ କହିବା ତୋ' ଅଗ୍ରତେ ॥୯୨
ଏମନ୍ତେ ମହାଯଜ୍ଞ ଅନ୍ତେ । ଦକ୍ଷିଣା ଦେଲା ବିଧିମତେ ॥୯୩
ବିଶ୍ୱାମିତ୍ରଙ୍କୁ ଭୂମି ଦେଲା । ସୁବର୍ଣ୍ଣ ରଥେ ବିଜେ କଲା ॥୯୪
ରାଜାର ସତ୍ୟବ୍ରତ ଚାହିଁ । ସନ୍ତୋଷ ବିଶ୍ୱାମିତ୍ର ହୋଇ ॥୯୫
ନିଶ୍ଚଳ ଗତି ଶୂନ୍ୟ ପଥେ । ନିଜ ଜନଙ୍କୁ ଘେନି ସାଥେ ॥୯୬
ଯେ ସ୍ଥାନେ ମନ ତା'ର ଧରେ । ଇଚ୍ଛାୟେ ଭ୍ରମଇ ଅମ୍ବରେ ॥୯୭
ତା'ର ଭକତି ଭାବ ଘେନି । ସନ୍ତୋଷେ ବିଶ୍ୱାମିତ୍ର ମୁନି ॥୯୮
ପରମ ଜ୍ଞାନ ତାକୁ ଦେଲେ । ଆକାଶେ ଥାଅ ତୁ ବୋଇଲେ ॥୯୯
ଆକାଶେ ଥାଅ ଦେବ ପ୍ରାୟେ । ଅନ୍ତେ ପଶିବୁ ବିଷ୍ଣୁ ଦେହେ ॥୧୦୦
ଭାଷା ପ୍ରବନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୧୦୧
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୦୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ସପ୍ତମୋଽଧ୍ୟାୟଃ । ।

ଅଷ୍ଟମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ବୋଲନ୍ତି ଶୁକ ବ୍ରହ୍ମବେତ୍ତା । ଶୁଣ ରାଜନ ଶୁଦ୍ଧଚେତା ॥୧
ହରିତ ରୋହିତର ସୁତ । ଚମ୍ପ ତାହାର ତହୁଁ ଜାତ ॥୨
ଗ୍ରାମ ବସାଇ ନିଜ ନାମେ । ରହିଲା ଚମ୍ପାବତୀ ଗ୍ରାମେ ॥୩
ସୁଦେବ ତା'ର ସୁତ ହୋଏ । ବିଜୟ ତାହାର ତନୟେ ॥୪
ବୃକ ଯେ ତାହାର ସନ୍ତତି । ସ୍ୱଭାବେ ଅତି ଶୁଦ୍ଧମତି ॥୫
ବାହୁକ ତାହାର ନନ୍ଦନ । ତା' କଥା ଶୁଣ ହେ ରାଜନ ॥୬
ଶତ୍ରୁ ପୀଡ଼ିତ ବୃଦ୍ଧପଣେ । ଭୟେ ପଶିଲା ଘୋରବନେ ॥୭
ପତ୍ନୀ ସହିତେ ପଳାଇଲା । ଔର୍ବଙ୍କ ଆଶ୍ରମେ ମିଳିଲା ॥୮
ନମିଲା ମୁନିଙ୍କ ଚରଣେ । ବୃଦ୍ଧ ଶରୀରେ ଘୋରବନେ ॥୯
ସଭୟେ ଛାଡ଼ିଲା ଜୀବନ । ମୁନି ହୋଇଲେ ଦୁଃଖମନ ॥୧୦
ତା'ର କାମିନୀ ଶୋକମନେ । ପଶିବା ବେଳେ ହୁତାଶନେ ॥୧୧
ମୁନି ଜାଣିଲେ ତା'ର ଭାବ । ଉଦରେ ପାଞ୍ଚମାସ ଗର୍ଭ ॥୧୨
ବୋଇଲେ ଅନଳେ ନ ପଶ । ହୋଇବ ଏ ରାଜାର ବଂଶ ॥୧୩
ମୁନି ବଚନେ ସେ ଅବଳା । ଅନଳକୁଣ୍ତେ ନ ପଶିଲା ॥୧୪
ଶୁଣ ରାଜନ ମନ ଦେଇ । ତା' ଗର୍ଭକଥା ତୋତେ କହି ॥୧୫
ସେ ଗର୍ଭ ସଞ୍ଚରଣ କାଳେ । ସପତ୍ନୀ ପାଞ୍ଚସାତ ମେଳେ ॥୧୬
ଗରଳ ଦେଲେ ଅନ୍ନସଙ୍ଗେ । ବିଷ ନ ଲାଗେ ତା'ର ଅଙ୍ଗେ ॥୧୭
ଗର୍ଭ ରଖିଲେ ଜଗନ୍ନାଥ । ଏବେ ହୋ ଶୁଣ ପରୀକ୍ଷିତ ॥୧୮
ସେ ଗର୍ଭ ପ୍ରସବର କାଳେ । ମୁନି ସକଳ କୁତୂହଳେ ॥୧୯
ବୋଲନ୍ତି ଗରଳ ସଙ୍ଗତେ । ଜନ୍ମ ଲଭିଲା ଏ ଯୁକତେ ॥୨୦
ଗରଳ ସଙ୍ଗେ ଜନ୍ମ ଯେଣୁ । ସଗର ନାମ ହେଉ ତେଣୁ ॥୨୧
ଏମନ୍ତେ ମୁନିଙ୍କ ସଙ୍ଗତେ । ସଗର ରାଜା ଦିନାକେତେ ॥୨୨
ଦିନକୁ ଦିନ ଅତି ତେଜା । ହୋଇଲା ଚକ୍ରବର୍ତ୍ତୀ ରାଜା ॥୨୩
ତା'ର ତନୁଜେ ବାହୁବଳେ । ସାଗର କଲେ ମହୀତଳେ ॥୨୪
ପିତା ଶତ୍ରୁକୁ ଯୁଦ୍ଧେ ଜିଣି । ସ୍ୱଗୃହେ ବନ୍ଦୀ କଲେ ଆଣି ॥୨୫
ଯେତେ ତାହାର ରିପୁମାନ । ଶୁଣ ହୋ ତାହାଙ୍କର ନାମ ॥୨୬
ଯବନ ତାଳଜଂଘ ଶକ । ହୈହୟ ବର୍ବର ଯେତେକ ॥୨୭
ଗୁରୁଙ୍କ ବାକ୍ୟେ ନ ମାଇଲା । ଶୁଣ ଯାହାକୁ ଯାହା କଲା ॥୨୮
ମୁଣ୍ତିତକେଶ କାର କରି । କାହାକୁ କଲା ଶ୍ମଶ୍ରୁଧାରୀ ॥୨୯
କାହାର କଲା ମୁକ୍ତକେଶ । ଅର୍ଦ୍ଧମୁଣ୍ତିତ କା'ର କେଶ ॥୩୦
କେତେକ ଅନ୍ତର୍ବାସ ହୀନ । ଅପରେ ବହିର୍ବାସ ଶୂନ୍ୟ ॥୩୧
କାହାର ବସନ ଉତ୍ତାରି । ବିକୃତବେଶ ତା'ଙ୍କୁ କରି ॥୩୨
ଯବନ ବେଶ କା'କୁ କରି । ସ୍ୱଧର୍ମ ମାର୍ଗରୁ ଉତ୍ତାରି ॥୩୩
ଏମନ୍ତ କରି ହୀନବେଶ । ଛାଡ଼ିଣ ଦେଲା ତା'ଙ୍କୁ ଦେଶ ॥୩୪
ସେ ପୁଣି ସଞ୍ଚି ନାନାବିଧି । କଳ୍ପିଲା ଶତେ ଅଶ୍ୱମେଧି ॥୩୫
ଔର୍ବ ମୁନିଙ୍କି ହୋତା କରି । ଯଜ୍ଞେ ପୂଜିଲା ନରହରି ॥୩୬
ଉତ୍ତମ ଅଶ୍ୱ ପଶୁ କଲା । ସେ ଅଶ୍ୱ ଇନ୍ଦ୍ର ଚୋରାଇଲା ॥୩୭
ଷାଠିଏ ସହସ୍ର କୁମର । ତା'ଙ୍କୁ ଡରଇ ସୁନାସୀର ॥୩୮
କଳ୍ପଇ ମରିବେ ଯେମନ୍ତେ । ଏମନ୍ତ ଭାଳି ସେ ଗୁପତେ ॥୩୯
କପିଳମୁନି ପାଦତଳେ । ଅଶ୍ୱ ବାନ୍ଧିଲା ରାତ୍ରକାଳେ ॥୪୦
ଅଶ୍ୱ ନ ଦେଖି ଯଜ୍ଞଦ୍ୱାରେ । ଖୋଜନ୍ତି ବ୍ରହ୍ମାଣ୍ତ ଭିତରେ ॥୪୧
ସୁମତି ଗର୍ଭେ ଯେତେ ସୁତ । ବଳରେ ଅଟନ୍ତି ଦର୍ପିଷ୍ଟ ॥୪୨
ସେ ପୁଣି ପିତାଙ୍କ ଆଦେଶେ । ଅଶ୍ୱ ଖୋଜନ୍ତି ଦଶଦିଶେ ॥୪୩
ଖୋଳନ୍ତି ମହୀନବଖଣ୍ତ । ଭକ୍ଷନ୍ତି ବିସ୍ତାରିଣ ତୁଣ୍ତ ॥୪୪
ଉତ୍ତରଦିଗେ ଖୋଳିଗଲେ । କପିଳ ଆଶ୍ରମେ ମିଳିଲେ ॥୪୫
ଦେଖିଲେ ମୁନି ସନ୍ନିଧାନେ । ସେ ଅଶ୍ୱ ଅଛଇଁ ବନ୍ଧନେ ॥୪୬
କପିଳମୁନି ମୁଖ ଚାହିଁ । ବୋଲନ୍ତି ଅଶ୍ୱଚୋର ଏହି ॥୪୭
ଏହାକୁ ରଖି ନ ଯୋଗାଇ । ଏମନ୍ତ ଉଚ୍ଚବାଚ ହୋଇ ॥୪୮
ବୋଲନ୍ତି ଖଡ଼ଗ ଉଞ୍ଚାଇ । ଏହାର ଶିର ଛେଦ ନେଇ ॥୪୯
ଆମ୍ଭଙ୍କୁ ଦେଖି ଚକ୍ଷୁ ବୁଜେ । ଆତ୍ମାକୁ ଦମ୍ଭ ପ୍ରାୟେ ବୁଝେ ॥୫୦
ଏମନ୍ତ ଘୋରନାଦ କରି । ଧାଇଁଲେ କରେ ଶସ୍ତ୍ର ଧରି ॥୫୧
ଭୂମି କମ୍ପିଲା ତା'ଙ୍କ ପାଦେ । ଧ୍ୟାନ ଭାଜିଲା ଘୋରନାଦେ ॥୫୨
ଚାହାଁନ୍ତେ ଉନ୍ମୀଳ ଲୋଚନେ । ଅନଳ ଉଠିଲା ତକ୍ଷଣେ ॥୫୩
ମହତ ଅତିକ୍ରମ ଦୋଷେ । ନୟନ ଅଗ୍ନି ମହାରୋଷେ ॥୫୪
ଦେଖନ୍ତ ସ୍ୱର୍ଗେ ଦେବଗଣେ । ଭସ୍ମ ହୋଇଲେ ତତ୍‌କ୍ଷଣେ ॥୫୫
ଷାଠି - ସହସ୍ର ଏକାଥରେ । ମରିଲେ ସଗର କୁମରେ ॥୫୬
କେଶିନୀ ଗର୍ଭେ ଏକସୁତ । ଅସମଞ୍ଜସ ନାମେ ଖ୍ୟାତ ॥୫୭
ତା'ର କୁମର ଅଂଶୁମାନ । ସକଳ ଗୁଣେ ଗୁଣଧାମ ॥୫୮
ସେ ଥାଇ ପିତାମହ ହିତେ । ମନ ବଚନ କାୟେ ନିତ୍ୟେ ॥୫୯
ଅସମଞ୍ଜସ ଯା'ର ନାମ । କରେ ନିନ୍ଦିତ ଆଚରଣ ॥୬୦
ସେ ପୂର୍ବଜନ୍ମେ ଯୋଗୀ ଥିଲା । ସଙ୍ଗ ଦୋଷରୁ ଭ୍ରଷ୍ଟ ହେଲା ॥୬୧
ଏଣୁ ନିନ୍ଦିତ କର୍ମ କରେ । ଜ୍ଞାତିଙ୍କ ଅପ୍ରିୟ ଆଚରେ ॥୬୨
ଅସମଞ୍ଜସ ନାମ ଯେଣୁ । ଲୋକଙ୍କୁ ହିଂସା କରେ ତେଣୁ ॥୬୩
ଯୋଗବଳରୁ ଜାତିସ୍ମର । ଏ ଜନ୍ମେ ଅଛଇ ତାହାର ॥୬୪
ତେଣୁ ସେ ସଙ୍ଗ ପରିହରି । ଲୋକେ ନିନ୍ଦିତ କର୍ମ କରି ॥୬୫
ଶିଶୁମାନଙ୍କୁ ଧରି ବଳେ । ପକାଏ ସରଯୂର ଜଳେ ॥୬୬
ଦେଖି ତାହାର ମନ୍ଦପଣ । ଅଯୋଧ୍ୟାବାସୀ ପ୍ରଜାଗଣ ॥୬୭
ସଗରେ ଜଣାଇଲେ ଯାଇ । ଅତି ଦୁଃଖିତ ରାଜା ହୋଇ ॥୬୮
ସଗର ହୋଇଣ ଦୁଃଖିତ । ପୁତ୍ର ସ୍ନେହକୁ କଲା ତ୍ୟକ୍ତ ॥୬୯
ଘରୁ ବାହାର କରି ଦେଲା । ଯେଣୁ ସେ ପ୍ରଜାଙ୍କୁ ପୀଡ଼ିଲା ॥୭୦
ସେ ପୁଣି ଯୋଗବଳ କଲା । ମୃତ ବାଳକମାନ ଦେଲା ॥୭୧
ବାଳକ ପାଇ ତୋଷମନେ । ଅଯୋଧ୍ୟାବାସୀ ପ୍ରଜାଜନେ ॥୭୨
ବିସ୍ମିତ ହୋଇଲେ ସକଳେ । ଅସମଞ୍ଜସ ଯୋଗବଳେ ॥୭୩
ତା'ର ଅଦ୍ଭୁତକର୍ମ ଦେଖି । ସଗର ହେଲେ ମହାସୁଖୀ ॥୭୪
ଏବେ ହୋ ଶୁଣ ନରନାଥ । ସେ ଅଂଶୁମାନର ଚରିତ ॥୭୫
ସଗର ତା'ର ମୁଖ ଚାହିଁ । ବୋଇଲେ ଅଶ୍ୱ ଆଣ ଯାଇ ॥୭୬
ଏମନ୍ତେ ପିତାମହ ବାକ୍ୟେ । ସେ ଅଂଶୁମାନ ଗଲା ଏକେ ॥୭୭
ପିତୃବ୍ୟ-ଖାତ-ପଥେ ଗଲା । ପାତାଳେ ଅଶ୍ୱକୁ ଦେଖିଲା ॥୭୮
ଦେଖିଲା କପିଳ-ସମ୍ମୁଖେ । ବାନ୍ଧିଲା-ଅଶ୍ୱ ଅଛି ସୁଖେ ॥୭୯
କପିଳ ପାଦତଳେ ପଡ଼ି । ସେ ଅଂଶୁମାନ କରଯୋଡ଼ି ॥୮୦
ଅନେକ ସ୍ତୁତିବାକ୍ୟ ବଳେ । ପୂଜିଲା ଚରଣ କମଳେ ॥୮୧
ବୋଲଇ ଶିରେ କର ଦେଇ । ଭୋ ନାଥ କର ମୋତେ ତ୍ରାହି ॥୮୨
ଶକ୍ର ବିରଞ୍ଚି-ମହାଦେବ । ସେ କାହିଁ ଜାଣିବେ ତୋ' ଭାବ ॥୮୩
ତୁ ଜ୍ଞାନଘନେ ମୋହ ନାଶୁ । ସଂସାର ସ୍ୱତେଜେ ପ୍ରକାଶୁ ॥୮୪
ସକକ ଆଦି ମୁନି ଯେତେ । ବିଶେଷେ ଭାବନ୍ତି ସେ ତୋତେ ॥୮୫
ତୋ' ରୂପ ଜୀବ-ମୋକ୍ଷ ଅର୍ଥେ । ମୁଁ ତୋତେ ଜାଣିବି କେମନ୍ତେ ॥୮୬
ତୋ' ମାୟା ଜୀବ ଜ୍ଞାନ ହରେ । ସଂସାରେ ଜନ୍ମ-ମୃତ୍ୟୁ କରେ ॥୮୭
ଜୀବକୁ ଜ୍ଞାନ ଦେବା ଅର୍ଥେ । ତୋ'ର ପ୍ରକାଶ ଏ ଜଗତେ ॥୮୮
ଅବିଦ୍ୟା କର୍ମ ପଥେ ଜଡ଼େ । ତୋ' ମାୟା ଗହନ ନିବିଡ଼େ ॥୮୯
ଜୀବନ ବନ୍ଧନ ବିଶ୍ୱାସେ । ଦାରା-ତନୟ ଗୃହବାସେ ॥୯୦
ଏଣୁ ତୋ' ଚରଣ-କମଳେ । ତା' ଚିତ୍ତ ନ ରହେ ନିଶ୍ଚଳେ ॥୯୧
ଆଜଟି ନିସ୍ତରିଲି ମୁହିଁ । ଭୋ ନାଥ ତୋ' ଚରଣ ଚାହିଁ ॥୯୨

ଶୁକ ଉବାଚସମ୍ପାଦନ କରନ୍ତୁ

ଏମନ୍ତେ ତା'ର ସ୍ତୁତି ଶୁଣି । ପ୍ରସନ୍ନଚିତ୍ତେ ମହାମୁନି ॥୯୩
ଅଂଶୁମାନର ମୁଖ ଚାହିଁ । ବୋଲନ୍ତି ଅନୁଗ୍ରହ ବହି ॥୯୪

କପିଳ ଉବାଚସମ୍ପାଦନ କରନ୍ତୁ

ହେ ପୁତ୍ର ଅଶ୍ୱ ଘେନିଯାଅ । ତୋ' ପିତାମହ ପାଶେ ଦିଅ ॥୯୫
ଏ ଅଶ୍ୱେ ଯଜ୍ଞ ପୂଜା କରି । ବିଷମ ସଙ୍କଟୁ ନିସ୍ତରି ॥୯୬
ଏ ଯେ ତୋହର ପିତୃକୂଳେ । ଭସ୍ମ ହୋଇଲେ କୋପାନଳେ ॥୯୭
ଏହାଙ୍କ ମୋକ୍ଷ ଗଙ୍ଗାଜଳେ । ଅନ୍ୟଥା ନାହିଁ ଏ ଶୟଳେ ॥୯୮
ଏମନ୍ତେ କପିଳ ବଚନେ । ସେ ଅଂଶୁମାନ ତୋଷମନେ ॥୯୯
ତକ୍ଷଣେ ଅଶ୍ୱକୁ ଆଣିଲେ । ପିତାମହର ପାଶେ ଦେଲେ ॥୧୦୦
ସେ ଅଶ୍ୱମାଂସେ ଯଜ୍ଞ କରି । ବିଷମ ସଙ୍କଟୁ ନିସ୍ତରି ॥୧୦୧
ଅଂଶୁମାନକୁ ରାଜ୍ୟ ଦେଇ । କର୍ମବନ୍ଧନୁ ମୋକ୍ଷ ହୋଇ ॥୧୦୨
ଔର୍ବ-ବଚନେ ବନେ ଗଲା । ଅନ୍ତେ ସେ ଗୋବିନ୍ଦ ଲଭିଲା ॥୧୦୩
ସୁଜନେ ଶୁଣିମା ଶ୍ରବଣେ । ଏ ହରିରସ ଅନୁକ୍ଷଣେ ॥୧୦୪
ଅବିଦ୍ୟା ବନ୍ଧୁ ପାର ହୋଇ । ଅନ୍ତେ ଲଭିବ ଭାବଗ୍ରାହୀ ॥୧୦୫
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୦୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଅଷ୍ଟମୋଽଧ୍ୟାୟଃ । ।

ନବମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଏବେ ହୋ ଶୁଣ ନୃପମଣି । କପିଳ ମୁଖୁଁ ବାକ୍ୟ ଶୁଣି ॥୧
ସେ ଅଂଶୁମାନ ଘୋର ବନେ । ବସିଲା ନିଶ୍ଚଳ ଆସନେ ॥୨
ମନପବନ ସଂଯମନେ । ସଂକଳ୍ପ ଗଙ୍ଗାର ଆଗମେ ॥୩
ଅନେକ କାଳ ତପ କଲା । ସେ ବନେ ପ୍ରାଣ ଉତ୍ସ›ର୍ଗିଲା ॥୪
ତଦନ୍ତେ ତା' ପୁତ୍ର ଦିଲୀପ । ଗଙ୍ଗାର ଅର୍ଥେ କଲା ତପ ॥୫
ତଥାପି ଗଙ୍ଗା ନ ପାଇଲା । କାଳର ବଶେ ନାଶ ଗଲା ॥୬
ତା'ର କୁମର ଭଗୀରଥ । ଗଙ୍ଗା ଆଗମେ ତପଚିତ୍ତ ॥୭
ସେ ତପ କଲା ଘୋରବନେ । ବସିଲା ନିଶ୍ଚଳ ଆସନେ ॥୮
ତାହାର ତପବଳ ଭାବି । ସନ୍ତୋଷେ ମିଳିଲେ ଜାହ୍ନବୀ ॥୯
ବୋଲନ୍ତି ପ୍ରସନ୍ନ ବଦନେ । ବର ତୁ ମାଗ ତୋଷମନେ ॥୧୦
ତକ୍ଷଣେ ଶିରେ ଦେଇ କର । ବୋଲେ ମୋ' ପିତୃଙ୍କୁ ଉଦ୍ଧର ॥୧୧
କପିଳ ତେଜେ ଦଗ୍ଧ ହୋଇ । ତୋ' ବିନୁ ତା'ଙ୍କ ଗତି ନାହିଁ ॥୧୨
ଶୁଣି ବୋଲନ୍ତି ଭଗବତୀ । କେ ସହି ପାରିବ ମୋ' ଗତି ॥୧୩
ଗଗନୁ ଭୂମିରେ ପଡ଼ନ୍ତେ । ମହୀ ନ ଶିବ ମୋ'ର ଘାତେ ॥୧୪
ପାତାଳେ ପଡ଼ିବି ଯେ ମୁହିଁ । ମୋ' ଉଦ୍ଧାରଣେ କେହି ନାହିଁ ॥୧୫
କି ଅବା ଭୂମିକି ମୁଁ ଗଲେ । ମନୁଷ୍ୟେ ମୋ'ର ତହିଁ ଭଲେ ॥୧୬
ଧୋଇବେ ପାପ ତାହା ମୁହିଁ । ଧୋଇବି କାହିଁ ଚିନ୍ତ ତୁହି ॥୧୭
ବିଷ୍ଣୁଙ୍କ ଆଜ୍ଞାର ପ୍ରମାଣ । ନ ଗଲେ ନାହିଁ ପରିତ୍ରାଣ ॥୧୮
ଏମନ୍ତ ଗଙ୍ଗା ବାକ୍ୟ ଶୁଣି । ରାଜା ବୋଲନ୍ତି ମନେ ଗୁଣି ॥୧୯

ଭାଗୀରଥ ଉବାଚସମ୍ପାଦନ କରନ୍ତୁ

ସାଧୁ ସନ୍ନ୍ୟାସୀ ଶାନ୍ତ ଦାନ୍ତ । ବ୍ରହ୍ମିଷ୍ଠ ଶୁଚି ଦୟାବନ୍ତ ॥୨୦
ଏହାଙ୍କ ଅଙ୍ଗସଙ୍ଗ ଫଳେ । ପାପ ହରଇ ଭୂମିତଳେ ॥୨୧
ତୁମ୍ଭର ପାପ ବିନାଶନେ । କ୍ଷମ କି ନୋହିବେ ସେମାନେ ॥୨୨
ତୋ' ବେଗ ରୁଦ୍ର ଅବା ସହେ । ଯେ ହର ବିଶ୍ୱଆତ୍ମା ବହେ ॥୨୩
ରୁଦ୍ରର ଦେହେ ଏ ଜଗତ । ବସନ ପ୍ରାୟେ ଓତଃପ୍ରୋତ ॥୨୪
ତୋହର ବେଗ ସହିବାରେ । ତା' ବିନୁ ଅଛି କେ ଅପରେ ॥୨୫
ଗଙ୍ଗା ବୋଇଲେ ଏଟି ସତ୍ୟ । ବେଗେ ତୁ ସେବ ବିଶ୍ୱନାଥ ॥୨୬
ଏମନ୍ତ ଗଙ୍ଗ-ବାକ୍ୟ ଶୁଣି । ଆନନ୍ଦେ ଗଲା ନୃପମଣି ॥୨୭
ସେବିଲା ଈଶ୍ୱର ଚରଣେ । ପିତୃଙ୍କ ଉଦ୍ଧାର କାରଣେ ॥୨୮
ସେ ଭଗୀରଥ ପୁଣ୍ୟବଳେ । ଶିବ ସନ୍ତୋଷ ଅଳ୍ପକାଳେ ॥୨୯
ହେ ଭଗୀରଥ ମାଗ ବର । ଦେବଇଁ ସତ୍ୟ ଏ ମୋହର ॥୩୦
ହେ ଦେବ ଶୁଣ ଶୂଳପାଣି । ମୋ' ପିତାମହଙ୍କ କାହାଣୀ ॥୩୧
କପିଳ କୋପେ ସେ ଜଳିଲେ । ମୋତେ ସେ ପ୍ରସନ୍ନ ହୋଇଲେ ॥୩୨
ବୋଇଲେ ଗଙ୍ଗାଙ୍କୁ ଆଣିଲେ । ତୋ' ପିତୃ ନିସ୍ତରିବେ ଭଲେ ॥୩୩
ଗଙ୍ଗା ପ୍ରସନ୍ନେ ମୋତେ ଚାହିଁ । ମା' ତେଜ ଶିବ ପାରେ ସହି ॥୩୪

ଶିବ ଉବାଚସମ୍ପାଦନ କରନ୍ତୁ

ବୋଇଲେ ଧରିବି ମୁଁ ଶିରେ । ଜଟାକଳପ ଅଭ୍ୟନ୍ତରେ ॥୩୫
ଜାହ୍ମବୀ ରୁଦ୍ରର ବଚନେ । ତକ୍ଷଣେ ସ୍ରବିଲେ ଗଗନେ ॥୩୬
ସ୍ୱଭାବେ ବିଷ୍ଣୁପାଦଜଳ । ସୁ ପୁଣ୍ୟ ଶୁଚି ସୁନିର୍ମଳ ॥୩୭
ଜଳେ ପୂରିଲା ଜଟାଭାର । ଧାରାଏ ତିନ୍ତିଲା ଶରୀର ॥୩୮
ରୁଦ୍ର-ଶରୀରୁ ଜଳରାଶି । ବହିଲା ଭୂମିତଳେ ଆସି ॥୩୯
ଯେ ଗଙ୍ଗା ଭୁବନ-ପାବିନୀ । ତାହାଙ୍କୁ ଭଗୀରଥ ଘେନି ॥୪୦
ବସିଲା ବାୟୁବେଗ ରଥେ । ଗଙ୍ଗା ତାହାର ଅନୁପଥେ ॥୪୧
ପବିତ୍ର କରି ବେନିପାଶେ । ଲାଗିଲେ ଯେତେ ନଗ୍ର-ଦେଶେ ॥୪୨
ଧରଣୀ-ବିବରେ ପଶିଲେ । କପିଳ ଆଶ୍ରମେ ମିଳିଲେ ॥୪୩
ବିଷ୍ଣୁଙ୍କୁ ପ୍ରଦକ୍ଷିଣ କରି । ତହୁଁ ଚଳିଲେ ଶୀଘ୍ର କରି ॥୪୪
ସଗର-ସୁତେ ଯହିଁ ମିଳି । ଅନଳେ ଯାଇଥିଲେ ଜଳି ॥୪୫
ଜଳ ପଶିଲା ତା'ଙ୍କ ମଧ୍ୟେ । ତକ୍ଷଣେ ପରମ ଆନନ୍ଦେ ॥୪୬
ଜ୍ୟୋତି ସ୍ୱରୂପେ ସ୍ୱର୍ଗେ ଗଲେ । ଶୂନ୍ୟେ ଦେଖନ୍ତି ଦିଗପାଳେ ॥୪୭
କପିଳମୁନି କୋପାନଳ । ଦହଇ ଭୁବନ-ମଣ୍ତଳ ॥୪୮
ଯେ ଜଳ ସ୍ପରଶନ ମାତ୍ରେ । ଦୁରିତ ନରହଇ ଗାତ୍ରେ ॥୪୯
ଅନନ୍ତ ଚରଣ ସ୍ପରଶେ । ଗଙ୍ଗା ସ୍ମରଣେ ପାପ ନାଶେ ॥୫୦
ସେ ଗଙ୍ଗାଜଳେ ଦେଇ ମନ । ଭବୁ ତରିଲେ ମୁନିଜନ ॥୫୧
ଏବେ ହୋ ଶୁଣ ପରୀକ୍ଷିତ । ସଗର-ବଂଶାନୁଚରିତ ॥୫୨
ସେ ଭଗୀରଥର ତନୟେ । ସ୍ୱଭାବେ ଶ୍ରୁତ ନାମ ବହେ ॥୫୩
ନାଭ ତାହାର ସୁତ ହୋଏ । ଅଶେଷ ଗୁଣ ଯା'ର ଦେହେ ॥୫୪
ସିନ୍ଧୁଦ୍ୱୀପ ତା'ର ନନ୍ଦନ । ତହୁଁ ଅୟୁତାୟୁ ଉତ୍ପନ୍ନ ॥୫୫
ତା' ସୁତ ଋତୁପର୍ଣ୍ଣ ଲେଖା । ନଳ ଯାହାର ପ୍ରାଣସଖା ॥୫୬
ଅକ୍ଷବିଦ୍ୟାରେ ଗରୁଟାଣ । ନଳକୁ ଶିଖାଇ ରାଜନ ॥୫୭
ଅଶ୍ୱବିଦ୍ୟାକୁ ନଳୁଁ ନେଇ । ବନେ ପଶିଲା ତପଧ୍ୟାୟି ॥୫୮
ତା'ର କୁମର ସର୍ବକାମ । ସ୍ୱଭାବେ ସର୍ବ ଗୁଣଧାମ ॥୫୯
ସୁଦାସ ତାହାର ସନ୍ତତି । ତା' ପୁତ୍ର ମଦୟନ୍ତୀ ପତି ॥୬୦
ତାହାର ମିତ୍ର ସହ ନାମ । କଳ୍ପାଷପାଦ ପୁଣି ନାମ ॥୬୧
ବଶିଷ୍ଠ ଗୁରୁ ଶାପ ପାଇଁ । ବନେ ରାକ୍ଷସ ଦେହ ବହି ॥୬୨
ସ୍ୱକର୍ମେ ଅପୁତ୍ର ହୋଇଲା । କୋପେ ବ୍ରାହ୍ମଣୀ ଶାପ ଦେଲା ॥୬୩
ଏ କଥା ଶୁକମୁଖୁଁ ଶୁଣି । ବୋଲେ ପରୀକ୍ଷ ନୃପମଣି ॥୬୪
ମହାତ୍ମା ସୌଦାସ କେମନ୍ତେ । ରାକ୍ଷସ ହୋଇଲା ବନସ୍ତେ ॥୬୫
କିବା ଅନୀତି ଆଚରିଲା । ଅପୁତ୍ର କିଗୁଣେ ହୋଇଲା ॥୬୬
ଏ କଥା କହ ମୁନିବର । ମୁଁ ଯେବେ ସେବକ ତୁମ୍ଭର ॥୬୭

ଶୁକ ଉବାଚସମ୍ପାଦନ କରନ୍ତୁ

ଶୁକ କହନ୍ତି ରାଜା ଚାହିଁ । ଶୁଣ ହୋ ସାବଧାନ ହୋଇ ॥୬୮
ସୌଦାସ ଚରିତ ଅଦ୍ଭୁତ । ଭଜିଲା କର୍ମର ଆୟତ୍ତ ॥୬୯
ବନେ ରାକ୍ଷସ ବେନିଭାଇ । ବୁଲନ୍ତି ନରମାଂସ ଖାଇ ॥୭୦
ସୌଦାସ ରାଜା ଶସ୍ତ୍ରହସ୍ତେ । ବନେ ପଶିଲା ପଶୁ ଅର୍ଥେ ॥୭୧
ସେ ବନେ ଥିଲେ ବେନିଭାଇ । ରାକ୍ଷସ ବ୍ୟାଘ୍ରରୂପ ହୋଇ ॥୭୨
ସେ ଦୁଇ ରାକ୍ଷସଙ୍କୁ ଦେଖି । ବାଣ ମାଇଲା ରାଜା ଲକ୍ଷ୍ୟି ॥୭୩
ବାଣେ ରାକ୍ଷସ ମରେ ଏକ । ତା'ର ଭାଇର କର୍ମ ଦେଖ ॥୭୪
ରାକ୍ଷସ ଭ୍ରାତୃବଧ ଦେଖି । ଅତ୍ୟନ୍ତ ହୋଇଲାକ ଦୁଃଖୀ ॥୭୫
ମନରେ ବିଚାର କରଇ । ଏ ଯେ ମାଇଲା ମୋର ଭାଇ ॥୭୬
ଏବେ ଏ ନିଜପୁରେ ଗଲେ । କରିବି ପ୍ରତିଫଳ ହେଳେ ॥୭୭
ଚିନ୍ତିଲା ପ୍ରତିକାର ମନେ । ମିଳିଲା ରାଜା ସନ୍ନିଧାନେ ॥୭୮
ବୋଲଇ ରାଜମୁଖ ଚାହିଁ । ତୁ ଯେ ମାଇଲୁ ମୋର ଭାଇ ॥୭୯
ତୁ ଏବେ ନିଜପୁରେ ଚଳ । ମୁହିଁ କରିବି ପ୍ରତିକାର ॥୮୦
ତଦନ୍ତେ ରାଜା ଗୃହେ ଗଲା । ଶୁଣ ହେ ଅଭିମନ୍ୟୁବଳା ॥୮୧
ଏମନ୍ତେ ଗଲା ଦିନାକେତେ । ବଶିଷ୍ଠ ନୃପତି ଅଗ୍ରତେ ॥୮୨
ମିଳିଲେ କ୍ଷୁଧାର କଷଣେ । ଆମିଷ ଭୋଜନ କାରଣେ ॥୮୩
ବୋଲନ୍ତି ନୃପତି ଅଗ୍ରତେ । ମାଂସ ଭୋଜନ ଦିଅ ମୋତେ ॥୮୪
ଏମନ୍ତ କହି ମୁନିଗଲେ । ସନ୍ଧ୍ୟାର ଅର୍ଥେ ଗଙ୍ଗାଜଳେ ॥୮୫
ବଶିଷ୍ଠ ଆଗମନ ଚାହିଁ । ସୂପକାରଙ୍କୁ ସେ ଅଣାଇଁ ॥୮୬
ବୋଲଇ ମାଂସ ପାକ କର । ଭୁଞ୍ଜିବେ ବ୍ରହ୍ମାଙ୍କ କୁମର ॥୮୭
ଶୁଣି ସୂପକାର ସୁଚିତ୍ତେ । ଆମିଷ ରାନ୍ଧିଲେ ତ୍ୱରିତେ ॥୮୮
ଉତ୍ତମ ପଶୁଙ୍କର ମାଂସ । ଯେଣେ ବଶିଷ୍ଠ ମନ ତୋଷ ॥୮୯
ସେ ମଧ୍ୟେ ସୂପକାର ରୂପେ । ରାକ୍ଷସ ଭାଇ ଥିଲା ଗୋପ୍ୟେ ॥୯୦
ସେ ନରମାଂସ ପାକ କରି । ସୁବର୍ଣ୍ଣପାତ୍ରେ ତାହା ଭରି ॥୯୧
ତକ୍ଷଣେ ଅନ୍ତର୍ଦ୍ଧାନେ ଗଲା । ଏମନ୍ତେ ବଶିଷ୍ଠ ମିଳିଲା ॥୯୨
ଭୋଜନେ ବସିଲେ ଆସନେ । ରାଜା ସମୀପେ ବିଧି ମାନ୍ୟେ ॥୯୩
ଏମନ୍ତେ ସୂପକାର ନେଲେ । ସୁବର୍ଣ୍ଣପାତ୍ରେ ମାଂସ ଦେଲେ ॥୯୪
ତକ୍ଷଣେ ମନୁଷ୍ୟର ମାଂସ । କରେ ଘେନିଲେ ଏକଗ୍ରାସ ॥୯୫
ଆଘ୍ରାଣ ନାସାରନ୍ଧ୍ରେ କଲେ । ତକ୍ଷଣେ ତଳେ ପକାଇଲେ ॥୯୬
ରାଜାର ବଦନ ଅନାଇଁ । ବୋଲନ୍ତି କୋପଭର ହୋଇ ॥୯୭
ମୋତେ ଯେ ଦେଲୁ ନରମାଂସ । ଏ ପାପେ ହୁଅ ତୁ ରାକ୍ଷସ ॥୯୮
ଅରଣ୍ୟେ ଦ୍ୱାଦଶ-ବରଷ । ଭକ୍ଷଣ କର ନରମାଂସ ॥୯୯
ଏମନ୍ତ ମୁନିବାକ୍ୟ ଶୁଣି । କୋପେ କମ୍ପିଲା ନୃପମଣି ॥୧୦୦
ବୋଲେ ମୁଁ ନୁହେଁ ଜ୍ଞାନଭ୍ରଂଶ । କେମନ୍ତେ ଦେଲି ନରମାଂସ ॥୧୦୧
ନ ଜାଣି ଶାପ ଦେଲ ଗୁରୁ । କେ ବ୍ରହ୍ମଶାପ ଆନ କରୁ ॥୧୦୨
ମୁଁ ଏବେ ପ୍ରତିଶାପ ଦେବି । ଏମନ୍ତ ବୁଦ୍ଧି ଚିତ୍ତେ ଭାବି ॥୧୦୩
ଜଳଅଞ୍ଜଳି କରେ କଲା । ବଶିଷ୍ଠ ଅଗ୍ରତେ ମିଳିଲା ॥୧୦୪
ରାଜାର କୋପ ଦେଖି ମନେ । ପତ୍ନୀ ମିଳିଲା ସନ୍ନିଧାନେ ॥୧୦୫
ତାହାର ମଦୟନ୍ତୀ ନାମ । ସକଳଗୁଣେ ଗୁଣଧାମ ॥୧୦୬
ବୋଲନ୍ତି ସ୍ୱାମୀ ମୁଖ ଚାହିଁ । ଏ କଥା ତୋତେ ନଘଟଇ ॥୧୦୭
ଗୁରୁଙ୍କ ଶିଷ୍ୟ ଶାପ ଦେଲେ । ଅଧର୍ମ ହୋଇବଟି ଭଲେ ॥୧୦୮
ଏ କଥା କେବେ ହେଁ ନ କର । ତା'ର ବଚନେ ନୃପବର ॥୧୦୯
ମନ୍ତ୍ରିତ ଜଳ କୋପଭରେ । ସିଞ୍ଚିଲା ଆପଣା ପୟରେ ॥୧୧୦
ତକ୍ଷଣେ ଅଜ୍ଞାନ ହୋଇଲା । କଳ୍ମାଷପାଦ ବୋଲାଇଲା ॥୧୧୧
କୋପେ ଚାହିଁଲା ଦଶଦିଶେ । ସକଳ ମାଂସ ପ୍ରାୟେ ଦିଶେ ॥୧୧୨
ତକ୍ଷଣେ ରାକ୍ଷସ ଶରୀରେ । ରାଜା ପଶିଲା ବନଘୋରେ ॥୧୧୩
ବନେ ରାକ୍ଷସ ଦେହବହି । ଭ୍ରମଇ ନରମାଂସ ଖାଇ ॥୧୧୪
ଏମନ୍ତେ ଗଲା କେତେଦିନ । ଶୁଣ ହେ ପରୀକ୍ଷ ରାଜନ ॥୧୧୫
ବିପ୍ରଦମ୍ପତି ଏକଦିନେ । ଆସନ୍ତି ଗହନ କାନନେ ॥୧୧୬
ପତ୍ନୀ ଯେ ପିତାଗୃହେ ଥିଲା । ଏମନ୍ତେ ଋତୁ ଉପୁଜିଲା ॥୧୧୭
ସେ ବିପ୍ର ପୁଷ୍ପୋତ୍ସ›ବ ଆଶେ । ପତ୍ନୀ ଆଣନ୍ତେ ଗୃହବାସେ ॥୧୧୮
ସେ ବନେ ବିଧାତାର ବଳେ । ରାକ୍ଷସ ନିକଟେ ମିଳିଲେ ॥୧୧୯
ସ୍ୱଭାବେ ନିର୍ଜନ ବନସ୍ତ । ବୁଲନ୍ତି ହରାଇଣ ପଥ ॥୧୨୦
ସେ ରାଜା ଭୟଙ୍କର ରୂପେ । ମିଳିଲା ତାହାଙ୍କ ସମୀପେ ॥୧୨୧
ଗର୍ଜନ କରି ଭୟଙ୍କରେ । ବିପ୍ରକୁ ଧରି ବେନିକରେ ॥୧୨୨
ଭକ୍ଷଣେ ତୁ ବିସ୍ତାରଇ । ବ୍ରାହ୍ମଣୀ ବୋଲେ ତା'କୁ ଚାହିଁ ॥୧୨୩
ହେ ନୃପ ଅଧର୍ମ ନ କର । ଇକ୍ଷ୍ୱାକୁ ବଂଶେ ଯଶସ୍କର ॥୧୨୪
ତୁ ନୋହୁ ରାକ୍ଷସ-ଶରୀର । ପ୍ରତ୍ୟକ୍ଷେ ଦମୟନ୍ତୀ ବର ॥୧୨୫
ମୋ'ର ସ୍ୱାମୀଙ୍କି ଛାଡ଼ ତୁହି । ପୁଷ୍ପଉତ୍ସ›ବ ମୋର ହୋଇ ॥୧୨୬
ସ୍ୱାମୀର ସଙ୍ଗେ ସଙ୍ଗ କରି । ପୁତ୍ର ସନ୍ତତି ଗର୍ଭେ ଧରି ॥୧୨୭
ସଂସାର ହୋଇବ ମୋହର । ଦୁର୍ଲ୍ଲଭ ନର କଳେବର ॥୧୨୮
ଦେବେ ବା‚ଞ୍ଛନ୍ତି ଯାହା ଚିତ୍ତେ । ଏ କର୍ମ କରିବୁ କେମନ୍ତେ ॥୧୨୯
ଦେଖ ପଣ୍ତିତ ମୋ'ର ସ୍ୱାମୀ । ତପ ସାଧନେ ପଥଶ୍ରମୀ ॥୧୩୦
ଏ ସର୍ବଭୂତେ ଦୟା ବହେ । ଦେବେ ବସନ୍ତି ଏହା ଦେହେ ॥୧୩୧
ଏହାର ବଧେ ସୃଷ୍ଟି ବଧ । ଏ ମଲେ ଲଭିବୁ ପ୍ରମାଦ ॥୧୩୨
ଏ କଥା ଯେବେ ମଣୁ ମିଛ । ତୁ ମୋତେ ଆଗ କରି ଭକ୍ଷ ॥୧୩୩
ମୋହର ଆଗେ ସ୍ୱାମୀ ମଲେ । ଜୀବନ ନ ଧରିବି ଭଲେ ॥୧୩୪
ଏମନ୍ତେ ଅନେକ କହିଲା । ତାହାର ଚରଣେ ପଡ଼ିଲା ॥୧୩୫
କାନ୍ଦଇ ପତିମୁଖ ଚାହିଁ । ତକ୍ଷଣେ ବ୍ୟାଘ୍ର ପ୍ରାୟ ହୋଇ ॥୧୩୬
ବଶିଷ୍ଠ ଶାପେ ଜ୍ଞାନ ଗଲା । ତକ୍ଷଣେ ବିପ୍ରକୁ ଭକ୍ଷିଲା ॥୧୩୭
ସ୍ୱାମୀମରଣ ଦେଖି କୋପେ । ରାକ୍ଷସେ ଚାହିଁ ମନସ୍ତାପେ ॥୧୩୮
ବୋଲଇ ଶୁଣରେ ପାମର । ସ୍ୱାମୀଙ୍କି ନାଶିଲୁ ମୋହର ॥୧୩୯
ତୋହର ପତ୍ନୀ ସଙ୍ଗକାଳେ । ପ୍ରାଣ ତୁ ଛାଡ଼ ଅନ୍ତରାଳେ ॥୧୪୦
ଏମନ୍ତ ଶାପ ତା'କୁ ଦେଇ । ପଶିଲା ଅଗ୍ନିକୁଣ୍ତେ ଯାଇ ॥୧୪୧
ତକ୍ଷଣେ ଜୀବନ ଛାଡ଼ିଲା । ସ୍ୱଧର୍ମେ ପତି ସଙ୍ଗେ ଗଲା ॥୧୪୨
ଏମନ୍ତେ ମୁନି-ଶାପ-ଦୋଷ । ପୂରିଲା ଦ୍ୱାଦଶବରଷ ॥୧୪୩
ଶାପୁଁ ମୁକତ ରାଜା ହୋଇ । ମିଳିଲା ଅନ୍ତଃପୁରେ ଯାଇ ॥୧୪୪
ପତ୍ନୀ ସଙ୍ଗମ ଚିତ୍ତେ ଚିନ୍ତି । ତା' ଦେଖି ବୋଲେ ଦମୟନ୍ତୀ ॥୧୪୫
ବ୍ରାହ୍ମଣୀ ଶାପ ଦେଲା ତୋତେ । ମୋ' ଅଙ୍ଗ ଛୁଇଁବୁ କେମନ୍ତେ ॥୧୪୬
ସ୍ତିରୀ ମୈଥୁନ ଆଶା ତେଜ । ଜୀବନେ ଯେବେ ଅଛି କାର୍ଯ୍ୟ ॥୧୪୭
ଏମନ୍ତେ ତାହାର ବଚନେ । ରାଜା ବିଚାରେ ଦୁଃଖମନେ ॥୧୪୮
କେମନ୍ତେ ହୋଇବ ସନ୍ତତି । ନାନା ଉପାୟ ମନେ ଚିନ୍ତି ॥୧୪୯
ବଶିଷ୍ଠ ସମୀପେ ମିଳିଲା । ମୋ' ବଂଶ ରଖ ତୁ ବୋଇଲା ॥୧୫୦
ଏମନ୍ତେ ରାଜାର ବଚନେ । ତା'ର କାମିନୀ ଗର୍ଭଧାନେ ॥୧୫୧
ବଶିଷ୍ଠ ସଙ୍ଗେ ସଙ୍ଗ କରି । ଗର୍ଭ ହୋଇଲା ତା'ର ନାରୀ ॥୧୫୨
ସେ ଗର୍ଭ ସପତ-ବରଷେ । ଜନ୍ମ ନୋହିଲା ବୋଲି ରୋଷେ ॥୧୫୩
ଅଶ୍ମ ପ୍ରହାର ଗର୍ଭେ କଲା । ତକ୍ଷଣେ ପୁତ୍ର ଉପୁଜିଲା ॥୧୫୪
ନାମ ତା ଅଶ୍ମକ ହୋଇଲା । ଯେଣୁ ଅଶ୍ମଘାତ ବାଜିଲା ॥୧୫୫
ମୂଳକ ଅଶ୍ମକ ନନ୍ଦନ । ନାରୀକବଚ ତା'ର ନାମ ॥୧୫୬
ପରଶୁରାମ କ୍ଷୟ ବେଳେ । ସୁଖେ ରଖିଲା କ୍ଷତ୍ରିକୁଳେ ॥୧୫୭
ତାହାର ପୁତ୍ର ଦଶରଥ । ଐଡ଼ବିଡ଼ ଯେ ତା'ର ସୁତ ॥୧୫୮
ତା'ଠାରୁ ହେଲା ଉତପତ୍ତି । ଯେ ବିଶ୍ୱସହ ନରପତି ॥୧୫୯
ଖଟ୍ୱାଙ୍ଗ ତାହାର କୁମର । ଯୁଦ୍ଧେ ରଖିଲା ପୁରନ୍ଦର ॥୧୬୦
ସେ ମହୀତଳେ ଚକ୍ରବର୍ତ୍ତୀ । ଶୁଣ ରାଜନ ତା'ର ଗତି ॥୧୬୧
ଅସୁର ଯୁଦ୍ଧେ ଦେବଗଣେ । ତା'ଙ୍କୁ ବରିଲେ ଯୋଦ୍ଧାପଣେ ॥୧୬୨
ସେ ପୁଣି ରିପୁ ଜିଣି ଯୁଦ୍ଧେ । ମେଲାଣି ଇଚ୍ଛେ ଦେବମଧ୍ୟେ ॥୧୬୩
ଦେବେ ବୋଲନ୍ତି ରାଜା ଚାହିଁ । ଯେ ବର ଇଚ୍ଛା ମାଗ ତୁହି ॥୧୬୪
ରାଜା ବୋଲଇ ଇନ୍ଦ୍ର ଚାହିଁ । ବର କଳ୍ପିତ ମୋ'ର ନାହିଁ ॥୧୬୫
ଇନ୍ଦ୍ର ତାହାର ମୁଖ ଚାହିଁ । ବୋଇଲେ ତୁ ଯିବୁ କିପାଇଁ ॥୧୬୬
ମୁହୂର୍ତ୍ତେ ଅଛି ତୋ ଜୀବନ । ତା' ଶୁଣି ବୋଲଇ ରାଜନ ॥୧୬୭
ମୋହର ସ୍ୱର୍ଗେ କାର୍ଯ୍ୟ ନାହିଁ । କର୍ମଭୂମିକି ଯିବି ମୁହିଁ ॥୧୬୮
ଏମନ୍ତ ଇନ୍ଦ୍ର ଆଗ କହି । ମିଳିଲେ ନିଜପୁରେ ଯାଇ ॥୧୬୯
ମନ ନିବେଶି ହରିପାଦେ । ରୋମପୁଲକେ ଗଦଗଦେ ॥୧୭୦
ତକ୍ଷଣେ ରାଇ ଜନପ୍ରଜା । ଭୁଜ ଉଭାରି ବୋଲେ ରାଜା ॥୧୭୧
ମୁଁ ଯେ ବ୍ରହ୍ମଣ୍ୟ କୁଳେ ଜାତ । ବ୍ରାହ୍ମଣ ମୋର ଦଇବତ ॥୧୭୨
ଯେବା ଅଛଇ ମୋର ଧନ । ଦାରା-ତନୟ-ବନ୍ଧୁଜନ ॥୧୭୩
ଏ ସର୍ବ ହରି-ନିବେଦନ । ଶୁଣ ସକଳ ସାବଧାନ ॥୧୭୪
ସତ୍ୟ ମୁଁ କିଛି ନ ଦେଖୁଛି । ବିଷ୍ଣୁଙ୍କ ଠାରୁ ଅନ୍ୟ କିଛି ॥୧୭୫
ମୋ ମତି ଧର୍ମ ବ୍ୟତିରେକେ । ହରିଙ୍କି ସର୍ବଭୂତେ ଦେଖେ ॥୧୭୬
ଯେ ତିନି ଭୁବନେ ଈଶ୍ୱର । ଇନ୍ଦ୍ର ଯାଚିଲେ ମୋତେ ବର ॥୧୭୭
ଏ ବର ଯେବେ ସେ ପ୍ରମାଣେ । ମୋ' ଚିତ୍ତ ରହୁ ନାରାୟଣେ ॥୧୭୮
ବିଷ୍ଣୁର ମାୟାରେ ଜଗତ । ଦିଶଇ ଇନ୍ଦ୍ରଜାଲ ମତ ॥୧୭୯
ସେ ମାୟା ଛାଡ଼ି ହରିପାଦେ । ମୋ' ଚିତ୍ତ ରହୁ ଅପ୍ରମାଦେ ॥୧୮୦
ଏମନ୍ତ କହି ନୃପରାଣ । ତକ୍ଷଣେ ହାରିଲା ଜୀବନ ॥୧୮୧
ନିସ୍ତରି ଗଲା ମାୟାମୋହେ । ପଶିଲା ଗୋବିନ୍ଦର ଦେହେ ॥୧୮୨
ନିର୍ମଳ ବିଷ୍ଣୁର ଚରିତ । ସୁଜନ ଶୁଣ ଅବିରତ ॥୧୮୩
ବିଷୟା ବିଷକୁ ଅମୃତ । ଏଣେ ଯେ ହୋଇବ ମୁକତ ॥୧୮୪
ଶୁଣି ପୁରାଣ ଭାଗବତ । ଭାବ ହୋଇବ କୃତକୃତ୍ୟ ॥୧୮୫
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୮୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ନବମୋଽଧ୍ୟାୟଃ । ।

ଦଶମ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଏବେ ହୋ ଶୁଣ ମହୀପତି । ଯେ ବଂଶେ ଯାହାର ସନ୍ତତି ॥୧
ଯେ କୁଳେ ଯେବା ଅଧିପତି । ଶୁଣନ୍ତେ ପାପ ବିନାଶନ୍ତି ॥୨
ଖଟ୍ୱାଙ୍ଗୁ ଦୀର୍ଘବାହୀ ନାମ । ପୁତ୍ର ହୋଇଲା ଗୁଣଧାମ ॥୩
ରଘୁ ତାହାର ତହୁଁ ଜାତ । ସକଳ ଗୁଣେ ସୁବିଖ୍ୟାତ ॥୪
ଅଜ ତାହାର ବୀର୍ଯ୍ୟେ ଜାତ । ତା'ର କୁମର ଦଶରଥ ॥୫
ସେ ଦଶରଥ ଘରେ ହରି । ଜନ୍ମିଲେ ନରଦେହ ଧରି ॥୬
ଚତୁର୍ଦ୍ଧା ରୂପେ ଦେବକାର୍ଯ୍ୟେ । ଜନ୍ମିଲେ ଦଶରଥ ବୀର୍ଯ୍ୟେ ॥୭
ରାମ ଲକ୍ଷ୍ମଣ ଶତ୍ରୁଘନ । ଭରତ ତୁଲେ ଚାରିଜଣ ॥୮
ସେ ରାମ ଚରିତ ତୁ ସୁଖେ । ଶୁଣିଛୁ ଋଷିଙ୍କର ମୁଖେ ॥୯
ପିତା ବଚନେ ରାଜ୍ୟ ଛାଡ଼ି । ପଦ୍ମ ଚରଣେ ଭୂମି ମାଡ଼ି ॥୧୦
ଲକ୍ଷ୍ମଣ ସୀତାର ସମେତେ । ଯେ ଦୁଃଖେ ବଞ୍ଚିଲେ ବନସ୍ତେ ॥୧୧
ସୁଗ୍ରୀବ ତୁଲେ ମିତ୍ର କରି । ବିରୂପ କଲେ ସେ ଅସୁରୀ ॥୧୨
ତା' ଶୁଣି ରାବଣ ଅଇଲା । ବନରୁ ସୀତା ହରି ନେଲା ॥୧୩
ପ୍ରିୟା ବିଚ୍ଛେଦେ ହୋଇ ଅନ୍ଧ । ସମୁଦ୍ରେ କଲେ ସେତୁବନ୍ଧ ॥୧୪
ପ୍ରଥମେ ବିଶ୍ୱାମିତ୍ର ସଙ୍ଗେ । ଯଜ୍ଞ ରଖିଲେ ଅନୁରାଗେ ॥୧୫
ମାରୀଚ ଆଦି ନିଶାଚରେ । ରାତ୍ରେ ମିଳିଲେ ଯଜ୍ଞଘରେ ॥୧୬
ଲକ୍ଷ୍ମଣ ତୁଲେ ତା ସଂହାରି । ମୁନିଙ୍କ ଯଜ୍ଞ ରକ୍ଷା କରି ॥୧୭
ସେ ପୁଣି ସୀତା ସ୍ୱୟମ୍ବରେ । ମିଳିଲେ ବିଦେହ ନଗରେ ॥୧୮
ଭାଙ୍ଗିଲେ ଈଶ୍ୱର-କୋଦଣ୍ତ । ବାଳକେ ଯେହ୍ନେ ଇକ୍ଷୁଦଣ୍ତ ॥୧୯
ଅଶେଷ ରାଜାଗଣ ଜିଣି । ସୀତାଙ୍କୁ ସ୍ୱୟମ୍ବରୁ ଆଣି ॥୨୦
ଅଯୋଧ୍ୟା ନଗରେ ଆସନ୍ତେ । ପରଶୁରାମ ବନପଥେ ॥୨୧
ବୋଲଇ ଶ୍ରୀରାମଙ୍କୁ ଚାହିଁ । ଧନୁ ଭାଙ୍ଗିଲୁ ବଳେ ତୁହି ॥୨୨
ମୋ' ଧନୁ ବେନିକରେ ବାହ । ନୋହିଲେ ସୀତା ମୋତେ ଦିଅ ॥୨୩
ଏମନ୍ତ ତା'ର ବାକ୍ୟଘୋରେ । ତା' ଧନୁ ଧରି ବାମକରେ ॥୨୪
ତକ୍ଷଣେ ଭୃଗୁପତି ବୋଲେ । ଜଂଘେ ବସାଇ ଗୁଣ ଦେଲେ ॥୨୫
ରାମର ଦେଖି ଘୋରତମ । ପାଦେ ନମିଲେ ପର୍ଶୁରାମ ॥୨୬
ସୀତାକୁ ଆଣି ନିଜପୁରେ । ପ୍ରବେଶ ହୋଇଲେ ସତ୍ୟରେ ॥୨୭
ପିତା ଯେ ପତ୍ନୀବଶ ହୋଇ । ଯାହା ବୋଇଲା କଇକେୟୀ ॥୨୮
ମୋର ତନୟ ରାଜା ହେଉ । ତୋ' ସୁତ ରାମ ବନେ ଯାଉ ॥୨୯
ସେ ରାମ ପିତାର ବଚନେ । ତକ୍ଷଣେ ଚଳିଲେ ବିପିନେ ॥୩୦
ବନେ ବୁଲନ୍ତି ବେନିଭାଇ । ଜନକ ସୁତା ସଙ୍ଗେ ଲଇ ॥୩୧
ରାବଣ ଭଗ୍ନୀ ସୂର୍ପଣଖା । ମାୟାରେ ବଳେ ଦେଲା ଦେଖା ॥୩୨
ଲକ୍ଷ୍ମଣ ରଘୁନାଥ ବୋଲେ । ତା ନାସା ଶ୍ରବଣ ଛେଦିଲେ ॥୩୩
ତା' ଛଳେ ରାତ୍ରିଚରଗଣ । ଉଭାରି କଲେ ଘୋରରଣ ॥୩୪
ଖର ଦୂଷଣ ଯେ ତ୍ରିଶିର । ଯୁଦ୍ଧେ ମିଳିଲେ ମହାବୀର ॥୩୫
ସୂର୍ପଣଖାର ବନ୍ଧୁଗଣେ । ଯେତେ ମିଳିଲେ ଘୋରରଣେ ॥୩୬
ତା'ଙ୍କୁ ଛେଦିଲେ ତୀକ୍ଷ୍‌ଣ ଶରେ । ଅଶେଷଜନ ଉପକାରେ ॥୩୭
ଚଉଦ ସହସ୍ର ଯେ ବଳ । ଛେଦିଲେ ଦଶରଥ-ବାଳ ॥୩୮
ବରଷାଋତୁ ଆଗମନେ । ପଶିଲେ ରାମ ଘୋରବନେ ॥୩୯
ତିନ୍ତୁଳି ବୃକ୍ଷ ତଳେ ରହି । ପଲ୍ଲବେ କୁଟୀର ଭିଆଇ ॥୪୦
ସୀତାର ରୂପଗୁଣ କଥା । ଶୁଣି ରାବଣ ମନେ ବ୍ୟଥା ॥୪୧
ଚିତ୍ତ ପୀଡ଼ିତ କାମଶରେ । ରାକ୍ଷସ ପଶେ ଅନ୍ତଃପୁରେ ॥୪୨
ମାରୀଚ ରାବଣ ଆଦେଶେ । ମିଳିଲା ରଘୁନାଥ ପାଶେ ॥୪୩
ଅଦ୍ଭୁତ ବିଧାତାର ଯୋଗ । ବନେ ମିଳିଲା ମାୟାମୃଗ ॥୪୪
ବନେ ସୁବର୍ଣ୍ଣମୃଗ ଦେଖି । ରାମଙ୍କୁ ବୋଲେ ଚନ୍ଦ୍ରମୁଖୀ ॥୪୫
ଭୋ ନାଥ ମୋର କ୍ରୀଡ଼ା ଅର୍ଥେ । ସୁବର୍ଣ୍ଣ ମୃଗ ଦିଅ ମୋତେ ॥୪୬
ସେ ରାମ ନାରୀବଶ ହୋଇ । ଧନୁ-ନାରାଚ କରେ ନେଇ ॥୪୭
ଧାଇଁଲେ ମୃଗବଧ ଅର୍ଥେ । ସେ ପଶେ ଗହନ ବନସ୍ତେ ॥୪୮
ତାହାକୁ ମାରିବାର କାଳେ । ଶବଦ କଲା ସେ ବିକଳେ ॥୪୯
ରଖ ହେ ଲକ୍ଷ୍ମଣ ଶୁଭିଲା । ଜାନକୀ ଲକ୍ଷ୍ମଣେ କହିଲା ॥୫୦
ଲକ୍ଷ୍ମଣେ ଯାଅ ବେଗ ହୋଇ । ସ୍ୱାମୀଙ୍କି ବିପତ୍ତି ପଡଇ ॥୫୧
ତକ୍ଷଣେ ଧନୁ ଧରି ହସ୍ତେ । ଗଲେ ଶ୍ରୀରାମଚନ୍ଦ୍ର ପଥେ ॥୫୨
ରାବଣ ମିଳି ବୃକ୍ଷତଳେ । ସୀତାଙ୍କୁ ନେଲା ଅନ୍ତରାଳେ ॥୫୩
ସୀତା ବିଚ୍ଛେଦେ ଦୁଃଖମନେ । ତହୁଁ ଚଳିଲ ଅନ୍ୟବନେ ॥୫୪
ସ୍ତିରୀ ସଙ୍ଗତ ଦୋଷବାଦେ । ଅବଶ୍ୟ ପଡ଼ଇ ପ୍ରମାଦେ ॥୫୫
ତକ୍ଷଣେ ଏମନ୍ତ କହିଲେ । ଜଟାୟୁଶକୁ ଦଗ୍ଧ କଲେ ॥୫୬
କବନ୍ଧ ନାମେ ମହାସୁର । ବେଗେ ନାଶିଲେ ପ୍ରାଣ ତା'ର ॥୫୭
ତହୁଁ ଚଳିଲେ ଦୁଃଖମନେ । ମିଳିଲେ ଋଷ୍ୟମୂକ ବନେ ॥୫୮
ସୁଗ୍ରୀବ ତୁଲେ ମିତ୍ର କରି । ସେ ବନେ ବାଳିକି ସଂହାରି ॥୫୯
ଅଙ୍ଗଦ ହନୁମାନ ତୁଲେ । ସମୁଦ୍ର ନିକଟେ ମିଳିଲେ ॥୬୦
ପ୍ରିୟା ବିଚ୍ଛେଦେ ଦୁଃଖମନ । ଜାଣିଲେ ବରୁଣ ରାଜନ ॥୬୧
ସ୍ୱଭାବେ ଦୁର୍ଗମ ଗଭୀର । ଭ୍ରମନ୍ତି ମଗର କୁମ୍ଭୀର ॥୬୨
ତକ୍ଷଣେ ନିଜ ରୂପ ଧରି । ରାମର ପାଦେ ନମସ୍କାରି ॥୬୩
ଅନେକ ସ୍ତୁତିବାକ୍ୟ କଲା । ସେତୁବନ୍ଧନେ ମାର୍ଗ ଦେଲା ॥୬୪
ବୋଲଇ ଭାବଭକ୍ତି ବହି । ରାବଣ ବଧ କରି ତୁହି ॥୬୫
ସକଳ ଅସୁର ସଂହାରି । ବେଗେ ତୁ ଲଭ ନିଜ ନାରୀ ॥୬୬
ତୋ ଯଶ ରହୁ ଦଶଦିଶେ । ମୁନିଏ ଗାଇବେ ହରଷେ ॥୬୭
ସୁଗ୍ରୀବ ନୀଳ ହନୁମନ୍ତ । ଅଙ୍ଗଦ ତୁଲେ କପିଯୂଥ ॥୬୮
ଚଳନ୍ତୁ ରକ୍ଷବଳ ସଙ୍ଗେ । ଲଙ୍କା ଗମନ କର ବେଗେ ॥୬୯
ନିକୁମ୍ଭ କୁମ୍ଭ ଇନ୍ଦ୍ରଜିତ । ଧୂମ୍ରାକ୍ଷ ଆଦି ଯେତେ ଯୂଥ ॥୭୦
ଏ ଆଦି ଯେତେ ଘୋରସୈନ୍ୟ । କୁମ୍ଭକର୍ଣ୍ଣାଦି ବୀରମାନ ॥୭୧
ଶୂଳ ଖଡ଼ଗ ଗଦା ରିଷ୍ଟି । ଭୂଷଣ୍ତି ତୀକ୍ଷ୍‌ଣ ଶରବୃଷ୍ଟି ॥୭୨
ପ୍ରହାର ଅସୁର ସମୂହେ । ସମୂଳେ ହୋନ୍ତି ଯେଣେ କ୍ଷୟେ ॥୭୩
ସୁଗ୍ରୀବ ଲକ୍ଷ୍ମଣ ସହିତେ । ଗନ୍ଧମାଦନ ହନୁମନ୍ତେ ॥୭୪
ଏ ଆଦି ଋକ୍ଷବଳ ତୁଲେ । ରାବଣ ସଂହାର ତୁ ବଳେ ॥୭୫
ଏମନ୍ତ ବରୁଣର ବାଣୀ । ଶୁଣି ଚଳିଲେ ରଘୁମଣି ॥୭୬
ସଙ୍ଗତେ ଘେନି କପିବଳ । ଲଙ୍କାରେ ସଂଯୋଜି ଅନଳ ॥୭୭
ରାକ୍ଷସ ତୁଲେ ଯୁଦ୍ଧ କରି । ଅନେକ ବଳ ତା ସଂହାରି ॥୭୮
ସୀତାହରଣ ଦୋଷଫଳେ । ସଂଗ୍ରାମେ ନ ଶିଲେ ସକଳେ ॥୭୯
ଦେଖିଣ ବୀରଙ୍କ ମରଣ । ରଥ ଆରୋହିଲା ରାବଣ ॥୮୦
ମାତଳି ଘେନି ଦିବ୍ୟଯାନେ । ମିଳିଲା ରାମ ସନ୍ନିଧାନେ ॥୮୧
ରାମ ରାବଣ ମୁଖ ଚାହିଁ । କହନ୍ତି କୋପଭର ହୋଇ ॥୮୨
ମୋ' ନାରୀ ଆଣିଲୁ ଚୋରାଇ । ତପ ପ୍ରଭାବେ ଗର୍ବ ବହି ॥୮୩
ଆଜ ସରିଲା ତପ ଫଳ । ହେଳେ ଗଞ୍ଜିବି ତୋର ବଳ ॥୮୪
ଏମନ୍ତ କହି ରଘୁନାଥ । କୋପେ କୋଦଣ୍ତ ଧରି ହସ୍ତ ॥୮୫
ବଜ୍ର ସମାନ ରାମଶର । ଭେଦିଲା ରାବଣ ହୃଦର ॥୮୬
ରଥୁଁ ପଡ଼ିଲା ଭୂମିତଳେ । ଦଶବଦନୁ ଶୋଣି ଗଳେ ॥୮୭
ଭୂମି କମ୍ପିଲା ଥରହର । ଶବଦ ଶୁଭେ ହାହାକାର ॥୮୮
ରାବଣ ହତ ଶୁଣି କର୍ଣ୍ଣେ । ସଂଭ୍ରମେ ଅନ୍ତଃପୁର ଜନେ ॥୮୯
ତକ୍ଷଣେ ମନ୍ଦୋଦରୀ ତୁଲେ । ରାକ୍ଷସୀଗଣ ଉଭାରିଲେ ॥୯୦
ରୋଦନ କରନ୍ତି ବିକଳେ । ଶବଦେ ଭୁବନ ଉଚ୍ଛୁଳେ ॥୯୧
ମିଳିଲେ ରଣଭୂମି ମଧ୍ୟେ । ସ୍ୱାମୀ ସମୀପେ ଶୋକନାଦେ ॥୯୨
ହୃଦରେ ବେନିକର ତାଡ଼ି । ହା ନାଥ ବୋଲି ପାଦେ ପଡ଼ି ॥୯୩
ରାକ୍ଷସ ନାରୀଙ୍କ ରୋଦନ । ପୁରିଲା ଧରଣୀ ଗଗନ ॥୯୪
କାନ୍ଦନ୍ତି ସ୍ୱାମୀ କୋଳେ ଧରି । ନାରୀଙ୍କ ତୁଲେ ମନ୍ଦୋଦରୀ ॥୯୫
ବଜ୍ର ସମାନ ରାମ ଶର । ଭେଦିଲା ତୋ'ର ହୃଦୟର ॥୯୬
ଭୋ ନାଥ ତୋହର ମରଣେ । ପଶିବୁ କାହାର ଶରଣେ ॥୯୭
ତିନିଭୁବନେ ବୀରପଣ । ଅନାଥ କଲୁ ନାରୀଗଣ ॥୯୮
ତୋ'ର ମରଣେ ଲଙ୍କାପୁରୀ । ଢାଳେ ହୋଇଲା ହତଶିରୀ ॥୯୯
ତୁ ନାଥ କାମେ ଭୋଳ ହୋଇ । ଛଳେ ହରିଲୁ ବଇଦେହୀ ॥୧୦୦
ସେ ଦୋଷ ତୋତେ ନାଶ କଲା । ମରଣଦଶା ଭିଆଇଲା ॥୧୦୧
ଅନାଥ କଲୁ ସର୍ବନାରୀ । ଆମ୍ଭ ସଙ୍ଗତେ ଲଙ୍କାପୁରୀ ॥୧୦୨
ଦେହକୁ କଲୁ ଗୁଧ୍ରଗ୍ରାସ । ନରକେ ହୋଇବୁ ପ୍ରବେଶ ॥୧୦୩
ଏମନ୍ତ କହି ନାରୀଗଣେ । ପ୍ରାଣ ଛାଡ଼ିଲେ ହୁତାଶନେ ॥୧୦୪
ରହିଲା ମନ୍ଦୋଦରୀ ଶେଷ । ଏବେ ହୋ ଶୁଣ କୁରୁଶିଷ ॥୧୦୫
ରାବଣ ଭାଇ ବିଭୀଷଣ । ଥିଲା ଯେ ଶ୍ରୀରାମେ ଶରଣ ॥୧୦୬
ତାହାକୁ ଦେଲେ ମନ୍ଦୋଦରୀ । ଲଙ୍କାରେ ଅଭିଷେକ କରି ॥୧୦୭
ବୋଇଲେ ପ୍ରଭୁ ରଘୁବୀର । ଏବେ ତୁ ପ୍ରେତକାର୍ଯ୍ୟ କର ॥୧୦୮
ଏମନ୍ତ ଆଜ୍ଞା ତା'କୁ ଦେଲେ । ଅଶୋକ ବିପିନେ ମିଳିଲେ ॥୧୦୯
ସୀତା ଦେଖିଲେ ବେନି ଡୋଳେ । ଅଧୋବଦନେ ବୃକ୍ଷ ମୂଳେ ॥୧୧୦
ରାମ-ବିଚ୍ଛେଦ ଦୁଃଖଭର । ଶୁଖିଛି ସୁରଙ୍ଗ ଅଧର ॥୧୧୧
ନୟନେ ଅଶ୍ରୁଜଳ ପୂରି । ହା ସୀତା ବୋଲି କରେ ଧରି ॥୧୧୨
ଜାନକୀ ପ୍ରଭୁ ମୁଖ ଚାହିଁ । ବେଗେ ଉଠିଲେ ଜ୍ଞାନ ପାଇ ॥୧୧୩
ଆଦିତ୍ୟ ଦେଖି ପଦ୍ମ ଯେହ୍ନେ । ଅନାଇଁ ଉନ୍ମୀଳ ଲୋଚନେ ॥୧୧୪
ଅଗ୍ନିରେ ପ୍ରବେଶ ହୋଇଲେ । ସ୍ୱାମୀର ସନ୍ତୋଷ ବିହିଲେ ॥୧୧୫
ଶ୍ରୀରାମହସ୍ତେ ହସ୍ତ ଦେଇ । କାଞ୍ଚନ ବିମାନ ଆରୋହି ॥୧୧୬
ଲକ୍ଷ୍ମଣ ହନୁମନ୍ତ ତୁଲେ । ରାମ ବିମାନେ ବିଜେ କଲେ ॥୧୧୭
ବିଭୀଷଣକୁ ଦାଶରଥି । ଲଙ୍କାରେ କରି ଅଧିପତି ॥୧୧୮
ବୋଇଲେ ହୁଅ ତୁ ଅମର । ଏ ଲଙ୍କା କଳ୍ପେ ଭୋଗ କର ॥୧୧୯
ବିଭୀଷଣକୁ ରାଜା କରି । ରାମ ବିଜୟେ ନିଜପୁରୀ ॥୧୨୦
ପିତା ଆଦେଶେ ବନବାସ । ପୂରିଲା ଚଉଦ ବରଷ ॥୧୨୧
ରାମ ବିଜୟେ ଇନ୍ଦ୍ର ଚାହିଁ । ସ୍ୱର୍ଗୁ କୁସୁମ ବରଷଇ ॥୧୨୨
ଗଗନେ ଦେବେ ପନ୍ତିପନ୍ତି । ରାମ-ବିଜୟ ଉଚ୍ଚାରନ୍ତି ॥୧୨୩
ରାମ-ବିଚ୍ଛେଦେ ଦୁଃଖମନେ । ଭରତ ଥିଲା ତପୋବନେ ॥୧୨୪
ତା'ର ଚରିତ ଶୁଣି କର୍ଣ୍ଣେ । ଯେବା କହିଲେ ମୁନିଜନେ ॥୧୨୫
କଠୋର ତପ ବନେ କରି । ସେ ବ୍ରହ୍ମଚାରୀ ରୂପ ଧରି ॥୧୨୬
ଯାବକ ଭକ୍ଷେ ଗୋରୁମୂତ୍ରେ । ବଳ୍କଳ ପିନ୍ଧି କଟିସୂତ୍ରେ ॥୧୨୭
ପିଙ୍ଗଳ ଜଟା ଶିରେ ବହେ । ରାତ୍ରେ ଭୂମିରେ ବୀର ଶୋଏ ॥୧୨୮
ରାମପାଦୁକା ଅଗ୍ରେ ଥୋଇ । ନିଶ୍ଚଳ ଚିତ୍ତେ ନିତ୍ୟେ ଧ୍ୟାୟି ॥୧୨୯
ସେ ରାମ ମୁନିଗଣ ତୁଲେ । ଭରତ ଆଶ୍ରମେ ମିଳିଲେ ॥୧୩୦
ତାହାର ହସ୍ତ ରାମ ଧରି । ସଦୟଚିତ୍ତେ କୋଳ କରି ॥୧୩୧
ରାମ ଲକ୍ଷ୍ମଣ ହନୁମନ୍ତ । ସଙ୍ଗତେ ଚଳିଲେ ଭରତ ॥୧୩୨
ରାମପାଦୁକା ଶିରେ ଶୋହେ । ତପସ୍ୱୀରୂପେ ଜନ ମୋହେ ॥୧୩୩
ମିଳିଲେ ଅଯୋଧ୍ୟା ନିକଟେ । ସରଯୂନଦୀ ପୂର୍ବତଟେ ॥୧୩୪
ରାମର ଆଗମନ-ପଥେ । ମିଳିଲେ ପାତ୍ର-ପୁରୋହିତେ ॥୧୩୫
ବେଦ-ଶବଦେ ବିପ୍ରଜନେ । ଶଙ୍ଖ ଦୁନ୍ଦୁଭି ବାଦ୍ୟ ସ୍ୱନେ ॥୧୩୬
ଦିବ୍ୟବିମାନ ଶ୍ରେଣୀ ସାଥେ । ବୀରେଧାମନ୍ତି ବେଗେ ପଥେ ॥୧୩୭
ଧ୍ୱଜ ପତାକା ଶୋଭେ ସ୍ୱର୍ଣ୍ଣେ । ଉତ୍ତମ ବାଜି ଗଜ ଯାନେ ॥୧୩୮
ଗଣିକାଯୂଥ ଅଗ୍ରେ ଶୋହେ । ମାର୍ଗେ ଚଳନ୍ତେ ଜନମୋହେ ॥୧୩୯
ବିବିଧ ଉପାୟନ ହସ୍ତେ । ଜୟ ଶବଦ କରି ପଥେ ॥୧୪୦
ଯୁବତୀ ଘେନି ଦୀପାବଳୀ । ପଥେ ଦିଅନ୍ତ ହୁଳହୁଳି ॥୧୪୧
ବିପ୍ରଙ୍କୁ ଦେଖି ରଘୁନାଥ । ଶିରେ ନିବେଶି ବେନି ହସ୍ତ ॥୧୪୨
ତାହାଙ୍କୁ ନମସ୍କାର କଲେ । ସୀତା ଲକ୍ଷ୍ମଣ ଘେନି ତୁଲେ ॥୧୪୩
ଅଯୋଧ୍ୟାପୁର ଜନ ଯେତେ । ରାମ ଆଗମ ଦେଖି ପଥେ ॥୧୪୪
ରାମ ଲକ୍ଷ୍ମଣ ସୀତା ଚାହିଁ । ରଙ୍ଗେ ନାଚନ୍ତି ଗୀତ ଗାଇ ॥୧୪୫
ରାମ ପାଦୁକା ଘେନି ଶିରେ । ଭରତ ଚଳଇ ସଧୀରେ ॥୧୪୬
ଭରତ ଚଳେ ରାମ ପାଶେ । ବିବୁଧେ ଦେଖନ୍ତି ଆକାଶେ ॥୧୪୭
ଉତ୍ତମ ବ୍ୟଜନ-ରାମରେ । ସୁଗ୍ରୀବ ବିଭୀଷଣ ଧରେ ॥୧୪୮
ଅଞ୍ଜନାସୁତ ବୀରମଣି । ଚଳନ୍ତି ଶ୍ୱେତଛତ୍ର ଘେନି ॥୧୪୯
ଶତ୍ରୁଘ୍ନ କରେ ଧନୁଶର । ପଥେ ଦେଖନ୍ତି ସୁରନର ॥୧୫୦
ଜାନକୀ କରେ କମଣ୍ତଳ । ପୂରିତ ନାନା ତୀର୍ଥଜଳ ॥୧୫୧
ଅଙ୍ଗଦ ହସ୍ତେ ଖଡ୍ଗ ଶୋହି । ସୁବର୍ଣ୍ଣ ଶତଚନ୍ଦ୍ର ଯହିଁ ॥୧୫୨
ସ୍ତୁବନ୍ତି ବନ୍ଦୀ ନାରୀଯୂଥ । ମଧ୍ୟେ ବିଜୟ ରଘୁନାଥ ॥୧୫୩
ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ । ତ୍ରିଦଶେ କୁସୁମ ବରଷି ॥୧୫୪
ସଙ୍ଗତେ ଘେନି ତିନିଭାଇ । ମିଳିଲେ ଅନ୍ତଃପୁରେ ଯାଇ ॥୧୫୫
ସେ ପୁର ମହିମା ବର୍ଣ୍ଣିତ । ମଣ୍ତଣିହସ୍ତୀ ଦ୍ୱାରେ ସ୍ଥିତ ॥୧୫୬
ନାନା ସୁଗନ୍ଧେ ପରିମଳ । ନାନା ସୁବାସିତ ଶୀତଳ ॥୧୫୭
ପ୍ରାସାଦ ଗୋପୁରାଦି ଶୋଭା । ଚିତ୍ରଦେବତା ଗୃହ କିବା ॥୧୫୮
ପତାକା ସୁବର୍ଣ୍ଣ କଳସ । ଶୋଭିତ ଦିଶେ ଦଶଦିଶ ॥୧୫୯
ପୁନ୍ନାଗ ନାରିକେଳ ଆଦି । ବସ୍ତ୍ର-ଜାଳକେ ଦର୍ପଣାଦି ॥୧୬୦
ତୋରଣା ବିଚିତ୍ର ଦିଶନ୍ତି । ପ୍ରଜାଙ୍କୁ ହରଷ ଦିଅନ୍ତି ॥୧୬୧
ଘେନିଣ ନାନା ଦ୍ରବ୍ୟମାନ । ଆନନ୍ଦେ କରନ୍ତି ଦର୍ଶନ ॥୧୬୨
ଆଶିଷ କରିଣ ବୋଲନ୍ତି । ପୂର୍ବେ ବରାହ ରୂପେ ପୃଥ୍ୱୀ ॥୧୬୩
ଉଦ୍ଧରି ରଖିଲ ଗୋସାଇଁ । ଏବେ ଶ୍ରୀରାମ ରୂପେ ତୁହି ॥୧୬୪
ସ୍ତିରୀ ପୁରୁଷେ ଗୃହ ଛାଡ଼ି । ଆରୋହି ଅ…ଟ୍ଟାଳୀ ପାଚେରୀ ॥୧୬୫
ଦେଖିବା ପାଇଁଣ ଉ›ତ୍ସୁକ । ବୀର ଦର୍ଶନେ ଯେଉଁ ସୁଖ ॥୧୬୬
ସର୍ବେ ସନ୍ତୋଷ ମନ ହୋଇ । କୁସୁମ ବରଷନ୍ତି ନେଇ ॥୧୬୭
ନମିଲେ ଗୁରୁପତ୍ନୀ ପାଦେ । କୌଶଲ୍ୟା ଚରଣେ ଆନନ୍ଦେ ॥୧୬୮
ରାମଙ୍କୁ ଦେଖି ମାତୃଗଣ । ଆନନ୍ଦେ କରନ୍ତି କଲ୍ୟାଣ ॥୧୬୯
ପ୍ରାଣକୁ ପାଇ ତନୁ ଯେହ୍ନେ । ଉଠଇ ହରଷ ବଦନେ ॥୧୭୦
ଆନନ୍ଦେ ଅଶ୍ରୁଜଳ ନେତ୍ରେ । ସିଞ୍ଚନ୍ତି ଶ୍ରୀରାମର ଗାତ୍ରେ ॥୧୭୧
ଶ୍ରୀରାମ ଶିରେ ଜଟା ଦେଖି । ସର୍ବେହୋଇଲେ ମନେ ଦୁଃଖୀ ॥୧୭୨
ତକ୍ଷଣେ ମିଳିଲେ ବ୍ରାହ୍ମଣେ । ବଶିଷ୍ଠ ଆଦି ମୁନିଗଣେ ॥୧୭୩
ମୁଣ୍ତନ କଲେ ଜଟାଭାର । ଘେନାଇଁ ନାନା ଉପହାର ॥୧୭୪
ସୁବର୍ଣ୍ଣକୁମ୍ଭ ତୀର୍ଥଜଳେ । ରାମଙ୍କୁ ଅଭିଷେକ କଲେ ॥୧୭୫
ଉତ୍ତମ ବସ୍ତ୍ର ଅଳଙ୍କାର । ରତ୍ନମୁକୁଟ ବାନ୍ଧି ଶିର ॥୧୭୬
ଜାନକୀ ତୁଲେ ଅଭିଷେକ । ମିଳି ସକଳ ପ୍ରଜାଲୋକ ॥୧୭୭
ରାମଙ୍କୁ ପାଇ ପ୍ରଜାଜନେ । ସକଳେ ହରିଷତ ମନେ ॥୧୭୮
ଅପୁତ୍ର ପୁତ୍ର ପାଇ ଯେହ୍ନେ । ଆନନ୍ଦେ ହରଷ ବଦନେ ॥୧୭୯
ତ୍ରେତୟା ବର୍ତ୍ତମାନ କାଳେ । ଯେସନେ ସତ୍ୟଯୁଗ ମିଳେ ॥୧୮୦
ରାମ ହୋଇଲେ ରାଜ୍ୟେ ରାଜା । ସତ୍ୟଯୁଗର ପ୍ରାୟେ ପ୍ରଜା ॥୧୮୧
କରନ୍ତି ସ୍ୱଧର୍ମ ଆଚାର । ଏବେ ହୋ ଶୁଣ କୁରୁବୀର ॥୧୮୨
ବନ ପର୍ବତ ନଦ ନଦୀ । ଦ୍ୱୀପ ବରଷ ସିନ୍ଧୁ ଭେଦି ॥୧୮୩
ପ୍ରଜାଙ୍କୁ କାମଧେନୁ ପ୍ରାୟ । ଭୂମି ହୋଇଲା ରସଦାୟ ॥୧୮୪
ନାଶିଲେ ଆଧିବ୍ୟାଧି ବ୍ୟଥା । ବୃଦ୍ଧ ହୋଇଲେ ସାମରଥା ॥୧୮୫
ସେ ରାମ ଏକପତ୍ନୀ ବ୍ରତ । ଆଚରେ ରାଜଋଷି ମତ ॥୧୮୬
ଆଚରି ଗୃହମେଧି ଧର୍ମ । ଶୁଭେ ସକଳ କ୍ରିୟା କର୍ମ ॥୧୮୭
ଜାନକୀ ରାମର ଚରଣେ । ସ୍ୱଧର୍ମେ ଖଟେ ଅନୁକ୍ଷଣେ ॥୧୮୮
ପବିତ୍ର କଲେ ନିଜ ଅଂଶେ । ଜନମି ହରି ଯେଉଁ ବଂଶେ ॥୧୮୯
ସୁଜନେ ଚିନ୍ତ ଅବିରତ । ଆଦିତ୍ୟ ବଂଶାନୁଚରିତ ॥୧୯୦
ତରିବ ଏ ଭବ-ଜଳଧି । ଶ୍ରବଣେ ଶୁଣି ନିରବଧି ॥୧୯୧
କହଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୯୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଦଶମୋଽଧ୍ୟାୟଃ । ।

ଏକାଦଶ ଅଧ୍ୟାୟସମ୍ପାଦନ କରନ୍ତୁ

କହନ୍ତି ଶୁକ ମହାଯତି । ଶୁଣ ପରୀକ୍ଷ ଚକ୍ରବର୍ତ୍ତୀ ॥୧

ଶୁକ ଉବାଚସମ୍ପାଦନ କରନ୍ତୁ

ଶ୍ରୀରାମ ରାଜ୍ୟେ ହୋଇ ରାଜା । ଆନନ୍ଦେ ପାଳି ଜନପ୍ରଜା ॥୨
ଉତ୍ତମ କଳ୍ପେ ଯଜ୍ଞ କଲେ । ବଶିଷ୍ଠ ଆଦି ମୁନି ତୁଲେ ॥୩
ବିପ୍ରଙ୍କୁ ଚାରିବେଦୁଁ ବରି । ଦକ୍ଷିଣା ଦେଲେ ଚିତ୍ତ ଭରି ॥୪
ଭୂମିକି କରି ଚାରିଭାଗେ । ଦକ୍ଷିଣା ଦେଲେ ଅନୁରାଗେ ॥୫
ହୋତାଙ୍କୁ ପୂର୍ବଦିଗ ଦେଲେ । ଅଧ୍ୱର୍ଯ୍ୟୁ ପଶ୍ଚିମେ କଳ୍ପିଲେ ॥୬
ଉତ୍ତର ଦିଗ ସାମଗାନେ । ବ୍ରହ୍ମାଙ୍କୁ ଦକ୍ଷିଣ ବିଧାନେ ॥୭
ବ୍ରାହ୍ମଣେ ଦେଲେ ଚାରିଦିଶ । ଆଚାର୍ଯ୍ୟେ ଦେଲେ ଅବଶେଷ ॥୮
ସୀତା ସଙ୍ଗତେ ରଘୁପତି । ଆଚରି ଗୃହସ୍ଥଙ୍କ ଗତି ॥୯
ଅନେକ ବସ୍ତ୍ର-ରତ୍ନ-ଧନେ । ସନ୍ତୋଷ କରି ସର୍ବଜନେ ॥୧୦
ଆଚରି ଗୃହମେଧି-ଧର୍ମ । ବେଦ ବିହିତ ଯେତେ କର୍ମ ॥୧୧
ବ୍ରାହ୍ମଣେ ଦେଖି ସାଧୁକଥା । ମନେ ନ କଳ୍ପି ଅନ୍ୟ ଚିନ୍ତା ॥୧୨
ରାମର ନିକଟେ ମିଳିଲେ । ଅନେକ ସ୍ତୁତି ବାକ୍ୟ କଲେ ॥୧୩
କହିଲେ ପ୍ରିୟଭାବେ ବହି । ଭୋ ନାଥ ଏତେ କାର୍ଯ୍ୟ ନାହିଁ ॥୧୪
ଆମ୍ଭେ କହିଲୁ ବେଦଧର୍ମେ । ତୋତେ ନ ଜାଣି ମତିଭ୍ରମେ ॥୧୫
ତୋହର ରାଜ୍ୟ ତୁହି ନିଅ । ଆମ୍ଭର ହୃଦେ ସଦା ଥାଅ ॥୧୬
ଏମନ୍ତେ କିଛି ଦିନ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥୧୭
ଦିନେକ ରାମ ରାତ୍ରକାଳେ । ବୁଲନ୍ତି ନିଜ ଭୃତ୍ୟ ତୁଲେ ॥୧୮
ଯଶ ଅଯଶ କେ କି ଚିନ୍ତେ । ଏମନ୍ତେ ବିଚାରି ଗୁପତେ ॥୧୯
ଶୁଣିଲେ ଏକ ଗୃହାଶ୍ରମେ । ପତ୍ନୀକି ବୋଲେ ଗରୁତମେ ॥୨୦
ତୁ ଦୁଷ୍ଟା ନାରୀ ଘରୁ ଯାଅ । ମୁଁ ନ ଛୁଇଁବି ତୋ'ର ଦେହ ॥୨୧
ଅସତୀ ପରଗୃହାଶ୍ରମୀ । ମୁଁ ନୋହେ ରାମ ପ୍ରାୟେ କାମୀ ॥୨୨
ସେ ଯେହ୍ନେ ସୀତା ଘେନି ଘରେ । ଆନନ୍ଦେ ଗୃହାଶ୍ରମ କରେ ॥୨୩
ଏମନ୍ତ ଶୁଣି ତା'ର ମୁଖେ । ଗୃହେ ମିଳିଲେ ମନଦୁଃଖେ ॥୨୪
ଶୁଣିଣ ଲୋକ ଅପବାଦ । ଚିନ୍ତା ବସିଲା ରାମ ହୃଦ ॥୨୫
ଲୋକାପବାଦ ନ ସହିଲେ । ସୀତାରେ ରାମ କୋପ କଲେ ॥୨୬
ପ୍ରିୟାର ଗର୍ଭବାସ ଦେଖି । ତା'ର ବିଚ୍ଛେଦେ ହୋଇ ଦୁଃଖୀ ॥୨୭
ଏ ଲୋକ ଅପବାଦ ଭୟ । କରିବି କେବଣ ଉପାୟ ॥୨୮
ଲକ୍ଷ୍ମଣେ ରାଇ ରଘୁନାଥ । ତା' ସଙ୍ଗେ ଭାଳିଲେ ଏକାନ୍ତ ॥୨୯
ବୋଇଲେ ସୀତାଙ୍କୁ ବିପିନେ । ନିବେଶି ଆସ ତୁ ବହନେ ॥୩୦
ତକ୍ଷଣେ ରାଜା ଆଜ୍ଞା ପାଇ । ସୀତାଙ୍କୁ ବନେ ନିବେଶଇ ॥୩୧
ସେ ମିଳେ ବାଲମୀକ ସ୍ଥାନେ । ବେନିକୁମର ଜାତ ବନେ ॥୩୨
ବାଲ୍ମୀକି ଭ୍ରାନ୍ତି ଛାଡ଼ି ମନ । ନିଜ କୁଟୀରେ ଦେଲେ ସ୍ଥାନ ॥୩୩
ବାଲ୍ମୀକି ଜାତକର୍ମ କଲେ । ପୁତ୍ର ଦୁହିଙ୍କ ନାମ ଦେଲେ ॥୩୪
ପ୍ରଥମ କୁଶ ନାମେ ଖ୍ୟାତ । ଅନ୍ୟ ଲବ ନାମେ ବିଦିତ ॥୩୫
ଏମନ୍ତେ କିଛିଦିନ ଅନ୍ତେ । ରାମ ଚଳିଲେ ସୀତା ପଥେ ॥୩୬
ରାମ ଆଗମ ଶୁଣି କର୍ଣ୍ଣେ । ତକ୍ଷଣେ ବରୁଣ-ଭୁବନେ ॥୩୭
ଜାନକୀ ହୋଇଲେ ପ୍ରବେଶ । ମନେ ଅନେକ କରି ରୋଷ ॥୩୮
ସୀତାର ନ ପାଇଁ ସନ୍ଦେଶ । ରାମ ଚଳିଲେ ନିଜ ଦେଶ ॥୩୯
ଲବ କୁଶକୁ ସଙ୍ଗେ ନେଲେ । କୁଶକୁ ଅଧିକାର ଦେଲେ ॥୪୦
ଅଙ୍ଗଦ ଚିତ୍ରକେତୁ ଦୁଇ । ଲକ୍ଷ୍ମଣ ବୀର୍ଯ୍ୟେ ଜାତ ହୋଇ ॥୪୧
ତକ୍ଷ ପୁଷ୍କଳ ବେନି ଭାଇ । ଭରତ ପତ୍ନୀ ଗର୍ଭେ ହୋଇ ॥୪୨
ସୁବାହୁ ଶ୍ରୁତସେନ ବୀର । ହୋଇଲେ ଶତ୍ରୁଘ୍ନ କୁମର ॥୪୩
ଭରତ ଦିଗବିଜେ କରି । କୋଟି ଗନ୍ଧର୍ବବଳ ମାରି ॥୪୪
ଯୁଦ୍ଧେ ପାଇଲା ଯେତେ ଧନ । ଦେଲା ସେ ରାମ ସନ୍ନିଧାନ ॥୪୫
ଶତ୍ରୁଘ୍ନ ଦିଗବିଜେ କରି । ଲବଣ ମଧୁପୁତ୍ର ମାରି ॥୪୬
ମଥୁରାପୁର ମଧୁବନେ । ପୁରୀ ସ୍ଥାପିଲେ ପ୍ରଜାଜନେ ॥୪୭
ଧନ ଶ୍ରୀରାମ ଆଗେ ଦେଲା । ପୁତ୍ରକୁ ତହିଁ ରାଜା କଲା ॥୪୮
ଲକ୍ଷ୍ମଣ ଚନ୍ଦ୍ରଜ୍ୟୋତି ପୁରୀ । ପୁତ୍ରକୁ ତହିଁ ରାଜା କରି ॥୪୯
ରାମ ଯେ ଜାନକୀ ବିଚ୍ଛେଦେ । ମନ ନ କଳ୍ପେ ରାଜପଦେ ॥୫୦
ସୀତାର ଗୁଣ ଚିନ୍ତି ମନେ । ନିଦ୍ରା ନ ମାଡ଼ଇ ନୟନେ ॥୫୧
କଣ୍ଠ-କୁଣ୍ଠିତ ଶୋକେ ପୂରି । ଚିତ୍ତକୁ ନ ପାରନ୍ତି ଧରି ॥୫୨
ସ୍ତିରୀ ପୁରୁଷ ସଙ୍ଗ ଏହି । କେ ସହେ ନରଦେହ ବହି ॥୫୩
ସେ ଦିନୁ ବ୍ରହ୍ମଚର୍ଯ୍ୟ କରି । ରାମ ହୋଇଲେ ବ୍ରହ୍ମଚାରୀ ॥୫୪
ବର୍ଷସହସ୍ର ତ୍ରୟୋଦଶ । ନିରତେ ବ୍ରହ୍ମଚାରୀ ବେଶ ॥୫୫
ଅଖଣ୍ତ ଅଗ୍ନିହୋତ୍ର କଲେ । ବଶିଷ୍ଠ ଆଦି ମୁନି ତୁଲେ ॥୫୬
ଦକ୍ଷିଣା ଦେଲେ ତୋଷ ଚିତ୍ତେ । ସନ୍ଧ୍ୟା-ମଧ୍ୟାହ୍ନେ ଅବିରତେ ॥୫୭
ସଂସାରେ ସ୍ଥାପି ନିଜ ଯଶ । ସ୍ୱଧାମେ ହୋଇଲେ ପ୍ରବେଶ ॥୫୮
ଲବକୁଶଙ୍କୁ ରାଜ୍ୟ ଦେଇ । ସକଳ ଜନପ୍ରଜା ରାଇ ॥୫୯
ଚତୁର୍ଦ୍ଧାରୂପେ ରଘୁନାଥ । ଚଳିଲେ ଉତ୍ତରର ପଥ ॥୬୦
ସ୍ଥାବର ଜଙ୍ଗମାଦି କୀଟ । ଘେନି ଚଳିଲେ ବଇକୁଣ୍ଠ ॥୬୧
ବୋଲନ୍ତି ଶୁକ ବ୍ରହ୍ମଋଷି । ଶୁଣ ହୋ ରାଜା କୁରୁବଂଶୀ ॥୬୨
ରାମ ଚରିତ ତୋ' ଅଗ୍ରତେ । ସଂକ୍ଷେପେ କହିଲି ମୁଁ ଯେତେ ॥୬୩
ଏହା ଯେ ଶ୍ରବଣେ ଶୁଣନ୍ତି । ଦୁର୍ଗମ ସଙ୍କଟୁ ତରନ୍ତି ॥୬୪
ରାମ ଚରିତ ପୁଣ୍ୟକଥା । ଯେଣେ ଖଣ୍ତଇ ଭବବ୍ୟଥା ॥୬୫
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଏକାଦଶୋଽଧ୍ୟାୟଃ । ।

ଦ୍ୱାଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଶୁଣ ପରୀକ୍ଷ ମହୀପତି । ଶ୍ରୀରଘୁନାଥଙ୍କ ସନ୍ତତି ॥୧
ଅତିଥି କୁଶର ନନ୍ଦନ । ନିଷଧ ତା'ର ତହୁଁ ଜନ୍ମ ॥୨
ନଭ ତାହାର ହୁଏ ସୁତ । ତା' ପୁତ୍ର ପୁଣ୍ତରୀକ ଖ୍ୟାତ ॥୩
ତା' ପୁତ୍ର କ୍ଷେମଧନ୍ୱା ନାମ । ରୂପେ ସୁନ୍ଦର ଅନୁପମ ॥୪
ତା'ର କୁମର ଦେବାନୀକ । ଅନୀହ ତା'ର ପୁତ୍ର ଏକ ॥୫
ତା'ର ତନୟ ପାରିପାତ୍ର । ବଳସ୍ଥଳ ନାମ ତା' ସୁତ ॥୬
ତା'ର ସନ୍ତତି ବଜ୍ରନାଭ । ଅର୍କର ଅଂଶେ ସେ ସମ୍ଭବ ॥୭
ସଗଣ ତାହାର ତନୟେ । ବିଧୃତି ତାର ବୀର୍ଯ୍ୟେ ହୋଏ ॥୮
ହିରଣ୍ୟନାଭ ତା' ସନ୍ତତି । ଯୋଗ ବିଦ୍ୟାରେ ତା'ର ଖ୍ୟାତି ॥୯
ତା' ଗୁରୁ ଅଟନ୍ତି ଜୈମିନି । ତା' ଶିଷ୍ୟ ଯାଜ୍ଞବଲ୍‌କ୍ୟ ମୁନି ॥୧୦
ଅଭ୍ୟାସ ଯା'ର ଚାରିବେଦେ । ତେଜେ ହୃଦୟଗ୍ରନ୍ଥି ଭେଦେ ॥୧୧
ହିରଣ୍ୟନାଭର କୁମର । ପୁଷ୍ପ ଅଭ୍ୟାସ ଯଜ୍ଞେ ଯା'ର ॥୧୨
ତା'ର କୁମର ଧ୍ରୁବସନ୍ଧି । ଯା' ବଂଶେ ଧାନ୍ତି ଅଷ୍ଟନିଧି ॥୧୩
ତା'ର କୁମର ସୁଦର୍ଶନ । ତାହାର ପୁତ୍ର ଅଗ୍ନିବର୍ଣ୍ଣ ॥୧୪
ଶୀଘ୍ର ଜନମ ତାହାଠାରୁ । ତାହାର ସୁତ ଅଟେ ମରୁ ॥୧୫
ମରୁ ଯେ ଶୀଘ୍ରର ତନୟେ । ଯେ ନିତ୍ୟେ ଯୋଗକର୍ମ ଧ୍ୟାୟେ ॥୧୬
କଳାପ ଗ୍ରାମେ ବସି ଧ୍ୟାନେ । ଯନ୍ତ୍ରିତ ନିତ୍ୟେ ତତ୍ତ୍ୱଜ୍ଞାନେ ॥୧୭
ଯୋଗ ସାଧଇ ଯେବା ଅର୍ଥେ । ଶୁଣ କହିବା ତୋ' ଅଗ୍ରତେ ॥୧୮
କଳିର ଅନ୍ତେ ସୂର୍ଯ୍ୟବଂଶ । ସେ ପୁଣି କରିବ ପ୍ରକାଶ ॥୧୯
ପ୍ରସୁଶ୍ରୁତ ତା'ର ତନୟେ । ତା' ସୁତ ସନ୍ଧିନାମ ବହେ ॥୨୦
ଅମର୍ଷଣ ଯେ ତା'ର ସୁତ । ମହସ୍ୱାନ ଯେ ତହୁଁ ଜାତ ॥୨୧
ତା'ର କୁମର ବିଶ୍ୱବାହୁ । ତା'ର ମହିମା କେବା କହୁ ॥୨୨
ପ୍ରସେନଜିତ ତା'ର ପୁତ୍ର । ତକ୍ଷକ ନାମେ ତା'ର ସୁତ ॥୨୩
ବୃହଦବଳ ତା'ର ସୁତ । ତୋ' ପିତା ଅର୍ଥେ ରଣେ ହତ ॥୨୪
ଇକ୍ଷ୍ୱାକୁ ବଂଶେ ଯେତେ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥୨୫
ଶୁଣ ପରୀକ୍ଷ କହୁଁ ଏବେ । ଭବିଷ୍ୟେ ଯେତେ ଉପୁଜିବେ ॥୨୬
ବୃହଦବଳ ପୁତ୍ର ଶୁଣ । ନାମ ହୋଇବ ବୃହଦ୍ରଣ ॥୨୭
ତାହାର ପୁତ୍ର ଉରୁପ୍ରିୟ । ବତ୍ସ›ବୃଦ୍ଧ ତା'ର ତନୟ ॥୨୮
ତା'ର କୁମର ପ୍ରତିବ୍ୟୋମ । ଭାନୁ ନାମେ ତା'ର ନନ୍ଦନ ॥୨୯
ଦିବାକ ତାହାର ସନ୍ତତି । ସେ ହେବ ଯୁଦ୍ଧେ ସେନାପତି ॥୩୦
ତା'ର ତନୟ ସହଦେବ । ତହୁଁ ବୃହଦଶ୍ୱ ସମ୍ଭବ ॥୩୧
ତା'ର କୁମର ଭାନୁମାନ । ପ୍ରତିକାଶ୍ୱ ତା'ର ନନ୍ଦନ ॥୩୨
ସୁପ୍ରତୀକ ତହୁଁ ସମ୍ଭବ । ତା' ପୁତ୍ର ହେବ ମରୁଦେବ ॥୩୩
ତା'ର ନନ୍ଦନ ସୁନକ୍ଷତ୍ର । ପୁଷ୍କର ହେବ ତା'ର ପୁତ୍ର ॥୩୪
ଅନ୍ତରୀକ୍ଷ ତା'ର ସନ୍ତତି । ତହୁଁ ସୁତପା ଉତପତ୍ତି ॥୩୫
ଅମିତ୍ରଜିତ ତା' ନନ୍ଦନ । ତା' ତହୁଁ ବୃହଦ୍ରାଜ ଜନ୍ମ ॥୩୬
ତା'ର ସନ୍ତାନ ରଣଞ୍ଜୟ । ତା' ପୁତ୍ର ନାମଟି ସଞ୍ଜୟ ॥୩୭
ତା' ସୁତ ଶାକ୍ୟ ନାମେ ଖ୍ୟାତ । ଶୁଦ୍ଧୋଦ ତାହାର ଅପତ୍ୟ ॥୩୮
ଲାଙ୍ଗଳ ତାହାର କୁମର । ପ୍ରସେନଜିତ ସୁତ ତା'ର ॥୩୯
ତାହାର ନନ୍ଦନ କ୍ଷୁଦ୍ରକ । ତା' ତହୁଁ ହୋଇବ ରଣକ ॥୪୦
ତା' ପୁତ୍ର ସୁରଥ ହୋଇବ । ସୁମିତ୍ର ପୁତ୍ରେ ଶେଷ ହେବ ॥୪୧
ଈକ୍ଷ୍ୱାକୁ ବଂଶେ ରାଜା ଯେତେ । ତୋତେ କହିଲି ଭବିଷ୍ୟତେ ॥୪୨
ସୁମିତ୍ର ଯାଏ କଳିଯୁଗେ । ଏତେ ନୃପତି ହେବେ ଭୋଗେ ॥୪୩
ଆଦିତ୍ୟବଂଶାନୁଚରିତ । ଯେ ଅବା ଭୂତ-ଭବିଷ୍ୟତ ॥୪୪
ତାହାଙ୍କ ଜନ୍ମ ଏ ସଂସାରେ । ଶୁଣନ୍ତେ ସର୍ବପାପ ହରେ ॥୪୫
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୪୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଦ୍ୱାଦଶୋଽଧ୍ୟାୟଃ । ।

ତ୍ରୟୋଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ନିମି ଯେ ଈକ୍ଷ୍ୱାକୁର ସୁତ । ତା'ବଂଶେ ଯେତେ ରାଜା ଜାତ ॥୧
ଯେ କର୍ମ କଲେ ଅନୁଭବେ । ଶୁଣ କହିବା ତୋତେ ଏବେ ॥୨
ସେ ନିମି ବଶିଷ୍ଠ ସଙ୍ଗତେ । ବସି ଭାଳିଲା ଯଜ୍ଞ ଅର୍ଥେ ॥୩
ବଶିଷ୍ଠ ମୋ'ର ଯଜ୍ଞ କର । ଋତ୍ୱିଜେ ଚାରିବେଦୁଁ ବର ॥୪
ବଶିଷ୍ଠ ତା'ର ମୁଖ ଚାହିଁ । କହିଲେ ପ୍ରିୟଭାବ ବହି ॥୫
ଇନ୍ଦ୍ର ବରଣ କଲା ମୋତେ । ତୋ' ଯଜ୍ଞ କରିବି କେମନ୍ତେ ॥୬
ମୁଁ ଆଗେ ଇନ୍ଦ୍ରଯଜ୍ଞ ସାରି । ଋତ୍ୱିଜେ ଚାରିବେଦୁଁ ବରି ॥୭
ପଛେ କରିବି ଯଜ୍ଞ ତୋ'ର । ସେ ନିମି ନ ଦେଲା ଉତ୍ତର ॥୮
ବଶିଷ୍ଠ ଇନ୍ଦ୍ରଯଜ୍ଞେ ଗଲେ । ଅନ୍ୟ ବ୍ରାହ୍ମଣେ ନିମି ବୋଲେ ॥୯
ଯଜ୍ଞ ଆରମ୍ଭିଲେ ହରଷେ । ସଙ୍କଳ୍ପି ସହସ୍ର ବରଷେ ॥୧୦
ଏମନ୍ତେ ଇନ୍ଦ୍ରଯଜ୍ଞ ସାରି । ନିମିର ବାକ୍ୟ ସେ ସୁମରି ॥୧୧
ସେ ଯଜ୍ଞ କରିବାର ଆଶେ । ବେଗେ ମିଳିଲେ ନିମି ପାଶେ ॥୧୨
ଯଜ୍ଞ ଆରମ୍ଭ ଦେଖି ତା'ର । କୋପିଲେ ବ୍ରହ୍ମାଙ୍କ କୁମର ॥୧୩
ବୋଇଲେ କୋପଭର ହୋଇ । ମୋତେ ଅବଜ୍ଞା କଲୁ ତୁହି ॥୧୪
ତୋର ଜୀବନେ ନାହିଁ କାର୍ଯ୍ୟ । ମରଣ ହେଉ ତୋତେ ଆଜ ॥୧୫
ତା' ଶୁଣି ନିମି କୋପ ବହି । ବୋଇଲେ ଜୀବ ଛାଡ଼ ତୁହି ॥୧୬
ତକ୍ଷଣେ ନିମି ଶାପ ଫଳେ । ବଶିଷ୍ଠ ବସିଲେ ନିଶ୍ଚଳେ ॥୧୭
ଜୀବନ ଗଲା ଦେହୁ ଛାଡ଼ି । ତକ୍ଷଣେ ଶୂନ୍ୟମାର୍ଗେ ଉଡ଼ି ॥୧୮
ଉର୍ବଶୀ ଗର୍ଭେ ହେଲେ ଜନ୍ମ । ମିତ୍ରାବରୁଣଙ୍କ ନନ୍ଦନ ॥୧୯
ନିମି ଯେ ଯଜ୍ଞଶାଳେ ଥିଲେ । ତକ୍ଷଣେ ଜୀବନ ଛାଡ଼ିଲେ ॥୨୦
ଜୀବନ ଯଜ୍ଞଶାଳେ ପଶି । ରହିଲା ଯଜ୍ଞସ୍ତମ୍ଭେ ଗ୍ରାସି ॥୨୧
ନିମି ଶରୀରେ ବିପ୍ରଜନେ । ବିଚାର କଲେ ଅନୁମାନେ ॥୨୨
ତୈଳ ସୁଗନ୍ଧଦ୍ରବ୍ୟ ଦେଇ । ନିମି ଶରୀର ତହିଁ ଥୋଇ ॥୨୩
ବୋଇଲେ ପୂର୍ଣ୍ଣାହୁତି ଗଲେ । ଶରୀର ଦହିବା ଅନଳେ ॥୨୪
ଏମନ୍ତ ବୋଲି ଯଜ୍ଞ କଲେ । ସମ୍ପୂେର୍ଣ୍ଣ ପୂର୍ଣ୍ଣାହୁତି ଦେଲେ ॥୨୫
ଇନ୍ଦ୍ରାଦି ଦେବେ ଯେତେ ଥିଲେ । ସନ୍ତୋଷେ ସୋମପାନ କଲେ ॥୨୬
ବିପ୍ରେ ଯେ ଦକ୍ଷିଣା ପାଇଲେ । ଅନଳେ ଦହିବା ବୋଇଲେ ॥୨୭
ଦେବତା ଋଷି ତୋଷମନେ । ବର ଯାଚିଲେ ଯଜମାନେ ॥୨୮
ନିମିର ଦେହେ ପଶୁ ପ୍ରାଣ । ଆମ୍ଭେ କରିବା ପରିତ୍ରାଣ ॥୨୯
ନିମି ଜୀବନ ସ୍ତମ୍ଭେ ଥିଲା । ଦେବଙ୍କୁ ପ୍ରତିବାକ୍ୟ କଲା ॥୩୦
ମୋ'ର ଶରୀରେ କାର୍ଯ୍ୟ ନାହିଁ । ଅସାର ଅନିତ୍ୟ ଏ ଦେହୀ ॥୩୧
ସକଳ ଦୁଃଖ ଏ ଶରୀରେ । ମରଣ ଭୟ ନିରନ୍ତରେ ॥୩୨
ଜନ୍ମ-ମରଣ ରାତ୍ରଦିନେ । ଅଶେଷ ବ୍ୟାଧି ଅନୁକ୍ଷଣେ ॥୩୩
ମୂତ୍ର ପୂରୀଷ କୃମିସ୍ଥାନ । ମାୟାରେ ହୋଏ ହତଜ୍ଞାନ ॥୩୪
କାମାଦିଶତ୍ରୁ ମଧ୍ୟେ ରହେ । ନିରତେ ଅହଙ୍କାର ବହେ ॥୩୫
ମାୟା-ସମୁଦ୍ରେ ନିତ୍ୟେ ବୁଡ଼େ । ଅନ୍ତେ ନରକ ପଥେ ପଡ଼େ ॥୩୬
ପୂରୀଷ ଭସ୍ମକୀଟ ଅନ୍ତେ । ଦୁର୍ଗନ୍ଧ କରଇ ନିରତେ ॥୩୭
ରୋଗଙ୍କ ମନ୍ଦିର ମାତର । ସ୍ୱଭାବେ ଦୁଃଖ ଏ ଶରୀର ॥୩୮
ଏମନ୍ତେ ନିମିର ବଚନେ । ସର୍ବଦେବତା ତୋଷମନେ ॥୩୯
ବୋଇଲେ ପ୍ରମାଣ ଏ ବାଣୀ । ପୁଣି କ୍ଷଣକେ ମନେ ଗୁଣି ॥୪୦

ଦେବଗଣ ଉବାଚସମ୍ପାଦନ କରନ୍ତୁ

ବୋଇଲେ ଶୁଣ ନରନାଥ । ଆମ୍ଭର ବର ନୋହେ ବ୍ୟର୍ଥ ॥୪୧
ସକଳ ଜନ୍ତୁଙ୍କ ଲୋଚନେ । ବସ ତୁ ନିମିଷ ବିଧାନେ ॥୪୨
ନିମିଷମତେ ସଂଖ୍ୟାକର । କାଳର ଗଣନା ବେଭାର ॥୪୩
ଏମନ୍ତ ଦେବଙ୍କ ବଚନେ । ବସିଲା ଜନ୍ତୁଙ୍କ ନୟନେ ॥୪୪
ଅଧ୍ୟାତ୍ମଗତି ନିତ୍ୟେ ତା'ର । ଏବେ ହୋ ଶୁଣ କୁରୁବୀର ॥୪୫
ଅରାଜ୍ୟଭୟେ ମହାଜନେ । ସକଳେ ବିଚାରିଲେ ମନେ ॥୪୬
ଆମ୍ଭେ ଯେ ବେଦ-ମନ୍ତ୍ରସ୍ୱରେ । କୁଶେ ମନ୍ଥିବା ଏ ଶରୀରେ ॥୪୭
ଯେମନ୍ତେ ପୁତ୍ର ଜନ୍ମ ହେବ । ନିର୍ଭୟେ ପ୍ରଜାଙ୍କୁ ପାଳିବ ॥୪୮
ଏମନ୍ତ ବିଚାରି ମନରେ । ତକ୍ଷଣେ ଜନ୍ମିଲା କୁମରେ ॥୪୯
କୁଶେ ମନ୍ଥିଲେ ବେଦସ୍ୱରେ । ତକ୍ଷଣେ ଜନ୍ମିଲା କୁମରେ ॥୫୦
ଜନ୍ମନ୍ତେ ଜନକ ହୋଇଲା । ବୈଦେହ ନାମ ବୋଲାଇଲା ॥୫୧
ମନ୍ଥନେ ମିଥିଳ ତା' ନାମ । ବହେ ଅଶେଷ ଗୁଣଗ୍ରାମ ॥୫୨
ଏମନ୍ତେ ନିମିରାଜବଳା । ମିଥିଳାପୁର ବସାଇଲା ॥୫୩
ତା' ସୁତ ଉଦାବସୁ ନାମ । ନନ୍ଦିବର୍ଦ୍ଧନ ତା' ନନ୍ଦନ ॥୫୪
ସୁକେତୁ ନାମେ ତା'ର ସୁତ । ତା'ର ସନ୍ତତି ଦେବରାତ ॥୫୫
ଦେବରାତରୁ ବୃହଦ୍ରଥ । ତା' ତହୁଁ ମହାବୀର୍ଯ୍ୟ ଜାତ ॥୫୬
ସୁଧୃତି ତାହାର କୁମର । ତା' ପୁତ୍ର ଧୃଷ୍ଟକେତୁ ବୀର ॥୫୭
ହର୍ଯ୍ୟଶ୍ୱ ତାହାର କୁମର । ମରୁ ତାହାଙ୍କ ବଂଶଧର ॥୫୮
ମରୁରୁ ପ୍ରତୀପକ ଜନ୍ମ । ତା' ସୁତ କୃତରଥ ନାମ ॥୫୯
ତା'ର କୁମର ଦେବମୀଢ଼ । ଯା' ଚିତ୍ତ ଯୋଗାଭ୍ୟାସେ ଦୃଢ଼ ॥୬୦
ବିଶ୍ରୁତ ତାହାର ସନ୍ତତି । ତା'ର କୁମର ମହାଧୃତି ॥୬୧
ତା' ସୁତ କୃତିରାତ ନାମ । ଜୀବେ ଅଶେଷ ଗୁଣଗ୍ରାମ ॥୬୨
ତା'ର ସନ୍ତତି ମହାରୋମ । ରୂପେ ଶଶାଙ୍କ ନୋହେ ସମ ॥୬୩
ସୁବର୍ଣ୍ଣରୋମା ତା' ତନୟେ । ତା' ତହୁଁ ହ୍ରସ୍ୱରୋମା ହୋଏ ॥୬୪
ତା'ର କୁମର ସୀରଧ୍ୱଜ । ତା'ର ମହିମା ମହାତେଜ ॥୬୫
ବିପ୍ରେ ଯେ ତା'ର ଯଜ୍ଞକାଳେ । ଭୂମିକି ଚଷିଲେ ଲଙ୍ଗଳେ ॥୬୬
ଲଙ୍ଗଳ ଅଗ୍ରେ ସୀତା ଜାତ । ଏଣୁ ସେ ସୀରଧ୍ୱଜ ଖ୍ୟାତ ॥୬୭
ତା'ର କୁମର କୁଶଧ୍ୱଜ । ଧର୍ମଧ୍ୱଜ ତା'ର ତନୁଜ ॥୬୮
ତା' ତହୁଁ ବେନିପୁତ୍ର ଜାତ । ଶୁଣ ହୋ ତାହାଙ୍କ ଚରିତ ॥୬୯
ସେ କୃତଧ୍ୱଜ ମିତଧ୍ୱଜ । ଶୁଣ ତାହାଙ୍କର ତନୁଜ ॥୭୦
କୃତଧ୍ୱଜର କେଶିଧ୍ୱଜ । ଖାଣ୍ତିକ୍ୟ ଆନର ତନୁଜ ॥୭୧
ଖାଣ୍ତିକ୍ୟ କେଶିଧ୍ୱଜ ବେନି । ସାଧିଲେ ଯୋଗବିଦ୍ୟା ଘେନି ॥୭୨
କେଶିଧ୍ୱଜର ଠାରୁ ଭୟେ । ପଳାଇ ଗଲା ଆନଠାଏ ॥୭୩
କେଶି ଧ୍ୱଜରୁ ଭାନୁମାନ । ତା'ର ତନୁଜ ଶତଦ୍ୟୁମ୍ନ ॥୭୪
ଶୁଚି ନାମରେ ତା' ତନୁଜ । ତା'ର ତନୁଜ ସନଦ୍ୱାଜ ॥୭୫
ଉର୍ଜ୍ଜକେତୁ ଯେ ତହୁଁ ଜାତ । ତାହାର ପୁତ୍ର ପୁରୁଜିତ ॥୭୬
ଅରିଷ୍ଟ ନେମି ସୁତ ତା'ର । ଶ୍ରୁତାୟୁ ତାହାର କୁମର ॥୭୭
ତା'ର ତନୟ ସୁପାର୍ଶ୍ୱକ । ତା' ସୁତ ଚିତ୍ରରଥ ଲେଖ ॥୭୮
କ୍ଷେମାଧି ନାମେ ତା'ର ସୁତ । ତା'ର ତନୟ ସମରଥ ॥୭୯
ତାହାର ପୁତ୍ର ସତ୍ୟରଥ । ଉପଗୁରୁ ଯେ ତା'ର ସୁତ ॥୮୦
ତାହାର ପୁତ୍ର ଉପଗୁପ୍ତ । ବସ୍ୱନନ୍ତ ଯେ ତା'ର ସୁତ ॥୮୧
ଯୁଯୁଧ ତା'ର ପୁତ୍ର ନାମ । ତା' ତହୁଁ ହେଲା ସୁଭାଷଣ ॥୮୨
ତା' ସୁତ ଶ୍ରୁତ ତହୁଁ ଜୟ । ତାହାର ତନୟ ବିଜୟ ॥୮୩
ତା' ତହୁଁ ଋତ ହେଲା ଜାତ । ଶୁନକ ତାହାର ଯେ ସୁତ ॥୮୪
ବୀତହବ୍ୟ ଯେ ତା' ସନ୍ତତି । ତାହାର ତହୁଁ ଜାତ ଧୃତି ॥୮୫
ତାହାର ପୁତ୍ର ବହୁଳାଶ୍ୱ । ତା' ସୁତ କୃତି ମହାଯଶ ॥୮୬
ଜନକବଂଶେ ରାଜା ଯେତେ । କହିଲୁ ଭୂତ ଭବିଷ୍ୟତେ ॥୮୭
ସେ ସର୍ବେ ଯୋଗବିଦ୍ୟା ସାଧି । ତରିଲେ ସଂସାର ଜଳଧି ॥୮୮
ରବିର ବଂଶେ ରାଜା ଯେତେ । ସେ କଥା ବଂଶାନୁଚରିତେ ॥୮୯
ତୋତେ କହିଲି ପ୍ରିୟଭାବେ । ସୋମର ବଂଶ ଶୁଣ ଏବେ ॥୯୦
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୯୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ତ୍ରୟୋଦଶୋଽଧ୍ୟାୟଃ । ।

ଚତୁର୍ଦ୍ଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଏବେ ହୋ ସୋମବଂଶ ଶୁଣ । ଯେବେ ତରିବ ତିନିଗୁଣ ॥୧
ସେ ବଂଶେ ପୁରୁରବା ଆଦି । ଯେ ଭାବେ ଯେ ଅବା ସମ୍ପାଦି ॥୨
ଯଶ ରହିଲା ମହୀତଳେ । ସର୍ବେ ଚଳିଲେ କାଳବଳେ ॥୩
ସହସ୍ରଶିର ଯେ ଅନନ୍ତ । ତା' ନାଭିପଦୁଁ ବ୍ରହ୍ମାଜାତ ॥୪
ସୃଷ୍ଟିର ଅର୍ଥେ ସପ୍ତପୁତ୍ରେ । ଜନ୍ମ ହୋଇଲେ ବ୍ରହ୍ମାଗାତ୍ରେ ॥୫
ମରୀଚି ଆଦି ସପ୍ତଋଷି । ଧ୍ରୁବମଣ୍ତଳ ରଥେ ବସି ॥୬
ଭ୍ରମନ୍ତି ଧ୍ରୁବଚକ୍ର-ବଳେ । ଉତ୍ତର-ଆକାଶ-ମଣ୍ତଳେ ॥୭
ତାହାଙ୍କ ମଧ୍ୟେ ଅତ୍ରିମୁନି । ତପ କରନ୍ତି ଯୋଗ ଘେନି ॥୮
ଧ୍ୟାନ କରନ୍ତେ ଯୋଗବଳେ । ତା'ଙ୍କ ଲୋଚନ ଅଶ୍ରୁଜଳେ ॥୯
ପୁରୁଷେ ହୋଇଲା ପ୍ରକାଶ । ତେଜେ ଗଞ୍ଜିଲା ଦଶଦିଶ ॥୧୦
ଅମୃତମୟ ମନୋରମ । ତାହାର ନାମ ଦେଲେ ସୋମ ॥୧୧
ବିପ୍ର-ଔଷଧି-ଉଡ଼ୁଗଣେ । ବ୍ରହ୍ମା ସ୍ଥାପିଲେ ରାଜାପଣେ ॥୧୨
ସେ ସୋମ ରାଜସୂୟ କରି । ତିନି ଭୁବନେ ଅଧିକାରୀ ॥୧୩
ବଳେ ଜିଣିଲା ତିନିପୁର । ଏବେ ହୋ ଶୁଣ ନୃପବର ॥୧୪
ସୁନ୍ଦର ରୂପେ ମତ୍ତଗର୍ବେ । ନିରତେ ଭ୍ରମେ ସେ ସ୍ୱଭାବେ ॥୧୫
ଏମନ୍ତେ ବୃହସ୍ପତି ନାରୀ । ଗଙ୍ଗାର ଜଳେ ସ୍ନାନ କରି ॥୧୬
ରୂପେ ସୁନ୍ଦରୀ ମନୋହରା । ସ୍ୱବଭାବେ ନାମ ତା'ର ତାରା ॥୧୭
ତାହାର ରୂପଗୁଣ ଚାହିଁ । ଅନଙ୍ଗବାଣେ ମୋହ ଯାଇ ॥୧୮
ସ୍ୱଭାବେ ଋତୁସ୍ନାନ କାଳେ । ସୋମ ହରିଲା ତା'କୁ ବଳେ ॥୧୯
ସେ କଥା ଶୁଣି ବୃହଷ୍ପତି । ପତ୍ନୀ ହରଣେ ଦୁଃଖମତି ॥୨୦
ସୋମର ଦ୍ୱାରେ ରାତ୍ରେ ଗଲେ । ଅନେକ ପ୍ରକାରେ ମାଗିଲେ ॥୨୧
କେବେ ହେଁ ତାରାକୁ ନ ଦେଲା । ଅନେକ ଅପମାନ କଲା ॥୨୨
ସେ ଗୁରୁ ଦେବ ମଧ୍ୟେ ଆସି । ଇନ୍ଦ୍ରଙ୍କୁ କହିଲେ ବିଶେଷି ॥୨୩
ଇନ୍ଦ୍ରର ତୁଲେ ଦେବବଳ । ଚଳନ୍ତେ ଶୁଭେ ମୁଖଗୋଳ ॥୨୪
ଏ କଥା ଶୁଣି ଶୁକ୍ରବାଦେ । ମିଳିଲା ଅସୁରଙ୍କ ମଧ୍ୟେ ॥୨୫
ଅସୁରବଳ ସଙ୍ଗ କରି । ଧାଇଁଲେ ସୋମପକ୍ଷ ଧରି ॥୨୬
ଇନ୍ଦ୍ରର ତୁଲେ ଦେବଗଣ । ଏମନ୍ତେ ଦେବାସୁର ରଣ ॥୨୭
ପ୍ରକୋପେ ବଢ଼ିଲା ସଂଗ୍ରାମ । ତାରକାମୟ ଯୁଦ୍ଧନାମ ॥୨୮
ତାରାର ଅର୍ଥେ ଯୁଦ୍ଧ ଯେଣୁ । ତାରକାମୟ ନାମ ତେଣୁ ॥୨୯
ଏମନ୍ତେ ଘୋର ଯୁଦ୍ଧ କଲେ । ଅନେକ ଦେବାସୁର ମଲେ ॥୩୦
ଦେବ ଅସୁର ଘୋରରଣେ । ବ୍ରହ୍ମା ମିଳିଲେ ତତ୍‌କ୍ଷଣେ ॥୩୧
ରଣ ନିବାରି ଚତୁର୍ମାଥ । ମିଳିଲେ ସୋମର ଅଗ୍ରତ ॥୩୨
ଅନେକ ଭ›ର୍ତ୍ସନା ସେ କଲେ । ବୃହସ୍ପତିଙ୍କି ତାରା ଦେଲେ ॥୩୩
ସେ ଗୁରୁ ତାରାମୁଖ ଚାହିଁ । ବୋଲନ୍ତି ବ୍ରହ୍ମାଙ୍କୁ ଅନାଇଁ ॥୩୪
ଭୋ ତାତ ଦେଖ ତୋ' ଅଗ୍ରତେ । ଗର୍ଭ ଏ ଧରିଛି ଗୁପତେ ॥୩୫
କେମନ୍ତେ ଛୁଇଁବି ଶରୀର । ଏହାରେ କାର୍ଯ୍ୟ ନାହିଁ ମୋ'ର ॥୩୬
କାହାର ବୀର୍ଯ୍ୟ ଗର୍ଭେ ଅଛି । କେମନ୍ତେ ଜାଣିବା ତା' ଲକ୍ଷି ॥୩୭
ତାରାର ଗର୍ଭ ଚାହିଁ କୋପେ । ଗୁରୁ ବୋଲନ୍ତି ମନସ୍ତାପେ ॥୩୮
ତୁ ମୋତେ ଛୁଇଁବୁ କେମନ୍ତେ । ଭସ୍ମ କରିବି ଆଜ ତୋତେ ॥୩୯
ଏମନ୍ତେ ଶୁଣି ସେ ଉତ୍ତର । କମ୍ପଇ ତାରାର ଶରୀର ॥୪୦
ତକ୍ଷଣେ ଗର୍ଭ ପ୍ରସବିଲା । ସୁନ୍ଦରେ ଜଗତ ମୋହିଲା ॥୪୧
କାନ୍ଦଇ ପଡ଼ି ଭୂମିଗତେ । ଆଶ୍ଚର୍ଯ୍ୟେ ଦେଖନ୍ତି ସମସ୍ତେ ॥୪୨
ସୁନ୍ଦର ଦେଖି ତା' ବଦନ । କଳ୍ପିଲା ବୃହସ୍ପତି ମନ ॥୪୩
ବୋଲଇ ମୋର ପୁତ୍ର ଏହି । ସୋମ ବୋଲଇ ତାହା ଚାହିଁ ॥୪୪
ଦେଖ ଏ ମୋହର କୁମର । ମୋହର ପ୍ରାୟେକ ସୁନ୍ଦର ॥୪୫
ଗୁରୁ ବୋଲନ୍ତି ମୋ'ର ସୁତ । ଏମନ୍ତେ ହୋଇଲା ଅନର୍ଥ ॥୪୬
ସକଳ ମୁନିଗଣ ତୁଲେ । ତାରାକୁ ବିଶ୍ୱାସେ ପୁଚ୍ଛିଲେ ॥୪୭
ତା' ଶୁଣି ଅଧୋମୁଖୀ ହୋଇ । ତାରା ରହିଲା ଲଜ୍ଜା ପାଇ ॥୪୮
କୁମର ଭୂମିଗତେ ଥାଇ । ବୋଲେ ଜନନୀ ମୁଖ ଚାହିଁ ॥୪୯
ଦୁର୍ବୃତ୍ତପଣ ଏ ତୋହର । କହ ମୁଁ କାହାର କୁମର ॥୫୦
ନୋହିଲେ ଶାପ ଦେବି ତୋତେ । ଲଜ୍ଜା ହୋଇଲା ବଡ଼ ମୋତେ ॥୫୧
ଏମନ୍ତ ପୁତ୍ରବାକ୍ୟ ଶୁଣି । ତାରାକୁ ରାଇ କୁଶପାଣି ॥୫୨
ବୋଲନ୍ତି କୋମଳ ବଚନ । ନିର୍ଭୟ କରି ତାରା ମନ ॥୫୩
ଭୋ ମାତ ଲଜ୍ଜା ତୁ ନ କର । କହ ଏ କାହାର କୁମର ॥୫୪
ତା' ଶୁଣି ଅଧୋମୁଖୀ ହୋଇ । ବୋଲେ ସୋମର ପୁତ୍ର ଏହି ॥୫୫
ତକ୍ଷଣେ ସୋମ କୋଳ କଲା । ବ୍ରହ୍ମା ତାହାକୁ ନାମ ଦେଲା ॥୫୬
ବୋଧିଲା ରୂପଗୁଣେ ଯେଣୁ । ନାମ ହୋଇଲା ବୁଧ ତେଣୁ ॥୫୭
ସେ ବୁଧ ଇଳାକନ୍ୟା ଗର୍ଭେ । ମୁଁ ତୋତେ କହିଅଛି ପୂର୍ବେ ॥୫୮
ପୁରୁରବାକୁ ଜନ୍ମ କଲା । ଯେ କାଳେ ତପୋବନେ ଥିଲା ॥୫୯
ଏବେ ହୋ ଶୁଣ ନରନାଥ । ସୋମର ବଂଶାନୁଚରିତ ॥୬୦
ସୁରଭୁବନେ ଏକ ଦିନେ । ଉର୍ବଶୀ ଗନ୍ଧର୍ବ-ଗାୟନେ ॥୬୧
ମିତ୍ରାବରୁଣଙ୍କୁ ଲଙ୍ଘିଲା । ସେ ତା'କୁ କୋପେ ଶାପ ଦେଲା ॥୬୨
ବୋଇଲା ନରଲୋକେ ଯାଅ । ସ୍ୱର୍ଗ-ଭୁବନେ ତୁ ନ ଥାଅ ॥୬୩
ତକ୍ଷଣେ ଅଧୋମୁଖ ହୋଇ । ମିଳିଲା ନରଲୋକେ ଯାଇ ॥୬୪
ଗିରି-କନ୍ଦର-ବନେ ବୁଲେ । ସ୍ୱାମୀ ନ ଲଭେ ଆତ୍ମ ତୁଲେ ॥୬୫
ଏମନ୍ତେ ଭ୍ରମନ୍ତେ ତରୁଣୀ । ପୁରୁରବାକୁ ଦେଖେ ପୁଣି ॥୬୬
କନ୍ଦର୍ପ ପ୍ରାୟ ରୂପରାଶି । ତେଜେ ଗଞ୍ଜଇ ରବିଶଶୀ ॥୬୭
ଏମନ୍ତେ ତାହାର ସଙ୍ଗତେ । ଉର୍ବଶୀ ମିଳିଲା ଏକାନ୍ତେ ॥୬୮
ଉତ୍‌ଫୁଲ୍ଲ ହରଷ ଲୋଚନେ । ପୁରୁରବାର ସନ୍ନିଧାନେ ॥୬୯
ସେ ରାଜା ତା'ର ମୁଖ ଚାହିଁ । ତକ୍ଷଣେ କାମବଶ ହୋଇ ॥୭୦
ଗଭୀର-ବାକ୍ୟେ ତା'କୁ କହେ । ରୋମ-ହରଷ ସର୍ବଦେହେ ॥୭୧

ରାଜା ଉବାଚସମ୍ପାଦନ କରନ୍ତୁ

ଆସ ସୁନ୍ଦରି ବସ ଏଥେ । ଭଲେ ଅଇଲୁଟିକି ପଥେ ॥୭୨
ମିଳିଲୁ ମୋହର ସଙ୍ଗତେ । କହ ମୁଁ କି କରିବି ତୋତେ ॥୭୩
ମୋ' ସଙ୍ଗେ ରମ ତୁ ଏକାନ୍ତେ । ସୁନ୍ଦରି ରହି ଦିନାକେତେ ॥୭୪
ଉର୍ବଶୀ ବୋଲଇ ତୁରିତେ । ମୋହର ସଧ ଅଛି ତୋତେ ॥୭୫
ତୋ' ରୂପ ଦେଖି ହେ ରାଜନ । ଅନଙ୍ଗ ବାଧିଲା ମୋ 'ମନ ॥୭୬
ତୁ ମୋ'ର ତୁଲେ ସତ୍ୟକର । ନିଶ୍ଚେଁ ବରିବି ତୋତେ ବର ॥୭୭
ଦେଖ ଏ ମେଷପୁତ୍ର ଦୁଇ । ତୁଲେ ଅଛନ୍ତି ବେନିଭାଇ ॥୭୮
ଅତ୍ୟନ୍ତ ପ୍ରିୟ ଏ ମୋହର । ଏହାଙ୍କୁ ଯତ୍ନେ ରକ୍ଷାକର ॥୭୯
ଉଲଗ୍ନ ନ ଦେଖିବି ତୋତେ । ଘୃତ ଆହାର ମୋ'ର ନିତ୍ୟେ ॥୮୦
ଏ ସତ୍ୟ ପ୍ରତିପାଳୁ ଯେବେ । ତୋ' ସଙ୍ଗେ ରମିବଇଁ ତେବେ ॥୮୧
ଏମନ୍ତ ତା'ର ମୁଖୁଁ ଶୁଣି । ସତ୍ୟ ଯେ କଲା ନୃପମଣି ॥୮୨
ଉର୍ବଶୀରୂପେ ହୋଇ ବଶ । କଲା ସେ ଅନେକ ବିଶ୍ୱାସ ॥୮୩
ବିମାନେ ବସି ତା'ର ପାଶେ । ଗିରି-କାନନ-ନାନା ଦେଶେ ॥୮୪
ରମିଲା ହରଷିତ ମନେ । ଚଇତ୍ରରଥ ଆଦି ବନେ ॥୮୫
ଜଳ ବିହାର ନାନା ଦେଶେ । ପଦ୍ମ କୁମୁଦ ଗନ୍ଧ ବାସେ ॥୮୬
ଉର୍ବଶୀ ସଙ୍ଗେ ସଙ୍ଗ କଲା । ରାତ୍ର-ଦିବସ ନ ଜାଣିଲା ॥୮୭
ଏବେ ହୋ ଶୁଣ କୁରୁବଂଶୀ । ଇନ୍ଦ୍ର ଯେ ନ ଦେଖି ଉର୍ବଶୀ ॥୮୮
ବୋଲେ ଗନ୍ଧର୍ବଗଣ ଚାହିଁ । ଉର୍ବଶୀ ମୋର ଗଲା କାହିଁ ॥୮୯
ଗନ୍ଧର୍ବେ ବେନିକର ଯୋଡ଼ି । କହିଲେ ଇନ୍ଦ୍ରପାଦେ ପଡ଼ି ॥୯୦
ମିତ୍ରାବରୁଣ ଶାପ ଫଳେ । ଉର୍ବଶୀ ଅଛି ମର୍ତ୍ତ୍ୟପୁରେ ॥୯୧
ରମଇ ପୁରୁରବା ତୁଲେ । ତା' ଶୁଣି ପୁରନ୍ଦର ବୋଲେ ॥୯୨
ତୁମ୍ଭେ ହୋ ମର୍ତ୍ତ୍ୟପୁରେ ଯାଇ । ଉର୍ବଶୀ ଆଣ ବେଗ ହୋଇ ॥୯୩
ସ୍ୱର୍ଗ ନ ଶୋହେ ତା' ବିହୀନେ । ଚନ୍ଦ୍ର ନ ଥିଲେ ରାତ୍ର ଯେହ୍ନେ ॥୯୪
ତକ୍ଷଣେ ଇନ୍ଦ୍ରଆଜ୍ଞା ଶିରେ । ଘେନି ଚଳିଲେ ମର୍ତ୍ତ୍ୟପୁରେ ॥୯୫
ରାତ୍ରେ ନିବିଡ଼ ଅନ୍ଧକାରେ । ମିଳିଲେ ପୁରୁରବା ପୁରେ ॥୯୬
ତକ୍ଷଣେ ଦେବମାୟାବଳେ । ଉର୍ବଶୀ ମେଷ ଚୋରାଇଲେ ॥୯୭
ସେ ବେନିମେଷ ଶୂନ୍ୟେ ଯା'ନ୍ତେ । ଉଚ୍ଚେ ରୋଦନ କଲେ ପଥେ ॥୯୮
ତା' ଶୁଣି ନିଦ୍ରାଭଙ୍ଗ ହୋଇ । ବିକଳେ ଉର୍ବଶୀ କାନ୍ଦଇ ॥୯୯
ବୋଲଇ ଶିରେ କର ଦେଇ । ମୋ' ପୁତ୍ର କେନେଲା ଚୋରାଇ॥୧୦୦
ମୁଁ ଏଡ଼େ ହୀନେ ଆଶ୍ରେ କଲି । ଏ ପୁରେ ଅନାଥା ହୋଇଲି ॥୧୦୧
ଭୁଲିଲି ନପୁଂସକ ବୋଲେ । ପୁତ୍ରେମୋହର କେଣେ ଗଲେ ॥୧୦୨
ଏ ରାଜା ନାରୀଙ୍କର ପ୍ରାୟେ । ଶୋଇଛି ନିଦ୍ରାସୁଖ ମୋହେ ॥୧୦୩
ଯେସନେ ନ ଫୁସକ ଶୋଇ । ଏମନ୍ତ ଦେଖିଲା ତ ନାହିଁ ॥୧୦୪

ଶୁକ ଉବାଚସମ୍ପାଦନ କରନ୍ତୁ

ଏମନ୍ତେ ରୋଦନ କରନ୍ତେ । ରାଜାର ଶୟନ ଏକାନ୍ତେ ॥୧୦୫
ଉର୍ବଶୀ କଟୁବାକ୍ୟ ଶୁଣି । ନିଦ୍ରା ତେଜିଲା ନୃପମଣି ॥୧୦୬
ବ୍ୟଥିତ ଉର୍ବଶୀ ବଚନେ । ଅଙ୍କୁଶେ କୁଞ୍ଜର ଯେସନେ ॥୧୦୭
ତକ୍ଷଣେ ଶୟନରୁ ଉଠି । ଖଡ଼ଗ କଲା ଦୃଢ଼ମୁଷ୍ଠି ॥୧୦୮
ଉଲଗ୍ନେ ରାଜା ଥିଲା ଶୋଇ । ଅନ୍ଧାରେ ଦେହ ନ ଦିଶଇ ॥୧୦୯
ପଥେ ସେ ରେରେକାର ରାବେ । ମେଷକୁ ଛାଡ଼ିଲେ ଗନ୍ଧର୍ବେ ॥୧୧୦
ସେ ମେଷ ଘେନି ବାମହସ୍ତେ । ମିଳିଲେ ଉର୍ବଶୀ ଅଗ୍ରତେ ॥୧୧୧
ଗନ୍ଧର୍ବେ ଶୂନ୍ୟମାର୍ଗେ ଥିଲେ । ବିଜୁଳି ତେଜ ପ୍ରକାଶିଲେ ॥୧୧୨
ରାଜା କଟୀରେ ବସ୍ତ୍ର ନାହିଁ । ଉଲଗ୍ନ ଦେଖି କୋପବହି ॥୧୧୩
ମେଷକୁ ଦେଖି ରାଜା ହସ୍ତେ । ଉର୍ବଶୀ ଗଲା ଶୂନ୍ୟପଥେ ॥୧୧୪
ସେ ରାଜା ମେଷ ଘେନିକରେ । ଆସି ମିଳିଲା ଅନ୍ତଃପୁରେ ॥୧୧୫
ବୋଲଇ ନିଅ ତୋ' ନନ୍ଦନ । ନ ଜାଣି କଲୁ ଯେ ରୋଦନ ॥୧୧୬
ଶୟନ ସ୍ଥାନେ ସେ ମିଳିଲା । ଖଟେ ଉର୍ବଶୀ ନ ଦେଖିଲା ॥୧୧୭
ଦୀପ ଆଣିଲା ତତ୍‌କ୍ଷଣେ । ଦେଖେ ଉର୍ବଶୀ ଗଲା କେଣେ ॥୧୧୮
ନ ଦେଖି ମୋହଗତେ ପଡ଼ି । କାନ୍ଦଇ ହୃଦେ କର ତାଡ଼ି ॥୧୧୯
ଉନ୍ମତ୍ତ ପ୍ରାୟେ ମହୀଭ୍ରମେ । ଗିରି-କାନନ-ଦୁର୍ଗ-ଗ୍ରାମେ ॥୧୨୦
ଭ୍ରମନ୍ତେ ଅତ୍ୟନ୍ତ ବ୍ୟାକୁଳେ । ଅଦ୍ଭୁତେ କରୁକ୍ଷେତ୍ରେ ମିଳେ ॥୧୨୧
ଉର୍ବଶୀ ସଖୀଜନ ମେଳେ । ଦେଖିଲା ସରସ୍ୱତୀ କୂଳେ ॥୧୨୨
ରାଜାଙ୍କୁ ଚାହିଁ ଅଧୋମୁଖୀ । ମନେ ହୋଇଲା ମହାଦୁଃଖୀ ॥୧୨୩
ରାଜା ଉର୍ବଶୀ ମୁଖ ଚାହିଁ । ବୋଲଇ ସ୍ନେହଭର ହୋଇ ॥୧୨୪
ରାଜାଙ୍କୁ ଦେଖି କୋପଭରେ । ଉର୍ବଶୀ ଗଲା କିଛି ଦୂରେ ॥୧୨୫
ପଛେ ଗୋଡ଼ାଇ କାମବଶେ । ସେ ରାଜା ବୋଲଇ ବିଶ୍ୱାସେ ॥୧୨୬

ରାଜା ଉବାଚସମ୍ପାଦନ କରନ୍ତୁ

ହେ ସଖି କ୍ଷଣେ ରହରହ । ନ ଛାଡ଼ ମୋହର ସେନେହ ॥୧୨୭
ତୁ ଘୋର କର୍ମ କିପାଁ କରୁ । ଭାବ ଅଭାବ ନବିଚାରୁ ॥୧୨୮
ମୋତେ ନ ଛାଡ଼ କୋପମନେ । ମୁଁ ଅଛି ତୋହର ବଚନେ ॥୧୨୯
ତୁ ମୋତେ ଦୂର କରି ଗଲେ । ଜୀବନ ଛାଡ଼ିବି ମୁଁ ଭଲେ ॥୧୩୦
ତୋ'ର ବିହୁନେ ମୋ' ଶରୀର । ଭକ୍ଷିବେ ଶୃଗାଳ କୁକୁର ॥୧୩୧
ଏମନ୍ତେ ରାଜାବାକ୍ୟ ଶୁଣି । ଉର୍ବଶୀ କହେ ମଧୁବାଣୀ ॥୧୩୨

ଉର୍ବଶୀ ଉବାଚସମ୍ପାଦନ କରନ୍ତୁ

ଭୋ ନାଥ ଶୁଣ ମୋ' ଉତ୍ତର । ସଂସାରେ ସ୍ତିରୀଙ୍କ ବେଭାର ॥୧୩୩
ସ୍ୱଭାବେ ଯେବା ଦୁଷ୍ଟା ନାରୀ । ତା'ସଙ୍ଗେ ବିଶ୍ୱାସ ନ କରି ॥୧୩୪
ବ୍ୟାଘ୍ର ଭଲ୍ଲୁକ ସଙ୍ଗେ ନର । ଯେସନେ ବିଶ୍ୱାସ-ବେଭାର ॥୧୩୫
ସ୍ତିରୀଙ୍କ ଦେହେ ଯେତେ ଗୁଣ । ରାଜନ ସାବଧାନେ ଶୁଣ ॥୧୩୬
ନିŸର୍ଦ୍ଦୟ କପଟ କଠିନ । ସାହସ ଆଦି ଚାରିଗୁଣ ॥୧୩୭
ଅଳପ କ୍ରୋଧେ ପ୍ରାଣ ନ୍ୟନ୍ତି । ପତି-ଭ୍ରାତାଙ୍କୁ ନଗଣନ୍ତି ॥୧୩୮
ଅଜ୍ଞାନ ଭାବେ ଥା'ନ୍ତି ନିତ୍ୟେ । ବା‚ଞ୍ଛନ୍ତି କାମଭୋଗ ଚିତ୍ତେ ॥୧୩୯
ସ୍ୱଭାବେ ନିତ୍ୟେ ହୋନ୍ତି କାମୀ । ଇଚ୍ଛନ୍ତି ନବନବ ସ୍ୱାମୀ ॥୧୪୦
ନାରୀଙ୍କ ସ୍ୱଭାବ ଏମନ୍ତ । କିପାଁ ତୁ କରୁ ଦୁଃଖଚିତ୍ତ ॥୧୪୧
ଏବେ ତୁ ନିଜ ପୁରେ ଯାଅ । ଅବଶ୍ୟ ଲଭିବି ତୋ' ସ୍ନେହ ॥୧୪୨
ଆସିବି ସମ୍ବ›ତ୍ସର ଅନ୍ତେ । ରମିବି ତୋହର ସଙ୍ଗତେ ॥୧୪୩
ଋତୁସ୍ନାନାନ୍ତେ ଏକଦିନେ । ରମିବି ତୋ'ର ସନ୍ନିଧାନେ ॥୧୪୪
ଅବଶ୍ୟ ହୋଇବ ସନ୍ତତି । ଏବେ ଉପାୟ କର ଚିନ୍ତି ॥୧୪୫
ଗନ୍ଧର୍ବଗଣ ପୂଜା କର । ସେ ତୋତେ ତୋଷେ ଦେବେବର ॥୧୪୬
ଏହାଙ୍କ ପ୍ରସନ୍ନେ ତୁ ମୋତେ । ପାଇବୁ ବରଷକ ଅନ୍ତେ ॥୧୪୭

ଶୁକ ଉବାଚସମ୍ପାଦନ କରନ୍ତୁ

ଏମନ୍ତେ ତା'ର ବାକ୍ୟ ଶୁଣି । ଆନନ୍ଦମନେ ନୃପମଣି ॥୧୪୮
ଗନ୍ଧର୍ବଗଣେ ପୂଜା କଲା । ଅନେକ ବଳିଭୋଜା ଦେଲା ॥୧୪୯
ସ୍ତୁତି କରଇ କରଯୋଡ଼ି । ଚରଣେ ଦଣ୍ତବତେ ପଡ଼ି ॥୧୫୦
ତା'ର ଭକତି ଦେଖି ମନେ । ଗନ୍ଧର୍ବେ ପ୍ରସନ୍ନ ବଦନେ ॥୧୫୧
ମୃତ୍ତିକାଭାଣ୍ତେ ଅଗ୍ନି ଥୋଇ । ରାଜା ସମୀପେ ଦେଲେ ନେଇ ॥୧୫୨
ବୋଇଲେ ଏଥେ ଯଜ୍ଞ କର । ଉର୍ବଶୀ ଆସିବ ତୋହର ॥୧୫୩
ଏମନ୍ତେ ଅଗ୍ନିଭାଣ୍ତ ଦେଲେ । ରାଜାର ମନ ତୋଷ କଲେ ॥୧୫୪
ଗନ୍ଧର୍ବେ ଉର୍ବଶୀର ତୁଲେ । ତକ୍ଷଣେ ଶୂନ୍ୟମାର୍ଗେ ଗଲେ ॥୧୫୫
ସେ ରାଜା ଅଗ୍ନିଭାଣ୍ତ ଘେନି । ଗନ୍ଧର୍ବଗଣ ବାକ୍ୟ ମାନି ॥୧୫୬
ରାତ୍ରେ ବୁଲନ୍ତେ ବୃକ୍ଷମୂଳେ । ଥୋଇଲେ ନିଶା ଅନ୍ତଃକାଳେ ॥୧୫୭
ଅଗ୍ନିକି ବୃକ୍ଷମୂଳେ ଥୋଇ । ମିଳିଲା ନିଜପୁରେ ଯାଇ ॥୧୫୮
ରହିଲା ପ୍ରଜାଜନ ହିତେ । ଏମନ୍ତେ ଗଲା ଦିନା କେତେ ॥୧୫୯
ଉର୍ବଶୀ ବାକ୍ୟେ ମନଦେଇ । ନିଶ୍ଚଳେ ମନ ନ ରହଇ ॥୧୬୦
ଏମନ୍ତେ ସତ୍ୟଯୁଗ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥୧୬୧
ତ୍ରେତୟା ଯୁଗ ପ୍ରବେଶନେ । ରାଜା ଉର୍ବଶୀ ସ୍ମରି ମନେ ॥୧୬୨
ଅଗ୍ନି ଉେŸଶ୍ୟ ଦିନେ ଗଲା । ବନେ ଅନଳ ନ ଦେଖିଲା ॥୧୬୩
ଯେ ବୃକ୍ଷ ମୂଳେ ଥୋଇଗଲା । ସେ ବୃକ୍ଷ ଅଶ୍ୱତ୍ଥ ହୋଇଲା ॥୧୬୪
ଅଶ୍ୱତ୍ଥ ବୃକ୍ଷ ଶମୀ ବୃକ୍ଷେ । ରାଜନ ଦେଖିଲା ପ୍ରତ୍ୟକ୍ଷେ ॥୧୬୫
ସେ ବୃକ୍ଷ କାଷ୍ଠ ଗୃହେ ଆଣି । ସଞ୍ଚିଲା ଯଜ୍ଞର ଅରଣି ॥୧୬୬
ଅରଣି ମନ୍ଥନ ସେ କରି । ନିଗମ-ମନ୍ତ୍ରକୁ ଉଚ୍ଚାରି ॥୧୬୭
ଉର୍ବଶୀ ଧ୍ୟାନ କରି ମନେ । ଆହୁତି ଦେଲା ହୁତାଶନେ ॥୧୬୮
ଉର୍ବଶୀ ଯଜ୍ଞବଳେ ଆସି । ରାଜା ସଦନେ ମିଳେ ନିଶି ॥୧୬୯
ଯଜ୍ଞପୁରୁଷ ପରସନେ । ଉର୍ବଶୀ ମିଳେ ତା' ଭୁବନେ ॥୧୭୦
ଉର୍ବଶୀ ପୁରୁରବା ସଙ୍ଗେ । ପୁତ୍ରେ ଜନ୍ମିଲେ ରତିରଙ୍ଗେ ॥୧୭୧
ଅଗ୍ନିର ବର୍ଣ୍ଣପ୍ରାୟ ହୋଇ । ଜନ୍ମ ଲଭିଲେ ଷଡ଼ଭାଇ ॥୧୭୨
ରାଜା ବଞ୍ଚିଲେ ମନସୁଖେ । ନିଶ୍ଚିନ୍ତେ ତ୍ରେତାଯୁଗ ମୁଖେ ॥୧୭୩
ଆୟୁଷ ଅନ୍ତେ ପୁରୁରବା । ଅନଳ ପ୍ରାୟ ହୋଇ ପ୍ରଭା ॥୧୭୪
ଉର୍ବଶୀ ଧ୍ୟାନେ ମନ ଥିଲା । ଗନ୍ଧର୍ବ ଲୋକେ ସେ ମିଳିଲା ॥୧୭୫
ସୁଜନ ଜନଙ୍କର ହିତେ । ଭାଷା ପ୍ରବନ୍ଧେ ଭାଗବତେ ॥୧୭୬
ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୭୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଚତୁŸର୍ଦ୍ଦଶୋଽଧ୍ୟାୟଃ । ।

ପଞ୍ଚଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଏବେ ହୋ ଶୁଣ ନରନାଥ । ସୋମର ବଂଶାନୁଚରିତ ॥୧
ଉର୍ବଶୀ ଗର୍ଭେ ବିଷ୍ଣୁ ତେଜେ । ଜନ୍ମିଲେ ପୁରୁରବା ବୀର୍ଯ୍ୟେ ॥୨
ସୁନ୍ଦର ପଣେ ନାହିଁ ସମ । ଶୁଣ ସେ ଷଡ଼ପୁତ୍ର ନାମ ॥୩
ଆୟୁ ଶ୍ରୁତାୟୁ ପୁଣି ରୟ । ସତ୍ୟାୟୁ ବିଜୟ ଯେ ଜୟ ॥୪
ଶ୍ରୁତାୟୁ ସୁତ ବସୁମାନ । ଏକନାମ ରୟ ନନ୍ଦନ ॥୫
ଶ୍ରୁତଞ୍ଜୟ ସତ୍ୟାୟୁ ସୁତ । ଜୟର ତନୟ ଅମିତ ॥୬
ବିଜୟ ତନୟ ଯେ ଭୀମ । ଭୀମର ପୁତ୍ର ଯେ କାଞ୍ଚନ ॥୭
ତା' ସୁତ ହେତ୍ରୁ ଜହ୍ନୁ ହୋଏ । ଗଣ୍ତୂଷେ ଗଙ୍ଗା ଜଳ ପିଏ ॥୮
ଜହ୍ନୁର ସୁତ ପୁରୁ ନାମ । ବଳାକ ତାହାଙ୍କ ନନ୍ଦନ ॥୯
ଅଜକ ବଳାକର ସୁତ । କୁଶ ତା' ଠାରୁ ହେଲା ଜାତ ॥୧୦
ବଳାକସୁତ କୁଶ ହୋଇ । ସେ ଚାରି ପୁତ୍ରକୁ ଜନ୍ମାଇ ॥୧୧
କୁଶାମ୍ବୁ ପୁତ୍ର ଯେ ପ୍ରଥମ । ତନୟ ଦ୍ୱିତୀୟ ସନ୍ତାନ ॥୧୨
ତୃତୀୟ ବସୁ ନାମେ ଖ୍ୟାତ । କୁଶନାଭ ଅଟେ ଚତୁର୍ଥ ॥୧୩
କୁଶ୍ୱାମ୍ବୁ ସୁତ ଗାଧି ନାମ । ଅତି ସୁନ୍ଦର ଗୁଣଧାମ ॥୧୪
ତାହାର କନ୍ୟା ସତ୍ୟବତୀ । ତା' କଥା ଶୁଣ ହୋ ନୃପତି ॥୧୫
ଋଚୀକ ନାମେ ବ୍ରହ୍ମଋଷି । କନ୍ୟା ମାଗିଲେ ତା'କୁ ଆସି ॥୧୬
ଦେଖିଣ ବୃଦ୍ଧ ତା' ଶରୀର । ସେ ଗାଧି ନ ବରିଲା ବର ॥୧୭
ବୋଲେ ଋଚୀକ ମୁଖ ଚାହିଁ । କନ୍ୟା ଲଭିବୁ ଯେବେ ତୁହି ॥୧୮
ହୋଇବୁ ମୋ'ର କନ୍ୟାବର । ତୁ ଏବେ ମୋ'ର ବୋଲ କର ॥୧୯
ସହସ୍ରଅଶ୍ୱ ମୋତେ ଦିଅ । ଚନ୍ଦ୍ରର ପ୍ରାୟ ଯା'ର ଦେହ ॥୨୦
କର୍ଣ୍ଣ ହୋଇବ ଶ୍ୟାମବର୍ଣ୍ଣ । ତେବେ ମୁଁ ଦେବି କନ୍ୟାଦାନ ॥୨୧
ଏମନ୍ତେ ରାଜାର ବଚନେ । ଋଚୀକ ବରୁଣ ଭୁବନେ ॥୨୨
ମିଳି ବରୁଣକୁ ମାଗିଲେ । ବରୁଣ ସସ୍ରେଅଶ୍ୱ ଦେଲେ ॥୨୩
ସେ ଅଶ୍ୱ ଆଣି ମୁନି ଦେଲା । ସତ୍ୟବତୀକି ବିଭା ହେଲା ॥୨୪
ଋଚୀକ ପତ୍ନୀ ପୁତ୍ର ଅର୍ଥେ । ବିଚାରି ମାତାର ସହିତେ ॥୨୫
ପୁତ୍ର କାମନା କରି ବେନି । କାମନା କଲେ ଚରୁ ଘେନି ॥୨୬
ଯଜ୍ଞ ଆରମ୍ଭେ ପୁତ୍ର ଅର୍ଥେ । ଚରୁ ସଞ୍ଚିଲା ବେଦମନ୍ତ୍ରେ ॥୨୭
ମାତା ଦୁହିତା ଅର୍ଥେ ବେନି । ଚରୁ ସାଧିଲା ମହାମୁନି ॥୨୮
ସେ ଚରୁ ଦେଇ ପତ୍ନୀ ହସ୍ତେ । ୠଚୀକ ଗଲେ ସ୍ନାନ ଅର୍ଥେ ॥୨୯
ଯେ ଚରୁ କଲା ମହାତମା । ଶୁଣ ସେ ଚରୁର ମହିମା ॥୩୦
ଏକ କ୍ଷତ୍ରିୟ ବିପ୍ର ଏକ । ସେ ଚରୁ ବିପରୀତ ଦେଖ ॥୩୧
ସତ୍ୟବତୀର ମୁଖ ଚାହିଁ । ମାତା ବୋଲଇ ଭ୍ରାନ୍ତି ବହି ॥୩୨
ତୋ' ଚରୁ ମୋର ହସ୍ତେ ଦିଅ । ମୋଠାରେ ଯେବେ ଅଛି ସ୍ନେହ ॥୩୩
ଏମନ୍ତ ମାତା ମୁଖୁଁ ଶୁଣି । ତକ୍ଷଣେ ରାଜାର ଦୁଲଣୀ ॥୩୪
ଆପଣା ଚରୁ ମାତା ହସ୍ତେ । ଦେଲା ସେ ପ୍ରିୟଭାବ ମତେ ॥୩୫
ଚରୁ ଭୁଞ୍ଜିଲେ ବେନି ନାରୀ । ଏବେ ହୋ ଶୁଣ ଦଣ୍ତଧାରୀ ॥୩୬
ଋଚୀକ ସ୍ନାନ ସାରି ଜଳେ । ଗୃହେ ମିଳିଲେ ରାତ୍ରକାଳେ ॥୩୭
ମିଳିଲେ ସତ୍ୟବତୀ ସଙ୍ଗେ । ପ୍ରଚଣ୍ତ ତେଜ ତା'ର ଅଙ୍ଗେ ॥୩୮
ନିକଟେ ବସି ନ ପାରଇ । ବୋଲଇ ପତ୍ନୀମୁଖ ଚାହିଁ ॥୩୯
ତୁ ଘୋରକର୍ମ କିପାଁ କଲୁ । ତୋ' ଚରୁମାତା ହସ୍ତେ ଦେଲୁ ॥୪୦
ପ୍ରଚଣ୍ତ ହୋଇବ ତୋ' ସୁତ । ତା' ତେଜେ କମ୍ପିବ ଜଗତ ॥୪୧
ଭ୍ରାତା ହୋଇବ ବ୍ରହ୍ମମୁନି । ସନ୍ତୋଷ-ଶମ-ଦମ ଘେନି ॥୪୨
ତା' ଶୁଣି ସତ୍ୟବତୀ ଭାଳେ । ପଡ଼ିଲା ସ୍ୱାମୀ ପାଦତଳେ ॥୪୩
କହେ କପୋଳେ ଦେଇ ହସ୍ତ । ପ୍ରଚଣ୍ତ ନୋହୁ ମୋର ସୁତ ॥୪୪
ରଚୀକ ପତ୍ନୀର ବଚନେ । ଭବିଷ୍ୟ ସୁମରିଲେ ମନେ ॥୪୫
ବୋଇଲେ ସୁତ ତୋ' ସୁତର । ହେଉ କ୍ଷତ୍ରିୟ ମହାବୀର ॥୪୬
ଏମନ୍ତେ ଋଚୀକ ବଚନେ । ପୁତ୍ର ଜନ୍ମିଲା ବିପ୍ରବର୍ଣ୍ଣେ ॥୪୭
ଅତି ସୁନ୍ଦର ସୁକୁମାର । ରୂପେ ମୋହିଲା ତିନିପୁର ॥୪୮
ତାହାର ଜମଦଗ୍ନି ନାମ । ତେଜେ ବିରାଜେ ଅଗ୍ନିସମ ॥୪୯
ପୁତ୍ର ପ୍ରସବି ସତ୍ୟବତୀ । ଭଜିଲା ନଦୀଙ୍କର ଗତି ॥୫୦
ସେ ନଦୀରୂପେ ବହିଗଲା । କୌଶିକୀ ନାମ ପୁଣ୍ୟଜଳା ॥୫୧
ରେଣୁକା ରେଣୁର ଦୁହିତା । ପୁଣ୍ୟ ପବିତ୍ର ଶୁଦ୍ଧଚିତ୍ତା ॥୫୨
ଅତି ସୁନ୍ଦରୀ ସୁକୁମାରୀ । ସେ କନ୍ୟା ଜମଦଗ୍ନି ବରି ॥୫୩
ତା' ଗର୍ଭେ ଜମଦଗ୍ନି ବୀର୍ଯ୍ୟେ । ପୁତ୍ରେ ଜନ୍ମିଲେ ବିଷ୍ଣୁତେଜେ ॥୫୪
ବସୁମଦାଦି ପୁତ୍ର ତୁଲେ । ପରଶୁରାମ ଉପୁଜିଲେ ॥୫୫
ସେ ବାସୁଦେବ ଅଂଶେ ଏକ । ହୈହୟ ରାଜା କୁଳାନ୍ତକ ॥୫୬
ପରଶୁ ଦକ୍ଷକରେ ଧରି । କୋପେ ଭ୍ରମିଲା ବସୁନ୍ଧରୀ ॥୫୭
ଯେ ଦୁଷ୍ଟ କ୍ଷତ୍ରିୟ ରାଜନ । ବ୍ରାହ୍ମଣେ ନ କରନ୍ତି ମାନ୍ୟ ॥୫୮
କ୍ଷତ୍ରିୟ ଗର୍ବେ ମତ୍ତ ଭ୍ରମେ । ଆବୃତ ହୋଇ ରଜ ତମେ ॥୫୯
ଏକବିଂଶ ବାର ଭ୍ରମିଲା । ଧରଣୀ କ୍ଷତ୍ରିହୀନ କଲା ॥୬୦

ପରୀକ୍ଷିତ ଉବାଚସମ୍ପାଦନ କରନ୍ତୁ

ଭୋ ମୁନି କହ ମୋ' ଅଗ୍ରତେ । ଦୁଷ୍ଟ କ୍ଷତ୍ରିୟ ଏ ଜଗତେ ॥୬୧
କ୍ଷତ୍ରିୟ ହଇହୟବଂଶ । କିବା ବିଷ୍ଣୁରେ କଲେ ଦୋଷ ॥୬୨
ଯେ ଦୋଷେ କରେ ଶସ୍ତ୍ର ଧରି । ନିକ୍ଷତ୍ର କଲେ ବସୁନ୍ଧରୀ ॥୬୩

ଶୁକ ଉବାଚସମ୍ପାଦନ କରନ୍ତୁ

କହନ୍ତି ଶୁକ ମୁନିବର । ଶୁଣ ହେ ଉତ୍ତରାକୁମର ॥୬୪
ଅର୍ଜୁନ ନାମେ ବୀର ଅଂଶେ । ଜନ୍ମିଲେ ହଇହୟ ବଂଶେ ॥୬୫
ଦତ୍ତ ଯେ ନାରାୟଣ ଅଂଶ । ତା'ପାଦେ ହୋଇଲେ ବିଶ୍ୱାସ ॥୬୬
ଅନେକ ଆରାଧନା କଲେ । ସେ ତା'ଙ୍କୁ ତୋଷେ ବର ଦେଲେ ॥୬୭
ତପେ ସହସ୍ରଭୁଜ ଧରି । ତେଜ ସାମର୍ଥ୍ୟ ଯଶ ଶିରୀ ॥୬୮
ଅଣିମା ଆଦି ଅଷ୍ଟସିଦ୍ଧି । ଲଭିଲା ଅନେକ ସମୃଦ୍ଧି ॥୬୯
ଭ୍ରମଇ ଏ ତିନିଭୁବନେ । ପ୍ରଚଣ୍ତ ଯେସନେ ପବନେ ॥୭୦
ଦିନେକ ସ୍ତିରୀଗଣ ସଙ୍ଗେ । ଦିଗବିଜୟ କଲା ରଙ୍ଗେ ॥୭୧
କାମିନୀ ସଙ୍ଗେ ରସ ଭୋଳେ । ପଶିଲା ରେବାନଦୀ ଜଳେ ॥୭୨
ବଇଜୟନ୍ତୀ ମାଳା ଗଳେ । ନାରୀଙ୍କ ସଙ୍ଗେ ଜଳେ ଖେଳେ ॥୭୩
ଜଳ ନିଷେଧି କ୍ରୀଡ଼ା କାଳେ । ନଦୀ ବାନ୍ଧିଲା ଭୁଜ ବଳେ ॥୭୪
ଭୁଜ ଉପରେ ଭୁଜ ଦେଲା । ନଦୀ ଜଳକୁ ବନ୍ଦୀ କଲା ॥୭୫
ନଦୀ ବହିଲା ପ୍ରତିସ୍ରୋତେ । ବାମ ଦକ୍ଷିଣେ ଗ୍ରାମ ଯେତେ ॥୭୬
ପର୍ବତ ଆଦି ଘୋରବନ । ସ୍ଥଳ-ଗଭୀର-ଦେବସ୍ଥାନ ॥୭୭
ପ୍ରଳୟ ପ୍ରାୟ ଜଳ ପୁରେ । କାମିନୀଗଣେ କ୍ରୀଡ଼ା କରେ ॥୭୮
ଏହି ସମୟେ ଦଶାନନ । ଦିଗବିଜୟେ କରି ମନ ॥୭୯
ମହିଷ୍ମତୀପୁର ସମୀପେ । ଶିବିର ନେଇ ତହିଁ ସ୍ଥାପେ ॥୮୦
ଜଳରେ ପ୍ଲାବିତ ଶିବିର । ଦେଖି କୁପିତ ଦଶଶିର ॥୮୧
ଅର୍ଜୁନ ପାଶେ ସେ ମିଳିଲା । ନିନ୍ଦିତ ବାକ୍ୟେ ଗାଳି ଦେଲା ॥୮୨
ତା' ଶୁଣି ସହସ୍ର ଅର୍ଜୁନ । ହେଳେ ବାନ୍ଧିଲା ଦଶାନନ ॥୮୩
ମର୍କଟ ପ୍ରାୟ ବାନ୍ଧି କରି । ବନ୍ଧନାଗାରେ ନେଇ ଭରି ॥୮୪
ଅନେକ ଦିନ ସେ ରଖିଲା । ଅବଜ୍ଞା କରି ଛାଡ଼ିଦେଲା ॥୮୫
ପୁଣି ଅର୍ଜୁନ ଏକ ଦିନେ । ମୃଗୟା ଅର୍ଥେ ଗଲା ବନେ ॥୮୬
ତାହାର ଅଶ୍ୱବଳ ଯେତେ । ରବିର କିରଣେ ତୃଷିତେ ॥୮୭
ବୁଲନ୍ତେ ଗିରି-ଘୋରବନେ । ମିଳିଲେ ଜମଦଗ୍ନି ସ୍ଥାନେ ॥୮୮
ରାଜାଙ୍କୁ ଦେଖି ମୁନିଜନେ । ବସାଇ ସୁବର୍ଣ୍ଣ ଆସନେ ॥୮୯
ପୂଜିଲେ ନାନା ଉପହାରେ । କଳ୍ପିତ-ଯଜ୍ଞ-ଧେନୁ କ୍ଷୀରେ ॥୯୦
ସର୍ବ ସୁବର୍ଣ୍ଣମୟ ଚାହିଁ । ଯେ କାମେ କାମଧେନୁ ଦୁହିଁ ॥୯୧
ଅଦ୍ଭୁତ ଦେଖି ନୃପମଣି । ସଙ୍କୋଚେ ମନେ ମନେ ଗୁଣି ॥୯୨
ଭୃତ୍ୟକୁ ରାଇ ଆଜ୍ଞା ଦେଲା । ଏ ଧେନୁ ଘେନରେ ବୋଇଲା ॥୯୩
ମୁନିଙ୍କି ଅନାଦର କରି । ତକ୍ଷଣେ ଗଲା ଦଣ୍ତଧାରୀ ॥୯୪
ସେ ଧେନୁ ବ›ତ୍ସା ସଙ୍ଗେ ବାନ୍ଧେ । ପଥେ ଚଳନ୍ତେ ଧେନୁ କାନ୍ଦେ ॥୯୫
ରାଜା ଚଳିଲା ନିଜ ଗ୍ରାମ । ବନେ ଯେ ଥିଲେ ପର୍ଶୁରାମ ॥୯୬
ଯଜ୍ଞ ଆହୁତି ଭଙ୍ଗ ଶୁଣି । ଗୃହେ ମିଳିଲେ ଭୃଗୁମଣି ॥୯୭
ବ›ତ୍ସା ସହିତେ ଧେନୁ ନେଲା । ପିତାଙ୍କୁ ଅନାଦର କଲା ॥୯୮
ଏ କଥା ଶୁଣି କୋପଭରେ । ତୀକ୍ଷ୍‌ଣ ପରଶୁ ଧରି କରେ ॥୯୯
କବଚେ ଆବୋରି ଶରୀର । କାନ୍ଧେ କାର୍ମୁକ ତୀକ୍ଷ୍‌ଣ ଶର ॥୧୦୦
ପଛେ ଧାଇଁଲେ କୋପମନେ । କୁଞ୍ଜର ଦେଖି ସିଂହ ଯେହ୍ନେ ॥୧୦୧
ପଛେ ଗୋଡ଼ାନ୍ତେ ପର୍ଶୁରାମ । ରାଜା ଦେଖିଲେ ଘୋରତମ ॥୧୦୨
ପରଶୁ ଦକ୍ଷକରେ ଧରି । ହରିଣଚର୍ମ ଦେହେ ଭରି ॥୧୦୩
ସୂର୍ଯ୍ୟର ପ୍ରାୟେ ତେଜ ଦେହେ । କପିଳ ଜଟା ଶିରେ ଶୋହେ ॥୧୦୪
ଦେଖି ପରଶୁରାମ ତେଜ । ପଥେ ରହିଲା ମହାରାଜ ॥୧୦୫
ସୈନ୍ୟଙ୍କୁ ଚାହିଁ ଆଜ୍ଞା ଦେଲା । ଅନେକ ଶସ୍ତ୍ର ପ୍ରହାରିଲା ॥୧୦୬
ଅଶ୍ୱ କୁଞ୍ଜର ସେନା ଯେତେ । ଶସ୍ତ୍ର ପେଷିଲେ ଅପ୍ରମିତେ ॥୧୦୭
ଗଦା ଖଡ଼ଗ ଶକ୍ତି ଯଷ୍ଟି । କୋପେ କରନ୍ତି ଶର ବୃଷ୍ଟି ॥୧୦୮
ଯୁଝନ୍ତି ଅତି କୋପମନେ । ସମୁଦ୍ରେ ମନ୍ଦର ଯେସନେ ॥୧୦୯
ପରଶୁ କୋପରେ ପ୍ରହାରି । ଅର୍ଦ୍ଧନିମିଷେ ସର୍ବ ମାରି ॥୧୧୦
ଭୁଜ କନ୍ଧର ଉର ଛିଡ଼ି । ସର୍ବେ ପଡ଼ିଲେ ଭୂମି ମାଡ଼ି ॥୧୧୧
ରୁଧିର ନଦୀ ଉଚ୍ଚେ ବହେ । ମାଂସ ଶୋଣିତ ମେଦମୟେ ॥୧୧୨
ମଲେ କ୍ଷଉଣୀ ସପ୍ତଦଶ । ରହିଲା ସସ୍ରବାହୁ ଶେଷ ॥୧୧୩
ସୈନ୍ୟ ମରଣେ ବହି ମନ୍ୟୁ । ଧଇଲା ପଞ୍ଚଶତ ଧନୁ ॥୧୧୪
ନାରାଚ ଯୋଚି ପଞ୍ଚଶତେ । ରହିଲା ରାମର ଅଗ୍ରତେ ॥୧୧୫
ବୃକ୍ଷରୁ ପତ୍ର ଯେହ୍ନେ ଝଡ଼େ । ରାମ ଉପରେ ଶସ୍ତ୍ର ପଡ଼େ ॥୧୧୬
ଦେଖି ତାହାର ବୀରଗତି । ବେଗେ ଧାଇଁଲେ ଭୃଗୁପତି ॥୧୧୭
କୁଠାରେ ସହସ୍ରେକ ଭୁଜ । ହେଳେ ଛେଦିଲେ ଭୃଗୁରାଜ ॥୧୧୮
ତୀକ୍ଷ୍‌ଣ କୁଠାରେ ମୁଣ୍ତ ହାଣି । ଭାରା ଉଶ୍ୱାସିଲେ ଧରଣୀ ॥୧୧୯
ପିତା ମରଣ ପୁତ୍ରେ ଦେଖି । ଭାଜିଲେ ସମର ଉପେକ୍ଷି ॥୧୨୦
ରାମ ସଂହରି ମହାମନ୍ୟୁ । ସଙ୍ଗତେ ଘେନି ଯଜ୍ଞଧେନୁ ॥୧୨୧
ଆନନ୍ଦମନେ ଯଜ୍ଞବାଟେ । ମିଳିଲେ ପିତାର ନିକଟେ ॥୧୨୨
ପିତା ସମୀପେ ଧେନୁ ଦେଇ । ଚରଣେ ଗଡ଼ଘାଲି ଶୋଇ ॥୧୨୩
ସଙ୍ଗତେ ଘେନି ତିନି ଭ୍ରାତେ । ଯୁଦ୍ଧକରଣ କଥା ଯେତେ ॥୧୨୪
କହିଲେ ପିତାର ଅଗ୍ରତେ । ତା' ଶୁଣି ପିତା ତୋଷଚିତ୍ତେ ॥୧୨୫
ବୋଇଲେ ରାମର ଅଗ୍ରତେ । ଭୋ ପୁତ୍ର ଶୁଣ ଏକଚିତ୍ତେ ॥୧୨୬
ହେ ରାମ ରାମ ମହାବାହୁ । ଶୁଣ ସୁମନେ ତୋତେ କହୁଁ ॥୧୨୭
ଶୁଭ ଅଶୁଭ ତୁ ନଜାଣି । ପାତକ କଲୁ ରାଜା ହାଣି ॥୧୨୮
ସର୍ବଦେବତା ରାଜା ଦେହେ । ବସନ୍ତି ସୂର୍ଯ୍ୟଜ୍ୟୋତି ପ୍ରାୟେ ॥୧୨୯
ଆମ୍ଭେ ଯେ ଜାତିରେ ବ୍ରାହ୍ମଣ । ସ୍ୱଭାବେ କ୍ଷମା ଆଚରଣ ॥୧୩୦
ବ୍ରହ୍ମା ଯେ ସର୍ବଦେବଗୁରୁ । କ୍ଷମା ପୂରିତ ଯେହ୍ନେ ମେରୁ ॥୧୩୧
ତେଣୁ ବସିଲା ସତ୍ୟଲୋକେ । ଅଶେଷ ଲକ୍ଷ୍ମୀ ଭୁଞ୍ଜେ ଏକେ ॥୧୩୨
କ୍ଷମା ଯାହାର ହୃଦେ ରହେ । ବିଷ୍ଣୁ ବସନ୍ତି ତା'ର ଦେହେ ॥୧୩୩
ଏଣୁ ଯେ ନୃପ ବଧ କରେ । ଦୁରିତୁଁ କେବେହେଁ ନ ତରେ ॥୧୩୪
ଏବେ ତୁ ତୀର୍ଥ ସେବା କର । ତୋ'ଠାରୁ ପାପ ହେବ ଦୂର ॥୧୩୫
ଚିତ୍ତେ ଚିନ୍ତିବୁ ନାରାୟଣ । ଅନ୍ୟଥା ନାହିଁ ପରିତ୍ରାଣ ॥୧୩୬
ପରଶୁରାମର କାହାଣୀ । ଯେ ନର ଶ୍ରୁତିପଥେ ଶୁଣି ॥୧୩୭
ନରକ ପଥେ ନାହିଁ ଭ୍ରାନ୍ତି । ହେଳେ ସେ ସଂସାରୁ ତରନ୍ତି ॥୧୩୮
ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୩୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ପଞ୍ଚଦଶୋଽଧ୍ୟାୟଃ । ।

ଷୋଡ଼ଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଏବେ ହୋ ଶୁଣ ନରନାଥ । ପରଶୁରାମର ଚରିତ ॥୧
ପିତା ବଚନେ ବନେ ଗଲେ । ଅନେକ ତୀର୍ଥେ ସ୍ନାନ କଲେ ॥୨
ପୁଣି ସେ ବରଷକ ଅନ୍ତେ । ଗୃହେ ମିଳିଲେ ଶୁଦ୍ଧଚିତ୍ତେ ॥୩
ପିତା ଚରଣେ ନମସ୍କାର । କରି ରହିଲେ ନିଜପୁର ॥୪
ଏବେ ହୋ ଶୁଣ ନୃପମଣି । ରେଣୁକା ଗଲେ ଜଳ ଆଣି ॥୫
ଗଙ୍ଗାର ନିକଟେ ମିଳିଲେ । ସେ ଜଳେ ଗନ୍ଧର୍ବ ଦେଖିଲେ ॥୬
ଇନ୍ଦ୍ରକୁମର ଚିତ୍ରରଥ । ସଙ୍ଗତେ ଘେନି ନାରୀଯୂଥ ॥୭
ଅପ୍‌ସରାଗଣ ଘେନି ଜଳେ । କ୍ରୀଡ଼ା ସେ କରେ କୁତୂହଳେ ॥୮
ଦଣ୍ତେ ରହିଲେ ତାହା ଦେଖି । ଜଳ ଆନୟନ ଉପେକ୍ଷି ॥୯
ହୋମର ବେଳ ନ ସୁମରି । ଗନ୍ଧର୍ବ କ୍ରୀଡ଼ା ଅନୁସରି ॥୧୦
ପୁଣି କ୍ଷଣକେ ଜ୍ଞାନ ପାଇ । ତକ୍ଷଣେ ଜଳକୁମ୍ଭ ନେଇ ॥୧୧
ସ୍ୱାମୀଙ୍କି ଶଙ୍କା ମନେ କଲେ । ତକ୍ଷଣେ ମନ୍ଦିରେ ମିଳିଲେ ॥୧୨
ଜଳ-କଳସ ଯଜ୍ଞ ଘରେ । ଥୋଇଲେ ସ୍ୱାମୀଙ୍କ ଗୋଚରେ ॥୧୩
ଅଞ୍ଜଳି କରି ବେନିକରେ । ରେଣୁକା ରହେ ଯଜ୍ଞଘରେ ॥୧୪
ରେଣୁକା ମୁଖ ଚାହିଁ ମୁନି । ପ୍ରଚଣ୍ତ-କୋପେ ଜମଦଗ୍ନି ॥୧୫
ଜାଣିଲେ ଗନ୍ଧର୍ବର ମେଳେ । ମନ କଳ୍ପିଲା ଗଙ୍ଗାଜଳେ ॥୧୬
ପୁତ୍ରଙ୍କୁ କୋପମୁଖେ ଚାହିଁ । ବୋଇଲେ ଶିର ଛେଦ ନେଇ ॥୧୭
ଗନ୍ଧର୍ବ ଦେଖି ଏହା ମନ । କଳ୍ପିଲା ତାହାର ସଙ୍ଗମ ॥୧୮
ସ୍ୱଭାବେ ଦୁଷ୍ଟାନାରୀ ଏହି । ଏହାର ବଦନ ନ ଚାହିଁ ॥୧୯
ସେ ପୁତ୍ରେ ମାତୃସ୍ନେହ କଲେ । ମାତାର ଶିର ନ ଛେଦିଲେ ॥୨୦
ଅଧିକ କୋପଭର ହୋଇ । ବୋଲେ ପରଶୁରାମେ ଚାହିଁ ॥୨୧
ମାତା ସହିତେ ତିନିଭାଇ । କୁଠାରେ ଶିର ଛେଦ ନେଇ ॥୨୨
ସେ ରାମ ପିତା ଗୁଣ ଜାଣେ । ତପ ସମାଧି ପରମାଣେ ॥୨୩
ତକ୍ଷଣେ ପ୍ରହାରି କୁଠାର । ଛେଦିଲେ ମାତା ଭ୍ରାତା ଶିର ॥୨୪
ଦେଖିଣ ମୁନି ତୋଷ ହୋଇ । ପରଶୁରାମ ମୁଖ ଚାହିଁ ॥୨୫
ବୋଇଲେ ବର ଦେବି ତୋତେ । ଯେ ବା‚ଞ୍ଛା କଳ୍ପ ତୋ'ର ଚିତ୍ତେ ॥୨୬
ତକ୍ଷଣେ ପିତାପାଦେ ପଡ଼ି । ରାମ ବୋଲନ୍ତି କରଯୋଡ଼ି ॥୨୭
ଭୋ ତାତ ବର ଦେବ ଯେବେ । ଏ ସର୍ବେ ଜୀବନ ପାଇବେ ॥୨୮
ଶିର ଲାଗିବ ଯେଝା କନ୍ଧ । ମନେ ନ ଥିବ ତା'ଙ୍କ ବଧ ॥୨୯
ଅସ୍ତୁ ବୋଇଲେ ତପୋଧନ । ସେ ସର୍ବେ ପାଇଲେ ଜୀବନ ॥୩୦
ନିଦ୍ରିତଜନ ନିଦ୍ରା ଅନ୍ତେ । ଶରୀର ସମ୍ଭାଳେ ଯେମନ୍ତେ ॥୩୧
ପିତାର ତପୋବଳ ଜାଣି । ମାତା ଭ୍ରାତାଙ୍କ ଶିର ହାଣି ॥୩୨
ଏମନ୍ତେ କରି ଘୋର କର୍ମ । ରାମ ରଖିଲେ ନିଜ ଧର୍ମ ॥୩୩
ରାମର ଅଙ୍ଗସଙ୍ଗ ତୁଲେ । ମରଣୁଁ ସମସ୍ତେ ବଞ୍ଚିଲେ ॥୩୪
ଭାଇଙ୍କି ଘେନି ଏକଦିନେ । ରାମ ଯେ ଗଲେ ତପୋବନେ ॥୩୫
ତପ ଆରାଧି ବିଷ୍ଣୁଧ୍ୟାନେ । ନିଶ୍ଚଳେ ବସିଲେ ଆସନେ ॥୩୬
ତାହାଙ୍କ ଧ୍ୟାନ ଦେଖି ବନେ । ପଶୁପତଙ୍ଗ କୀଟମାନେ ॥୩୭
ଭୟେ ଶବଦ ନ କରନ୍ତି । ଏବେ ହୋ ଶୁଣ ନରପତି ॥୩୮
ସହସ୍ରାର୍ଜୁନର କୁମରେ । ପିତାର ମରଣର କାଳେ ॥୩୯
ଭାଜି ଯେ ଥିଲେ ଯେଝାମତେ । ସେ ପୁଣି ମିଳିଲେ ଏକାନ୍ତେ ॥୪୦
ମନେ ସୁମରି ଜମଦଗ୍ନି । ସଙ୍ଗେ ଅନେକ ବଳ ଘେନି ॥୪୧
ଛିଦ୍ର ଉଣ୍ତିବା ସେ ବେଭାରେ । ରାତ୍ରେ ମିଳିଲେ ଅନ୍ଧକାରେ ॥୪୨
ହୃଦେ ସୁମରି ଘୋରତମ । ରୁନ୍ଧିଲେ ମୁନିଙ୍କ ଆଶ୍ରମ ॥୪୩
ମୁନି ଯେ ଥିଲେ ଯଜ୍ଞଶାଳେ । ବିଷ୍ଣୁଚରଣ ପୂଜା କାଳେ ॥୪୪
ବଇରୀ ସାଧିବାର ରୋଷେ । ବନ୍ଧନ କଲେ ଦୃଢ଼ପାଶେ ॥୪୫
ରେଣୁକା ରଖ ରଖ ବୋଲେ । ପଡ଼ି ତାହାଙ୍କ ପାଦତଳେ ॥୪୬
ରେଣୁକା ବଚନ ନ ଶୁଣି । ତୀକ୍ଷ୍‌ଣ ଖଡ଼ଗେ ମୁଣ୍ତହାଣି ॥୪୭
ତକ୍ଷଣେ ଗଲେ ନିଜ ପୁରୀ । ଧନ ସମ୍ପଦ ଜୂର କରି ॥୪୮
ରେଣୁକା ଦୁଃଖ ଶୋକଭରେ । ରୋଦନ କଲେ ଉଚ୍ଚସ୍ୱରେ ॥୪୯
ଶିର-ହୃଦୟେ କରତାଡ଼ି । କାନ୍ଦଇ ଭୂମିଗତେ ପଡ଼ି ॥୫୦
ଉଚ୍ଚେ ଡାକଇ ରାମ ରାମ । ଭୋ ପୁତ୍ର ଆସ ତୁ ଆଶ୍ରମ ॥୫୧
ସଙ୍ଗତେ ଘେନି ତିନିଭାଇ । ଭୋ ପୁତ୍ର ବେଗେ ଆସ ଧାଇଁ ॥୫୨
ମାତା ରୋଦନ ବାୟୁବଳେ । ଶୁଭିଲା ରାମ କର୍ଣ୍ଣମୂଳେ ॥୫୩
ହେ ରାମ ରାମ ବାଣୀ ଶୁଣି । ସମାଧି ତେଜି ବୀର ମଣି ॥୫୪
ଭ୍ରାତାଙ୍କ ଘେନି ବେଗେ ଧାଇଁ । ମିଳିଲେ ନିଜାଶ୍ରମେ ଯାଇ ॥୫୫
ଯଜ୍ଞଭୁବନେ ଚାରିଭ୍ରାତ । ଦେଖିଲେ ଜମଦଗ୍ନି ହତ ॥୫୬
ପିତାଙ୍କ ଶିରଚ୍ଛେଦ ଦେଖି । ଭାଇଙ୍କ ତୁଲେ ରାମ ଦୁଃଖୀ ॥୫୭
ବିମୋହ-ଶୋକ-ଗୁରୁତରେ । ରୋଦନ କଲେ ଉଚ୍ଚସ୍ୱରେ ॥୫୮
ଭୋ ତାତ ସାଧୁ ତୁ ଧାର୍ମିକ । ସୁଜ୍ଞାନୀ ପଣ୍ତିତ ବିବେକ ॥୫୯
ଆମ୍ଭଙ୍କୁ ଅରକ୍ଷିତ କରି । ନିଶ୍ଚିନ୍ତେ ଗଲ ସ୍ୱର୍ଗ ପୁରୀ ॥୬୦
ପିତାର ଶିର ନ ଦେଖିଲେ । ଭାଇଙ୍କି ଚାହିଁ ଆଜ୍ଞା ଦେଲେ ॥୬୧
ତୁମ୍ଭେ ହୋ ପ୍ରେତକାର୍ଯ୍ୟ କର । ଏମନ୍ତ କହି ବୀରବର ॥୬୨
ପରଶୁ ଧରି ଦକ୍ଷକରେ । ଦୁଃସହ-କୋପ ଗୁରୁତରେ ॥୬୩
ସଙ୍କଳ୍ପ କଲେ ଜଳ ଘେନି । ନିକ୍ଷତ୍ର କରିବି ମେଦିନୀ ॥୬୪
କ୍ଷତ୍ରିୟ ଅନ୍ତ କରିବାରେ । ପଥେ ଧାଇଁଲେ କୋପଭରେ ॥୬୫
ମିଳିଲେ ମାହିଷ୍ମତୀ ପୁରେ । ଦେଖନ୍ତି ଶୂନ୍ୟପଥେ ସୁରେ ॥୬୬
ଅର୍ଜୁନ ସ୍ୱବଂଶ ଛେଦିଲେ । ସଂଗ୍ରାମେ ମୁଣ୍ତ ରୁଣ୍ତ କଲେ ॥୬୭
ପର୍ବତ ପ୍ରାୟେ ମୁଣ୍ତରାଶି । ଗ୍ରାମେ ସ୍ଥାପିଲେ ଭୃଗୁବଂଶୀ ॥୬୮
କ୍ଷତ୍ରିୟ-ମରଣ-ରୁଧିରେ । ନଦୀ ବଢ଼ିଲା ଭୟଙ୍କରେ ॥୬୯
ପିତୃ ତର୍ପଣ କରି ବିଧି । ନଦୀରେ ସେହୁ ବନ୍ଧ ବାନ୍ଧି ॥୭୦
ସ୍ଥାପି ନିକ୍ଷତ୍ର କରି ରୋଷେ । ପୁଣି ଧାଇଁଲେ ଅନ୍ୟଦେଶେ ॥୭୧
ତ୍ରିସପ୍ତବାର ମହୀଭ୍ରମି । କୋପେ ନୋହିଲେ ପଥଶ୍ରମୀ ॥୭୨
କ୍ଷତ୍ରିୟଗଣ ଧରି ଆଣି । କୁଠାର ଧାରେ ଶିର ହାଣି ॥୭୩
ରୁଧିରେ ନବକୁଣ୍ତ କଲେ । ପିତାଙ୍କୁ ତର୍ପଣେ ତୋଷିଲେ ॥୭୪
ସେ କୁରୁକ୍ଷେତ୍ରେ ଯଜ୍ଞ କରି । ବିପ୍ରଙ୍କୁ ଚାରିବେଦୁଁ ବରି ॥୭୫
ଦକ୍ଷିଣା ଦେଲେ ବିପ୍ରହସ୍ତେ । ଶୁଣ ରାଜନ କହୁଁ ତୋତେ ॥୭୬
ଶ୍ରୀକରେ ଘେନି ଜଳ କୁଶ । ହୋତାଙ୍କୁ ଦେଲେ ପୂର୍ବଦେଶ ॥୭୭
ଦକ୍ଷିଣ ବ୍ରହ୍ମା ହସ୍ତେ ଦେଲେ । ପଶ୍ଚିମ ଅଧ୍ୱର୍ଯ୍ୟୁ ବରିଲେ ॥୭୮
ଉତ୍ତର ଉଦ୍‌ଗାତା ହସ୍ତେ । ପ୍ରଦାନ କଲେ ସେ ପ୍ରଶସ୍ତେ ॥୭୯
ବେଦ ଉଚ୍ଚାରି ଚାରିକୋଣେ । ଦକ୍ଷିଣା ଦେଲେ ସେ ବ୍ରାହ୍ମଣେ ॥୮୦
ମଧ୍ୟକୁ କୁରୁକ୍ଷେତ୍ର ତୁଲେ । କଶ୍ୟପ ହସ୍ତେ ରାମ ଦେଲେ ॥୮୧
ଏ ଆର୍ଯ୍ୟାବର୍ତ୍ତ ପୁଣ୍ୟଭୂମି । ଉପଦେଷ୍ଟାଙ୍କୁ ଦେଲେ ସ୍ୱାମୀ ॥୮୨
ସଭାପତିଙ୍କି କରି ତୋଷ । ଆଦରେ ଦେଲେ ଅବଶେଷ ॥୮୩
ତା'ପରେ ସରସ୍ୱତୀ କୂଳେ । ଯଜ୍ଞବଭୃଥ ସ୍ନାନ କଲେ ॥୮୪
ସେ ବ୍ରହ୍ମନଦୀ ଜଳେ ପଶି । ରବିର ତେଜ ପ୍ରାୟେ ଦିଶି ॥୮୫
ସେ ଯଜ୍ଞପୂର୍ଣ୍ଣେ ଜମଦଗ୍ନି । ଜ୍ଞାନ-ଲକ୍ଷଣ-ଦେହ ଘେନି ॥୮୬
ସପ୍ତଋଷିଙ୍କ ମଧ୍ୟେ ଧାମ । ସ୍ଥାପିଲେ ତାଙ୍କୁ ପର୍ଶୁରାମ ॥୮୭
ସେ ରାମ କମଳଲୋଚନ । ସ୍ୱଭାବେ ଭୃଗୁର ନନ୍ଦନ ॥୮୮
ଭବିଷ୍ୟ ମନ୍ୱନ୍ତର କାଳେ । ବ୍ରହ୍ମ-ବିସ୍ତାରେ ଯୋଗବଳେ ॥୮୯
ସିଦ୍ଧ ଗନ୍ଧର୍ବେ ସ୍ତୁତି କଲେ । ମହେନ୍ଦ୍ର ପର୍ବତେ ରହିଲେ ॥୯୦
ଏମନ୍ତେ ଭୃଗୁବଂଶେ ହରି । ନରଶରୀରେ ଅବତରି ॥୯୧
ଦୁଷ୍ଟ କ୍ଷତ୍ରିୟ ନାଶ କରି । ହେଳେ ଧରଣୀ ଭାରା ହରି ॥୯୨
ଗାଧିର ପୁତ୍ର ହୋଇ ଜନ୍ମ । ସଂସାରେ କଲେ ଯେତେ କର୍ମ ॥୯୩
କ୍ଷତ୍ରିୟ କର୍ମ ଏ ଶୟଳେ । ତେଜିଲେ ତପସ୍ୟାର ବଳେ ॥୯୪
ବ୍ରହ୍ମବର୍ଚ୍ଚସେ ଶ୍ରଦ୍ଧା କଲେ । ବିଶ୍ୱାମିତ୍ର ସେ ବୋଲାଇଲେ ॥୯୫
ବିଶ୍ୱାମିତ୍ରର ଶତେପୁତ୍ର । ସେହୁ ଜନ୍ମିଲେ ସପ୍ତଗୋତ୍ର ॥୯୬
ସେ ଗୋତ୍ରେ ମଧୁଛନ୍ଦ ଆଦି । ସର୍ବେ ଜନ୍ମିଲେ ବେଦବାଦୀ ॥୯୭
ଶୁନଃଶେଫକୁ ପୁତ୍ର କରି । ଭାର୍ଗବବଂଶେ ତା'କୁ ବରି ॥୯୮
ନିଜ ସୁତଙ୍କୁ ରାଇ ଧୀରେ । କହିଲେ ନିଗମ ବେଭାରେ ॥୯୯
ଏହାକୁ ଜ୍ୟେଷ୍ଠ ବୋଲି ମଣ । ଏ ତୁମ୍ଭ ଗୋତ୍ରର ବର୍ଦ୍ଧନ ॥୧୦୦
ଏ ହରିଶ୍ଚନ୍ଦ୍ର ଯଜ୍ଞ କାଳେ । ପିତା ବିକ୍ରୟ କଲା ବଳେ ॥୧୦୧
ରୋହିତ ପଶୁ ଅର୍ଥେ ନେଲା । ଏହାର ମାଂସେ ଯଜ୍ଞ କଲା ॥୧୦୨
ଏହାକୁ ଦେବେ ତୋଷ ହୋଇ । ତକ୍ଷଣେ ମରଣୁଁ ଜିଆଇ ॥୧୦୩
ଥୋଇଲେ ମୋ' ପୁତ୍ରଙ୍କ ମେଳେ । ଦେବରାତ ତା' ନାମ ଦେଲେ ॥୧୦୪
ବିଶ୍ୱାମିତ୍ରଙ୍କ ଶତସୁତେ । ଜ୍ୟେଷ୍ଠ ଯେ ଥିଲେ ପଞ୍ଚାଶତେ ॥୧୦୫
ବୋଇଲେ ଏ ନୋହେ ଉଚିତ । ଏ ଜ୍ୟେଷ୍ଠ ହୋଇବ କେମନ୍ତ ॥୧୦୬
ପିତା ତାହାଙ୍କୁ ଦେଲେ ଶାପ । ମ୍ଳେଚ୍ଛ ହୁଅରେ ତୁମ୍ଭେ ପାପ ॥୧୦୭
ଆର ପଞ୍ଚାଶପୁତ୍ର ସାନ । ତାହାକୁ କଲେ ଜ୍ୟେଷ୍ଠେମାନ୍ୟ ॥୧୦୮
ସନ୍ତୋଷେ ବୋଲେ ବିଶ୍ୱାମିତ୍ର । ସକଳେ ହୁଅ ପୁତ୍ରବନ୍ତ ॥୧୦୯
ଏ ଶୁନଃଶେଫ ଅଟେ ବୀର । ଏହାକୁ ସର୍ବେ ଅନୁସର ॥୧୧୦
ଶୁଣ ହୋ ରାଜା ପରୀକ୍ଷିତ । ଆବର ବିଶ୍ୱାମିତ୍ର ପୁତ୍ର ॥୧୧୧
ଅଷ୍ଟକ ଜୟ ହେ ହାରୀତ । କ୍ରତୁମତାଦି ଥିଲେ ସୁତ ॥୧୧୨
ଏ ରୂପେ କଉଶିକ ଗୋତ୍ର । ଦୁଇଭାଗରେ ହେଲା ଖ୍ୟାତ ॥୧୧୩
କୌଶିକ ଗୋତ୍ରର ପ୍ରବର । ଏଣୁ ଯେ ସପତ ପ୍ରକାର ॥୧୧୪
ସେ ପୁଣି ମନ୍ୱନ୍ତର କାଳେ । ଗୋତ୍ର ସ୍ଥାପିଲେ ରବିତଳେ ॥୧୧୫
ସୁଜନେ ଶୁଣ ତୋଷ ଚିତ୍ତେ । ଭାଷା ପ୍ରବନ୍ଧେ ଭାଗବତେ ॥୧୧୬
ଭୃଗୁର ବଂଶେ ହୋଇ ଜନ୍ମ । ସେ ହରି କଲେ ଯେତେ କର୍ମ ॥୧୧୭
ଶୁଣନ୍ତେ ସର୍ବ ପାପ ହରେ । ଅଶେଷ କର୍ମବନ୍ଧୁଁ ତରେ ॥୧୧୮
ବୋଲଇ ଦାସ ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୧୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଷୋଡ଼ଶୋଽଧ୍ୟାୟଃ । ।

ସପ୍ତଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଆୟୁ ଯେ ପୁରୁରବା ସୁତ । ଶୁଣ ହୋ ତାହାର ଚରିତ ॥୧
ନହୁଷ ତାହାର ତନୟେ । ଆବର କ୍ଷତ୍ରବୃଦ୍ଧ ହୋଏ ॥୨
ରଜୀ ରମ୍ଭ ଯେ ବୀର୍ଯ୍ୟବନ୍ତ । ଅନେନା ଆଦି ପଞ୍ଚସୁତ ॥୩
କ୍ଷତ୍ରବୃଦ୍ଧର ବଂଶ ଶୁଣ । ସୁହୋତ୍ର ତାହାର ନନ୍ଦନ ॥୪
ତାହାର ହେଲେ ତିନିସୁତ । କାଶ୍ୟ ଯେ କୁଶ ଗୁ›ତ୍ସମଦ ॥୫
ଗୁତ୍ସ›ମଦର ଯେ ସନ୍ତାନ । ଶୁନକ ବୋଲି ତା'ର ନାମ ॥୬
ଶୁନକ ମହାତେଜବନ୍ତ । ଶୌନକ ମୁନି ତହୁଁ ଜାତ ॥୭
ଜନ୍ମିଲେ ପିତୃତେଜ ଘେନି । ବେଦପାରଗ ମହାମୁନି ॥୮
କାଶ୍ୟର କାଶୀ ନାମେ ସୁତ । ରାଷ୍ଟ୍ର ତା' ତହୁଁ ହେଲା ଜାତ ॥୯
ଦୀର୍ଘତମା ତା'ର ନନ୍ଦନ । ତା' ପୁତ୍ର ଧନ୍ୱନ୍ତରୀ ନାମ ॥୧୦
ସେ ଆୟୁର୍ବେଦ ଭିଆଇଲା । ପ୍ରାଣୀଙ୍କ ବ୍ୟାଧି ନାଶ କଲା ॥୧୧
ସେ ଯଜ୍ଞଭୋଜୀ ବିଷ୍ଣୁ ଅଂଶ । ସ୍ମରଣେ ସର୍ବରୋଗ ନାଶ ॥୧୨
ତା'ର ସନ୍ତତି କେତୁମାନ । ଭୀମରଥ ତା'ର ନନ୍ଦନ ॥୧୩
ତାହାର ବୀର୍ଯ୍ୟେ ଦିବୋଦାସ । ଦ୍ୟୁମାନ ତାହାର ଯେ ଶିଷ ॥୧୪
ତା' ନାମ ପ୍ରତŸର୍ଦ୍ଦନ ଖ୍ୟାତ । କେ ଅବା ବୋଲେ ଶତ୍ରୁଜିତ ॥୧୫
ଋତଧ୍ୱଜ କୁବଳୟାଶ୍ୱ । ବୋଲନ୍ତି ପୁଣି ତା'କୁ ବତ୍ସ› ॥୧୬
ଅଳର୍କ ଆଦି ତହୁଁ ଜନ୍ମ । ଶୁଣ ହୋ ତା'ର ଗୃହକର୍ମ ॥୧୭
ଷାଠିଏ ସହସ୍ର ବରଷ । ଅଧିକେ ଷଷ୍ଟିଶତ ଶେଷ ॥୧୮
ଅବନୀ ତଳେ ହୋଇ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥୧୯
ସନ୍ତତି ଅଳର୍କର ପୁତ୍ର । ସୁନୀଥ ତା' ତହୁଁ ସମ୍ଭୂତ ॥୨୦
ପୁତ୍ର ତାହାର ସୁକେତନ । ଧର୍ମକେତୁ ତା'ର ନନ୍ଦନ ॥୨୧
ସତ୍ୟକେତୁ ତାହାର ସୁତ । ଧୃଷ୍ଟକେତୁ ତା'ର ଅପତ୍ୟ ॥୨୨
ସୁକୁମାର ତା'ର ତନୁଜ । ଅନେକ ଦିନ କଲା ରାଜ୍ୟ ॥୨୩
ତହୁଁ ଜନ୍ମିଲା ବୀତିହୋତ୍ର । ଭର୍ଗ ଯେ ତା'ର ତହୁଁ ଜାତ ॥୨୪
ତାହାର ପୁତ୍ର ଭାର୍ଗଭୂମି । ଏବେହୋ ଶୁଣ ନୃପମଣି ॥୨୫
ଏମାନେ କାଶୀବଂଶେ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥୨୬
ତାହାଙ୍କ ନାମେ କମ୍ପେ ଭୂମି । ଯମ ନ ପାରେ ଯହିଁ ଭ୍ରମି ॥୨୭
ରମ୍ଭର ପୁତ୍ର ଯେ ରଭସ । ଗମ୍ଭୀର ହୁଏ ତା'ର ବଂଶ ॥୨୮
ଅକ୍ରିୟ ଗମ୍ଭୀରର ସୁତ । ତା'କ୍ଷେତ୍ରେ ବିପ୍ର ହେଲେ ଜାତ ॥୨୯
ଅନେନା ଆୟୁର କୁମର । ଶୁଣ କହିବା ବଂଶ ତା'ର ॥୩୦
ଶୁଦ୍ଧ ଯେ ଅନେନାର ସୁତ । ତା' ତହୁଁ ଶୁଚି ହେଲା ଜାତ ॥୩୧
କହିବା ତାହାର ସନ୍ତତି । ତ୍ରିକକୁଦ ଧର୍ମ ସାରଥି ॥୩୨
ତା'ଠାରୁ ଶାନ୍ତରୟ ଜାତ । ସେ କୃତକୃତ୍ୟ ଆତ୍ମବନ୍ତ ॥୩୩
ଏ ଗୋତ୍ରେ ବ୍ରହ୍ମଜ୍ଞାନୀ ସୁତେ । ଜନ୍ମ ଲଭିଲେ ଏ ଜଗତେ ॥୩୪
ଏବେ ରଜୀର ପୁତ୍ର ଯେତେ । ଭାବେ କହିବା ତୋ' ଅଗ୍ରତେ ॥୩୫
ତା'ର କୁମର ପଞ୍ଚଶତ । ତେଜ ପ୍ରତାପ ଅପ୍ରମିତ ॥୩୬
ଅସୁରେ ଆସି ଅନ୍ତରାଳେ । ଇନ୍ଦ୍ରକୁ ଉଭାରିଲେ ବଳେ ॥୩୭
ଇନ୍ଦ୍ର ଦେବଙ୍କ ତୁଲେ ଆସି । ରଜୀକୁ କହିଲେ ବିଶ୍ୱାସି ॥୩୮
ଭୋ ରାଜା ତୋ'ର ପୁତ୍ରଗଣେ । ଜିଣିବେ ଅସୁରଙ୍କୁ ରଣେ ॥୩୯
ମୋତେ କହିଲେ ବୃହସ୍ପତି । ଅନ୍ୟଥା ନାହିଁ ଜୟେ ଗତି ॥୪୦
ଏମନ୍ତ କହି ଦେବଯୂଥ । ଘେନାଇ ପଞ୍ଚଶତ ସୁତ ॥୪୧
ସ୍ୱର୍ଗ ଆବୋରି ଯୁଦ୍ଧ କରି । ଅନେକ ଅସୁର ସଂହାରି ॥୪୨
ଇନ୍ଦ୍ରଙ୍କୁ ସ୍ୱର୍ଗରାଜ୍ୟ ଦେଲେ । ତା' ଦେଖି ଇନ୍ଦ୍ର ତୁଷ୍ଟ ହେଲେ ॥୪୩
ପୁଣି ସେ ରାଜ୍ୟ ରଜୀ ହସ୍ତେ । ନ୍ୟାସ କରିଲେ ସେ ବିଶ୍ୱସ୍ତେ ॥୪୪
ଇନ୍ଦ୍ରର ତୁଲେ ତା'ର ସୁତେ । ସ୍ୱର୍ଗେ ରହିଲେ ଦିନା କେତେ ॥୪୫
ଏମନ୍ତେ କେତେଦିନ ଅନ୍ତେ । ରଜୀ ଯେ ଗଲେ ସ୍ୱର୍ଗପଥେ ॥୪୬
ପିତାର ମରଣ ଅନ୍ତର । ଇନ୍ଦ୍ର ମାଗିଲେ ସ୍ୱର୍ଗପୁର ॥୪୭
ତଦନ୍ତେ ତାହାର ତନୁଜ । ଇନ୍ଦ୍ରଙ୍କୁ ନ ଦେଲେ ସେ ରାଜ୍ୟ ॥୪୮
ସ୍ୱର୍ଗ ସେ କଲେ ଅଧିକାର । ଇନ୍ଦ୍ରଙ୍କୁ କରି ଅନାଦର ॥୪୯
ରଜୀର ପୁତ୍ରେ ତା ନ ଦେଲେ । ଯାଗାର ଭାଗମାନ ନେଲେ ॥୫୦
ରଜୀ ତନୟଙ୍କର ମତି । ନାଶ କରିଲେ ବୃହସ୍ପତି ॥୫୧
ସ୍ଥାପିଲେ ଇନ୍ଦ୍ର ଅଧିକାରେ । ସୁଧର୍ମା ସଭାରେ ବେଭାରେ ॥୫୨
ଇନ୍ଦ୍ର ପାଇଲେ ସ୍ୱର୍ଗେ ସ୍ଥାନ । ଏବେ ତୁ ଶୁଣ ନୃପରାଣ ॥୫୩
କୁଶ ଯେ କ୍ଷତ୍ରବୃଦ୍ଧ ନାତି । ତାହାର ସୁତ ନାମ ପ୍ରତି ॥୫୪
ତାହାର ସନ୍ତାନ ସଞ୍ଜୟ । ତା'ର ତନୟ ହୋଏ ଜୟ ॥୫୫
ହର୍ଯ୍ୟବଳ ତାହାର ସୁତ । ତହୁଁ ସହଦେବ ସମ୍ଭୂତ ॥୫୬
ସହଦେବର ପୁତ୍ର ହୀନ । ତାହାର ସୁତ ଜୟସେନ ॥୫୭
ସଂକୃତି ତାହାର ତନୟ । ତାହାର ପୁତ୍ର ଅଟେ ଜୟ ॥୫୮
ସେ କ୍ଷାତ୍ରଧର୍ମେ ନିତ୍ୟେ ରତ । ମହାରଥୀ ନାମରେ ଖ୍ୟାତ ॥୫୯
ଏ ସର୍ବ କ୍ଷତ୍ରବୃଦ୍ଧ ବଂଶ । କହିଲୁ ଶୁଣିଲ ନରେଶ ॥୬୦
ଏବେ ନହୁଷ ବଂଶମାନ । କହିବୁ ଭବିଷ୍ୟ ପୁରାଣ ॥୬୧
ବଂଶାନୁଚରିତ ଏ ବାଣୀ । ଶୁଣି ସଂସାରୁ ତରପ୍ରାଣୀ ॥୬୨
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୬୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ସପ୍ତଦଶୋଽଧ୍ୟାୟଃ । ।

ଅଷ୍ଟାଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

କହନ୍ତି ଶୁକ ବ୍ରହ୍ମବେତ୍ତା । ନବମେ ବଂଶାନୁବ୍ୟବସ୍ଥା ॥୧
ନହୁଷ ବୀର୍ଯ୍ୟେ ଷଟସୁତେ । ତାହାଙ୍କ ନାମ କହୁଁ ତୋତେ ॥୨
ଯତି ଯଯାତି ଯେ ସଂଯାତି । ଆୟତି ବିୟତି ଯେ କୃତି ॥୩
ଦେହୀର ଇନ୍ଦ୍ରିୟ ଯେସନେ । ଜନ୍ମିଲେ ନହୁଷ ନନ୍ଦନେ ॥୪
ଯତିକି ରାଜପଣ ଦେଲା । ସେ ରାଜଭୋଗ ନ ଇଚ୍ଛିଲା ॥୫
ବୋଲଇ ଦୁଃଖମୟ ଏହି । ଏଣେ ମୋହର କାର୍ଯ୍ୟ ନାହିଁ ॥୬
ଆତ୍ମା ନ ମଜ୍ଜେ ରାଜସୁଖେ । ନିରତେ ରହେ ମନଦୁଃଖେ ॥୭
ଜାଣଇ ପିତାର ଆଚାର । ଋଷିଙ୍କି ବୁହାଇଲା ଭାର ॥୮
ଇନ୍ଦ୍ରାଣୀ ଅର୍ଥେ ପଥେ ଯା'ନ୍ତେ । କୋପ ବସିଲା ଋଷିଚିତ୍ତେ ॥୯
ବହି ନ ପାରି ମହାଭାର । ବୋଇଲେ ହୁଅ ଅଜଗର ॥୧୦
ଏମନ୍ତେ ଅଜଗର ହୋନ୍ତେ । ନିର୍ଜନ ଗହନ ବନସ୍ତେ ॥୧୧
ପଡ଼ି ଡାକିଲା କରି ଶୋକ । ଭୋ ଋଷିଗଣେ ମୋତେ ରଖ ॥୧୨
ତା'ର ବିକଳେ ମୁନିଗଣ । ବୋଇଲେ ଶୁଣ ଭୋ ରାଜନ ॥୧୩
ଦ୍ୱାପର ଯୁଗ ଅବଶେଷେ । ଧର୍ମନନ୍ଦନ କୁରୁବଂଶେ ॥୧୪
ଭୀମକୁ ବନେ ଖୋଜି ଯା'ନ୍ତେ । ଭେଟ ହୋଇବ ତୋ' ସଙ୍ଗତେ ॥୧୫
ଭୀମକୁ ବାନ୍ଧିଥିବୁ ତୁହି । ସେ ପୁଣି ତୋ'ର ପାସେ ଯାଇ ॥୧୬
ଧର୍ମ କହିବେ ତୋତେ ଯେବେ । ନିସ୍ତାର ତୋ'ର ହେବ ତେବେ ॥୧୭
ଏମନ୍ତ ନହୁଷଙ୍କୁ କହି । ସେ ମୁନି ଗଲେ ଦୟାବହି ॥୧୮
ସେ ପୁଣି ଯୁଧିଷ୍ଠିର ତୁଲେ । ଧର୍ମ ବିଚାର କରି ଭଲେ ॥୧୯
ସର୍ପ ଯୋନିରୁ ମୋକ୍ଷ ହୋଇ । ନିଜ ମନ୍ଦିରେ ମିଳେ ଯାଇ ॥୨୦
ସେ କଥା ଯତି ସ୍ମରି ମନେ । ନବସେ ନୃପତି ଆସନେ ॥୨୧
ଯଯାତି ଭ୍ରାତୃଗଣ ତୁଲେ । ରାଜା ହୋଇଲା ପିତୃ ବୋଲେ ॥୨୨
ସକଳ ରାଜ୍ୟେ ହୋଇ ରାଜା । ଧର୍ମେ ପାଳିଲା ଜନପ୍ରଜା ॥୨୩
ଶୁକ୍ର ଦୁହିତା ଦେବଯାନୀ । ଶର୍ମିଷ୍ଠା ବୃଷର ଦୁଲଣୀ ॥୨୪
ଯଯାତି ବରି ବରପଣେ । ବିବାହ କଲେ ଶୁଭକ୍ଷଣେ ॥୨୫
ଏମନ୍ତେ ଶୁକବାକ୍ୟ ଶୁଣି । ବୋଲେ ପରୀକ୍ଷ ନୃପମଣି ॥୨୬

ରାଜା ଉବାଚସମ୍ପାଦନ କରନ୍ତୁ

ଭୋ ମୁନି ଅସମ୍ଭବ ବାଣୀ । ସଂଶୟ ଲାଗିଲା ତ ଶୁଣି ॥୨୭
ଶୁକ୍ର ସ୍ୱଭାବେ ବ୍ରହ୍ମଋଷି । ପୁଣି ଅଟନ୍ତି ଭୃଗୁବଂଶୀ ॥୨୮
ବ୍ରାହ୍ମଣ କ୍ଷତ୍ରିୟ କେମନ୍ତେ । ବିବାହ କଲେ ବେଦମତେ ॥୨୯
ଏ ପ୍ରତିଲୋମ ପ୍ରାୟେ ମଣି । ଶୁକ ବୋଲନ୍ତି ତାହା ଶୁଣି ॥୩୦

ଶୁକ ଉବାଚସମ୍ପାଦନ କରନ୍ତୁ

ଦିନେକ ବୃଷପର୍ବା ଘରେ । ଶର୍ମିଷ୍ଠା କନ୍ୟା ଅନ୍ତଃପୁରେ ॥୩୧
ସଖୀ ସହସ୍ରେ ଘେନି ସଙ୍ଗେ । ଜଳେ କ୍ରୀଡ଼ନ୍ତି ନାନା ରଙ୍ଗେ ॥୩୨
ସ୍ୱଭାବେ ନିଦାଘର କାଳେ । ଶୁକ୍ରଦୁହିତା ସଖୀମେଳେ ॥୩୩
କୁସୁମବନ ମଧ୍ୟେ ମିଳେ । ପୁଷ୍ପିତ ଦ୍ରୁମ ଶୀତ ଜଳେ ॥୩୪
ପୁଷ୍ପଭୂଷିତ ଭୂମି ଜଳେ । କ୍ରୀଡ଼ନ୍ତି ପକ୍ଷୀ କୁତୂହଳେ ॥୩୫
କହ୍ଲାର-ପଦ୍ମ-ପୁଷ୍ପ ଗନ୍ଧେ । ଭ୍ରମରଗଣ ମକରନ୍ଦେ ॥୩୬
ପୁଷ୍ପଜ ଗନ୍ଧେ ବାୟୁ ସ୍ଫୁରେ । ଶୀତଳ ଲାଗଇ ଶରୀରେ ॥୩୭
ସେ ଜଳେ ପଶି ସର୍ବକନ୍ୟା । ସ୍ୱଭାବେ କମଳଲୋଚନା ॥୩୮
ବସ୍ତ୍ର ପାଲଟି ହ୍ରଦ କୂଳେ । ଝାସି ପଶିଲେ ଶୀତଜଳେ ॥୩୯
କ୍ରୀଡ଼ନ୍ତି ଜଳେ ନାନାରଙ୍ଗେ । ଜଳ ସିଞ୍ଚନ୍ତି ଅଙ୍ଗୁ ଅଙ୍ଗେ ॥୪୦
ଏମନ୍ତେ ଉମା ମହେଶ୍ୱର । ଆରୋହି ବୃଷଭ ଉପର ॥୪୧
ବନେ ଚଳନ୍ତେ ତା'ଙ୍କୁ ଦେଖି । ବେଗେ ଉଠିଲେ ଶଶୀମୁଖୀ ॥୪୨
ସକଳେ ଉଠି ତା'ର ତୁଲେ । ସଂଭ୍ରମେ ବସନ ପିନ୍ଧିଲେ ॥୪୩
ଶର୍ମିଷ୍ଠା ସଂଭ୍ରମେ ନ ଜାଣି । ଦେବଯାନୀର ବସ୍ତ୍ର ଆଣି ॥୪୪
ସତ୍ୱରେ କଲା ପରିଧାନ । ତା' ଦେଖି ଦେବଯାନୀ ମନ ॥୪୫
କୋପେ କମ୍ପଇ ଥରହର । କଠୋର ବୋଲଇ ଉତ୍ତର ॥୪୬
ଦେଖ ଏ ଦାସୀମାତ୍ର ହୋଇ । ବସ୍ତ୍ର ପିନ୍ଧିଲା ମୋ'ର ନେଇ ॥୪୭
ଅବଜ୍ଞା କରି ମୋ' ବସନ । ଯଜ୍ଞର ହବି ଯେହ୍ନେ ଶ୍ୱାନ ॥୪୮
ଦେବେ ଯେ ଅତି ତପୋବଳେ । ବିଷ୍ଣୁବଦନୁ ଭୂମି ତଳେ ॥୪୯
ବ୍ରାହ୍ମଣ ହୋଇ ଜାତ ହେଲେ । ସର୍ବେ ତରନ୍ତି ତା'ଙ୍କ ବୋଲେ ॥୫୦
ଗୋବିନ୍ଦ ଯାହାର ବଚନେ । ନିତ୍ୟେ ସେବନ୍ତି ସନ୍ନିଧାନେ ॥୫୧
ତହିଁ ମୁଁ ଭୃଗୁବଂଶେ ଜାତ । ଆମ୍ଭର ଶିଷ୍ୟ ଏହା ତାତ ॥୫୨
ମୋ' ବସ୍ତ୍ର ପିନ୍ଧି ଗର୍ବ ମନେ । ଶୂଦ୍ରକୁ ବେଦବାକ୍ୟ ଯେହ୍ନେ ॥୫୩
ଏମନ୍ତେ ଦେବଯାନୀ କଥା । ଶୁଣି ଶର୍ମିଷ୍ଠା ମନେ ବ୍ୟଥା ॥୫୪
ବୋଲଇ ପୁରୁଷ ବଚନ । ସିଂହକୁ ଶୃଗାଳ ଯେସନ ॥୫୫
ଆପଣା ବୃତ୍ତାନ୍ତ ନ ଜାଣି । ମୋ' ଆଗେ କହୁ କଟୁବାଣୀ ॥୫୬
ସ୍ୱଭାବେ ଭିକ୍ଷୁକ ବୋଲାଉ । ଲଜ୍ଜା କି ମୁଖେ ତୁ ନପାଉ ॥୫୭
କାକମାନଙ୍କ ପ୍ରାୟ ହୋଇ । ଥାଅ ତୁ ଆମ୍ଭ ଘରେ ଚାହିଁ ॥୫୮
ରାଜାର ଦୁହିତାଟି ମୁହିଁ । ତୁ ମୋତେ କହୁ ଗର୍ବ ବହି ॥୫୯
ଏମନ୍ତେ ବହୁ କୋପକଲା । ସଖୀଙ୍କି ଚାହିଁ ଆଜ୍ଞା ଦେଲା ॥୬୦
ମାର ବୋଇଲା କୋପମନେ । ଶର୍ମିଷ୍ଠା ଧରି ତା' ବସନେ ॥୬୧
ଓଷ୍ଠ କାମୋଡ଼ି ଅତି କୋପେ । ତା' ବସ୍ତ୍ର ପକାଇଲା କୂପେ ॥୬୨
ପୁଣି ତାହାରି ହସ୍ତ ଧରି । କୂପେ କ୍ଷେପିଲା କୋପ କରି ॥୬୩
ଗଲା ସେ ଆପଣା ମନ୍ଦିର । ଏବେ ହୋ ଶୁଣ ନୃ ବର ॥୬୪
ଯଯାତି ମୃଗୟାର ଅର୍ଥେ । ଥିଲା ସେ ଗହନ ବନସ୍ତେ ॥୬୫
ତୃଷିତେ ଜଳ ଅନ୍ୱେଷଣେ । କୂପ ଦେଖିଲା ତତ୍‌କ୍ଷଣେ ॥୬୬
କୂପକୁ ଚାହିଁ ନୃପମଣି । ଦେଖିଲା ଶୁକ୍ରର ଦୁଲଣୀ ॥୬୭
ଉଲଗ୍ନେ ବସ୍ତ୍ର ଖୋଜେ ଜଳେ । ତା' ଦେଖି ରାଜା ଅବହେଳେ ॥୬୮
ଉତ୍ତରୀବସ୍ତ୍ର ତା'କୁ ଦେଲା । କନ୍ୟାକୁ ଜଳୁ ଉଦ୍ଧରିଲା ॥୬୯
ଆନନ୍ଦେ ହସ୍ତେ ହସ୍ତ ଦେଇ । କୂଳେ ସ୍ଥାପିଲା ଦୟାବହି ॥୭୦
ସେ କନ୍ୟା ରାଜା ମୁଖ ଚାହିଁ । ଗଦ୍‌ଗଦେ ପ୍ରେମଭର ହୋଇ ॥୭୧
ବୋଲଇ ଶୁଣ ନୃପମଣି । ତୁ ଯେ ଧଇଲୁ ମୋର ପାଣି ॥୭୨
ତୁ ଅଟୁ ପର-ପୁରଞ୍ଜୟ । ଶୁଣ ତୁ ନିଗମ-ନିର୍ଣ୍ଣୟ ॥୭୩
ଯେ କନ୍ୟା ହସ୍ତ ହସ୍ତେ ଧରି । ସେ ନିଶ୍ଚେ ହୁଏ ତା'ର ନାରୀ ॥୭୪
ହସ୍ତ ତୁ ଦେଲୁ ମୋ'ର ହସ୍ତେ । ମୋ' ସ୍ୱାମୀ ଅନ୍ୟକେ ଜଗତେ ॥୭୫
ଦେଖିଲୁ ଶରୀର ମୋହର । କାହିଁ ଧରିବି ଆନ କର ॥୭୬
ଏ ଯେ ସମ୍ବନ୍ଧ କନ୍ୟାବର । ନିଶ୍ଚୟେ ସଞ୍ଚିଲେ ଈଶ୍ୱର ॥୭୭
ମୁଁ କନ୍ୟା ଥିଲି କୂପଜଳେ । ତୁ ମୋ'ର ହସ୍ତ ଧରି ବଳେ ॥୭୮
କୂଳେ ସ୍ଥାପିଲୁ ଦୟାବହି । ତୋ' ତହୁଁ ଅନ୍ୟ ବର ନାହିଁ ॥୭୯
ଏ ଶାସ୍ତ୍ରମତେ ବିଚାରନ୍ତେ । ବ୍ରାହ୍ମଣେ ନ ବରିବେ ମୋତେ ॥୮୦
କଚ ଯେ ବୃହସ୍ପତି-ବଳା । ପୂର୍ବେ ସେ ମୋତେ ଶାପ ଦେଲା ॥୮୧
ସେ ଶାପ ନୋହିଲା ଅନ୍ତର । ଏଣୁ କ୍ଷତ୍ରିୟ ବର ମୋ'ର ॥୮୨
ଶର୍ମିଷ୍ଠା ମୋ'ର ଭୁଜ ଧରି । କୂପେ କ୍ଷେପିଲା କୋପକରି ॥୮୩
ଗଲା ସେ ଆପଣା ମନ୍ଦିର । ଏବେ ହୋ ଶୁଣ ନୃପବର ॥୮୪
ଦଇବ ସଞ୍ଚିତ ଏ କଥା । କେ କରି ପାରିବ ଅନ୍ୟଥା ॥୮୫
ତା'ର ବଚନ ରାଜା ଘେନି । ସମ୍ମତ କରି ହୋଇ ତୁନି ॥୮୬
ଯଯାତି ନିଜପୁରେ ଗଲା । ସେ କନ୍ୟା ମନେ ବିଚାରିଲା ॥୮୭
କହିବି ପିତା ଆଗେ ମୁହିଁ । ଯେମନ୍ତେ ବର ଲଭିବଇଁ ॥୮୮
ରୋଦନ କରି ମନଦୁଃଖେ । କହିଲା ପିତାର ସମ୍ମୁଖେ ॥୮୯
ଶର୍ମିଷ୍ଠା ଯେତେ କର୍ମ କଲା । ଯେମନ୍ତେ କୂପେ ପକାଇଲା ॥୯୦
ରାଜା ଉଦ୍ଧରିଲା ଯେମନ୍ତେ । କୂପୁଁ ତୋଳିଲା ଦକ୍ଷହସ୍ତେ ॥୯୧
ଏ କଥା ଯେମନ୍ତ ବିଧାନେ । କହିଲା ପିତା ସନ୍ନିଧାନେ ॥୯୨
ଶୁକ୍ର ଯେ ତା'ର ବୋଲ ଶୁଣି । ଭବିଷ୍ୟ କଥା ମନେ ଗୁଣି ॥୯୩
ବୋଲଇ ମୁଣ୍ତେ ଦେଇ ହସ୍ତ । ଧିକ ମୋହର ପୌରୋହିତ୍ୟ ॥୯୪
ଏମନ୍ତେ ମନେ କୋପ କରି । ଦୁହିତା କର କରେ ଧରି ॥୯୫
ବୃଷପର୍ବାର ପୁରେ ଗଲେ । ସକୋପେ ରାଜାଙ୍କୁ ଭେଟିଲେ ॥୯୬
ଗୁରୁ ବଦନେ କୋପ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥୯୭
ଅନେକ ସ୍ତୁତିବାକ୍ୟ କହି । ଚରଣେ ଗଡ଼ଘାଲି ଶୋଇ ॥୯୮
ଶୁକ୍ରଙ୍କ କ୍ରୋଧ କ୍ଷଣମାତ୍ର । ରହଇ ସଂସାରେ ବିଦିତ୍ ॥୯୯
ବୋଲଇ ତା'ର ମୁଖ ଚାହିଁ । ଆମ୍ଭର ଦୁହିତା ଯେ ଏହି ॥୧୦୦
ଏ କନ୍ୟା ବାକ୍ୟ ତୁମେ ଘେନ । ଏହାର ଇଚ୍ଛା କର ପୂର୍ଣ୍ଣ ॥୧୦୧
ଯଯାତି କୂପୁଁ ଉଦ୍ଧରିଲା । ଏ କନ୍ୟା ହସ୍ତେ ହସ୍ତ ଦେଲା ॥୧୦୨
ମୁଁ ଏବେ ବେଦବାକ୍ୟ ମତେ । ବ୍ରାହ୍ମଣେ ବରିବି କେମନ୍ତେ ॥୧୦୩
ଯେପରି କନ୍ୟା ହୁଏ ଶାନ୍ତି । ତା' ବେଗେ କର ତୁ ନୃପତି ॥୧୦୪
ଭୃଗୁଙ୍କ ବାକ୍ୟ ମନେ ଗୁଣି । ସେ ବୃଷପର୍ବା ନୃପମଣି ॥୧୦୫
ଦେବଯାନୀର ପାଶେ ଗଲା । ବିନୟ ହୋଇଣ କହିଲା ॥୧୦୬
ନିଜ କନ୍ୟାର ଦୋଷମାନ । ସମସ୍ତ କଲା ନିବେଦନ ॥୧୦୭
ତାହାର ସ୍ତୁତିବାକ୍ୟ ଶୁଣି । ସନ୍ତୁଷ୍ଟ ହୋଇ ଦେବଯାନୀ ॥୧୦୮
ନିଜର ଯାହା ଅଭିଳାଷ । ତା' ଆଗେ କଲାକ ପ୍ରକାଶ ॥୧୦୯
ବୋଲଇ ଶୁକ୍ରର ଦୁହିତା । ଶୁଣ ତୁ ଆମ୍ଭର ବାରତା ॥୧୧୦
ମୋ' ପିତା ଯହିଁ ମୋତେ ଦେବ । ଶର୍ମିଷ୍ଠା ମୋ'ର ସଙ୍ଗେ ଥିବ ॥୧୧୧
ମୁଁ ତା'ର ହେବି ଶ୍ରେଷ୍ଠ ନାରୀ । ତୋ' କନ୍ୟା ହେବ ପରିବାରୀ ॥୧୧୨
କନ୍ୟାର ଠାରୁ ବାଣୀ ଶୁଣି । ଅସୁରରାଜ ହେଲା ତୁନି ॥୧୧୩
ଭାଳନ୍ତି ବୃଷପର୍ବା ରାୟେ । ବିପଦ ପଡ଼ିଲା ଥୋକାଏ ॥୧୧୪
ସଖୀ ସମେତ କନ୍ୟା ଆଣି । ବୋଲଇ ନିଅ ଦେବଯାନୀ ॥୧୧୫
ଏମନ୍ତେ ଶର୍ମିଷ୍ଠା ଅଇଲା । ଦେବଯାନୀର ଦାସୀ ହେଲା ॥୧୧୬
ଶର୍ମିଷ୍ଠା ଦେବଯାନୀ ତୁଲେ । ଯଯାତି ବରି ବିଭା କଲେ ॥୧୧୭
ଶୁକ୍ର ଯଯାତି ମୁଖ ଚାହିଁ । କହନ୍ତି ଶୁଣ ନୃପସାଇଁ ॥୧୧୮
ଶର୍ମିଷ୍ଠା ସଙ୍ଗେ ସହବାସ । କଲେ ଲଭିବୁ ଅତିକ୍ଳେଶ ॥୧୧୯
ଶର୍ମିଷ୍ଠା ତୁଲେ ଦିବ୍ୟନାରୀ । ଘେନି ଶତେକ ପରିବାରୀ ॥୧୨୦
ଖଟଇ ଦେବଯାନୀ ତୁଲେ । ଯଯାତି ସଙ୍ଗେ ଭାବଭୋଳେ ॥୧୨୧
ଶର୍ମିଷ୍ଠା ରୂପ-ଗୁଣ ଦେହେ । ଯଯାତି ଦେଖି କାମେ ମୋହେ ॥୧୨୨
ଦେବଯାନୀର ପୁତ୍ର ଦେଖି । ଶର୍ମିଷ୍ଠା ନିତ୍ୟେ ମନେ ଦୁଃଖୀ ॥୧୨୩
ମିଳିଲା ରାଜାରେ ଏକାନ୍ତେ । ପ୍ରର୍ଥନା କଲା ପୁତ୍ର ଅର୍ଥେ ॥୧୨୪
ତେଣୁ ସେ ହୋଇଲେ ମୋହିତ । ଦଇବ ବଶେ ବୁଦ୍ଧି ହତ ॥୧୨୫
ଦେବଯାନୀକି ନ ସୁମରି । ଶର୍ମିଷ୍ଠା ବାକ୍ୟ ମନେ ଧରି ॥୧୨୬
ଶର୍ମିଷ୍ଠା ସଙ୍ଗେ ଏକମେଳେ । ରାଜା ଶୟନ ଋତୁକାଳେ ॥୧୨୭
ଶୁକ୍ରଙ୍କ ବାକ୍ୟ ହେଳା କଲା । ଶର୍ମିଷ୍ଠା ସଙ୍ଗେ ସଙ୍ଗ କଲା ॥୧୨୮
ଯଦୁ ତୁର୍ବସୁ ବେନିଭାଇ । ଦେବଯାନୀର ଗର୍ଭୁ ହୋଇ ॥୧୨୯
ଆବର ଶର୍ମିଷ୍ଠା ଗର୍ଭରୁ । ଜନ୍ମିଲେ ଦ୍ରୁହ୍ୟୁ ଅନୁ ପୁରୁ ॥୧୩୦
ସେ ଦେବଯାନୀ କୋପଭରେ । କହିଲା ପିତାର ଆଗରେ ॥୧୩୧
ପିତା ଚରଣତଳେ ପଡ଼ି । କାନ୍ଦଇ ବେନିକର ଯୋଡ଼ି ॥୧୩୨
ଶର୍ମିଷ୍ଠା ତୁଲେ ରାଜା ନିତ୍ୟେ । ରାତ୍ରଦିବସ ତା' ସଙ୍ଗତେ ॥୧୩୩
ତାହାର ବଶ ପ୍ରାୟେ ରହେ । କୋପନୟନେ ମୋତେ ଚାହେଁ ॥୧୩୪
ଶର୍ମିଷ୍ଠା ପ୍ରେମବନ୍ଧ ଆଶେ । କେବେହେଁ ନମିଳେ ମୋ' ପାଶେ ॥୧୩୫
ଏମନ୍ତେ ଦୁହିତା ବଚନେ । କୋପ ବସିଲା ଶୁକ୍ରମନେ ॥୧୩୬
ମିଳିଲା ରାଜାର ସମୀପେ । ଗରୁଡ଼ ମିଳେ ଯେହ୍ନେ ସର୍ପେ ॥୧୩୭
ବୋଇଲେ କୋପଭର ହୋଇ । ଅଧର୍ମ ଆଚରିଲୁ ତୁହି ॥୧୩୮
ମୋ'ର ଦୁହିତା କଲୁ ଦୂର । ଶର୍ମିଷ୍ଠା ମନୋହାରୀ ତୋ'ର ॥୧୩୯
ତୁ ଏବେ ଜରାରୂପ ହୋଇ । ମନ୍ଦିରେ ଥାଅ ନିତ୍ୟେ ଶୋଇ ॥୧୪୦
ଏମନ୍ତ ଶାପ ଦେଲେ ମୁନି । ତକ୍ଷଣେ ବୃଦ୍ଧଦେହ ଘେନି ॥୧୪୧
ଯଯାତି ରହିଲା ଶୟନେ । ଉଠି ନ ପାରେ ରାତ୍ରଦିନେ ॥୧୪୨
ଏମନ୍ତେ ତା'ର ପାଞ୍ଚସୁତ । ବେନିକନ୍ୟାର ଗର୍ଭୁ ଜାତ ॥୧୪୩
ହୋଇ ବଢ଼ିଲେ ଦିନେଦିନେ । ତେଜ ପ୍ରଚଣ୍ତସୂର୍ଯ୍ୟ ଯେହ୍ନେ ॥୧୪୪
ଏମନ୍ତେ କିଛିଦିନ ଅନ୍ତେ । ଯଯାତି ଭୋଗ ମନେ ଚିନ୍ତେ ॥୧୪୫
ଭୋମୁନି ମୋତେ ଦୟାକର । ଏ କଷ୍ଟ ଯେଣେ ହୋଏ ପାର ॥୧୪୬
କାନ୍ଦିଣ ଜୀବନ ବିକଳେ । ପଡ଼ି ଭୃଗୁର ପାଦତଳେ ॥୧୪୭
ସ୍ୱଭାବେ ଦୁହିତାର ପତି । ବୋଲଇ ମୋତେ କର ଗତି ॥୧୪୮
ତା'ର ବିକଳ ଦେଖି ମୁନି । ବୋଇଲେ ଚିତ୍ତେ ଦୟା ଘେନି ॥୧୪୯
ବୋଲନ୍ତି ଶୁଣ ନୃପବର । ମୋର ବଚନ ଏବେ କର ॥୧୫୦
ସୁତକୁ ଜରାରୂପ ଦେଇ । ସଂସାର ଭୋଗକର ତୁହି ॥୧୫୧
ସେ ରାଜା ପୁତ୍ରଙ୍କୁ ଅଣାଇ । ବୋଲଇ ସମୀପେ ବସାଇ ॥୧୫୨
ହେ ପୁତ୍ରେ ଦେଖ ମୋ'ର ରୂପ । ଗୁରୁ ଯେ ମୋତେ ଦେଲେଶାପ ॥୧୫୩
ବୃଦ୍ଧ ହୋଇଲି ଯୁବାକାଳେ । ସୂର୍ଯ୍ୟ ଯେସନେ ସାୟଂକାଳେ ॥୧୫୪
ଦେଖ ଏ ମନୁଷ୍ୟ ଶରୀର । ବିଷ୍ଣୁର ଭୋଗର ମନ୍ଦିର ॥୧୫୫
ଇନ୍ଦ୍ରିୟଭୋଗେ ଜୀବ ରହେ । ଯଜ୍ଞପୁରୁଷ ବସେ ଦେହେ ॥୧୫୬
ଦେବେ ଇଚ୍ଛନ୍ତି ଯେ ଶରୀର । ନିସ୍ଫଳ ହୋଇଲା ମୋହର ॥୧୫୭
ଯଦୁକୁ ବୋଲେ ନୃପବର । ତୁ ପୁତ୍ର ମୋ'ର ବୋଲକର ॥୧୫୮
ମୋ' ଜରା ଶରୀର ତୁ ନିଅ । ତୋ'ର ବୟସ ମୋତେ ଦିଅ ॥୧୫୯
ଭୋଗ ମୁଁ କରି ଦିନା କେତେ । ତୋ'ର ବୟସ ଦେବି ତୋତେ ॥୧୬୦
ଏମନ୍ତ ରାଜାର ବଚନେ । ଯଦୁ ବୋଲଇ କୋପମନେ ॥୧୬୧
ଦୁର୍ଲ୍ଲଭ ମନୁଷ୍ୟ ଶରୀର । ବିଷ୍ଣୁର ପୂଜାର ମନ୍ଦିର ॥୧୬୨
ଯଜ୍ଞପୁରୁଷ ଏହା ମଧ୍ୟେ । ବିଷୟ ଭୁଞ୍ଜଇ ଆନନ୍ଦେ ॥୧୬୩
ଦେବେ ନ ପାନ୍ତି ଯାହା ଭାବି । ମୁଁ ତାହା କେମନ୍ତେ ଛାଡ଼ିବି ॥୧୬୪
ଏମନ୍ତ ଯଦୁମୁଖୁଁ ଶୁଣି । କୋପେ ବୋଲଇ ନୃପମଣି ॥୧୬୫
ମୋ'ର ବଚନ ତୁ ନ କଲୁ । ରାଜଭୋଗକୁ ଇଚ୍ଛା କଲୁ ॥୧୬୬
ତୋ'ବଂଶେ ରାଜା ଯେ ହୋଇବ । ମୂର୍ଦ୍ଧନା ଫାଟି ପ୍ରାଣ ଯିବ ॥୧୬୭
ଏମନ୍ତ ଶାପ ତାକୁ ଦେଇ । ପୁତ୍ରଙ୍କୁ ଜଣେ ଜଣେ ରାଇ ॥୧୬୮
ତୁର୍ବସୁ ଦ୍ରୁହ୍ୟୁ ଅନୁ ତିନି । ରାଜା ବଚନେ ହେଲେ ତୁନି ॥୧୬୯
ପୁରୁ ଯେ ଥିଲା ରାଜା ପଛେ । ତକ୍ଷଣେ ମିଳିଲା ପ୍ରତ୍ୟକ୍ଷେ ॥୧୭୦
କପୋଳେ ବେନିକର ଯୋଡ଼ି । କହେ ନୃପତି ପାଦେ ପଡ଼ି ॥୧୭୧
ଭୋ ତାତ ମୋତେ ଆଜ୍ଞା ଦିଅ । ମୋ'ର ବୟସ ତୁମ୍ଭେ ନିଅ ॥୧୭୨
ତୋ' ବୃଦ୍ଧରୂପ ଦିଅ ମୋତେ । ମୋ' ରୂପେ ବଞ୍ଚ ଦିନାକେ ॥୧୭୩
ଏଦେହେ ଶୁଣ ନରରାଣ । କେ ବୁଝିପାରେ ପିତୃଋଣ ॥୧୭୪
ପିତାର ମନ ଜାଣି କରେ । ଉତ୍ତମ ପୁତ୍ର ସେ ବେଭାରେ ॥୧୭୫
ଶ୍ରଦ୍ଧାରେ ଆଜ୍ଞା ଯେ ପାଳଇ । ମଧ୍ୟମପୁତ୍ର ସେ ବୋଲାଇ ॥୧୭୬
ଶ୍ରଦ୍ଧା ବିହୀନେ ଯେହୁ ପାଳେ । ଅଧମପୁତ୍ର ସେ ଶୟଳେ ॥୧୭୭
ପିତାକୁ ଲଂଘେ ଯେ ଅଜ୍ଞାନ । ସେ ପିତା ମଳମୂତ୍ର ଜାଣ ॥୧୭୮
ଏମନ୍ତ କହି ନୃପ ବଳା । ପିତାଙ୍କୁ ନିଜରୂପ ଦେଲା ॥୧୭୯
ନିଶ୍ଚଳେ ରହିଲା ତା' ମନ । ଏମନ୍ତେ ଗଲା କେତେ ଦିନ ॥୧୮୦
ପୁରୁକୁ ଜରାରୂପ ଦେଇ । ରାଜା ହୋଇଲା ଦିବ୍ୟଦେହୀ ॥୧୮୧
ଭୋଗ ସେ କଲା ନାନାମତେ । ଇନ୍ଦ୍ରିୟଲାଳସା ଆୟତ୍ତେ ॥୧୮୨
ହୋଇଲା ସାତଦ୍ୱୀପେ ରାଜା । ଧର୍ମେ ପାଳିଲା ଜନପ୍ରଜା ॥୧୮୩
ନିଶ୍ଚିନ୍ତେ ଦେବଯାନୀ ସଙ୍ଗେ । ଭୋଗ ସେ କଲା ନାନାରଙ୍ଗେ ॥୧୮୪
ଅନେକ ଦାନଯଜ୍ଞ ମତେ । ସେବିଲା ବିଷ୍ଣୁପାଦ ଗତେ ॥୧୮୫
ଯେ ହରି ଦେହ ଏ ଜଗତ । ଆକାଶେ ଜଳଧର ମତ ॥୧୮୬
ସେ ହରିପାଦ ଦୃଢ଼େ ଚିନ୍ତି । ବିଷୟଭୋଗେ ନରପତି ॥୧୮୭
ଇନ୍ଦ୍ରୟ ନ ପାରିଲା ଜିଣି । ବିଷୟ ଭୋଗ ମନେ ଗୁଣି ॥୧୮୯
ସୁଜନଜନେ ଏହା ଶୁଣି । ତରିବ ଭବତରଙ୍ଗିଣୀ ॥୧୯୦
କହଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୯୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଅଷ୍ଟାଦଶୋଽଧ୍ୟାୟଃ । ।

ଊନବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଯଯାତି ବସି ଏକଦିନେ । ଜ୍ଞାନ ପ୍ରକାଶିଲା ତା' ମନେ ॥୧
ଦେବଯାନୀର ମେଳେ ଥାଇ । ବୋଲଇ ତା'ର ମୁଖ ଚାହିଁ ॥୨
ଶୁଣ ସୁନ୍ଦରି ତୋ' ଅଧୀନ । ବିଷୟରସେ ମୋ'ର ମନ ॥୩
ପଶିଲା କାମ-ଅନ୍ଧକାରେ । ଭାସ୍କର ଯେହ୍ନେ ତମଘୋରେ ॥୪
ଶୁଣ ଭାର୍ଗବି ମୋ'ର କଥା । ପୂର୍ବେ ଯେ ଇତିହାସ ଗାଥା ॥୫
କହନ୍ତି ତତ୍ତ୍ୱଜ୍ଞାନୀ ଜନେ । ଗ୍ରାମ୍ୟଭୋଗକୁ ନିନ୍ଦି ମନେ ॥୬
ସେ କଥା କହୁ ତୋ'ର ଆଗେ । ଯେବା ବିଷୟ ଅନୁରାଗେ ॥୭
ଛାଗ ଛାଗୀଏ ଏକଦିନେ । ଚରିବା ଅର୍ଥେ ଗଲେ ବନେ ॥୮
ଛାଗୀ ଯେ ଜଳପାନ ଅର୍ଥେ । କୂପେ ପଡ଼ିଲା ଅନାୟତ୍ତେ ॥୯
ସ୍ୱଭାବେ କାମୀ ଛାଗ ଜାତି । ତା'ର ଉଦ୍ଧାରେ କଲା ମତି ॥୧୦
କେବେହେଁ ଉଦ୍ଧାରି ନପାରେ । ନିରାଶେ ଗଲା ନିଜପୁରେ ॥୧୧
ସେ ବନେ ବୃଦ୍ଧଛାଗେ ଥିଲା । କୂପେ ସେ ଛାଗୀକି ଦେଖିଲା ॥୧୨
ବିଷାଣ ଅଗ୍ରେ ତା' ଉଦ୍ଧରି । କୂଳେ ସ୍ଥାପିଲା ଯତ୍ନକରି ॥୧୩
ସେ ଛାଗୀ କୂପରୁ ଅଇଲା । ଛାଗରେ ଅଭିଳାଷ କଲା ॥୧୪
ସେ ଛାଗ ତା'ର ସଙ୍ଗମେଳେ । ରମଣ କରେ ଅତିଭୋଳେ ॥୧୫
ଦିବା ରଜନୀ ନ ଜାଣଇ । ନିରତେ ତା'ର ସଙ୍ଗେ ଥାଇ ॥୧୬
ତଥାପି ନ ଲଭିଲା ତୃପ୍ତି । ଅଗ୍ନିରେ ଯେହ୍ନେ ଘୃତାହୁତି ॥୧୭
ଅନ୍ୟାନ୍ୟ ଛାଗୀ କାମବଶେ । ମିଳିଲେ ସେହି ଛାଗ ପାଶେ ॥୧୮
ସ୍ଥୂଳଶରୀର ଶ୍ମଶ୍ରୁମୁଖ । ରେତ ସେଚନେ ଅତି ଦକ୍ଷ ॥୧୯
ବଳିଷ୍ଠ ଦେଖି ସର୍ବଛାଗୀ । ତାହାର ପ୍ରତି ଅନୁରାଗୀ ॥୨୦
ସେ ଏକ ପୁରୁଷ ଯେ ଛାଗ । କଲାଛାଗୀଙ୍କି ଅନୁରାଗ ॥୨୧
ହୋଇଣ କାମ-ଗ୍ରହ-ଗ୍ରସ୍ତ । ଛାଗୀଙ୍କ ସଙ୍ଗେ ହେଲା ମତ୍ତ ॥୨୨
ଯେ ଛାଗୀ କୂପେ ପଡ଼ିଥିଲା । ଦେଖି ନିଜର ଅବହେଳା ॥୨୩
କାମୀଛାଗକୁ କଲା ତ୍ୟାଗ । ତା' ପ୍ରତି ହୋଇଣ ବିରାଗ ॥୨୪
ସତ୍ତ୍ୱରେ ଛାଗୀ କଲା ଚଳି । ଛାଗ ଯେ ପକାଇ ବୋବାଳି ॥୨୫
ତାହାର ପଛେ ଗୋଡ଼ାଇଲା । ପଥେ ଛାଗୀକୁ ନ ଭେଟିଲା ॥୨୬
ଛାଗର ଅଧିସ୍ୱାମୀ ଘରେ । ସେ ଦୁହେଁ ମିଳିଲେ ସତ୍ୱରେ ॥୨୭
ଛାଗର ଲମ୍ବିତ ବୃଷଣ । ବ୍ରାହ୍ମଣେ କଲେକ ଛେଦନ ॥୨୮
ସେ କଥା ତତ୍ତ୍ୱଜ୍ଞାନୀ ଜନେ । କାମର ଭୋଗ ସ୍ମରି ମନେ ॥୨୯
ତାହାର ବୃଷଣକୁ ନେଲେ । ପୁଣି ତା' ଦେହେ ଲଗାଇଲେ ॥୩୦
ସେ କଥା କହୁଁ ତୋ'ର ଆଗେ । ଯେବା ବିଷୟେ ଅନୁରାଗେ ॥୩୧
ସେ ଛାଗୀ ଛାଗର ସହିତେ । ବିଷୟଭୋଗେ ଦିନା କେତେ ॥୩୨
କାଟିଲା ଆପଣା ଇଚ୍ଛାରେ । ତେବେ ସନ୍ତୋଷ ନୁହେଁ ଥରେ ॥୩୩
ସେ ଛାଗ ପ୍ରାୟେ ତୋ'ର ସଙ୍ଗେ । ମୁହିଁ ବୁଡ଼ିଲି ପ୍ରେମ ରଙ୍ଗେ ॥୩୪
ତୋହର ମାୟାରେ ମୋହିତ । ହୋଇ ନ ଜାଣେ ମୋର ହିତ ॥୩୫
ସପତ ଦ୍ୱୀପେ ରାଜା ହୋଇ । ଅଜ୍ଞାନେ ବଞ୍ଚାଇଲି ଦେହୀ ॥୩୬
ଭୂମିରେ ଯେତେ ଶସ୍ୟ ଥା'ନ୍ତି । ସୁବର୍ଣ୍ଣେ ସ୍ତିରୀ ପଶୁଜାତି ॥୩୭
ଯେ ପ୍ରାଣୀ କାମବଶ ହୋଇ । ଏ ସବୁ ତା'କୁ ନ ଅଣ୍ଟଇ ॥୩୮
କାମୀ ପୁରୁଷଙ୍କର ମନ । କେବେହେଁ ନୋହେ ସଞ୍ଜମନ ॥୩୯
ନିତ୍ୟେ ରମନ୍ତି କାମଭୋଗେ । ଅଗ୍ନି ଯେସନେ ଘୃତ ଯୋଗେ ॥୪୦
ସକଳଭୂତ ସଙ୍ଗ ଛାଡ଼ି । ଯେ ଆତ୍ମାଭାବେ ସୁଖେ ବୁଡ଼ି ॥୪୧
ଆତ୍ମାକୁ ଦେଖେ ସର୍ବଦେହେ । ତା' ସର୍ବଦିଗ ସୁଖମୟେ ॥୪୨
ଦୁର୍ଜନଜନଙ୍କର ମତି । ତୃଷ୍ଣାକୁ ଛାଡ଼ି ନ ପାରନ୍ତି ॥୪୩
ଯେ କରିପାରେ ସର୍ବଭକ୍ଷ । ତୃଷ୍ଣା ମାରଣେ ନୋହେ ଦକ୍ଷ ॥୪୪
ମାତା ଭଗିନୀ କନ୍ୟା ମେଳେ । କେବେହେଁ ନ ଥିବ ନିରୋଳେ ॥୪୫
ମନ ଯେ ଇନ୍ଦ୍ରିୟଙ୍କ ଗ୍ରାମ । ବଳେ ତାହାକୁ ନାହିଁ ସମ ॥୪୬
ପଣ୍ତି‌ତଜନ ମନ ହରେ । ଏଣୁ କେ ନାରୀ ସଙ୍ଗୁ ତରେ ॥୪୭
ଦେଖ ମୁଁ ସହସ୍ର ବରଷେ । ନିତ୍ୟେ ରମିଲି କାମବଶେ ॥୪୮
ନିରତେ ବିଷୟ ବ୍ୟସନେ । ମନ ରହିଲା ରାତ୍ରଦିନେ ॥୪୯
ମୁଁ ଏବେ ତୃଷ୍ଣା ଦୂର କରି । କୃଷ୍ଣ ଚରଣେ ମନ ଧରି ॥୫୦
ନିର୍ମୋହ ହୋଇ ବନସ୍ଥଳେ । ରହିବି ପଶୁଗଣ ମେଳେ ॥୫୧
ଦୃଷ୍ଟ ଶ୍ରୁତକୁ ମିଥ୍ୟା କରି । ଧ୍ୟାନେ ସମ୍ଭାଷି ନରହରି ॥୫୨
ଯେ ନୋହେ ଆତ୍ମାର ବିନାଶୀ । ତାହାକୁ କହି ଆତ୍ମଦର୍ଶୀ ॥୫୩
ଏମନ୍ତ ପ୍ରିୟା ଆଗେ କହି । ପୁରୁକୁ ସମୀପେ ବସାଇ ॥୫୪
ତା'ର ବୟସ ତା'କୁ ଦେଲା । ବୃଦ୍ଧ ଶରୀର ଆବୋରିଲା ॥୫୫
ପୁରୁକୁ ରାଜ୍ୟେ କଲା ରାଜା । ଭଲେ ପାଳିବ ଜନପ୍ରଜା ॥୫୬
ଦ୍ରୁହ୍ୟୁକୁ ପୂର୍ବଦିଗ ଦେଲା । ଅନୁକୁ ଉତ୍ତରେ ସ୍ଥାପିଲା ॥୫୭
ଯଦୁକୁ ଦକ୍ଷିଣେ ବସାଇ । ପଶ୍ଚିମ ତୁର୍ବସୁକୁ ଦେଇ ॥୫୮
ଏମନ୍ତେ ରାଜ୍ୟ ବାଣ୍ଟିଦେଇ । ପୁତ୍ରଙ୍କୁ ପ୍ରିୟବାକ୍ୟ କହି ॥୫୯
ଆନନ୍ଦ ଦେଇ ସର୍ବମନେ । ତକ୍ଷଣେ ପଶିଲା ଅରଣ୍ୟେ ॥୬୦
ଆତ୍ମାରେ ଆତ୍ମା ଧ୍ୟାନ କରି । ଯୋଗ ଅଭ୍ୟାସେ ମନ ଧରି ॥୬୧
ପରମବ୍ରହ୍ମେ ସେ ପଶିଲା । ଶୁଣ ହେ ଅଭିମନ୍ୟୁବଳା ॥୬୨
ସେ କଥା ଦେବଯାନୀ ଶୁଣି । ସ୍ୱାମୀର ପଥ ମନେ ଗୁଣି ॥୬୩
ସଂସାର ସ୍ୱପ୍ନ ପ୍ରାୟ ମଣି । ଏମନ୍ତ ଭାଳି ସେ ତରୁଣୀ ॥୬୪
କୃଷ୍ଣଚରଣେ ମନ ଦେଲା । ବିଷ୍ଣୁମାୟାରୁ ତରିଗଲା ॥୬୫
ନବମସ୍କନ୍ଧେ ଭାଗବତ । ଯେ ଧର୍ମ ବଂଶାନୁଚରିତ ॥୬୬
ଭାଷା ପ୍ରବନ୍ଧେ ହରିକଥା । ଶୁଣନ୍ତେ ତୁଟେ ଭବବ୍ୟଥା ॥୬୭
ବ୍ରାହ୍ମଣ ଜଗନ୍ନାଥ କହେ । ସୁଜନେ ଏଣେ କର ଲୟେ ॥୬୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଏକୋନବିଂଶୋଽଧ୍ୟାୟଃ । ।

ବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଶୁଣ ପରୀକ୍ଷ ନୃପମଣି । ଯେ ପୁରୁବଂଶର କାହାଣୀ ॥୧
ଯେବା ଯେମନ୍ତ କଲେ କର୍ମ । ଯେ ବଂଶମଧ୍ୟେ ତୋ'ର ଜନ୍ମ ॥୨
ସେ ବଂଶେ ରାଜଋଷି ଯେତେ । ସଂକ୍ଷେପେ କହିବି ମୁଁ ତୋତେ ॥୩
ଯେ ପୁତ୍ର ଜନ୍ମେଜୟ ନାମ । ସେ ପୁରୁବଂଶ ଗୁଣଧାମ ॥୪
ତାହାର ହୋଇଲା ନନ୍ଦନ । ନାମ ତାହାର ପ୍ରଚିନ୍ୱାନ ॥୫
ପ୍ରବୀର ତାହାର କୁମର । ମନସ୍ୟୁ ତା'ର ବଂଶଧର ॥୬
ତା'ର ତନୟ ଚାରୁପଦ । ସୁଦ୍ୟୁ ଯେ ତାହାର ଦାୟାଦ ॥୭
ତା'ର କୁମର ବହୁଗବ । ସଂଯାତି ତାହାର ସମ୍ଭବ ॥୮
ଅହଂଜାତି ତା'ର ତନୟେ । ରୌଦ୍ରାଶ୍ୱ ତା'ର ପୁତ୍ର ହୋଏ ॥୯
ଘୃତାଚୀ ଅପସରା ଗର୍ଭେ । ରୌଦ୍ରାଶ୍ୱ ପୁତ୍ରେ ବହୁଭାବେ ॥୧୦
ଏକୁ ଆରେକ ଅନୁପମ । ଶୁଣ ହୋ ତାହାଙ୍କର ନାମ ॥୧୧
ରତେୟୁ କୁକ୍ଷେୟୁ ଏ ବେନି । ସ୍ଥଣ୍ତିଳେୟୁ କୃତେୟୁ ଘେନି ॥୧୨
ଜଳେୟୁ ସନ୍ତତେୟୁ ଦୁଇ । ଧର୍ମେୟୁ ସତ୍ୟେୟୁ ବୋଲାଇ ॥୧୩
ବ୍ରତେୟୁ ବନେୟୁ ଏ ଦଶ । ଅପ୍‌ସରା ଗର୍ଭେ ପୁରୁବଂଶ ॥୧୪
ବିଷ୍ଣୁର ଅଂଶେ ଜାତ ହୋଇ । ସ୍ୱଧର୍ମେ ପାଳିଲେ ଏ ମହୀ ॥୧୫
ଋତେୟୁ ସୁତ ରନ୍ତିନାବ । ତହୁଁ ସୁମତି ଆର ଧ୍ରୁବ ॥୧୬
ଅପ୍ରତିରଥ ତିନି ଜାଣ । ଅପ୍ରତିରଥ ସୁତ କଣ୍ୱ ॥୧୭
ତା'ର ତନୟ ମେଧାତିଥି । ପ୍ରସ୍କଣ୍ୱ ତାହାର ସନ୍ତତି ॥୧୮
କଣ୍ୱର ବଂଶେ ଜାତ ହୋଇ । ସଂସାରେ ବ୍ରାହ୍ମଣ ବୋଲାଇ ॥୧୯
ରେଭି ଯେ ସୁମତିର ପୁତ୍ର । ଦୁଷ୍ମନ୍ତ ତା'ର ବୀର୍ଯ୍ୟେ ଜାତ ॥୨୦
ସୁନ୍ଦରେ ନାହିଁ ରୂପ ସୀମା । ଶୁଣ ହୋ ତାହାର ମହିମା ॥୨୧
ଦୁଷ୍ମନ୍ତ ରାଜା ଏକଦିନେ । ମୃଗୟା ଅର୍ଥେ ଗଲା ବନେ ॥୨୨
କଣ୍ୱଙ୍କ ଆଶ୍ରମେ ମିଳିଲା । ଅଦ୍ଭୁତ କନ୍ୟାଏ ଦେଖିଲା ॥୨୩
ଅଙ୍ଗ ଭୂଷଣ ଝଟକନ୍ତି । ଲକ୍ଷ୍ମୀଙ୍କ ପ୍ରାୟେ ଦିଶେ କାନ୍ତି ॥୨୪
ତାହାକୁ ଦେଖି କାମବଶେ । ସମ୍ଭୋଗ କରିବାର ଆଶେ ॥୨୫
ତା' ରୂପ ଦେବ-ମାୟାମୟୀ । ଦେଖିଣ ମନ ନରହଇ ॥୨୬
ଅଳପ ବଳ ଘେନି ସଙ୍ଗେ । ଦୁଷ୍ମନ୍ତ ମିଳେ ତା'ର ଆଗେ ॥୨୭
ଆନନ୍ଦେ ତା'ର ଦରଶନେ । ବୋଲଇ ପରିଗ୍ରହ ମନେ ॥୨୮
ହାସ୍ୟବଦନେ ତା'ର ପାଶେ । ମଧୁର ବାକ୍ୟେ ମନତୋଷେ ॥୨୯
ହେ ଶୁଭେ କମଳ ନୟନି । କହ ତୁ କାହାର ନନ୍ଦିନୀ ॥୩୦
ନିର୍ଜନବନେ କିପାଁ ଅଛୁ । କହ କାହାକୁ ବର ଇଚ୍ଛୁ ॥୩୧
ତୋ' ରୂପେ ଅଛି କେବା ସମ । କହ ତୋହାର କିସ ନାମ ॥୩୨
ନିଶ୍ଚେ ତୁ ରାଜାର ନନ୍ଦିନୀ । ଜାଣିଲି ତୋ'ର ରୂପ ଚିହ୍ନି ॥୩୩
ମୁଁ ଯେ ପୁରୁର ବଂଶେ ଜାତ । ଅଧର୍ମେ ନବଳେ ମୋ' ଚିତ୍ତ ॥୩୪
ଏମନ୍ତ ରାଜାମୁଖୁଁ ଶୁଣି । ସେ କନ୍ୟା କହେ ପରିମାଣି ॥୩୫

ଶକୁନ୍ତଳା ଉବାଚସମ୍ପାଦନ କରନ୍ତୁ

ଶୁଣ ରାଜନ ଚୂଡ଼ାମଣି । ମୁଁ ବିଶ୍ୱାମିତ୍ରଙ୍କ ନନ୍ଦିନୀ ॥୩୬
ମେନକା ନାମେ ମୋ' ଜନନୀ । ଦଇବେ ମୋର କର୍ମ ଘେନି ॥୩୭
ମୋତେ ପକାଇଗଲା ବନ । ପକ୍ଷୀଏ ମୋହର ଜୀବନ ॥୩୮
ପାଳିଲ ମୋତେ ସ୍ନେହ ବହି । ଏ ବନେ ଭକ୍ଷ୍ୟ ଭୋଜ୍ୟ ଦେଇ ॥୩୯
ମୁହିଁ ଯେ ଶକୁନ୍ତର ବାଳା । ତେଣୁ ମୋ' ନାମ ଶକୁନ୍ତଳା ॥୪୦
ମୋହର ଜନ୍ମ କର୍ମମାନ । ସବୁ ଜାଣନ୍ତି ମୁନି କଣ୍ୱ ॥୪୧
ଜନ୍ମ ମୋ' କଉଶିକ କୁଳେ । ମୁଁ ଏହା ଜାଣେ ଯୋଗବଳେ ॥୪୨
ତୁ ଯେବେ ମୋହର ବିଶ୍ୱାସ । ଆସ ମୋହର ପାଶେ ବସ ॥୪୩
ମୋହର ପୂଜା ଘେନ ତୁହି । ନୀବାର ଭୁଞ୍ଜ ଏଥେ ରହି ॥୪୪
ଏମେନ୍ତେ ତା'ର ମଞ୍ଜୁବାଣୀ । ଆନନ୍ଦମନେ ରାଜା ଶୁଣି ॥୪୫

ଦୁଷ୍ମନ୍ତ ଉବାଚସମ୍ପାଦନ କରନ୍ତୁ

ବୋଲଇ କନ୍ୟାମୁଖ ଚାହିଁ । ଭୋ ଶଶୀମୁଖି ଶୁଣ ତୁହି ॥୪୬
ତୁ ଜାତ କୌଶିକର ବଂଶେ । ତୋହର ଇଚ୍ଛା ମନତୋଷେ ॥୪୭
ଯେବେ ବରିବୁ ତୁହି ମୋତେ । ଏ ମୋର ସତ୍ୟ ବେଦମତେ ॥୪୮
ଏସନ ସତ୍ୟ ତା'କୁ କରି । ଗନ୍ଧର୍ବମତେ କନ୍ୟା ବରି ॥୪୯
ସ୍ୱଭାବେ ପଣ୍ତିତ ରାଜନ । ଜାଣଇ ସକଳ ବିଧାନ ॥୫୦
ବିବାହ କରି ତା'ର ସଙ୍ଗେ । ରାତ୍ରେ ବଞ୍ଚିଲା ରତିରଙ୍ଗେ ॥୫୧
ଆମୋଘବୀର୍ଯ୍ୟ ତା' ସ୍ୱଭାବେ । ରହିଲା ଶକୁନ୍ତଳା ଗର୍ଭେ ॥୫୨
ପ୍ରଭାତେ ରାଜା ଗଲା ପୁର । କାଳେ ତା ଜନ୍ମିଲା କୁମର ॥୫୩
ସେ ବନେ କଣ୍ୱଋଷି ଥିଲେ । ବିଧାନେ ଜାତକର୍ମ କଲେ ॥୫୪
ତକ୍ଷଣେ ଉଠି ରାଜବଳା । ସ୍ୱଭାବେ ତେଜ ଅନର୍ଗଳା ॥୫୫
ସିଂହକୁ ବାମଭୁଜେ ଧରି । କ୍ରୀଡ଼ାକନ୍ଦୁକ ପ୍ରାୟେ କରି ॥୫୬
ରଜ୍ଜୁ ନିବେଶି ତା'ର ଗଳେ । କ୍ରୀଡ଼ାକନ୍ଦୁକ ପ୍ରାୟେ ଖେଳେ ॥୫୭
ପୁତ୍ରର ଦେଖି ବାଳଲୀଳା । ଅତ୍ୟନ୍ତ ତେଜ ଅନର୍ଗଳା ॥୫୮
ବିଷ୍ଣୁର ଅଂଶ ପ୍ରାୟେ ମଣି । ତକ୍ଷଣେ ଋଷିଙ୍କ ଦୁଲଣୀ ॥୫୯
ପୁତ୍ରର ହସ୍ତ ଧରି ବେଗେ । ମିଳିଲା ନିଜ ସ୍ୱାମୀ ଆଗେ ॥୬୦
ରାଜା ସେ ମାତାପୁତ୍ର ଦେଖି । ତକ୍ଷଣେ ବୁଜି ବେନିଆଖି ॥୬୧
ପତ୍ନୀ ପୁତ୍ରଙ୍କୁ ନ ଚିହ୍ନିଲା । ଭାବ ନ ଜାଣି ଉପେକ୍ଷିଲା ॥୬୨
ତକ୍ଷଣେ ଆକାଶର ବାଣୀ । ସେଠାରେ ସର୍ବଲୋକେ ଶୁଣି ॥୬୩
ଆତ୍ମାର ରୂପେ ପୁତ୍ରଜାତ । ଏ ନିଶ୍ଚେ ତୋ'ର ଦାରା ସୁତ ॥୬୪
ଯେ ପୁତ୍ର ଜାତ ନିଜଠାରୁ । ଉଦ୍ଧାର କରେ ସେ ନର୍କରୁ ॥୬୫
ତୁମ୍ଭେ କରିଛ ଗର୍ଭାଧାନ । ଏ କଥା ନୁହଁଇ ଯେ ଆନ ॥୬୬
ଆକାଶବାଣୀ ଶୁଣି କର୍ଣ୍ଣେ । ତକ୍ଷଣେ ରାଜା ତୋଷମନେ ॥୬୭
ଆଶ୍ୱାସ କରି ପୁତ୍ର ନାରୀ । ଗୃହେ ସ୍ଥାପିଲା ଦଣ୍ତଧାରୀ ॥୬୮
ଏମନ୍ତେ ଦୁଷ୍ମନ୍ତର ଅନ୍ତେ । ସେ ରାଜା ହୋଇଲା ଜଗତେ ॥୬୯
ନାମ ଭରତ ନୃପବର । ପ୍ରକାଶେ ଯେହ୍ନେ ଦିବାକର ॥୭୦
ବିଷ୍ଣୁର ଅଂଶ ଯେ ରାଜନ । ଶରୀରେ ଦିଶେ ବିଷ୍ଣୁଚିହ୍ନ ॥୭୧
ଚକ୍ର ଦକ୍ଷିଣକରେ ଦିଶେ । ଚରଣେ କମଳ ପ୍ରକାଶେ ॥୭୨
ତାହାଙ୍କୁ ମିଳି ଋଷିଯୂଥେ । ସ୍ଥାପିଲେ ଅଭିଷେକ ମତେ ॥୭୩
ସେ ରାଜା ଅଭିଷିକ୍ତ ହୋଇ । ଧର୍ମେ ସେ ପୃଥିବୀ ପାଳଇ ॥୭୪
ଭରଦ୍ୱାଜଙ୍କ ଆଦେଶରେ । ସେ ରାଜା ଅଶ୍ୱମେଧ କରେ ॥୭୫
ପଞ୍ଚପଞ୍ଚାଶ ଅଶ୍ୱମେଧେ । କ୍ରମେ ସେ ଗଙ୍ଗାତଟେ ସାଧେ ॥୭୬
ଯଜ୍ଞରେ ବରି ଦ୍ୱିଜଗଣ । ଅନେକ ଦେଲା ଧନ ଦାନ ॥୭୭
ସେ ପୁଣି ଯମୁନାର ତୀରେ । ଅଷ୍ଟସପ୍ତତି ଯଜ୍ଞ କରେ ॥୭୮
ଅଗ୍ନିକୁ ବିଧିରେ ତୋଷିଲା । ବ୍ରାହ୍ମଣେ ଧେନୁଦାନ ଦେଲା ॥୭୯
ଏମନ୍ତ ନୃପ ଏକାବେଳେ । ଶତେ ତେତିଶ ଯଜ୍ଞ କଲେ ॥୮୦
ତେର ସହସ୍ର ଚଉରାଶୀ । ଧେନୁ ଉତ୍ସ›ର୍ଗି ବିପ୍ରେ ତୋଷି ॥୮୧
ସହସ୍ର ସହସ୍ର ବ୍ରାହ୍ମଣ । ଯଜ୍ଞେ ପାଇଲେ ଗୋରୁଦାନ ॥୮୨
ଚଉଦ ନିୟୁତ ଯେ ହସ୍ତୀ । ସେ ଯଜ୍ଞେ ଦେଲାକ ନୃପତି ॥୮୩
ତେତିଶ ଶତ ଅଶ୍ୱ ଦେଲା । ସେ ପୁଣି ଦୁଷ୍ମନ୍ତର ବଳା ॥୮୪
ଅନେକ ଦାନ ଯଜ୍ଞମତେ । ଧେନୁ କାଞ୍ଚନ ବସ୍ତ୍ର ଯୁକ୍ତେ ॥୮୫
ଭରତ କର୍ମକଲା ଯେତେ । ନୋହିବ ଭୂତ-ଭବିଷ୍ୟତେ ॥୮୬
କିରାତ ହୁଣ ଯେ ଯବନ । ପୌଣ୍ତ୍ରକ କଙ୍କ ରାଜାଗଣ ॥୮୭
ଶକ ଖଗାଦି ମ୍ଲେଚ୍ଛ ଯେତେ । ସବୁ ଛେଦିଲା ଏ ଜଗତେ ॥୮୮
ପୂର୍ବେ ଯେ ଦାନବ ସକଳେ । ଦେବଗଣଙ୍କୁ ଜିଣି ବଳେ ॥୮୯
ଦେବାଙ୍ଗନାଙ୍କୁ ହରି ନେଇ । ପାତାଳେ ଲୁଚିଥିଲେ ଯାଇ ॥୯୦
ଭରତ ସେମାନଙ୍କୁ ମାରି । ପାତାଳୁ ଆଣିଲା ଉଦ୍ଧରି ॥୯୧
ଭରତରାଜା ରାଜ୍ୟକାଳେ । ପୃଥିବୀ ସ୍ୱର୍ଗ ଏକତୁଲେ ॥୯୨
ପୃଥିବୀ ସର୍ବଶସ୍ୟ ଦେଲା । ଯେଣୁ ଅନେକ ଯଜ୍ଞ କଲା ॥୯୩
ପ୍ରଜାଙ୍କ ଅଭିଳାଷମାନ । ସମସ୍ତ କଲା ସମ୍ପାଦନ ॥୯୪
ସପ୍ତବିଂଶତି ଯେ ସହସ୍ର । ବତ୍ସ›ର ପାଳିଲାକ ଦେଶ ॥୯୫
ସୈନ୍ୟ ସମ୍ପତ୍ତି ନିଜ ପ୍ରାଣ । ସମସ୍ତ କଲା ମିଥ୍ୟାଜ୍ଞାନ ॥୯୬
ଏବେ ହୋ ଶୁଣ ନରନାଥ । ଭରତ ରାଜାର ଚରିତ ॥୯୭
ସେହି ରାଜାର ତିନି ନାରୀ । ପୁତ୍ରମାନଙ୍କୁ ଜାତ କରି ॥୯୮
ରାଜା ବୋଲଇ ପୁତ୍ରେ ଚାହିଁ । ମୋ' ପୁତ୍ର ପରି ନ ଦିଶଇ ॥୯୯
ବ୍ୟଭିଚାରିଣୀ ଭୟେ ନାରୀ । ବାଳ-ପୁତ୍ରଙ୍କୁ ବଧ କରି ॥୧୦୦
ଦେଖି ସେ ରାଜବଂଶ ହତ । ଅତ୍ୟନ୍ତ ହୋଇଲା ଦୁଃଖିତ ॥୧୦୧
ମୋହର ଅନୁରୂପ ପୁତ୍ର । କେଉଁ ଉପାୟେ ହେବ ଜାତ ॥୧୦୨
ଏମନ୍ତ ମନେ ବିଚାରିଲା । ମରୁତ ସୋମଯାଗ କଲା ॥୧୦୩
ମରୁତଗଣ ତୁଷ୍ଟ ହେଲେ । ରାଜାଙ୍କୁ ପୁତ୍ରଦାନ ଦେଲେ ॥୧୦୪
ସେ ପୁତ୍ର ନାମ ଭରଦ୍ୱାଜ । ପୂର୍ବେ ସେ ଉତଥ୍ୟକ୍ଷେତ୍ରଜ ॥୧୦୫
ଏବେ ହୋ ଶୁଣ ନରନାଥ । ସେ ଭରଦ୍ୱାଜଙ୍କ ଚରିତ ॥୧୦୬
ଭ୍ରାତୃବଧୂ ଯେ ଗର୍ଭବତୀ । ପୂର୍ବେ ରମିଲେ ବୃହସ୍ପତି ॥୧୦୭
ମୈଥୁନେ ହୁଅନ୍ତେ ପ୍ରବୃତ୍ତ । ଅଜ୍ଞାନ କାମେ ହୋଇ ମତ୍ତ ॥୧୦୮
ଗର୍ଭେ ଯେ ଶିଶୁ ତା'ର ଥିଲା । ବୃହସ୍ପତିଙ୍କି ନିଷେଧିଲା ॥୧୦୯
ବଳାତ୍କାରେଣ ବୃହସ୍ପତି । ବୀର୍ଯ୍ୟଆଧାନ କଲେ ତଥି ॥୧୧୦
ଗର୍ଭ-ବାଳକ ପଦାଘାତେ । ବୀର୍ଯ୍ୟ ପଡ଼ିଲା ଭୂମିଗତେ ॥୧୧୧
ତେଣୁ ସେ ଲଜ୍ଜିତ ହୋଇଲେ । ଗର୍ଭ-ଶିଶୁକୁ ଶାପ ଦେଲେ ॥୧୧୨
ମୋ' ବୀର୍ଯ୍ୟ ଯେଣୁ କଲୁ ରୋଧ । ତେଣୁ ତୁ ହୁଅ ଜନ୍ମ ଅନ୍ଧ ॥୧୧୩
ତକ୍ଷଣେ ପୁତ୍ର ହେଲା ଜାତ । ତା' ଦେଖି ତା' ମାତା ଚକିତ ॥୧୧୪
ତହୁଁ ଯେ ଭରଦ୍ୱାଜ ଜାତ । ତାହାଙ୍କୁ ପାଳିଲେ ମରୁତ ॥୧୧୫
ଭରତ-ଯଜ୍ଞେ ତୋଷ ହେଲେ । ସେ ପୁତ୍ର ଏବେ ତା'କୁ ଦେଲେ ॥୧୧୬
ଭରତ କର୍ମ ଶୁଣି ପ୍ରାଣୀ । ତରିବେ ଭବ-ତରଙ୍ଗିଣୀ ॥୧୧୭
କହିଲା ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୧୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ବିଂଶୋଽଧ୍ୟାୟଃ । ।

ଏକବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଶୁକ କହନ୍ତି ଜ୍ଞାନଭାବେ । ଭରତବଂଶ ଶୁଣ ଏବେ ॥୧
ଭରଦ୍ୱାଜ ତା' ଦତ୍ତପୁତ୍ର । ଏଣୁ ବିତଥ ନାମେ ଖ୍ୟାତ ॥୨
ବିତଥ ପୁତ୍ର ମନ୍ୟୁଜାତ । ତା' ସୁତ ଜୟ ବୃହତ୍ କ୍ଷତ୍ର ॥୩
ତୃତୀୟେ ମହାବୀର୍ଯ୍ୟେ ନାମ । ଚତୁର୍ଥେ ନର ହେଲା ଜନ୍ମ ॥୪
ପଞ୍ଚମ ଗର୍ଭ ନାମେ ଖ୍ୟାତ । ଏମନ୍ତେ ହେଲେ ପଞ୍ଚସୁତ ॥୫
ନରର ତନୟ ସଂସ୍କୃତି । ତାହାର ଦୁଇଟି ସନ୍ତତି ॥୬
ପ୍ରଥମ ଗୁରୁ ନାମେ ଖ୍ୟାତ । ରନ୍ତିଦେବ ଦ୍ୱିତୀୟ ସୁତ ॥୭
ଯା' ଯଶ ଇହ-ପରଲୋକେ । ବିପ୍ରେ କହନ୍ତି ଏକେ ଏକେ ॥୮
ସ୍ୱଧର୍ମେ ଧନ ଲଭେ ଯେତେ । ନିତ୍ୟେ ଭୁଞ୍ଜାଏ ବୁଭୁକ୍ଷିତେ ॥୯
ନିରତେ ଅକିଞ୍ଚନ ପ୍ରିୟ । କୁଟୁମ୍ବେ ନ କରଇ ସ୍ନେହ ॥୧୦
କୁଟୁମ୍ବ କ୍ଳେଶେ ଦିନ ବଞ୍ଚେ । ଅତିଥି ଅର୍ଥେ ଧନ ସଞ୍ଚେ ॥୧୧
ଘୃତ ପାୟସ ରସ ପାଣି । ନିତ୍ୟେ ପ୍ରୀତିରେ ସଞ୍ଚେ ଆଣି ॥୧୨
ଅତିଥି ଅର୍ଥେ ଧନ ସଞ୍ଚେ । କ୍ଷୁଧାର୍ତ୍ତ ଦେହେ ଗୃହେ ବଞ୍ଚେ ॥୧୩
ନିତ୍ୟେ ସଞ୍ଚଇ ପ୍ରାତଃକାଳେ । ଯେବା ମିଳଇ ଯେତେବେଳେ ॥୧୪
ତେଣୁ ସେ ହୋଇ ଧନହୀନ । କଷ୍ଟରେ ବଞ୍ଚୁଥାଇ ଦିନ ॥୧୫
କ୍ଷୁାଧାର୍ତ୍ତ ହୋଇ ବଞ୍ଚେ ନିତ୍ୟେ । କୁଟୁମ୍ବଗଣଙ୍କ ସହିତେ ॥୧୬
ଅନ୍ନ ଅଭାବେ ତନୁ କ୍ଷୀଣ । ହେଲେ କୁଟୁମ୍ବେ ଅବସନ୍ନ ॥୧୭
ଅଠଚାଳିଶ ଦିନ ଗଲା । ଜଳମାତ୍ର ସେ ନ ପାଇଲା ॥୧୮
କ୍ଷୁଧାରେ କମ୍ପେ କଳେବର । ଜୀର୍ଣ୍ଣ ହୋଇଲା ତା' ଶରୀର ॥୧୯
ଶୁଣ ରାଜନ ଶୁଦ୍ଧମନେ । ତା'ର ମନ୍ଦିରେ ଏକଦିନେ ॥୨୦
ବିପ୍ର ମିଳିଲା ସନ୍ଧ୍ୟାକାଳେ । ତା'ର ଅତିଥି ପୂଜାବେଳେ ॥୨୧
ଆନନ୍ଦେ ଭିକ୍ଷା ତା'କୁ ଦେଲା । ତା' ଅନ୍ତେ ଶୂଦ୍ରେକ ମିଳିଲା ॥୨୨
ଯେ ଅବା ଅବଶେଷ ଅନ୍ନ । କୁଟୁମ୍ବ କରନ୍ତେ ଭୋଜନ ॥୨୩
ତାହାକୁ ବିଷ୍ଣୁ ପ୍ରାୟେ ମଣି । ବେଗେ ସେ ଭିକ୍ଷାଦେଲା ଆଣି ॥୨୪
ସେ ପୁଣି ଗୃହେ ଭୁଞ୍ଜି ଯା'ନ୍ତେ । ଶବର ଶ୍ୱାନର ସଙ୍ଗତେ ॥୨୫
ଦ୍ୱାରେ ମିଳିଲା ରାତ୍ରେ ଆସି । ବୋଲଇ ତା'ର ଦ୍ୱାରେ ବସି ॥୨୬
ଭୋ ରାଜା ଭିକ୍ଷା ଦିଅ ମୋତେ । ଭୁଞ୍ଜିବି ଶ୍ୱାନର ସଙ୍ଗତେ ॥୨୭
ଯେବା କୁଟୁମ୍ବ ଅର୍ଥେ ଥିଲା । ତକ୍ଷ୍‌ଣେ ତା'ର ହସ୍ତେ ଦେଲା ॥୨୮
ଶ୍ୱାନ ସମେତ ଅନ୍ନ ଖାଇ । ସେ ପୁଣି ଯା'ନ୍ତେ ତୋଷ ହୋଇ ॥୨୯
ଥିଲାକ ଜଳ ମାତ୍ର ଶେଷ । ଜଳେ ହୋଇବ ଜଣେ ତୋଷ ॥୩୦
ତାହାକୁ ଛଳିବା ନିମନ୍ତେ । ବିଷ୍ଣୁ ମିଳିଲେ ଜଳ ଅର୍ଥେ ॥୩୧
ବୋଇଲେ ଜାତି ମୋ' ଚଣ୍ତାଳ । କର ପ୍ରଦାନ ମୋତେ ଜଳ ॥୩୨
କ୍ଷୁଧାରେ ଅତିଥି କାତର । କମ୍ପଇ ତା'ର କଳେବର ॥୩୩
ତା'ଠାରେ ଅତି ଦୟାବହି । ଅମୃତମୟ ବାକ୍ୟ କହି ॥୩୪
ଜଗଦୀଶ୍ୱରଠାରେ ମୁହିଁ । ଏମନ୍ତ ପ୍ରାର୍ଥନା କରଇ ॥୩୫
ଅଣିମା ଆଦି ନିଧି ଯେତେ । ମୁକ୍ତି ମୁଁ ନ ଇଚ୍ଛଇ ଚିତ୍ତେ ॥୩୬
ପ୍ରାଣୀର ଦୁଃଖରେ ଦୁଃଖିତ । ସର୍ବଦା ହେଉ ମୋ'ର ଚିତ୍ତ ॥୩୭
ହେ ପ୍ରଭୁ ମୋତେ ଦୟାକର । ମୁଁ କରେ ଲୋକ ଉପକାର ॥୩୮
ଏମନ୍ତେ ସ୍ତୁତିବାକ୍ୟ କହି । ସେ ରନ୍ତିଦେବ ନରସାଇଁ ॥୩୯
କ୍ଷୁଧା ତୃଷ୍ଣାରେ ହୋଇ ଶ୍ରାନ୍ତ । ଦେହ ଘୂର୍ଣ୍ଣନେ ଅତିକ୍ଳାନ୍ତ ॥୪୦
ତଥାପି ଦୁଃଖ ନ ବିଚାରି । ଶୋକ ବିଷାଦ ପରିହରି ॥୪୧
ପୁକ୍କଶ ଜୀବନ ଧାରଣେ । ଉପାୟ ଚିନ୍ତିଲାକ ମନେ ॥୪୨
ଯେ ଥିଲା ତା'ର ଜଳଅନ୍ନ । ପୁକ୍କଶେ କଲା ସମର୍ପଣ ॥୪୩
ନିଜେ ସେ ମୃତ ପ୍ରାୟେ ହେଲା । ତଥାପି ଅତିଥି ପୂଜିଲା ॥୪୪
ଏମନ୍ତେ ତା'ର ଭାବ ଚାହିଁ । ସନ୍ତୋଷ ଚିତ୍ତେ ଭାବଗ୍ରାହୀ ॥୪୫
ବୋଇଲେ ଅତି ଦୟାଚିତ୍ତେ । ତୋ' ଯଶ ରହୁ ଏ ଜଗତେ ॥୪୬
ଅନ୍ତେ ପାଇବୁ ମୋତେ ତୁହି । ଏମନ୍ତେ ବିଷ୍ଣୁ ବର ଦେଇ ॥୪୭
ଶୂନ୍ୟେ ଯେ ଗଲେ ଚକ୍ରଧର । ଏବେ ହୋ ଶୁଣ ନୃପବର ॥୪୮
ଦେଖି ତାହାର ଧୈର୍ଯ୍ୟପଣ । ବାସବ ଆଦି ଦେବଗଣ ॥୪୯
ସମ୍ମୁଖେ ତାହାର ମିଳିଲେ । ଆପଣା ମାୟା ଦୂର କଲେ ॥୫୦
ସନ୍ତୋଷେ ତା'ର ମୁଖ ଚାହିଁ । କହନ୍ତି ଶୁଣ ନରସାଇଁ ॥୫୧
ବ୍ରାହ୍ମଣ ଆଦି ବେଶ ଯେତେ । ମାୟାରେ ଦେଖାଇଲୁ ତୋତେ ॥୫୨
ତୋହର ଧୈର୍ଯ୍ୟପଣ ଦେଖି । ଆମ୍ଭେ ଅତ୍ୟନ୍ତ ହେଲୁ ସୁଖୀ ॥୫୩
ଦେବଙ୍କ ବାକ୍ୟ ଶୁଣି ରାଜା । ପ୍ରଣାମ କରି କଲା ପୂଜା ॥୫୪
କିଛି ହିଁ ତା'ଙ୍କୁ ନମାଗିଲା । ହରିଙ୍କ ପାଦେ ଚିତ୍ତ ଦେଲା ॥୫୫
ଏବେ ହୋ ଶୁଣ ନୃପବର । ସେ ରନ୍ତିଦେବ ନରେଶ୍ୱର ॥୫୬
ସେ ବାସୁଦେବଙ୍କ ଚରଣେ । ଚିତ୍ତ ନିବେଶି ଅନୁକ୍ଷଣେ ॥୫୭
ସର୍ବ ବିଷୟ କଲା ତ୍ୟାଗ । ଚିତ୍ତରେ ଜନ୍ମାଇ ବୈରାଗ୍ୟ ॥୫୮
ମାୟା ତାହାକୁ ନ ଲାଗିଲା । ଯେଣୁ ଈଶ୍ୱରେ ଚିତ୍ତ ଦେଲା ॥୫୯
ତାହାର ନିଜ ଆତ୍ମଜନ । ସକଳେ ବିଷ୍ଣୁପାଦେ ମଗ୍ନ ॥୬୦
ପରମଯୋଗ ସେ ଲଭିଲେ । ପରଂବ୍ରହ୍ମରେ ଲୀନ ହେଲେ ॥୬୧
ଗର୍ଗଙ୍କ ଠାରୁ ଶିନି ଜାତ । ଗାର୍ଗ୍ୟ ତାହାଙ୍କ ହେଲେ ପୁତ୍ର ॥୬୨
କ୍ଷତ୍ରିୟ ହୋଇ ଦ୍ୱିଜ ହେଲେ । ତପସ୍ୟା-ଆରାଧନା ଫଳେ ॥୬୩
ମନ୍ୟୁ-ନୃପର ଆର ପୁତ୍ର । ଯା' ନାମ ମହାବୀର୍ଯ୍ୟ ଖ୍ୟାତ ॥୬୪
ତାହାର ହୋଇଲା କୁମର । ଦୁରିତକ୍ଷୟ ନାମ ତା'ର ॥୬୫
ତା'ଠାରୁ କବି ତ୍ରୟାରୁଣି । ପୁଷ୍କରାରୁଣି ପୁତ୍ର ତିନି ॥୬୬
ସେ ତିନିଜଣ ତପବଳେ । ବ୍ରାହ୍ମଣ ଭାବକୁ ବହିଲେ ॥୬୭
ମନ୍ୟୁର ଯେହୁ ପଞ୍ଚପୁତ୍ର । ଜ୍ୟେଷ୍ଠ ତହିଁରେ ବୃହତ୍‌କ୍ଷତ୍ର ॥୬୮
ହସ୍ତୀ ଯେ ତାହାର କୁମର । ବସାଇ ହସ୍ତିନା ନଗର ॥୬୯
ହସ୍ତୀର ହେଲେ ତିନିସୁତ । ଦ୍ୱିମୀଢ଼ ଅଜମୀଢ଼ ଖ୍ୟାତ ॥୭୦
ଅପର ପୁରୁମୀଢ଼ ଘେନି । ଏମନ୍ତେ ହେଲେ ପୁତ୍ର ତିନି ॥୭୧
ପ୍ରିୟ ମେଧାଦି ଦ୍ୱିଜଗଣ । ଅଜମୀଢ଼ ବଂଶେ ଉତ୍ପନ୍ନ ॥୭୨
ବୃହଦିଷୁ ଅଜମୀଢ଼ର । ତା' ସୁତ ବୃହଦ୍ଧନୁ ବୀର ॥୭୩
ତା'ର କୁମର ବୃହତ୍‌କାୟ । ଜୟଦ୍ରଥ ତା'ର ତନୟ ॥୭୪
ବିଶଦ ତା'ର ବୀର୍ଯ୍ୟେ ଜାତ । ତା'ର ତନୟ ସେନଜିତ ॥୭୫
ସେନଜିତରୁ ରୁଚିରାଶ୍ୱ । ବ›ତ୍ସ ଯେ ଦୃଢ଼ହନୁ କାଶ୍ୟ ॥୭୬
ରୁଚିରାଶ୍ୱର ପୁତ୍ର ପାର । ପୃଥୁସେନ ତା'ର କୁମର ॥୭୭
ପାରର ନୀପ ନାମେ ପୁତ୍ର । ତାହାର ହେଲେ ଶତେ ସୁତ ॥୭୮
ଶୁକ କନ୍ୟା କୃତି ଗର୍ଭରେ । ସେ ଏକପୁତ୍ର ଲାଭ କରେ ॥୭୯
ଯାହାର ନାମ ବ୍ରହ୍ମଦତ୍ତ । ଯେ ନିତ୍ୟେ ଯୋଗଜ୍ଞାନେ ରତ ॥୮୦
ତାହାର ପତ୍ନୀ ସରସ୍ୱତୀ । ବିଷ୍ୱକ୍ସେନ୍ ତା'ର ସନ୍ତତି ॥୮୧
ସେ ବିଷ୍ୱକ୍ସେନ୍ ଯୋଗ କଲା । ଜୈଗୀଷବ୍ୟଙ୍କୁ ଆରାଧିଲା ॥୮୨
ଯୋଗଶାସ୍ତ୍ରର ତନ୍ତ୍ରମାନ । ଅନେକ କଲା ପ୍ରଣୟନ ॥୮୩
ତାହାର ସୁତ ଉଦ୍‌କସ୍ୱନ । ଭଲ୍ଲାଟ ତା'ଠାରୁ ଜନମ ॥୮୪
ବୃହଦିଷୁର ବଂଶ ଏତେ । କହିଲୁ ତୋହର ଅଗ୍ରତେ ॥୮୫
ଏବେ ତୁ ଶୁଣ ନରନାଥ । ଦ୍ୱିମୀଢ଼ ବଂଶର ଚରିତ ॥୮୬
ଦ୍ୱିମୀଢ଼ ପୁତ୍ର ଯବୀନର । କୃତ୍ତିମାନ ତା'ର କୁମର ॥୮୭
ସତ୍ୟଧୃତି ତା'ର ନନ୍ଦନ । ଦୃଢ଼ନେମି ତା ତହୁଁ ଜନ୍ମ ॥୮୮
ସୁପାର୍ଶ୍ୱ ତାହାର କୁମର । ସୁମତି ନାମେ ସୁତ ତା'ର ॥୮୯
ତା'ର ସୁତ ସନ୍ନତିମାନ । କୃତି ଯେ ତାହାର ନନ୍ଦନ ॥୯୦
ହିରଣ୍ୟନାଭ ତହୁଁ ଦୀକ୍ଷା । ପାଇ ଯେ ଯୋଗ କଲା ଶିକ୍ଷା ॥୯୧
ପ୍ରାଚ୍ୟ ସାମସଂହିତା ମାନ । କୃତି ତା' କଲା ଭିନ୍ନଭିନ୍ନ ॥୯୨
ସଂହିତା ଷଡ଼ଭାଗ କଲା । ଶିଷ୍ୟପ୍ରଶିଷ୍ୟେ ଶିକ୍ଷା ଦେଲା ॥୯୩
ଉଗ୍ରାୟୁଧ କୃତି ନନ୍ଦନ । କ୍ଷେମ୍ୟ ତା' ତହୁଁ ହେଲା ଜନ୍ମ ॥୯୪
ସୁବୀର କ୍ଷେମ୍ୟର ତନୟ । ତାହାର ପୁତ୍ର ରିପୁଞ୍ଜୟ ॥୯୫
ବହୁରଥ ଯେ ତା'ର ସୁତ । ଦ୍ୱିମୀଢ଼ ବଂଶେ ଏତେ ଖ୍ୟାତ ॥୯୬
ପୁରୁମୀଢ଼ ଯେ ନିଃସନ୍ତାନ । ଅଜମୀଢ଼ର ବଂଶ ଶୁଣ ॥୯୭
ନଳିନୀ ପତ୍ନୀ ଗର୍ଭେ ତା'ର । ନୀଳ ନାମେ ହେଲା କୁମର ॥୯୮
ନୀଳର ପୁତ୍ର ନାମ ଶାନ୍ତି । ତା'ଠାରୁ ଜନମ ସୁଶାନ୍ତି ॥୯୯
ସୁଶାନ୍ତି ତନୟ ପୁରୁଜ । ଅର୍କ ଯେ ତାହାର ତନୁଜ ॥୧୦୦
ଭର୍ମ୍ୟାଶ୍ୱ ତାହାର ନନ୍ଦନ । ପୁତ୍ର ତାହାର ପାଞ୍ଚଜଣ ॥୧୦୧
ମୁଦଗ୍‌ଲ ଯବନୀର ବେନି । ବୃହଦିଷୁ କାମ୍ପିଲ୍ୟ ଘେନି ॥୧୦୨
ଆବର ସଞ୍ଜୟ ସହିତେ । ଏ ରୂପେ ହେଲେ ପଞ୍ଚ ସୂତେ ॥୧୦୩
ପଞ୍ଚବିଷୟେ ସେ ସମର୍ଥ । ତେଣୁ ପାଞ୍ଚାଳ ନାମେ ଖ୍ୟାତ ॥୧୦୪
ମୁଦଗ୍‌ଲ ତହୁଁ ହେଲା ଖ୍ୟାତ । ମୌଦ୍‌ଗଲ୍ୟ ବ୍ରହ୍ମଣଙ୍କ ଗୋତ୍ର ॥୧୦୫
ମୁଦଗ୍‌ଲ ତହୁଁ ଉତ୍ତପନ୍ନ । ହୋଇଲେ ଯମଜ ସନ୍ତାନ ॥୧୦୬
ମୁଦଗ୍‌ଲ ପୁତ୍ର କନ୍ୟା ଦେଖି । ଅତ୍ୟନ୍ତ ହୋଇଲାକ ସୁଖୀ ॥୧୦୭
ମୁଦଗ୍‌ଲ ପୁତ୍ର ଦିବୋଦାସ । କନ୍ୟାଏ ଅହଲ୍ୟା ପ୍ରକାଶ ॥୧୦୮
ଗୌତମ ହେଲେ ତା'ର ପତି । ଶତାନନ୍ଦ ତା'ର ସନ୍ତତି ॥୧୦୯
ସତ୍ୟଧୃତି ତାହାର ସୁତ । ସେ ଧନୁର୍ବେଦେ ସୁପଣ୍ତିତ ॥୧୧୦
ତା'ର କୁମର ଶରଦ୍ୱାନ । ଅତି ସୁନ୍ଦର ବିଦ୍ୟମାନ ॥୧୧୧
ଉର୍ବଣୀ ଦେଖି ବନଦେଶେ । ତାହାର ରେତ କାମବଶେ ॥୧୧୨
ଧରି ନ ପାରି ରେତ ଦମ୍ଭେ । ତକ୍ଷଣେ ପଡ଼େ ଶର ଖମ୍ବେ ॥୧୧୩
ପୁତ୍ର ଦୁହିତା ହୋଇ ଜାତ । ବନେ ହୋଇଲେ ଅରକ୍ଷିତ ॥୧୧୪
ଏମନ୍ତେ ପାହିଲା ରଜନୀ । ଶାନ୍ତନୁ କରେ ଧନୁ ଘେନି ॥୧୧୫
ମୃଗୟା ଅର୍ଥେ ବନେ ଗଲା । ସେ କନ୍ୟାପୁତ୍ରଙ୍କୁ ଦେଖିଲା ॥୧୧୬
ମନ ସନ୍ଦେହେ ବିଚାରଇ । ଅଦ୍ଭୁତ କନ୍ୟାପୁତ୍ର ଏହି ॥୧୧୭
କିଏ କାହାର କନ୍ୟା ସୁତେ । ବନେ ଅଛନ୍ତି ଅରକ୍ଷିତେ ॥୧୧୮
ଏମନ୍ତେ ଚିତ୍ତେ କୃପା କରି । କନ୍ୟାକୁମର କୋଳେ ଧରି ॥୧୧୯
ମନ୍ଦିରେ ମିଳି ସେ ରାଜନ । କନ୍ୟା କୁମରେ ଦେଲା ନାମ ॥୧୨୦
କୃପାବଶରୁ କୃପ ନାମ । ଅତି ସୁନ୍ଦର ଅନୁପମ ॥୧୨୧
କନ୍ୟାର ନାମ କୃପୀ ଦେଲା । ଦ୍ରୋଣେ ତାହାକୁ ବିଭା କଲା ॥୧୨୨
ଶୁଣ ସୁଜନେ ଏକଚିତ୍ତେ । ସଂସାରୁ ତରିବ ଯେମନ୍ତେ ॥୧୨୩
କୃଷ୍ଣଚରିତ ଅନୁସର । ଦୁର୍ଲ୍ଲଭ ମନୁଷ୍ୟ ଶରୀର ॥୧୨୪
ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୨୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଏକବିଂଶୋଽଧ୍ୟାୟଃ । ।

ଦ୍ୱାବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ବ୍ୟାସକୁମର ଅତି ତୋଷେ । କହନ୍ତି ପରୀକ୍ଷିତ ପାଶେ ॥୧

ଶୁକ ଉବାଚସମ୍ପାଦନ କରନ୍ତୁ

ମିତ୍ରାୟୁ ଦିବୋଦାସ ସୁତ । ଚ୍ୟବନ ତା'ର ତହୁଁ ଜାତ ॥୨
ସୁଦାସ ତାହାର ନନ୍ଦନ । ତା' ସୁତ ସହଦେବ ଘେନ ॥୩
ସୋମକ ସହଦେବ ସୁତ । ତା' ବୀର୍ଯ୍ୟୁ ହେଲେ ଶତେପୁତ୍ର ॥୪
ତାହାଙ୍କ ମଧ୍ୟେ ଜନ୍ତୁ ଜ୍ୟେଷ୍ଠ । ପୃଷତ ଅଟଇ କନିଷ୍ଠ ॥୫
ଦ୍ରୁପଦ ତାହାର ନନ୍ଦନ । ତା'ର ତନୟ ଧୃଷ୍ଟଦ୍ୟୁମ୍ନ ॥୬
ଦ୍ରୌପଦୀ କନ୍ୟା ତା'ଙ୍କ ଘରେ । ସେ ଆଦିଶକ୍ତି ଜନ୍ମାନ୍ତରେ ॥୭
ସେ ଧୃଷ୍ଟଦ୍ୟୁମ୍ନଙ୍କର ରେତୁଁ । ଜନ୍ମ ଲଭିଲେ ଧୃଷ୍ଟକେତୁ ॥୮
ଭର୍ମ୍ୟାଶ୍ୱ ବଂଶେ ଏତେ ଜାତ । ପାଞ୍ଚାଳ ନାମେ ହେଲେ ଖ୍ୟାତ ॥୯
ପାଞ୍ଚାଳ ଦେଶ ରାଜା ପଣେ । ପ୍ରଜା ପାଳିଲେ ଶୁଭକ୍ଷଣେ ॥୧୦
ଅଜମୀଢ଼ର ସୁତ ରକ୍ଷ । ତହୁଁ ସମ୍ବରଣ ପ୍ରତ୍ୟକ୍ଷ ॥୧୧
ସେ ପୁଣି କାଳିନ୍ଦୀର ଜଳେ । ସୂର୍ଯ୍ୟର କନ୍ୟା ସଙ୍ଗମେଳେ ॥୧୨
କୁରୁ ହୋଇଲା ତା'ର ବଂଶେ । ଏ କଥା ଶୁଣିଛୁ ଭବିଷ୍ୟେ ॥୧୩
କୁରୁର ପୁତ୍ର ହୋଏ ଚାରି । ପରୀକ୍ଷିତ ସୁଧନୁ ଆହୁରି ॥୧୪
ଜହ୍ନୁ ନିଷଧାଶ୍ୱ ସହିତେ । ଏ ରୂପେ ହେଲେ ଚାରିସୂତେ ॥୧୫
ସୁହୋତ୍ର ସୁଧନୁ ନନ୍ଦନ । ତାହାର ସୁତ ଯେ ଚ୍ୟବନ ॥୧୬
ଚ୍ୟବନ ସୁତ କୃତୀ ନାମ । ବସୁ ତାହାର ବୀର୍ଯ୍ୟେ ଜନ୍ମ ॥୧୭
ବସୁ ତନୟ ବୃହଦ୍ରଥ । କୁଶାମ୍ବ ଦ୍ୱିତୀୟ ଯେ ପୁତ୍ର ॥୧୮
ମ›ତ୍ସ୍ୟ ତୃତୀୟ ପୁତ୍ର ହୁଏ । ପ୍ରତ୍ୟଗ୍ର ଚତୁର୍ଥ ବୋଲାଏ ॥୧୯
ଚେଦିପ ଆଦି ବହୁ ଭ୍ରାତ । ଉପରିଚର ବସୁ ପୁତ୍ର ॥୨୦
କୁଶାଗ୍ର ବୃହଦ୍ରଥ ସୁତ । ଋଷଭ ତା'ର ତହୁଁ ଜାତ ॥୨୧
ଋଷଭ ପୁତ୍ର ସତ୍ୟହିତ । ପୁଷ୍ପବାନ ଯେ ତା'ର ସୁତ ॥୨୨
ବୃହଦ୍ରଥର ବେନିନାରୀ । ଦୁର୍ବାସା ପାଦେ ସେବା କରି ॥୨୩
ଗର୍ଭର ଅର୍ଥେ ଚ୍ୟୁତ ଫଳ । ବାଣ୍ଟି ଖାଇଲେ ବେନିଫାଳ ॥୨୪
ଋଷି ବଚନେ ତା'ଙ୍କ ବାଳେ । ଜନ୍ମ ହୋଇଲେ ବେନି ଫାଳେ ॥୨୫
ଜୀବନ ନାହିଁ ତା'ଙ୍କ ଦେହେ । କେ ଛାଡ଼ି ପାରି ପୁତ୍ର ସ୍ନେହେ ॥୨୬
ନିଶି ପର୍ଯ୍ୟନ୍ତେ କୋଳେ ବହି । ଶ୍ମଶାନେ ପକାଇଲେ ନେଇ ॥୨୭
ଏମନ୍ତେ ଶୁଣ ନରନାଥ । ଜରାରାକ୍ଷସୀ ଉପଗତ ॥୨୮
କ୍ଷୁଧା-ପୀଡ଼ନେ ଦେଶବନେ । ବୁଲଇ ଦୁର୍ଗମ ଶ୍ମଶାନେ ॥୨୯
ସ୍ୱଭାବେ ନରମାଂସ ଖାଇ । ଶ୍ମଶାନେ ମିଳିଲାକ ଯାଇ ॥୩୦
ଆନନ୍ଦେ ବେନିଖଣ୍ତ ଧରି । କ୍ଷେପନ୍ତେ ବଦନ ବିସ୍ତାରି ॥୩୧
ଦେଖେ ବାଳକ ବେନିଖଣ୍ତ । ତେଜେ ବିରାଜେ ମାରତଣ୍ତ ॥୩୨
ବେନିଫାଳକୁ ଏକ କଲା । ସ୍ୱମନ୍ତ୍ରେ ଜୀବନ୍ୟାସ ଦେଲା ॥୩୩
ଡାକଇ ଜୀବ ଜୀବ ରାବେ । ସେ ବେନିଖଣ୍ତ ଏକଭାବେ ॥୩୪
ତକ୍ଷଣେ କୁମର ହୋଇଲା । ସୁନ୍ଦରେ ଜଗତ ମୋହିଲା ॥୩୫
ପୁଣି ସେ ତା'ର ମୁଖ ଚାହିଁ । ବୋଲଇ ଶିରେ ହସ୍ତ ଦେଇ ॥୩୬
ଅଜୟ ହୁଅ ନରଲୋକେ । ଅନେକ ରାଜା ଜିଣି ଏକେ ॥୩୭
ଯେ ତୋତେ କରି ବେନିଫାଳ । କ୍ଷେପିବ ଭୂମି ଅନ୍ତରାଳ ॥୩୮
ଖଣ୍ତେ ପଡ଼ିବ ସିନ୍ଧୁଜଳେ । ଦହିବ ବଡ଼ବା ଅନଳେ ॥୩୯
ତେବେ ପୂରିବ କାଳ ତୋ'ର । ଏବେ ତୁ ଅଜର ଅମର ॥୪୦
ଏମନ୍ତେ ଅସୁରୀ ସାଧନେ । ସେ ଜରାସନ୍ଧ ଅନୁଦିନେ ॥୪୧
ଅନେକ ରାଜ୍ୟ ଭୋଗ କଲା । ଅନ୍ତେ ଭୀମର ହସ୍ତେ ମଲା ॥୪୨
ତା'ର କୁମର ସହଦେବ । ତା' ବୀର୍ଯ୍ୟେ ସୋମାପି ସମ୍ଭବ ॥୪୩
ଶ୍ରୁତଶ୍ରବା ତାହାର ବଳା । ପରୀକ୍ଷିତ ନିଃସନ୍ତାନ ଥିଲା ॥୪୪
ଜହ୍ନୁର ତନୟ ସୁରଥ । ତା'ର ତନୟ ବିଦୁରଥ ॥୪୫
ତା'ର କୁମର ସାର୍ବଭୌମ । ତା' ତେଜେ କେହି ନୋହେ ସମ ॥୪୬
ତା'ର କୁମର ଜୟସେନ । ରାଧିକ ତାହାର ନନ୍ଦନ ॥୪୭
ତା ଠାରୁ ଅତାୟୁ ହୋଏ । ଅକ୍ରୋଧନ ତା'ର ତନୟେ ॥୪୮
ତା'ର କୁମର ଦେବାତିଥି । ଋଷ୍ୟ ତା' ତହୁଁ ଉତ୍‌ପତ୍ତି ॥୪୯
ତାହାର ଆତ୍ମଜ ଦିଲୀପ । ତା' ପୁତ୍ର ନାମଟି ପ୍ରତୀପ ॥୫୦
ପ୍ରତୀପ ବୀର୍ଯ୍ୟେ ପୁତ୍ର ତିନି । ହୋଇଲେ ନିଜରୂପ ଘେନି ॥୫୧
ଦେବାପି ଶାନ୍ତନୁ ବାହ୍ଲୀକ । ସ୍ୱଭାବେ ସୁଜ୍ଞାନୀ ବିବେକ ॥୫୨
ଦେବାପି ପୂର୍ବଜାତି ସ୍ମରି । ରାଜ୍ୟେ ନୋହିଲା ଅଧିକାରୀ ॥୫୩
ସଂଯମେ ଯୋଗ-ଅଭ୍ୟାସନେ । ନିଶ୍ଚଳେ ରହିଲା ସେ ବନେ ॥୫୪
ପିତାର ବଚନ ନ କଲା । ଅରଣ୍ୟେ ନିର୍ଭୟେ ରହିଲା ॥୫୫
ସେ ପୁଣି କଳିଯୁଗ ଶେଷେ । ରାଜା ହୋଇବ ସୋମବଂଶେ ॥୫୬
ଶାନ୍ତୁନୁ ରାଜ୍ୟେ ହୋଇ ରାଜା । ଧର୍ମେ ପାଳିଲା ଜନପ୍ରଜା ॥୫୭
ପୂର୍ବଜନ୍ମରେ ତା'ର ନାମ । ମହାଭିଷ ବୋଲି ପ୍ରଧାନ ॥୫୮
ତା'ର ମହିମା ଶୁଣ ରାୟେ । ସେ ଯାକୁ ହସ୍ତ ଘେନି ଛୁଏଁ ॥୫୯
ସେ ଯେବେ ହୋଇଥିବ ଜୀର୍ଣ୍ଣ । ତକ୍ଷଣେ ଲଭିବ ଯୌବନ ॥୬୦
ଶାନ୍ତି ଲଭି ଯେ ସୁଖେ ରହେ । ତେଣୁ ସେ ଶାନ୍ତନୁ ବୋଲାଏ ॥୬୧
ଏମନ୍ତେ ତା'ର ରାଜ୍ୟ କାଳେ । ମେଘ ନଦିଶେ ଅନ୍ତରାଳେ ॥୬୨
ବୃଷ୍ଟି ନ କରେ ବଳାହକ । କ୍ଷୁଧା ପୀଡ଼ିତ ସର୍ବଲୋକ ॥୬୩
ଏମନ୍ତେ ଦ୍ୱାଦଶ ବରଷ । ବୃଷ୍ଟି ବିହୀନ ତା'ର ଦେଶ ॥୬୪
ଶାନ୍ତନୁ ବ୍ରାହ୍ମଣଙ୍କୁ ଚାହିଁ । ବୋଲଇ ଶିରେ କର ଦେଇ ॥୬୫
ଦେଖ ଦୁଃଖିତ ନରଲୋକ । ଜଳ ନ ମୁଞ୍ଚେ ବଳାହକ ॥୬୬
କିବା କଳ୍ମଷ ମୋ'ର ଅଛି । ଇନ୍ଦ୍ର ନ ବରଷେ ତା' ଲକ୍ଷି ॥୬୭
ଏମନ୍ତ ଶୁଣି ତା'ର ବାଣୀ । ବିପ୍ରେ ନିଗମେ ପରିମାଣି ॥୬୮
ବୋଇଲେ ପରବେତ୍ତା ଦୋଷେ । ଇନ୍ଦ୍ର ନ ବରଷେ ତୋ' ଦେଶେ ॥୬୯
ଜ୍ୟେଷ୍ଠେ ନ ଦେଇ ରାଜ୍ୟ ଶିରୀ । କନିଷ୍ଠ ଯେବେ ରାଜ୍ୟ କରି ॥୭୦
ଜ୍ୟେଷ୍ଠକୁ ବିବାହ ନ କରି । କନିଷ୍ଠ ଯେବେ କନ୍ୟା ବରି ॥୭୧
ଜ୍ୟେଷ୍ଠ ଭ୍ରାତାର ରାଜ୍ୟଭାଗ । ତୁମ୍ଭେ କରୁଛ ନିଜେ ଭୋଗ ॥୭୨
ସେ ପରିବେତ୍ତା ଅତି ଦୋଷେ । ତୋ' ଦେଶେ ଇନ୍ଦ୍ର ନ ବରଷେ ॥୭୩
ଏମନ୍ତ ବିପ୍ରମୁଖୁଁ ଶୁଣି । ଭୟେ ବୋଲଇ ନୃପମଣି ॥୭୪
ରାଜ୍ୟ ମୁଁ ଜ୍ୟେଷ୍ଠଭ୍ରାତେ ଦେଇ । ତପ ସାଧିବି ବନେ ରହି ॥୭୫
ସୁଖେ ଜୀଅନ୍ତୁ ଜନପ୍ରଜା । ଦେବାପି ରାଜ୍ୟେ ହେଉ ରାଜା ॥୭୬
ସଙ୍ଗେ ଘେନାଇ ବିପ୍ରଗଣେ । ଦେବାପି ରାଜ୍ୟ ସମର୍ପଣେ ॥୭୭
ଶାନ୍ତୁନୁ ଜ୍ୟେଷ୍ଠଭ୍ରାତା ପାଦେ । ପଡ଼ି ବୋଲଇ ଶୋକନାଦେ ॥୭୮
ହେ ଭ୍ରାତ ରାଜ୍ୟେ ହୁଅ ରାଜା । ସୁଖେ ଜୀଅନ୍ତୁ ଜନପ୍ରଜା ॥୭୯
ଦେବାପି ତା'ର ବୋଲ ଶୁଣି । କହିଲା ଧର୍ମ ପରିମାଣି ॥୮୦
ଦେଶୁଁ ବାହାର ହୋଇ ମୁହିଁ । ରାଜ୍ୟେ ମୋ' ପ୍ରୟୋଜନ ନାହିଁ ॥୮୧
ଏ ଅନ୍ତେ ରାଜା ମନ୍ତ୍ରୀଗଣ । କଲେ କପଟ ଆଚରଣ ॥୮୨
ବିଶ୍ୱାସୀ ବ୍ରାହ୍ମଣ ରାଇଲେ । ତାହାଙ୍କୁ କୁମନ୍ତ୍ରଣା ଦେଲେ ॥୮୩
ବୋଇଲେ ଶୁଣ ବିପ୍ରଗଣ । ଦେବାପି କାର୍ଯ୍ୟ କର ବିଘ୍ନ ॥୮୪
ଶୁଣି ସେ ବିପ୍ରେ ବେଗେ ଗଲେ । ଦେବାପି ନିକଟେ ମିଳିଲେ ॥୮୫
ପାଷଣ୍ତ ମତ ପୃଷ୍ଠ ପୋଷ । କରି ସେ ଦେଲେ ଉପଦେଶ ॥୮୬
ତେଣୁ ତା' ବୁଦ୍ଧି ହେଲା ନଷ୍ଟ । ବେଦମାର୍ଗର ହେଲା ଭ୍ରଷ୍ଟ ॥୮୭
ବେଦକୁ ଯେଣୁ ନିନ୍ଦା କଲା । ତେଣୁ ସେ ପତିତ ହୋଇଲା ॥୮୮
ରାଜ୍ୟେ ନୋହିଲା ଅଧିକାରୀ । ପୁଣି ଶାନ୍ତନୁ ରାଜ୍ୟ କରି ॥୮୯
ତାହାର ଦୋଷ ନ ରହିଲା । ଦେବାପି ବେଦନିନ୍ଦା କଲା ॥୯୦
ତକ୍ଷଣେ ନିଗମ ବଚନେ । ଜୀମୂତେ ମିଳିଲେ ଗଗନେ ॥୯୧
ଗମ୍ଭୀର ଘୋରନାଦ କରି । ତକ୍ଷ୍‌ଣେ ବରଷିଲେ ବାରି ॥୯୨
ଦେବାପି ମନେ ଜ୍ଞାନଭରି । କଳାପ ଗ୍ରାମ ଆଶ୍ରେ କରି ॥୯୩
ବିଶ୍ୱ ସଂସାରେ କାଳବଳେ । ସୋମବଂଶ ବିନାଶ ବେଳେ ॥୯୪
କଳିର ଥିବ ଅବଶେଷ । ସେ ପୁଣି ସ୍ଥାପି ସୋମବଂଶ ॥୯୫
ରାଜା ହୋଇବ ଦିନାକେତେ । ପ୍ରଜା ପାଳିବ ଧର୍ମଚିତ୍ତେ ॥୯୬
ମର୍ତ୍ତ୍ୟେ ସ୍ଥାପିବ ସୋମବଂଶ । ଯେ ଅବା ଥିବ ଅବଶେଷ ॥୯୭
ବହ୍ଲୀକ ବୀର୍ଯ୍ୟେ ସୋମଦତ୍ତ । ଭୂରି ଭୂରିଶ୍ରବା ତା' ସୁତ ॥୯୮
ଶଲକୁ ଘେନି ପୁତ୍ର ତିନି । ସୋମଦତ୍ତର ବୀର୍ଯ୍ୟେ ଜନ୍ମି ॥୯୯
ଶାନ୍ତୁନୁ ବୀର୍ଯ୍ୟେ ପୁତ୍ର ଜାତ । ଭୀଷ୍ମ ନାମରେ ଗଙ୍ଗାସୁତ ॥୧୦୦
ସେ ସର୍ବ ବୀର-ଶିରୋମଣି । ପରଶୁରାମେ ଯୁଦ୍ଧେ ଜିଣି ॥୧୦୧
ଶାନ୍ତନୁ ଦାସକନ୍ୟା ଗର୍ଭେ । ଚିତ୍ରାଙ୍ଗଦ ଯେ ଜାତ ପୂର୍ବେ ॥୧୦୨
ଯେ ଚିତ୍ରାଙ୍ଗଦ ନାମେ ସୁତ । ସେହି ଗନ୍ଧର୍ବେ ହେଲା ହତ ॥୧୦୩
ବିଚିତ୍ରବୀର୍ଯ୍ୟ ଅବରଜ । ଏବେ ହୋ ଶୁଣ କୁରୁରାଜ ॥୧୦୪
ସେ କନ୍ୟା ଗର୍ଭେ ଗଙ୍ଗାଜଳେ । ଧରି ଯେ ପରାଶର ବଳେ ॥୧୦୫
ବ୍ୟାସମୁନିଙ୍କି ଜନ୍ମ କରି । ସଂଭ୍ରମେ ତା'କୁ କୋଳେ ଧରି ॥୧୦୬
ବଦରୀ ବନେ ପକାଇଲେ । ଗୋବିନ୍ଦ ତାହାଙ୍କୁ ରଖିଲେ ॥୧୦୭
ସେ ବିଷ୍ଣୁ ଅଂଶେ ମହାମୁନି । ପ୍ରତ୍ୟକ୍ଷେ ବିଷ୍ଣୁତେଜ ଘେନି ॥୧୦୮
ହରିର ଅଂଶେ ଉତପନ୍ନ । ନାମ ତା' କୃଷ୍ଣ ଦ୍ୱୈପାୟନ ॥୧୦୯
ପଇଳ ଆଦି ଶିଷ୍ୟଗଣେ । ବିଦ୍ୟା ଅଭ୍ୟାସି ଜଣେ ଜଣେ ॥୧୧୦
ହୋଇଲେ ସର୍ବଶାସ୍ତ୍ର ବେତ୍ତା । ସକଳ ଗୁଣେ ଗୁଣବନ୍ତା ॥୧୧୧
ସେ ମୋତେ ରେତୁଁ ଜାତକଲେ । ଏ ଭାଗବତ ଶିକ୍ଷା ଦେଲେ ॥୧୧୨
ଏମନ୍ତେ କାଶୀରାଜ ଘରେ । ଭୀଷ୍ମ ଯେ କନ୍ୟା ସ୍ୱୟମ୍ବରେ ॥୧୧୩
ଦୁର୍ଗମ ଲାଖ ବିନ୍ଧି ବଳେ । ଅନେକ ନୃପତିଙ୍କ ମେଳେ ॥୧୧୪
ରାଜାଙ୍କୁ ଲାଖବିନ୍ଧି ଜିଣି । ଲଭିଲେ ନୃପତି ଦୁଲଣୀ ॥୧୧୫
ଅମ୍ବିକା ଆଉ ଅମ୍ବାଳିକା । କନ୍ୟାଏ ବର ବରି ଏକା ॥୧୧୬
ତାହାଙ୍କୁ ନିଜପୁରେ ଥୋଇ । ବିଚିତ୍ରବୀର୍ଯ୍ୟେ ବିଭା ଦେଇ ॥୧୧୭
ଅମ୍ବା ଯେ ଅନ୍ୟେ ନ ବରିଲା । ଭୀଷ୍ମଙ୍କୁ ମହାକ୍ରୋଧ କଲା ॥୧୧୮
ତପ ସାଧିଲା ନାନାମତେ । ପୂର୍ବେ ମୁଁ କହିଅଛି ତୋତେ ॥୧୧୯
ଦୁଇ ଭାର୍ଯ୍ୟାରେ ହୋଇ ରତ । ବିଚିତ୍ର ବୀର୍ଯ୍ୟେ କାମେ ମତ୍ତ ॥୧୨୦
ଯକ୍ଷ୍ମାରୋଗରେ ହୋଇ ଗ୍ରସ୍ତ । ଅଳ୍ପ କାଳରେ ହେଲା ହତ ॥୧୨୧
ସନ୍ତାନହୀନ କୁଳ ଦେଖି । ସମସ୍ତେ ହୋଇଲେକ ଦୁଃଖୀ ॥୧୨୨
ମାତାଙ୍କ ଆଦେଶକୁ ମାନି । ତା'ର ସୋଦର ବ୍ୟାସମୁନି ॥୧୨୩
ବିଚିତ୍ରବୀର୍ଯ୍ୟର କ୍ଷେତ୍ରରେ । ପୁଣି ସେ ଗର୍ଭାଧାନ କରେ ॥୧୨୪
ବ୍ୟାସଙ୍କ ବୀର୍ଯ୍ୟେ ତା'ଙ୍କ ଗର୍ଭେ । ପୁତ୍ରେ ଉପୁଜିଲେ ସ୍ୱଭାବେ ॥୧୨୫
ଜ୍ୟେଷ୍ଠକୁମର ଧୃତରାଷ୍ଟ୍ର । ପାଣ୍ତୁ ଯେ ତାହାର କନିଷ୍ଠ ॥୧୨୬
ଦାସୀର ଉଦରେ ତାହାର । ପୁଣି ଯେ ଜନ୍ମିଲା ବିଦୁର ॥୧୨୭
ଧୃତରାଷ୍ଟ୍ରର ଶତେପୁତ୍ର । ଗାନ୍ଧାରୀ ଗର୍ଭେ ହେଲେ ଜାତ ॥୧୨୮
କନ୍ୟାଏ ଜନ୍ମେ ଅନୁପମ । ଦୁଃଶୀଳା ସେ କନ୍ୟାର ନାମ ॥୧୨୯
ଭ୍ରାତୃଗଣଙ୍କ ମଧ୍ୟେ ଶ୍ରେଷ୍ଠ । ସେ ଦୁର୍ଯ୍ୟୋଧନ ଅଟେ ଜ୍ୟେଷ୍ଠ ॥୧୩୦
ଅଗ୍ନିକାଋଷି ଶାପ ଫଳେ । ପଞ୍ଚବାଳକ ପାଣ୍ତୁକୋଳେ ॥୧୩୧
ଜନ୍ମିଲେ ଅତି ଗୁଣବନ୍ତ । ତାହାଙ୍କ ସଖା ଯେ ଅନନ୍ତ ॥୧୩୨
ତା ପତ୍ନୀ କୁନ୍ତୀ ଗର୍ଭେ ଜାତ । ଯୁଧିଷ୍ଠିରାଦି ତିନି ସୁତ ॥୧୩୩
ଧର୍ମ ପବନ ଇନ୍ଦ୍ର ବୀର୍ଯ୍ୟେ । ତିନି ବାଳକ ମହାତେଜେ ॥୧୩୪
ମାଦ୍ରୀର ଗର୍ଭେ ପୁତ୍ର ଦୁଇ । ନକୁଳ ସହଦେବ ହୋଇ ॥୧୩୫
ଅଶ୍ୱିନୀକୁମାରଙ୍କ ବୀର୍ଯ୍ୟେ । ଜନ୍ମ ହୋଇଲେ ମହାତେଜେ ॥୧୩୬
ଏ ଯେ ହୋଇଲେ ପଞ୍ଚଭ୍ରାତ । ଏହାଙ୍କ ହେଲା ପାଞ୍ଚସୁତ ॥୧୩୭
ଦ୍ରୌପଦୀ ଗର୍ଭେ ହେଲେ ଜନ୍ମ । ଶୁଣ ହୋ ତାହାଙ୍କର ନାମ ॥୧୩୮
ଯୁଧିଷ୍ଠି ପୁତ୍ର ପ୍ରତିବିନ୍ଧ୍ୟ । ତା'କୁ ନଲାଗେ ବ୍ୟାଧି ଦ୍ୱନ୍ଦ୍ୱ ॥୧୩୯
ଭୀମର ପୁତ୍ର ଶ୍ରୁତସେନ । ଶ୍ରୁତକୀର୍ତ୍ତି ତାତ ଅର୍ଜୁନ ॥୧୪୦
ନକୁଳ ସୁତ ଶତାନୀକ । ସୁଜ୍ଞାନୀ ପଣ୍ତିତ ବିବେକ ॥୧୪୧
ସହଦେବର ଯେ ନନ୍ଦନ । ତାହାର ଶ୍ରୁତକର୍ମା ନାମ ॥୧୪୨
ପୌରବୀଗର୍ଭେ ଧର୍ମସୁତ । ଦେବକ ସୁତ କଲେ ଜାତ ॥୧୪୩
ହିଡ଼ିମ୍ବୀ ଗର୍ଭେ ଭୀମବୀର୍ଯ୍ୟେ । ଜନ୍ମିଲା ଘଟୋତ୍କଚ ତେଜେ ॥୧୪୪
ପୁଣି ଭୀମର ବୀର୍ଯ୍ୟେ ଜାତ । କାଳୀର ଗର୍ଭେ ସର୍ବଗତ ॥୧୪୫
ସହଦେବର ପୁତ୍ର ଜାତ । ବିଜୟା ଗର୍ଭରେ ସୁହୋତ୍ର ॥୧୪୬
କରେଣୁମତୀ ଗର୍ଭେ ପୁତ୍ର । ନକୁଳ ବୀର୍ଯ୍ୟେ ନରମିତ୍ର ॥୧୪୭
ଉଲୁପୀ ଗର୍ଭେ ଇରାବନ୍ତ । ଅର୍ଜ୍ଜୁନ ବୀର୍ଯ୍ୟେ ହେଲା ଜାତ ॥୧୪୮
ମଣି ପୁରେଶ କନ୍ୟାଠାରେ । ପୁଣି ଅର୍ଜ୍ଜୁନର ଅଂଶରେ ॥୧୪୯
ବଭ୍ରୁବାହନ ଜନମିଲା । ପୁତ୍ରିକା ତନୟ ସେ ହେଲା ॥୧୫୦
ପୁତ୍ରିକା ଧର୍ମେ ଯେଣୁ ବରେ । ତେଣୁ ସେ ରାଜା ମଣିପୁରେ ॥୧୫୧
ସୁଭଦ୍ରା ଗର୍ଭେ ତୋ'ର ତାତ । ହୋଇଲେ ଅଭିମନ୍ୟୁ ଜାତ ॥୧୫୨
ସେ ମହାବୀର ବାହୁବଳେ । ଜିଣନ୍ତା ନାହିଁ ଭୂମି ତଳେ ॥୧୫୩
ଯେ କୁରୁବଂଶ ନିପାତନେ । ଦ୍ରୋଣନନ୍ଦନ ମହାବାଣେ ॥୧୫୪
ଯେ ଶର ବ୍ରହ୍ମଶିରା ନାମେ । ତୋ' ମାତା ଗର୍ଭେ ଅତି ତମେ ॥୧୫୫
ପେଷିଲା ଅପାଣ୍ତବ ଅର୍ଥେ । ଉତ୍ତରା ଆସୁଥିଲା ପଥେ ॥୧୫୬
ବାଣ ଆସନ୍ତେ ଶୂନ୍ୟପଥେ । ତୋ' ମାତା ଡାକିଲା ଆରତେ ॥୧୫୭
ତକ୍ଷଣେ ବିଷ୍ଣୁ ଗର୍ଭଗତେ । ପଶିଲେ ଚକ୍ର ଘେନି ହସ୍ତେ ॥୧୫୮
ବ୍ରହ୍ମଶିରାକୁ ନାଶ କରି । ତୋତେ ରଖିଲେ ନରହରି ॥୧୫୯
ଏବେ ହୋ କହୁଁ ତୋ' ଅଗ୍ରତେ । ଯେ କର୍ମ ହେବ ଭବିଷ୍ୟତେ ॥୧୬୦
ଏ ଯେ ତୋହର ଚାରିସୁତେ । ଜନମେଜୟର ସମେତେ ॥୧୬୧
ଯେ ଶ୍ରୁତସେନ ଭୀମସେନ । କନିଷ୍ଠ ନାମ ଉଗ୍ରସେନ ॥୧୬୨
ଏ ଚାରିପୁତ୍ରେ ମିଳି ଏକେ । ତେଜେ ପ୍ରତାପ ଅତିରେକେ ॥୧୬୩
ବ୍ରାହ୍ମଣ ତେଜ ଶାପଗ୍ରସ୍ତେ । ତକ୍ଷକେ ଦଂଶିବେ ଯେତୋତେ ॥୧୬୪
ସେ କୋପେ ସର୍ପଯଜ୍ଞ କରି । ତିନିଭୁବନୁ ସର୍ପ ମାରି ॥୧୬୫
ପୁଣି କରିବ ଅଶ୍ୱମେଧି । ଆଗମ ନିଗମ ସମ୍ପାଦି ॥୧୬୬
ସପତଦ୍ୱୀପେ ହୋଇ ରାଜା । ସୁଖେ ପାଳିବ ଜନପ୍ରଜା ॥୧୬୭
ତା'ର ତନୟ ଶତାନୀକ । ହୋଇବ ସୁଜ୍ଞାନୀ ବିବେକ ॥୧୬୮
ଯାଜ୍ଞବଲ୍କ୍ୟର ତହୁଁ ବେଦ । ପଢ଼ିବ ସେ ଉପନିଷଦ ॥୧୬୯
ଶୌନକ ତହୁଁ ଜ୍ଞାନକ୍ରିୟା । ଶାସ୍ତ୍ର ସାଧିବ ପୁଣ୍ୟଦେହା ॥୧୭୦
କୃପାଚାର୍ଯ୍ୟର ସନ୍ନିଧାନ । ଲଭିବ ଯେତେ ଅସ୍ତ୍ରଜ୍ଞାନ ॥୧୭୧
ସହସ୍ରାନୀକ ତା' ନନ୍ଦନ । ଅଶ୍ୱମେଧଜ ତହୁଁ ଜନ୍ମ ॥୧୭୨
ତହୁଁ ଅସୀମକୃଷ୍ଣ ଜାତ । ନେମିଚକ୍ର ତାହାର ସୁତ ॥୧୭୩
ହସ୍ତିନାପୁର ନଦୀସ୍ରୋତେ । କାଳେ ଯେ ବିନଷ୍ଟ ହୁଅନ୍ତେ ॥୧୭୪
ସେ ପୁଣି କୌଶାମ୍ବୀ ନଗରେ । ବାସ କରିବ ଭବିଷ୍ୟରେ ॥୧୭୫
ହରିହରଙ୍କ ତୋଷ ଅର୍ଥେ । କରିବ ସାଧୁକର୍ମ ଯେତେ ॥୧୭୬
ଉପୁଜେ ନେମିଚକ୍ର ସୁତ । ତା'ର ସନ୍ତତି ଚିତ୍ରରଥ ॥୧୭୭
ତା'ର କୁମର କବିରଥ । ତାହାର ବୃଷ୍ଟିମାନ ସୁତ ॥୧୭୮
ସୁଷେଣ ତା'ର ତହୁଁ ଜାତ । ତାହାର କୁମର ସୁନୀଥ ॥୧୭୯
ନୃଚକ୍ଷୁ ତାହାର କୁମର । ତା' ପୁତ୍ର ହେବ ସୁଖୀନଳ ॥୧୮୦
ତାହାର ପୁତ୍ର ପରିପ୍ଳବ । ତା' ତହୁଁ ସୁନୟ ସମ୍ଭବ ॥୧୮୧
ମେଧାବୀ ତାହାର ତନୟ । ତା' ପୁତ୍ର ହେବ ନୃପଞ୍ଜୟ ॥୧୮୨
ତାହାର ପୁତ୍ର ନାମ ଦୂର୍ବ । ତା' ପୁତ୍ର ତିମି ନାମ ହେବ ॥୧୮୩
ତିମିର ପୁତ୍ର ବୃହଦ୍ରଥ । ସୁଦାସ ହେବ ତା'ର ସୁତ ॥୧୮୪
ଶତାନୀକ ଯେ ତା'ର ସୁତ । ଦୁŸର୍ଦ୍ଦମନ ଯେ ତହୁଁ ଜାତ ॥୧୮୫
ତା'ର କୁମର ବହୀନର । ଦଣ୍ତପାଣି ତା'ର କୁମର ॥୧୮୬
ତାହାର ପୁତ୍ର ନିମି ନାମ । ତା' ତହୁଁ କ୍ଷେମକ ଜନମ ॥୧୮୭
ଏମନ୍ତ ବ୍ରହ୍ମକ୍ଷତ୍ର ଯୋନି । ଜନ୍ମ ହୋଇବେ ଦେହ ଘେନି ॥୧୮୮
କ୍ଷେମକ ଠାଇଁ ସୋମବଂଶ । ହୋଇବ କଳିଯୁଗେ ଶେଷ ॥୧୮୯
ଏବେ ହୋ ଶୁଣ କୁରୁରାଣ । ମଗଧ ଦେଶ ପରିମାଣ ॥୧୯୦
ମାର୍ଜାରି ସହଦେବ ସୁତ । ତା' ତହୁଁ ଶ୍ରୁତଶ୍ରବା ଜାତ ॥୧୯୧
ଆୟୁତାୟୁ ତା'ର ନନ୍ଦନ । ତା' ସୁତ ନିରମିତ୍ର ନାମ ॥୧୯୨
ତା'ର ସନ୍ତତି ସୁନକ୍ଷତ୍ର । ବୃହତ୍‌ତ୍ସେ›ନ ଯେ ତା'ର ପୁତ୍ର ॥୧୯୩
କର୍ମଜିତ ତା'ର ତନୟ । ତାହାର ପୁତ୍ର ସୃତଞ୍ଜୟ ॥୧୯୪
ତା' ପୁତ୍ର ବିପ୍ର ତା'ର ସୁତ । ଶୁଚିରୁ ହେବ କ୍ଷେମ ଜାତ ॥୧୯୫
କ୍ଷେମ ଶୁଚିର ପୁତ୍ର ଜାଣ । ସୁବ୍ରତ କ୍ଷେମର ନନ୍ଦନ ॥୧୯୬
ସୁବ୍ରତ ସୁତ ଧର୍ମସୂତ୍ର । ଶମ ହୋଇବ ତା'ର ସୁତ ॥୧୯୭
ଶମର ପୁତ୍ର ଦ୍ୟୁମତ୍ସେ›ନ । ସୁମତି ତାହାର ନନ୍ଦନ ॥୧୯୮
ସୁବଳ ତା'ର ପୁତ୍ର ନାମ । ସୁନୀଶ ତାହାର ନନ୍ଦନ ॥୧୯୯
ତାହାର ପୁତ୍ର ସତ୍ୟଜିତ । ତା' ପୁତ୍ର ହେବ ବିଶ୍ୱଜିତ ॥୨୦୦
ତା' ଠାରୁ ରିପୁଞ୍ଜୟ ଜନ୍ମ । ବୃହଦ୍ରଥର ବଂଶ ଜାଣ ॥୨୦୧
ଏହି ଯେ ବୃହଦ୍ରଥ ବଂଶ । ଭବିଷ୍ୟେ ସହସ୍ର ବରଷ ॥୨୦୨
ରାଜା ହୋଇବେ ଏ ଜଗତେ । ସଂକ୍ଷେପି କହିଲି ମୁଁ ତୋତେ ॥୨୦୩
ସେ ହରିକଥା ଶୁଣି କର୍ଣ୍ଣେ । ସଂସାରୁ ତର ଜ୍ଞାନୀ ଜନେ ॥୨୦୪
କହିଲା ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୨୦୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଦ୍ୱାବିଂଶୋଽଧ୍ୟାୟଃ । ।

ତ୍ରୟୋବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଅନୁର ବଂଶେ ତିନିସୁତ । ଶୁଣ ରାଜନ ପରୀକ୍ଷିତ ॥୧
ଚକ୍ଷୁ ପରେକ୍ଷୁ ବେନି ସୁତ । ତୃତୀୟେ ସଭାନର ଜାତ ॥୨
ସଭାନରରୁ କାଳନର । ସୃଞ୍ଜୟ ତାହାର କୁମର ॥୩
ଜନମେଜୟ ତା'ର ସୁତ । ତା'ଠାରୁ ମହାଶାଳ ଜାତ ॥୪
ତହୁଁ ଯେ ମହାମନା ଜାତ । ତାହାର ହେଲେ ଦୁଇ ସୁତ ॥୫
ସେ ମହାମନା ବୀର୍ଯ୍ୟେ ଘେନି । ତିତିକ୍ଷୁ ଉଶୀନର ବେନି ॥୬
ଶିବି ଯେ କୃମି ଦକ୍ଷ ବର । ଉଶୀନର ଚାରି କୁମର ॥୭
ଉଶୀନରର ବୀର୍ଯ୍ୟେ ଜାତ । ହୋଇଲେ ଜଗତେ ବିଦିତ ॥୮
ହୋଇଲେ ଶିବି ବୀର୍ଯ୍ୟେ ଜନ୍ମ । ଅଦ୍ଭୁତ ତାହାଙ୍କର କର୍ମ ॥୯
ବୃଷାଦର୍ଭ ସୁବୀର ଦୁଇ । ମଦ୍ର କେକୟ ଚାରିଭାଇ ॥୧୦
ତିତିକ୍ଷୁ ପୁତ୍ର ଋଷଦ୍ରଥ । ଅଦ୍ଭୁତ ତାହାର ଚରିତ ॥୧୧
ତାହାର ପୁତ୍ର ନାମ ହୋମ । ସୁତପା ତାହାର ନନ୍ଦନ ॥୧୨
ସୁତପା ପୁତ୍ର ବଳି ହୋଇ । ବନେ ତପସ୍ୱୀ ରୂପ ବହି ॥୧୩
ରହିଲା ସଂସାର ଉପେକ୍ଷି । ସ୍ୱପନ ପ୍ରାୟେ ସର୍ବ ଦେଖି ॥୧୪
ବଳିର କ୍ଷେତ୍ରେ ଷଡ଼ାତ୍ମଜେ । ଜନ୍ମିଲେ ଦୀର୍ଘତମା ବୀର୍ଯ୍ୟେ ॥୧୫
ଅଙ୍ଗବଙ୍ଗ କଳିଙ୍ଗ ତିନି । ସୁହ୍ମ ପୁଣ୍ତ୍ର ଯେ ଉଡ୍ର ଘେନି ॥୧୬
ଆପଣା ନାମେ ରାଜ୍ୟ କରି । ସୁଖେ ପାଳିଲେ ବସୁନ୍ଧରୀ ॥୧୭
ଏ ଷଡ଼ଦେଶେ ହୋଇ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥୧୮
ଅଙ୍ଗ ତନୟ ଖନପାନ । ଦିବିରଥ ତା'ର ନନ୍ଦନ ॥୧୯
ଧର୍ମତଥ ଯେ ତା'ର ସୁତ । ତା' ତହୁଁ ଜନ୍ମ ଚିତ୍ରରଥ ॥୨୦
ସେ ଚିତ୍ରରଥ ବଂଶହୀନ । ରୋମପାଦ ତା' ଖ୍ୟାତ ନାମ ॥୨୧
ଦଶରଥର ସଖା ସେହି । ଅପୁତ୍ର ତା'ର ବଂଶ ଚାହିଁ ॥୨୨
ଶାନ୍ତା କନ୍ୟାକୁ ଦେଲା ନେଇ । ଅତି ଆନନ୍ଦେ ତୋଷ ହୋଇ ॥୨୩
ସେ ତା'କୁ ଋଷ୍ୟଶୃଙ୍ଗ ତୁଲେ । ବେଦବିଧାନେ ବିଭା ଦେଲେ ॥୨୪
ପୂର୍ବେ ସେ ରୋମପାଦ ଦେଶେ । ତା' ଦେଶେ ଇନ୍ଦ୍ର ନ ବରଷେ ॥୨୫
ମନ୍ତ୍ରୀ ବଚନେ ଜ୍ଞାନ ପାଇ । ହରିଣୀସୁତକୁ ଅଣାଇ ॥୨୬
ରାଜା ଆଦେଶେ ବେଶ୍ୟାଗଣ । ଗଲେ ସେ ମୁନି ତପୋବନ ॥୨୭
ତାହାଙ୍କ ନୃତ୍ୟବାଦ୍ୟ ଗୀତେ । ବିଭ୍ରମ ଜନ୍ମେ ଋଷି ଚିତ୍ତେ ॥୨୮
ଗଣିକା ନୃତ୍ୟଗୀତ ବଳେ । ଚିତ୍ତ ମଜ୍ଜିଲା କାମଭୋଳେ ॥୨୯
ଇନ୍ଦ୍ର ନିମନ୍ତେ ଯଜ୍ଞ ପୁଣ । ସେ ଋଷି କଲେ ନାନା କର୍ମ ॥୩୦
ଏମନ୍ତେ ଇନ୍ଦ୍ର ବରଷିଲା । ରାଜାର ସନ୍ତତି ହୋଇଲା ॥୩୧
ସନ୍ତାନ ହୀନ ଦଶରଥ । ତା'ର ସକାଶୁଁ ପୁତ୍ର ପ୍ରାପ୍ତ ॥୩୨
ରୋମପାଦର ଯେଉଁ ସୁତ । ସେ ଚତୁରଙ୍ଗ ନାମେ ଖ୍ୟାତ ॥୩୩
ତା' ପୁତ୍ର ପୃଥୁଳାକ୍ଷ ହେଲା । ତାହାର ବୃହଦ୍ରଥ ବଳା ॥୩୪
ଆବର ବୃହଦ୍‌ଭାନୁ ନାମ । ତୃତୀୟେ ପୁଣି ବୃହତ୍‌କର୍ମ ॥୩୫
ବୃହଦ୍ରଥରୁ ବୃହନ୍ମନ । ତା' ପୁତ୍ର ଜୟଦ୍ରଥ ନାମ ॥୩୬
ବିଜୟ ତାହାର କୁମର । ତହୁଁ ଜନ୍ମିଲା ଧୃତିବୀର ॥୩୭
ତା'ର କୁମର ଧୃତବ୍ରତ । ସତ୍‌କର୍ମା ହେଲା ତା'ର ସୁତ ॥୩୮
ଅଧିରଥ ତା'ର ନନ୍ଦନ । ବନେ ଭ୍ରମୁଁ ସେ ଏକଦିନ ॥୩୯
ଗଙ୍ଗାର ତୀରେ କ୍ରିଡ଼ାକାଳେ । ଦେଖେ ମଞ୍ଜୁଷା ଭାସେ ଜଳେ ॥୪୦
ମଞ୍ଜୁଷା ମଧ୍ୟେ ଶିଶୁ ଦେଖି । ରାଜା ହୋଇଲା ଅତି ସୁଖୀ ॥୪୧
ସେ ଶିଶୁ କୁନ୍ତୀ ଗର୍ଭଜାତ । କୁନ୍ତୀ ତାହାକୁ କଲା ତ୍ୟକ୍ତ ॥୪୨
ସେ ରାଜା ନିଃସନ୍ତାନ ଥିଲା । ଶିଶୁପୁତ୍ରକୁ ସେ ପାଳିଲା ॥୪୩
କନ୍ୟା କାଳରେ ଜନ୍ମିଥିଲା । କାନୀନ ସଜ୍ଞା ତେଣୁ ହେଲା ॥୪୪
ସେ ଅଧିରଥର ନନ୍ଦନ । ତାହାର ନାମ ହେଲା କର୍ଣ୍ଣ ॥୪୫
ତାହାର ବୃଷସେନ ସୁତ । ଏବେ ତୁ ଶୁଣ ନରନାଥ ॥୪୬
ଏବେ ତୁ ଦ୍ରୁହ୍ୟୁବଂଶ ଶୁଣ । ବଭ୍ରୁ ଯେ ତାହାର ନନ୍ଦନ ॥୪୭
ତା'ର ତନୟ ସେତୁ ନାମ । ଆରବ୍ଧ ତାହାର ନନ୍ଦନ ॥୪୮
ତାହାର ପୁତ୍ର ଯେ ଗାନ୍ଧାର । ଧର୍ମ ଯେ କୁମର ତାହାର ॥୪୯
ଧର୍ମର ପୁତ୍ର ନାମ ଧୃତ । ଦୁର୍ମନା ତାହାର ଯେ ପୁତ୍ର ॥୫୦
ତାହାର ପୁତ୍ର ଯେ ପ୍ରଚେତ । ହେଲେ ତାହାର ଶତେ ପୁତ୍ର ॥୫୧
ଉତ୍ତରେ ସେ ନାନା ଦେଶରେ । ରହିଲେ ମ୍ଳେଚ୍ଛ ଅଧିକାରେ ॥୫୨
ତୁର୍ବସୁ ତହୁଁ ବହ୍ନି ଜାତ । ଭର୍ଗ ତାହାର ହେଲା ସୁତ ॥୫୩
ତା'ର ପୁତ୍ର ଯେ ଭାନୁମାନ । ତ୍ରିଭାନୁ ତାହାର ନନ୍ଦନ ॥୫୪
କରନ୍ଧମ ଯେ ତା'ର ସୁତ । ତାହାର ତନୟ ମରୁତ ॥୫୫
ପୁରୁବଂଶରେ ହୋଇ ଜାତ । ଯା' ନାମ ଅଟଇ ଦୁଷ୍ୟନ୍ତ ॥୫୬
ମରୁତ ତା'କୁ କଲା ପୁତ୍ର । ସେପୁଣି ରାଜ୍ୟ ଲୋଭେ ଗ୍ରସ୍ତ ॥୫୭
ପୁଣି ସେ ବଂଶେ ପ୍ରବେଶିଲା । ଉଭୟ ରାଜ୍ୟ ଭୋଗ କଲା ॥୫୮
ଏମନ୍ତେ ଅନୁବଂଶ ଯେତେ । କହିଲି ବଂଶାନୁଚରିତେ ॥୫୯
ଯହିଁ ଅଶେଷ ନୃପଗଣ । ଏବେ ହୋ ଯଦୁବଂଶ ଶୁଣ ॥୬୦
ଯେ ବଂଶେ ପ୍ରଭୁ ଭାବଗ୍ରାହୀ । ଜନ୍ମିଲେ କୃଷ୍ଣ ଦେହ ବହି ॥୬୧
ଏ ବଂଶ ମହିମା ଶୁଣନ୍ତେ । ପାପ ନରହେ ହୃଦଗତେ ॥୬୨
ଯଦୁରାଜାର ଚାରି ସୁତେ । ଶୁଣ ତାହାଙ୍କ ନାମ ଯେତେ ॥୬୩
ସହସ୍ରଜିତ ରିପୁ ବେନି । ଆବର କ୍ରୋଷ୍ଟା ନଳ ଘେନି ॥୬୪
ସହସ୍ରଜିତ ତହୁଁ ଜାତ । ଶତଜିତ ନାମରେ ସୁତ ॥୬୫
ସହସ୍ରଜିତ ସୁତ ତିନି । ରୂପ ଲାବଣ୍ୟ ଗୁଣ ଘେନି ॥୬୬
ଯେ ମହାହୟ ବେଣୁହୟ । ହୈହୟ ନାମେ ମହାଶୟ ॥୬୭
ଧର୍ମ ଯେ ହୈହୟର ସୁତ । ନେତ୍ର ତାହାର ବୀର୍ଯ୍ୟେ ଜାତ ॥୬୮
କୁନ୍ତି ତାହାର ପୁତ୍ର ହୋଏ । ସୋହଞ୍ଜି କୁନ୍ତିର ତନୟେ ॥୬୯
ତାହାର ପୁତ୍ର ମହୀଷ୍ମାନ । ତା'ର କୁମର ଭଦ୍ରସେନ ॥୭୦
ଭଦ୍ରସେନର ତହୁଁ ଜନ୍ମି । ଦୁର୍ମଦ ଧନକ ଏ ବେନି ॥୭୧
କୃତାଗ୍ନି କୃତବୀର୍ଯ୍ୟେ ବେନି । କୃତୌଜା କୃତବର୍ମା ଘେନି ॥୭୨
ଧନକ ପୁତ୍ର ଏ ଜଗତେ । ବିଷ୍ଣୁର ତେଜ ଅପ୍ରମିତେ ॥୭୩
କୃତବୀର୍ଯ୍ୟ ସୁତ ଅର୍ଜ୍ଜୁନ । ସପତଦ୍ୱୀପେ ସେ ରାଜନ ॥୭୪
ଦତ୍ତାତ୍ରେୟଙ୍କୁ ସେବା କରି । ଯୋଗେ ହୋଇଲା ଅଧିକାରୀ ॥୭୫
ସେ କାର୍ତ୍ତବୀର୍ଯ୍ୟର ମହିମା । କେ କହିପାରେ ଗୁଣସୀମା ॥୭୬
ହୈହୟ ବଂଶେ ରାଜା ଯେତେ । ତପସ୍ୟା ଯଜ୍ଞ ଦାନ ମତେ ॥୭୭
ନାନା ପ୍ରକାରେ ଯେତେ ସାଧି । ଅଣିମା ଆଦି ଅଷ୍ଟନିଧି ॥୭୮
ପଞ୍ଚାଶୀ ସହସ୍ର ବରଷ । ସମ୍ପଦ ଭୁଞ୍ଜିଲା ଅଶେଷ ॥୭୯
ତାହାର ସମ ଏ ସଂସାରେ । କେହି ନୋହିଲେ ଅଧିକାରେ ॥୮୦
ତାହାର ସହସ୍ରେ ନନ୍ଦନ । ଯୁଦ୍ଧେ ସେ ହୋଇଲେ ନିଧନ ॥୮୧
ତା' ମଧ୍ୟେ ପାଞ୍ଚ ଯେ କୁମର । କ୍ଷତ୍ରିୟ ବଳେ ବଳୀୟାର ॥୮୨
ଜୟଧ୍ୱଜ ଯେ ଶୂରସେନ । ବୃଷଭ ମଧୁ ବିଦ୍ୟମାନ ॥୮୩
ଉର୍ଜ୍ଜିତ ଅଟଇ ପଞ୍ଚମେ । ଅଇରୀ କମ୍ପନ୍ତି ଯା' ନାମେ ॥୮୪
ଜୟଧ୍ୱଜର ତହୁଁ ଜାତ । ନାମ ତା' ତାଳଜଂଘ ଖ୍ୟାତ ॥୮୫
ଶତେ ନନ୍ଦନ ତା'ର ହୋଏ । ଯା' ନାମେ ରିପୁ କରେ ଭୟେ ॥୮୬
ଔର୍ବ ଋଷିଙ୍କ ବ୍ରହ୍ମତେଜେ । କ୍ଷତ୍ରିୟ ପଣେ ତା'ଙ୍କ ରାଜ୍ୟେ ॥୮୭
ସଗର ତା'ଙ୍କୁ କଲେ ହତ । ଏ ଯେ କ୍ଷତ୍ରିୟ ବୀର ସୁତ ॥୮୮
ତାହାଙ୍କ ମଧ୍ୟେ ଜ୍ୟେଷ୍ଠସୁତ । ତାହାର ନାମ ବୀତିହୋତ୍ର ॥୮୯
ମଧୁର ଶତେ ପୁତ୍ର ହୋଇ । ବୃଷ୍ଣି ତା' ମଧ୍ୟେ ଜ୍ୟେଷ୍ଠ ଥାଇ ॥୯୦
ମାଧବ ବୃଷ୍ଣି ଯେ ଯାଦବ । ଏଣୁ ଏ ଘୋଷନ୍ତି ସାଧବ ॥୯୧
ଯଦୁପୁତ୍ର କ୍ରୋଷ୍ଠାର ବୀର୍ଯ୍ୟେ । ବୃଜିନବାନ ଯେ ଉପୁଜେ ॥୯୨
ତା' ପୁତ୍ର ଶ୍ୱାହିତ ହୋଇଲା । ରୁଶେକୁ ଅଟେ ତାର ବଳା ॥୯୩
ତା'ର କୁମର ଚିତ୍ରରଥ । ତାହାର ଶଶବିନ୍ଦୁ ସୁତ ॥୯୪
ସେ ମହାଯୋଗୀ ମହାଭୁଜ । ଭୁବନଜିତ ତା'ର ତେଜ ॥୯୫
ଦଶସହସ୍ର ତା'ର ନାରୀ । ଅଶେଷ ଯଶେ ଅଧିକାରୀ ॥୯୬
ନାରୀ ଗୋଟିକେ ଲକ୍ଷେ ସୁତ । ଶଶବିନ୍ଦୁର ହେଲେ ଜାତ ॥୯୭
ଏମନ୍ତେ ଦଶସସ୍ର ଲକ୍ଷ । କୁମରେ ହୋଇଲେ ପ୍ରତ୍ୟକ୍ଷ ॥୯୮
ତାହାଙ୍କ ମଧ୍ୟେ ଷଡ଼ସୁତେ । ପୃଥୁଶ୍ରବାଦି ଏ ଜଗତେ ॥୯୯
ଧର୍ମ ଯେ ପୃଥୁଶ୍ରବା ବଳା । ତହୁଁ ଉଶନା ଜନମିଲା ॥୧୦୦
ଅଶ୍ୱମେଧରେ ସେ ଦୀକ୍ଷିତ । ହୋଇ କଲାକ ଯଜ୍ଞ ଶତ ॥୧୦୧
ରୁଚକ ନାମେ ତା'ର ସୁତ । ତା'ର କୁମର ପାଞ୍ଚ ଜାତ ॥୧୦୨
ରୁକ୍ମ ରୁକ୍ମେଷୁ ପୁରୁଜିତ । ପୃଥୁ ଜ୍ୟାମଘ ପାଞ୍ଚସୁତ ॥୧୦୩
ଜ୍ୟାମଘ ପତ୍ନୀ ଶୈବ୍ୟା ହୋଇ । କେବେହେଁ ପୁତ୍ର ନ ଲଭଇ ॥୧୦୪
ଜ୍ୟାମଘ ତା'କୁ କରି ଭୟ । ନ କଲା ଦାର ପରିଗ୍ରହ ॥୧୦୫
ସେ ରାଜା ଦିଗବିଜେ କରି । ଅନେକ ରିପୁବଳ ମାରି ॥୧୦୬
ନାନା ପ୍ରକାରେ ରିପୁ ଜିଣି । ଅନେକ ଧନରତ୍ନ ଆଣି ॥୧୦୭
କନ୍ୟାଏ ପାଇ ରୂପରାଶି । ତାହାଙ୍କ ସଙ୍ଗେ ରଥେ ବସି ॥୧୦୮
ମିଳିଲା ଆପଣା ଭୁବନେ । ଅନେକ ବାଦ୍ୟ ନାଦ ସ୍ୱନେ ॥୧୦୯
ଶୈବ୍ୟା ନାମେଣ ତା'ର ରାଣୀ । ଉତ୍ସ›ବ ବାଦ୍ୟନାଦ ଶୁଣି ॥୧୧୦
ମନ୍ଦିରୁ ହୋଇଲା ବାହାର । ଭୁଷିତ ନାନା ଅଳଙ୍କାର ॥୧୧୧
ରଥକୁ ଚାହେଁ ବେନି ଡ଼ୋଳେ । କନ୍ୟାଏ ଅଛି ତା'ର କୋଳେ ॥୧୧୨
ଅତି ସୁନ୍ଦର ତା'ର ତନୁ । ଦେଖି ପାଇଲା ହୃଦେ ମନ୍ୟୁ ॥୧୧୩
ବୋଇଲା ରାଜାମୁଖ ଚାହିଁ । ଏ କନ୍ୟା ପାଇଲୁ ତୁ କାହିଁ ॥୧୧୪
ଶୈବ୍ୟା ବଚନ ଶୁଣି ରାୟେ । ହୃଦେ ପାଇଲା ମହାଭୟେ ॥୧୧୫
ବୋଇଲେ ମଧୁର ଉତ୍ତର । ଏ କନ୍ୟା ବଧୂ ଯେ ତୋହର ॥୧୧୬
ଶୈବ୍ୟା ବୋଲଇ କୋପ ବହି । ଏ ଜନ୍ମେ ତୋ'ର ପୁତ୍ର ନାହିଁ ॥୧୧୭
ଆଣିଲୁ ସପତଣୀ ଅର୍ଥେ । ଏବେ ତୁ ଭଣ୍ତୁ ମୋ' ଅଗ୍ରତେ ॥୧୧୮
ଶୁଣି ସେ ଶୈବ୍ୟାର ବଚନ । ମଧୁରେ ବୋଇଲେ ରାଜନ ॥୧୧୯
ଏବେ ଯେ ପୁତ୍ର ଉପୁଜିବ । ଏ କନ୍ୟା ସେ ବିଭା ହୋଇବ ॥୧୨୦
ଅନେକ ହୋଇବ ମୋ' ବଂଶ । ତୁ ଶୁଣି ଶୈବ୍ୟା ହେଲା ତୋଷ ॥୧୨୧
ଭୁବନେ କଲା ସେ ପ୍ରବେଶ । ଆନନ୍ଦେ ହୋଇ ହସହସ ॥୧୨୨
ସନ୍ତୋଷ ହେଲେ ପିତୃଦେବେ । ପୁତ୍ର ହୋଇଲା ଶୈବ୍ୟାଗର୍ଭେ ॥୧୨୩
ସୁନ୍ଦରେ ଜଗତ ମୋହିଲା । ବିଦର୍ଭ ତା'କୁ ନାମ ଦେଲା ॥୧୨୪
ସେ କନ୍ୟା ପୁତ୍ରେ ବିଭାକଲା । ଶୁଣ ହୋ ଗୋବିନ୍ଦର ଲୀଳା ॥୧୨୫
ସୁଜନ ଜନେ ଏଣେ ଭାବ । ଏ ଘୋର ସଂସାରୁ ତରିବ ॥୧୨୬
ବୋଲଇ ଦାସ ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୨୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ତ୍ରୟେବିଂଶୋଽଧ୍ୟାୟଃ । ।

ଚତୁର୍ବିଂଶ ଅଧ୍ୟାୟସମ୍ପାଦନ କରନ୍ତୁ

ଶୁକ ଉବାଚସମ୍ପାଦନ କରନ୍ତୁ

ଶୁଣ ରାଜନ କୁରୁବୀର । ବିଦର୍ଭ ଜ୍ୟାମଘ କୁମର ॥୧
ଜ୍ୟାମଘ ରାଜକୁଳ ଜିଣି । ଯେ କନ୍ୟା ପୁରେ ଥିଲା ଆଣି ॥୨
ସେ କନ୍ୟା ବିଦର୍ଭେ ବରିଲା । ତା' ଗର୍ଭେ ପୁତ୍ର ଉପୁଜିଲା ॥୩
କୁଶ ଯେ କ୍ରଥ ଏହୁ ବେନି । ତୃତୀୟେ ରୋମପାଦ ଘେନି ॥୪
ବଭ୍ରୁ ଯେ ରୋମପାଦ ସୁତ । କୃତି ତାହାର ବୀର୍ଯ୍ୟେ ଜାତ ॥୫
ଉଶିକ ତାହାର ନନ୍ଦନ । ତା' ତାହୁଁ ଚେଦି ଉଦ୍‌ପନ୍ନ ॥୬
ଚୈଦ୍ୟାଦି ବଂଶେ ଜାତ ହୋଇ । ସ୍ୱଧର୍ମେ ପାଳିଲେ ସେ ମହୀ ॥୭
କ୍ରଥର ପୁତ୍ର କୁନ୍ତି ନାମ । ଧୃଷ୍ଟି ଯେ ତାହାର ନନ୍ଦନ ॥୮
ନିବୃତି ତା'ର ପୁତ୍ର ହୋଏ । ଦଶାର୍ହନାମେ ତା'ର ପୋଏ ॥୯
ବ୍ୟୋମ ଯେ ତାହାର ସନ୍ତତି । ତହୁଁ ଜିମୂତ ଉତପତ୍ତି ॥୧୦
ବିକୃତି ତାହାର ନନ୍ଦନ । ତହୁଁ ଭୀମରଥ ଜନମ ॥୧୧
ତାହାର ସୁତ ନବରଥ । ତହୁଁ ଦଶରଥ ସମ୍ଭୂତ ॥୧୨
ଶକୁନି ତାହାର ତନୟେ । କରମ୍ଭି ପୁତ୍ର ତା'ର ହୋଏ ॥୧୩
ତା'ର ତନୟ ଦେବରାତ । ଯା'ର ମହିମା ଅପ୍ରମିତ ॥୧୪
ତା' ସୁତ ଦେବକ୍ଷତ୍ର ନାମ । ସୁନ୍ଦର ପଣେ ଗୁଣଧାମ ॥୧୫
ମଧୁ ତାହାର ବଂଶେ ଜାତ । କୁରୁବଂଶ ଯେ ତା'ର ସୁତ ॥୧୬
ଅନୁ ତାହାର ବୀର୍ଯ୍ୟେ ଜାତ । ତାହାର ସୁତ ପୁରୁହୋତ୍ର ॥୧୭
ଆୟୁ ଯେ ତା'ର ପୁତ୍ରମାନ । ସାତ୍ୱତ ତା'ଠାରୁ ଜନମ ॥୧୮
ତାହାର ହେଲେ ପୁତ୍ର ସାତ । ଶୁଣ କହିବା ପରୀକ୍ଷିତ ॥୧୯
ଭଜମାନ ଭଜି ଦିବ୍ୟକ । ବୃଷ୍ଣି ଦେବା ବୃଧ ଅନ୍ଧକ ॥୨୦
ମହାଭୋଜ ଏ ସପ୍ତାନାମ । ଏକୁ ଅନେକ ଗୁଣଧାମ ॥୨୧
ଭଜମାନର ପତ୍ନୀ ଦୁଇ । ଆଦ୍ୟରେ ତିନି ସୁତ ହୋଇ ॥୨୨
ନିମ୍ଳୋଚି ଧୃଷ୍ଟି ଯେ କିଙ୍କିଣ । ପରୀକ୍ଷ କହୁଁ ତୋତେ ଶୁଣ ॥୨୩
ଦ୍ୱିତୀୟ ପତ୍ନୀ ଗର୍ଭେ ଜାତ । ହୋଇଲେ ତା'ର ତିନିସୁତ ॥୨୪
ଶତ୍ରାଜିତ ସହସ୍ରାଜିତ । ଅୟୁତାଜିତ ତିନିଭ୍ରାତ ॥୨୫
ବଭ୍ରୁ ଯେ ଦେବାବୃଧ ସୁତ । ଜନେ ଗାଆନ୍ତି ତା' ଚରିତ ॥୨୬
ଦୂରରୁ ଯେତେ ଗୁଣ ଗୁଣି । ଅଧିକ ଦେଖୁଁ ପରିମାଣି ॥୨୭
ମନୁଷ୍ୟ ମଧ୍ୟେ ବଭ୍ରୁ ଶ୍ରେଷ୍ଠ । ଦେବାବୃଧ ଦେବଙ୍କ ଇଷ୍ଟ ॥୨୮
ସେ ଦୁଇ ପୁରୁଷଙ୍କ କୁଳେ । ଯେତେ ତରିଲେ ଭବଜଳେ ॥୨୯
ଷଡ଼ସହସ୍ର ପଞ୍ଚସଷ୍ଟି । ପୁଣି ଅଧିକ ଆଠଗୋଟି ॥୩୦
ଘୋର ସଂସାରୁ ତରିଗଲେ । ନିଶ୍ଚଳେ ମିଳିଲେ କୈବଲ୍ୟେ ॥୩୧
ସାତ୍ୱତ ବଂଶେ ଉତପନ୍ନ । ମହାଭୋଜ ତା' ଅଟେ ନାମ ॥୩୨
ଅତି ଧାର୍ମିକ ମହାଭୋଜ । ଅନେକ କାଳ କଲା ରାଜ୍ୟ ॥୩୩
ଯେତେ ଉପୁଜିଲେ ତା' ବଂଶେ । ଧରିଲେ ଭୋଜ ନାମକୁ ସେ ॥୩୪
ବୃଷ୍ଣିର ସୁମିତ୍ର ନନ୍ଦନ । ଅପରେ ଯୁଧାଜିତ ନାମ ॥୩୫
ତା'ର ସନ୍ତତି ହୋଏ ଶିନି । ଅନମିତ୍ରକୁ ଘେନି ବେନି ॥୩୬
ଅନମିତ୍ରର ପୁତ୍ର ନିମ୍ନ । ତା' ଅଂଶେ ଦୁଇପୁତ୍ର ଜନ୍ମ ॥୩୭
ପ୍ରସେନ ଶତ୍ରାଜିତ ନାମ । ହୋଇଲେ ତା'ର ଗୁଣଧାମ ॥୩୮
ହେ ନୃପ ଶୁଣ ମନଦେଇ । ଏବେ ଶିନିର ବଂଶ କହି ॥୩୯
ଶିନି ଯେ ଅନମିତ୍ର ସୁତ । ସତ୍ୟକ ତା'ର ବୀର୍ଯ୍ୟେ ଜାତ ॥୪୦
ତାହାର ପୁତ୍ର ଯୁଯୁଧାନ । ଜୟ ତାହାର ପୁତ୍ର ନାମ ॥୪୧
କୁଣି ତାହାର ତହୁଁ ଜାତ । ତାହାର ଯୁଗନ୍ଧର ସୁତ ॥୪୨
ଅପରେ ବୃଷ୍ଣିପୁତ୍ର ଦୁଇ । ଜନ୍ମିଲେ ବିଷ୍ଣୁତେଜ ବହି ॥୪୩
ଶ୍ୱଫଲ୍‌କ ଚିତ୍ରରଥ ବେନି । ଗାନ୍ଧିନୀ ଶ୍ୱଫଳ୍କ ଭାବିନୀ ॥୪୪
ଦ୍ୱାଦଶପୁତ୍ର ତା'ର ଘରେ । ଜନ୍ମିଲେ ଅତି ପୁଣ୍ୟତରେ ॥୪୫
ଅକ୍ରୁର ତହିଁ ଜ୍ୟେଷ୍ଠ ଜାଣ । ଶୁଣ ହୋ ତାହାଙ୍କର ନାମ ॥୪୬
ଆସଙ୍ଗ ସାରମେୟ ଦୁଇ । ମୃଦୁର ମୃଦୁଦ୍ୱି ଯେ ହୋଇ ॥୪୭
ଗିରି ଧର୍ମବୃଦ୍ଧ ସୁକର୍ମ । କ୍ଷତ୍ରୋପେକ୍ଷ ଅରିମŸର୍ଦ୍ଦନ ॥୪୮
ଗନ୍ଧମାଦ ଯେ ଶତ୍ରୁଘନ । ଦ୍ୱାଦଶେ ପ୍ରତିବାହୁନାମ ॥୪୯
ଆବର ଏକ କନ୍ୟା ଥିଲା । ସୁଚୀରା ନାମ ତା'ର ହେଲା ॥୫୦
ଅକ୍ରୁର ପୁତ୍ର ହୋଏ ବେନି । ଦେବ୍ୱା ଉପଦେବ ଘେନି ॥୫୧
ଚିତ୍ରରଥର ଯେ ଆତ୍ମଜ । ତିନି ଭୁବନେ ତା'ର ତେଜ ॥୫୨
ପୃଥୁ ଯେ ବିଦୁରଥ ଆଦି । ଏଣେ ବୃଷ୍ଣିବଂଶ ସମ୍ପାଦି ॥୫୩
କୁକୁର ଭଜମାନ ବେନି । ଶୁଚି କମ୍ବଳବହିଁ ଘେନି ॥୫୪
ଏ ଚାରି ଅନ୍ଧକର ସୁତ । ଏବେ ହୋ ଶୁଣ ପରୀକ୍ଷିତ ॥୫୫
କୁକୁରସୁତ ବହ୍ନି ନାମା । ତାହାର ତନୟ ବିଲୋମା ॥୫୬
କପୋତରୋମା ତା'ର ସୁତ । ତା'ପୁତ୍ର ଅନୁ ନାମେ ଖ୍ୟାତ ॥୫୭
ତୁମ୍ବୁରୁ ଅଟେ ସଖା ତା'ର । ଅନ୍ଧକ ଅନୁର କୁମର ॥୫୮
ଦୁନ୍ଧୁଭି ଅନ୍ଧକର ସୁତ । ଅରିଦ୍ୟୋତ ଯେ ତା' ଅପତ୍ୟ ॥୫୯
ଅରିଦ୍ୟୋତ ଅଂଶେ ଉତ୍ପନ୍ନ । ପୁନର୍ବସୁ ନାମେ ସନ୍ତାନ ॥୬୦
ତାହାର ପୁତ୍ର କନ୍ୟା ହୋଏ । ଆହୁକ ଆହୁକୀ ବୋଲାଏ ॥୬୧
ଦେବକ ଉଗ୍ରସେନ ଦୁଇ । ଆହୁକ ତହୁଁ ଜାତ ହୋଇ ॥୬୨
ଦେବକ ପୁତ୍ର ଚାରି ହୋଏ । ନାମ ତାହାଙ୍କ ଶୁଣ ରାୟେ ॥୬୩
ଉପଦେବ ଯେ ଦେବବାନ । ସୁଦେବ ଯେ ଦେବବର୍ଦ୍ଧନ ॥୬୪
ପୁଣ ହୋଇଲେ କନ୍ୟା ସାତ । ଯା' ନାମ ଜଗତେ ବିଖ୍ୟାତ ॥୬୫
ପ୍ରଥମେ ଧୃତଦେବା ହେଲା । ପରେ ଶାନ୍ତିଦେବା ଜନ୍ମିଲା ॥୬୬
ଉପଦେବା ଶ୍ରୀଦେବା ବେନି । ଦେବରକ୍ଷିତା କନ୍ୟା ଘେନି ॥୬୭
ସହଦେବା ଦେବକୀ ତୁଲେ । ଏମନ୍ତ ସାତକନ୍ୟା ହେଲେ ॥୬୮
ଦେବକ ସାତକନ୍ୟା ନେଇ । ବସୁଦେବଙ୍କୁ ବିଭା ଦେଇ ॥୬୯
ଏବେ ହୋ ଶୁଣ ନରନାଥ । ଉଗ୍ରସେନର ଯେତେ ସୁତ ॥୭୦
କଂସ ସୁନାମା ନ୍ୟଗ୍ରୋଧକ । କଙ୍କ ଶଙ୍କୁ ବେନି ବାଳକ ॥୭୧
ସୁହୂ ଯେ ସୃଷ୍ଟି ରାଷ୍ଟ୍ରପାଳ । ତୁଷ୍ଟି ଏ ଉଗ୍ରସେନ ବାଳ ॥୭୨
ଆବର ହେଲେ କନ୍ୟାପାଞ୍ଚ । ସୁନ୍ଦର ସୁରୂପ ସୁସଞ୍ଚ ॥୭୩
କଂସା ଯେ କଙ୍କବତୀ କଙ୍କା । ସୂରଭୂ ଯେ ରାଷ୍ଟ୍ରପାଳିକା ॥୭୪
ଏ କନ୍ୟା ବରି ବେଦମତେ । ବସୁଦେବର ଭାଇ ଯେତେ ॥୭୫
ବିବାହ କଲେ ଶୁଭବେଳେ । ଉଚିତେ ଗୃହକର୍ମ କଲେ ॥୭୬
ବିଦୁରଥର ଶୂର ସୁତ । ଭଜମାନ ତା' ବୀର୍ଯ୍ୟେ ଜାତ ॥୭୭
ଶିନି ତା'ର ହୁଏ ଆତ୍ମଜ । ଶିନିର ପୁତ୍ର ସ୍ୱୟଂ ଭୋଜ ॥୭୮
ହୃଦୀକ ତାହାର ନନ୍ଦନ । ତାହାର ତିନି ପୁତ୍ର ଜାଣ ॥୭୯
ଦେବବାହୁ ଯେ ଶତଧନୁ । ଆବର କୃତବର୍ମା ସୂନୁ ॥୮୦
ଦେବମୀଢ଼ ଯେ ଶୂର ସୁତ । ତା' ପତ୍ନୀ ମାରିଷା ବିଖ୍ୟାତ ॥୮୧
ସେ ଦେବମୀଢ଼ ତା'ର ଗର୍ଭେ । ଦଶ ସନ୍ତତି କଲା ଭାବେ ॥୮୨
ବସୁଦେବ ଦେବଭାଗକ । ଦେବଶ୍ରବସ ଯେ ଆନକ ॥୮୩
ସୃଞ୍ଜୟ ଶ୍ୟାମକ ଯେ କଙ୍କ । ଶମୀକ ବ›ତ୍ସକ ଯେ ବୃକ ॥୮୪
ବସୁଦେବର ଜନ୍ମ କାଳେ । ବାଦ୍ୟ ଶୁଭିଲା ଅନ୍ତରାଳେ ॥୮୫
ସ୍ୱଭାବେ ଆନକ-ଦୁନ୍ଦୁଭି । ଦିଶ ଆକାଶ ପୂରି ଶୁଭି ॥୮୬
ସେ ଯେଣୁ ବିଷ୍ଣୁର ନିଧାନ । ଆନକଦୁନ୍ଦୁଭି ତା' ନାମ ॥୮୭
ପୁଣି ହୋଇଲେ କନ୍ୟା ପାଞ୍ଚ । ସୁନ୍ଦର ସୁରୂପ ସୁସଞ୍ଚ ॥୮୮
ଯେ ପୃଥା ଆର ଶ୍ରୁତ ଦେବା । ଶ୍ରୁତକୀର୍ତ୍ତି ଯେ ଶ୍ରୁତଶ୍ରବା ॥୮୯
ରାଜାଧିଦେବୀଙ୍କି ଯେ ଘେନି । ଏ ପାଞ୍ଚ ବସୁଦେବ ଭଗ୍ନୀ ॥୯୦
ପୃଥା କନ୍ୟାକୁ ତା'ର ତାତ । କୁନ୍ତି ରାଜନେ କଲା ଦତ୍ତ ॥୯୧
ଯେଣୁ ତା' ନଥିଲା ସନ୍ତତି । ଏଣୁ ସେ କନ୍ୟା ନାମ କୁନ୍ତୀ ॥୯୨
ଦୁର୍ବାସା ମୁନି ଏକଦିନେ । ମିଳିଲେ ରାଜା ସନ୍ନିଧାନେ ॥୯୩
ପୃଥା ତାହାଙ୍କୁ ସେବା କଲା । ଦେବହୁତି ବିଦ୍ୟା ଲଭିଲା ॥୯୪
ବିଦ୍ୟାର ପରୀକ୍ଷା ନିମନ୍ତେ । ସୂର୍ଯ୍ୟଙ୍କୁ ରାଇଲା ଏକାନ୍ତେ ॥୯୫
ସେ ସୂର୍ଯ୍ୟଦେବ ତତ୍‌କ୍ଷଣ । ମିଳିଲେ ପୃଥା ସନ୍ନିଧାନ ॥୯୬
ଦେଖି ସେ ବିସ୍ମୟ ହୋଇଲା । ବିନୟ ବଚନ କହିଲା ॥୯୭
ହେ ଦେବ ପରୀକ୍ଷା ନିମନ୍ତେ । ତୁମ୍ଭଙ୍କୁ ଚିନ୍ତଲି ମୁଁ ଚିତ୍ତେ ॥୯୮
ବିଦ୍ୟା ପ୍ରୟୋଗେ ହୋଇ ବଶ । ତୁମ୍ଭେ ମିଳିଲ ମୋ'ର ପାଶ ॥୯୯
ହେ ପ୍ରଭୁ ଦୋଷ କ୍ଷମାକର । ଦାସୀ ମୁଁ ତୁମ୍ଭ ଚରଣର ॥୧୦୦
ମୋ' ମନୋରଥ ହେଲା ପୂର୍ଣ୍ଣ । ସ୍ୱସ୍ଥାନେ କରନ୍ତୁ ଗମନ ॥୧୦୧
ତା'ବାକ୍ୟେ ସୂର୍ଯ୍ୟ ତୋଷ ହୋଇ । କହନ୍ତି କନ୍ୟା ମୁଖ ଚାହିଁ ॥୧୦୨
ହେ ପୃଥା ଶୁଣ ମୋ' ବଚନ । ବ୍ୟର୍ଥ ନ ହୁଏ ମୋ' ଦର୍ଶନ ॥୧୦୩
ତୋ'ଠାରେ କରି ଗର୍ଭାଧାନ । ଆମ୍ଭେ ଚଳିବୁ ନିଜ ସ୍ଥାନ ॥୧୦୪
ଅବଶ୍ୟ ତୋ' ପୁତ୍ର ହୋଇବ । ତୋତେ ସେ ଦୋଷ ନ ଲାଗିବ ॥୧୦୫
ଏମନ୍ତେ କଲେ ଗର୍ଭାଧାନ । ପୁତ୍ର ହୋଇଲା ତତ୍‌କ୍ଷଣ ॥୧୦୬
ପୁତ୍ରଶିଶୁକୁ ନିନ୍ଦା ଡରେ । ଭସାଇ ଦେଲେ ନଦୀ ଜଳେ ॥୧୦୭
ତା' ପରେ ହୋଇଲାକି ଯାହା । ଶୁଣ କହିବ ନୃପନାହା ॥୧୦୮
ପାଣ୍ତୁ ଯେ ତୋ ପ୍ରପିତାମହ । ପୃଥାକୁ କଲା ସେ ବିବାହ ॥୧୦୯
କାରୂଷ ବୃଦ୍ଧଶର୍ମା ନାମ । ଶ୍ରୁତ ଦେବାକୁ ବରେ ପୁଣ ॥୧୧୦
ବିବାହ କରି ବେଦମତେ । ତା'ଗର୍ଭେ ଉପୁଜିଲା ସୁତେ ॥୧୧୧
ତା' ଦେଖି ଡରେ ରିପୁଚକ୍ର । ତା' ନାମ ହେଲା ଦନ୍ତବକ୍ର ॥୧୧୨
କୈକେୟ ବଂଶେ ଦୃଷ୍ଟକେତୁ । ସେ ପୁଣି ନିଜ ବଂଶ ହେତୁ ॥୧୧୩
ଶ୍ରୁତକୀର୍ତ୍ତିକି ବିଭାକଲା । ତା' ପାଞ୍ଚପୁତ୍ର ଉପୁଜିଲା ॥୧୧୪
ସେ ସୁତ ସନ୍ତŸର୍ଦ୍ଦନ ଆଦି । ସ୍ୱଭାବେ ସର୍ବଗୁଣେ ସିଦ୍ଧି ॥୧୧୫
ଆବନ୍ତ୍ୟ ଶୂରସେନ ବଳା । ରାଜାଧିଦେବୀ ବିଭାକଲା ॥୧୧୬
ନାମ ତାହାର ଜୟସେନ । ତା' ଅଂଶେ ଦୁଇପୁତ୍ର ଜନ୍ମ ॥୧୧୭
ବିନ୍ଦ ଯେ ଅନୁବିନ୍ଦ ବେନି । ରାଜାଧିଦେବୀ ତହୁଁ ଜନ୍ମି ॥୧୧୮
ଚେଦି ରାଜନ ଦମଘୋଷ । ଶ୍ରୁତଶ୍ରବାକୁ ବରି ତୋଷ ॥୧୧୯
ତା'ର କୁମର ଶିଶୁପାଳ । ସେ ବୀର ତେଜେ ଅନର୍ଗଳ ॥୧୨୦
ତାହାର ଜନ୍ମ ତୋତେ ଭାବେ । ମୁଁ ତାହା କହିଅଛି ପୂର୍ବେ ॥୧୨୧
ଦେବଭାଗର କଂସା ପତ୍ନୀ । ତା' ଗର୍ଭେ ଜାତ ସୁତ ବେନି ॥୧୨୨
ଚିତ୍ରକେତୁ ଯେ ବୃହଦ୍‌ବଳ । ତେଜେ ଏ ବେନି ଅନର୍ଗଳ ॥୧୨୩
ଦେବଶ୍ରବାର ବୀର୍ଯ୍ୟେ ଜାତ । କଂସାବତୀର ଦୁଇ ସୁତ ॥୧୨୪
ସୁବୀର ଇଷୁମାନ ବେନି । ଏମନ୍ତେ ଦୁଇ ପୁତ୍ର ଜନ୍ମି ॥୧୨୫
କଙ୍କ ଔରସେ କଙ୍କା ଗର୍ଭେ । ବକ ପ୍ରଥମେ ଜନ୍ମ ଲଭେ ॥୧୨୬
ତା' ପରେ ସତ୍ୟଜିତ୍ ଜନ୍ମି । ପୁରୁଜିତକୁ ଘେନି ତିନି ॥୧୨୭
ସୃଞ୍ଜୟ ପୁତ୍ର ବେନି ହୋଏ । ବୃଷ ଦୁର୍ମର୍ଷଣ ତନୟେ ॥୧୨୮
ହରିକେଶ ଯେ ହିରଣ୍ୟାକ୍ଷ । ଶ୍ୟାମକ ପୁତ୍ର ଯେ ପ୍ରତ୍ୟକ୍ଷ ॥୧୨୯
ବ›ତ୍ସକ ମିଶ୍ରକେଶୀ ଗର୍ଭେ । ବୃକାଦି ସନ୍ତାନ ସମ୍ଭବେ ॥୧୩୦
ତକ୍ଷ ପୁଷ୍କରଶାଳ ଆଦି । ବୃକର ସନ୍ତାନ ପ୍ରସିଦ୍ଧି ॥୧୩୧
ଶମୀକ ପତ୍ନୀ ସୁଦାମିନୀ । ସୁମିତ୍ର ତା' ଗର୍ଭେ ଜନମି ॥୧୩୨
ଅର୍ଜ୍ଜୁନପାଳାଦି ତନୁଜେ । ଜନ୍ମିଲେ ଶମୀକର ବୀର୍ଯ୍ୟେ ॥୧୩୩
କର୍ଣ୍ଣିକା ଆନକର ମେଳେ । ଋତଧାମକୁ ପ୍ରସବିଲେ ॥୧୩୪
ପୁଣି ଜୟନାମେ ନନ୍ଦନ । ଆନକ ଅଂଶେ ଉତ୍‌ପନ୍ନ ॥୧୩୫
ବସୁଦେବର ଯେତେ ନାରୀ । ଶୁଣ ସୁମନେ ଦଣ୍ତଧାରୀ ॥୧୩୬
ପୌରବୀ ରୋହିଣୀ ରୋଚନା । ମଦିରା ଭଦ୍ରା ଇଳା କନ୍ୟା ॥୧୩୭
ଦେବକୀ ଆଦି ବହୁ ନାରୀ । ସେ ବସୁଦେବ ବିଭାକରି ॥୧୩୮
ରୋହିଣୀ ଗର୍ଭେ ବସୁଦେବ । ଜନ୍ମାଏ ପୁତ୍ର ବଳଦେବ ॥୧୩୯
ଧ୍ରୁବ ସାରଣ ଆର ଗଦ । ବିପୁଳ କୃତ ଯେ ଦୁର୍ମଦ ॥୧୪୦
ପୌରବୀ ଗର୍ଭରେ ସୁଭଦ୍ର । ଭଦ୍ରବାହୁ ଦୁର୍ମଦ ଭଦ୍ର ॥୧୪୧
ଭୂତଆଦି ବାର ନନ୍ଦନ । ବସୁଦେବର ଅଂଶେ ଜନ୍ମ ॥୧୪୨
ମଦିରା ଗର୍ଭେ ଉପନନ୍ଦ । କୃତକ ଶୂର ପୁଣି ନନ୍ଦ ॥୧୪୩
ଭଦ୍ରାର ଉଦରେ ସମ୍ଭୂତ । କେଶୀ ନାମରେ ଏକ ସୁତ ॥୧୪୪
ବସୁଦେବର ଔରସରେ । ପୁଣି ସେ ରୋଚନା ଗର୍ଭରେ ॥୧୪୫
ହସ୍ତହେମାଙ୍ଗଦ ସହିତେ । ଜନ୍ମ ଲଭିଲେ ବହୁ ସୁତେ ॥୧୪୬
ଉରୁ ବଲଲାଦି ପୁତ୍ର ଶ୍ରେଷ୍ଠ । ସେ ଯଦୁବଂଶରେ ଗରିଷ୍ଠ ॥୧୪୭
ସେମାନେ ଇଳା ଗର୍ଭେ ଜାତ । ବସୁଦେବଙ୍କର ଅପତ୍ୟ ॥୧୪୮
ବିପୃଷ୍ଠ ନାମେ ଏକ ବଳା । ଧୃତଦେବାର ତହୁଁ ହେଲା ॥୧୪୯
ଶ୍ରମ ପ୍ରତିଶ୍ରୁତକୁ ଘେନି । ଶାନ୍ତି ଦେବାର ଗର୍ଭେ ଜନ୍ମି ॥୧୫୦
କଳ୍ପ ବର୍ଷାଦି ଦଶସୁତ । ଉପଦେବା ଗର୍ଭୁ ସମ୍ଭୂତ ॥୧୫୧
ବସୁ ହଂସ ଦୁଇ ସହିତ । ସୁବଂଶଆଦି ଷଡ଼ସୂତ ॥୧୫୨
ଦେବରକ୍ଷିତାର ନନ୍ଦନ । ଗଦାଦି ନବଗୋଟି ଜାଣ ॥୧୫୪
ସହଦେବାର ଗର୍ଭେ ଅଷ୍ଟ । ପୁରୁବିଶ୍ରୁତ ଯହିଁ ଜ୍ୟେଷ୍ଠ ॥୧୫୪
ଅଷ୍ଟବସୁଙ୍କୁ ପାଇ ସୁତ । ଧର୍ମ ଯେସନେ ହୃଷ୍ଟଚିତ୍ତ ॥୧୫୫
ସେ ରୂପେ ବସୁଦେବ ହୃଷ୍ଟ । ହୋଇଲେ ପାଇ ପୁତ୍ର ଅଷ୍ଟ ॥୧୫୬
ଦେବକୀ ଗର୍ଭରେ ସମ୍ଭୂତ । ବସୁଦେବଙ୍କ ଅଷ୍ଟସୁତ ॥୧୫୭
ପ୍ରଥମେ ହୋଇ କୀର୍ତ୍ତିମାନ । ପରେ ସୁଷେଣ ଭଦ୍ରସେନ ॥୧୫୮
ଋଜୁ ସମŸର୍ଦ୍ଦନ ସହିତେ । ଭଦ୍ରକୁ ଘେନି ଷଷ୍ଠସୁତେ ॥୧୫୯
ସପ୍ତମ ସୁତ ସଙ୍କର୍ଷଣ । ଅଷ୍ଟମେ ହରି ହେଲେ ଜନ୍ମ ॥୧୬୦
ଦେବକୀ ଗର୍ଭେ ଅଷ୍ଟସୁତ । ବସୁଦେବଙ୍କ ତହୁଁ ଜାତ ॥୧୬୧
ପୁଣି ଯେ କନ୍ୟାଏ ଜନ୍ମିଲା । ସୁଭଦ୍ରା ନାମ ତା'ର ହେଲା ॥୧୬୨
ସେ ତୋର ଅଟେ ପିତାମହୀ । ଏବେ ତୁ ଶୁଣ ନରସାଇଁ ॥୧୬୩
ଯେ କାଳେ ଧର୍ମ କ୍ଷୟ ହୁଏ । ଅଧର୍ମ ହୁଅଇ ଉଦୟେ ॥୧୬୪
ସେ କାଳେ ପ୍ରଭୁ ଭଗବାନ । ଆତ୍ମାକୁ କରନ୍ତି ସୃଜନ ॥୧୬୫
ଜଗତ ହିତେ ମୟାଧର । ଲୀଳାବିହାରେ ହରେ ଭାର ॥୧୬୬
ଏ ହରି ମାୟାର ନିୟନ୍ତା । ସଙ୍ଗ ରହିତ ସର୍ବକର୍ତ୍ତା ॥୧୬୭
ସପ୍ତମ ପ୍ରାଣୀ ହୃଦ୍‌ଗତେ । ସାକ୍ଷୀ ରୂପରେ ଥାଏ ନିତ୍ୟେ ॥୧୬୮
ମାୟାରେ ଖେଳଇ ଜଗତେ । ଜନ୍ମକର୍ମାଦି ପ୍ରାଣୀ ହିତେ ॥୧୬୯
ତା' ମାୟା ଚେଷ୍ଟା ଜୀବପକ୍ଷେ । ଅନୁଗ୍ରହ ରୂପ ପ୍ରତ୍ୟକ୍ଷେ ॥୧୭୦
ସୃଷ୍ଟି ସ୍ଥିତି ଲୟ କାରଣ । ଜୀବର ମୋକ୍ଷର ନିଦାନ ॥୧୭୧
ଅସଂଖ୍ୟ ଅକ୍ଷୌହିଣୀ ପତି । ଅସୁରେ ଜନ୍ମିଲେ ଏ କ୍ଷିତି ॥୧୭୨
ରାଜଚିହ୍ନ କରି ଧାରଣ । ପୃଥିବୀ କଲେ ଆକ୍ରମଣ ॥୧୭୩
ପୃଥିବୀ ଭାରାକ୍ରାନ୍ତ ହୋଇ । ଧାରଣେ ସମର୍ଥ ନୁହଇ ॥୧୭୪
ଭାରା ହରଣ ଅର୍ଥେ ହରି । ଜଗତେ ନାନା ରୂପଧରି ॥୧୭୫
ହେ ନୃପ ଶୁଣ ଏକଚିତ୍ତେ । ସେ ହରି ମହିମା ଯେମନ୍ତେ ॥୧୭୬
ନିଜ ଇଚ୍ଛାରେ ଅବତରି । ଅସୁରଗଣଙ୍କୁ ସଂହାରି ॥୧୭୭
ଦେବେ ନ ପାନ୍ତି ଯା'ର ଅନ୍ତ । ତା'ର ମାୟାରେ ହୋଇ ଭ୍ରାନ୍ତ ॥୧୭୮
ସେ ସଙ୍କର୍ଷଣର ସହିତେ । ଲୀଳାରେ ବିହରେ ଜଗତେ ॥୧୭୯
ଯଦ୍ୟପି ସର୍ବଶକ୍ତିମାନ । ଅଟଇ ଶ୍ରୀମଧୁସୂଦନ ॥୧୮୦
ସଙ୍କଳ୍ପ ମାତ୍ରେ ଭୂମିଭାର । ହରଣେ ସମର୍ଥ ତାହାର ॥୧୮୧
ତଥାପି ଭକ୍ତଙ୍କର ହିତେ । ତା' ଅବତାର ଏଜଗତେ ॥୧୮୨
କଳିଯୁଗରେ ଭକ୍ତ ଯେତେ । ତାହାଙ୍କ ଅନୁଗ୍ରହ ଅର୍ଥେ ॥୧୮୩
ପବିତ୍ର ଯଶ କର୍ମମାନ । ବିସ୍ତାର କଲେ ଭାଗବାନ ॥୧୮୪
ଯଶ ସ୍ମରଣେ ତମ ଧ୍ୱଂସ । ସକଳ ଶୋକ ହୁଏ ନାଶ ॥୧୮୫
ଶ୍ରେଷ୍ଠ ପବିତ୍ର ତୀର୍ଥ ବ୍ରତ । ସାଧୁଜନଙ୍କ କର୍ଣ୍ଣାମୃତ ॥୧୮୬
ଶ୍ରୋତ୍ର-ଅଞ୍ଜଳି ପଥେ ପାନ । କରେ ଯେ ଏକବାରେ ଜନ ॥୧୮୭
କର୍ମବାସନା କ୍ଷୟ ଦକ୍ଷ । ସେ ନର ହୁଅଇ ପ୍ରତ୍ୟକ୍ଷ ॥୧୮୮
ସେ ହେତୁ ଭୋଜ ବୃଷ୍ଣି ଯେତେ । ଅନ୍ଧକ ମଧୁର ସହିତେ ॥୧୮୯
କୁରୁ ସୃଞ୍ଜୟ ଆଦି ବଂଶ । ଆଦରେ ଗାବନ୍ତି ଯା' ଯଶ ॥୧୯୦
ତା'ର ଚରିତ ହୃଦେ ଚିନ୍ତି । ସ୍ୱଚ୍ଛନ୍ଦେ ସୁଖେ ବିହରନ୍ତି ॥୧୯୧
ସେ ପ୍ରଭୁ ଦେବ ଭଗବାନ । ତାହାଙ୍କୁ ହୁଏ ସୁପ୍ରସନ୍ନ ॥୧୯୨
ସ୍ନିଗ୍ଧ-ମଧୁର ମନ୍ଦହାସେ । ଉଦାର ବଚନ ବିଳାସେ ॥୧୯୩
ଅସମ ବିକ୍ରମ ଲୀଳାରେ । ସର୍ବାଙ୍ଗ ସୁନ୍ଦର ଶରୀରେ ॥୧୯୪
ତାହାଙ୍କୁ କରି ଆନନ୍ଦିତ । ସେମାନେ ମାୟାରେ ମୋହିତ ॥୧୯୫
କର୍ଣ୍ଣରେ ମକର କୁଣ୍ତଳ । ସୁନ୍ଦର କପୋଳ ଯୁଗଳ ॥୧୯୬
ବିଳାସ ହାସେ ମୁଖ ଶୋଭା । କି ଅବା ପଟାନ୍ତର ଦେବା ॥୧୯୭
ନିତ୍ୟେ ତାହାର ମୁଖ ଦେଖି । ସେ ନର ନାରୀ ହେଲେ ସୁଖୀ ॥୧୯୮
ନେତ୍ର ଉ›ତ୍ସବ ତା'ର ଶୋଭା । ଲୋକଲୋଚନ ମନଲୋଭା ॥୧୯୯
ତଥାପି ସେମାନଙ୍କ ନେତ୍ର । କଦାପି ନୋହେ ପରିତୃପ୍ତ ॥୨୦୦
ଭୁବନମୋହନ ସୁନ୍ଦର । ରୂପ ତାହାଙ୍କ ମନୋହର ॥୨୦୧
ନିମିଷମାତ୍ର ନ ଦେଖିଲେ । ଦୁଃଖିତ ହୁଅନ୍ତି ବିକଳେ ॥୨୦୨
ସେ ବସୁଦେବ ଘରେ ହରି । ଜନ୍ମିଲେ ନରଦେହ ଧରି ॥୨୦୩
ହରିଲେ ଧରଣୀର ଭାର । ଯେ ରୂପ ଦେଖି ଦେବାସୁର ॥୨୦୪
ପଶୁମନୁଷ୍ୟ ଆଦି ଯେତେ । ଶରୀର ଧରି ଏ ଜଗତେ ॥୨୦୫
କୀଟପତଙ୍ଗ ଆଦି କରି । ଯେ ରୂପ ଦେଖି ଗଲେ ତରି ॥୨୦୬
ତା'ର ମହିମା କେବା କହି । ପାରିବ ନରଦେହ ବହି ॥୨୦୭
ହେ ନୃପ ଶୁଣ ତୋଷଚିତ୍ତେ । ଅଦ୍ଭୁତ କର୍ମ ତା'ର ଯେତେ ॥୨୦୮
ସେ ବନ୍ଦୀଘରେ ନିଜ ରୂପେ । ଜନ୍ମି ଗୁପତେ ଗଲେ ଗୋପେ ॥୨୦୯
ତାହାଙ୍କୁ ପାଇ ବ୍ରଜବାସୀ । ସୁଖେ ବଞ୍ଚନ୍ତି ଦିବାନିଶି ॥୨୧୦
ରିପୁ ସଂହାରି ବଢ଼ି ବ୍ରଜେ । ମାରି ମଥୁରା କଂସରାଜ୍ୟେ ॥୨୧୧
ଦ୍ୱାରକାପୁରେ ବାସ କରି । ବିବାହ କରି ବହୁ ନାରୀ ॥୨୧୨
ଜନ୍ମାଇ ଅସଂଖ୍ୟ ନନ୍ଦନ । ଅନେକ କରି ଯଜ୍ଞମାନ ॥୨୧୩
ଲୋକଙ୍କୁ ଦେଇ ଯଜ୍ଞଶିକ୍ଷା । ନିଗମମାର୍ଗ କଲେ ରକ୍ଷା ॥୨୧୪
କୁରୁପାଣ୍ତବ ମଧ୍ୟେ କଳି । ଭିଆଇ ବହୁ ସୈନ୍ୟ ମାରି ॥୨୧୫
ଧରଣୀ ଭାର ଅପହରି । ଅର୍ଜ୍ଜୁନେ ଦେଇ ଜୟଶିରୀ ॥୨୧୬
ଉଦ୍ଧବେ ଦେଇ ଆତ୍ମଜ୍ଞାନ । ଚଳିଲେ ଆପଣା ଭୁବନ ॥୨୧୭
ସୁଜନଜନ ଏହା ଶୁଣି । ଭକତି ହୃଦେ ପରିମାଣି ॥୨୧୮
ଏ ଭବଜଳୁ ତରିଯିବ । ଯାହା ନ ଲଭେ ବ୍ରହ୍ମାଶିବ ॥୨୧୯
ସେ ହରିଚରିତ ସୁମର । ମୁଁ ତୁମ୍ଭ ଚରଣେ କିଙ୍କର ॥୨୨୦
ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୨୨୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଶ୍ରୀସୂର୍ଯ୍ୟ ସୋମବଂଶ ଅନୁକୀର୍ତ୍ତନେ ଯଦୁବଂଶାନୁକୀର୍ତ୍ତନଂ ନାମ
ଚତୁର୍ବିଂଶୋଽଧ୍ୟାୟଃ । ।