କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/କ ଚମ୍ପୂ
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: କ ଚମ୍ପୂ |
ଖ ଚମ୍ପୂ→ |
କ ଚମ୍ପୂ
(ରାଗ: ସାବେରୀ)
କି ହେଲା ରେ, କହିତ ନୁହଇ ଭାରତୀରେ
କାଲି ଯା ଦୂରରୁ ଦେଖି/ସଖୀ, କଳନା କଲା ମୋ ଆଖି
କଳା ଇନ୍ଦୀବର ଆରତିରେ ॥ ପଦ ॥
କେଳି କଦମ୍ବ ଲତାର, କୋଳେ କି ଶ୍ୟାମଳତାର,
ତେଜ ସେ ରବିସୁତାର ତୀରେ,
କମ୍ପି ମୋର କଳେବର, ହୋଇଗଲା ଆରପାର,
ଯାହାକୁ ଡରଇ ତାର ତୀରେ ॥ ୧ ॥
କୁସୁମ କୋଦଣ୍ଡ କାଣ୍ଡ, କେତେ କରିଥିଲା ରୁଣ୍ଡ,
କର୍କଶ ନୋହିବା ଭାରତୀରେ,
କହୁଛି ବରଜି ଲଜ୍ଜା, କେବଳ ହେଲା ମୋ ମଜ୍ଜା,
ମଜ୍ଜିଯିବି କି ଉଭା ରତିରେ ॥ ୨ ॥
କି ମୋହନ ଲୀଲା ଧରି, କୋଟି କଳାକର ଶିରୀ,
ପୁରିଛି ସେ ଶ୍ୟାମ ମୂରତିରେ,
କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ,
ଚିରାୟୁ ରଖିଲା ଜରତୀରେ ॥ ୩ ॥
କି ନୀତି କି ଜାତିଶୀଳ, କି କୁଳବରତ ଫଳ,
ଠଉର ପାରିଲା ମୋ ମତିରେ,
କୋମଳତର ମୋହନ, କୁଞ୍ଜକୁକ୍ଷିରୁ ନିଃସ୍ୱନ,
ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ॥ ୪ ॥
କଲବଲ ଛଟପଟ, ହୋଇ ଯାଉଛି ନିପଟ,
ସଂବେଶ ଅଶନ ବିରତିରେ,
କହଇ ଶ୍ରୀବାଲୁଙ୍କେଶ, ଶରଣ ଧରଣୀ ଈଶ,
ଏ କି ଦଣ୍ଡ ବିନା ପୀରତିରେ ॥ ୫ ॥