କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଫ ଚମ୍ପୂ

ଫ ଚମ୍ପୂ
(ରାଗ ଖମ୍ବାଜ, ଯତି ତାଳ)

ଫାଟି ପଡ଼ିବାର ନିକୁଞ୍ଜସଞ୍ଚାରଶ୍ରମୁଁ ମୋ ଚରଣତଳ,
ଫତୁରିଖୋର ଆଖରକୁ ହେବାର ଏହି ଏକା ଏଥୁଁ ଫଳ,
ରେ କିଶୋରି, ଫିଟିଗଲା ଯେ ସନ୍ଦେହ,
ଫୁଲିଗଲୁ ଫୁଲ ଲଲାମରସିକା ଜାଣି ପରା ଶ୍ୟାମ ସ୍ନେହରେ ।୧।

ଫନ୍ଦାଇ ନାନା ବିନୟେ କହି ଦନ୍ତେ ତୃଣ ଧରିବାର ଗଲା,
ଫଟାକପାଳରେ କୁଟିଳହୃଦୟା ବୋଲାଇବା ଲେଖା ଥିଲା,
ରେ କିଶୋରି, ଫନ୍ଦାଧନ ତୁ ତ ମୋର,
ଫରିଆଦ କାହିଁ ତୋ ନାମେ କରିବି ନିନ୍ଦା କଲେ ପଛେ କରରେ ।୨।

ଫରୁଆରେ ପରି ଉରୋଜରେ ଭରି ରଖ ସେ ନୀଳମଣିକି,
ଫଉଜ ତୁଲେ କୁଞ୍ଜଦ୍ୱାରେ ରଖାଅ ବେତ୍ରବଲ୍ଲୀଧରଣୀକି,
ରେ କିଶୋରି, ଫରମାସ ମନେ ମନେ,
ଫେଇଦିଅ ମୋ ଆବୁର ମୁଁ ଯେବେ ଯିବି ସେ ଦିଗକୁ ଦିନେରେ ।୩।

ଫଜିତ ହୋଇ ଦୂରରେ ଥିଲେ ତୋତେ ଭଜିତ ଥିବାର ସତ,
ଫେଡ଼ନ୍ତୁ ତୋ କଷ୍ଟ ସୁଖ ଦେଇ ଅଷ୍ଟଶ୍ରୁତି ଏ ଆମ୍ଭ ବାଞ୍ଛିତ,
ରେ କିଶୋରି, ଫୁରୁଣା ହୋଇ ତୁ ରସ,
ଫେରି ଆସି ମାତ୍ର ଆମ୍ଭ ଆଗେ ନେତ୍ରକୁଞ୍ଜୁ ନୀର ନ ବରଷରେ ।୪।

ଫୋଟକା ହେଉଛି ସିଞ୍ଚିବା କର୍ପୂର ଚନ୍ଦନ ମିଶ୍ରିତ ବାରି,
ଫୁଙ୍କି ଦେଲେ ଉଡ଼ିଯିବା ପରି ସଡ଼ି ଅଛିଟି ତନୁ ବଲ୍ଲରୀ,
ରେ କିଶୋରି, ଫୁକାରା ନୋହୁ ଜଗତେ,
ଫତୁଆ ନୁହଟି ବୋଲେ ଜଗଦ୍ଦେବ ହରିଚନ୍ଦନ ଏ ଗୀତେ ।୫।