କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ମ ଚମ୍ପୂ
ମ ଚମ୍ପୂ
(ରାଗ କାମୋଦୀ ବା ମରୁଆ)
ମଧୁରେ, ମନ୍ଦ ମନ୍ଦ ହୋଇ ଗନ୍ଧବହ ପ୍ରସରିଲା କଦମ୍ବ ନିକୁଞ୍ଜସୀମାରେ,
ମରନ୍ଦ ସେକେ ଚମକି ଲୋକେ ଭାଷିଲେ ଇଷି ମାରେ,
ମିଳିନ୍ଦଲତା ଦମ୍ଭବନିତା ବଦନେ ମିଶି ମାରେ,
ମଣ୍ଡିତ ହେଲା ସେ ବନସ୍ଥଳ, ମହାରଜତ ମହେନ୍ଦ୍ର ନୀଳ-
ମୟୂଖ ଶିରୀମୟ ମଞ୍ଜରୀ ବିସର ସୁଷମାରେ ।ପଦ।
ମିଶିଲା ଚାରି, ଲୋଚନବାରି- ରୁହ ମଦନୁ ଲଭି ଲଚାରି,
ମିଳିଲା ଶ୍ୟାମ ଗଉର ଦୁଇ ମହ,
ମଧୁପ ଯୁବା ଲଭିଲା ଅବା ନବ ସରସୀରୁହ,
ମାନସ ଅଙ୍ଗଭେଦ ପ୍ରସଙ୍ଗ ଭଙ୍ଗ ରଚିଲା ସ୍ନେହ,
ମଉଳିଗଲା ଶେଷ ସାତ୍ତ୍ୱିକ, ମୃଡ଼ନୟନ ସଂଖ୍ୟକ ଯାକ,
ମଜ୍ଜାଇ ଦେଲା ଦୁହିଙ୍କ ମନ ମହାମୋଦପ୍ରବାହ ।୧।
ମଦଦ୍ୱିରଦ-ମଥିତହ୍ରଦ, ମୁର୍ଚ୍ଛିତ ମହୋତ୍ପଳ ଆମୋଦ,
ଫୁଲ୍ଲପରାଗ ଶ୍ରୀଅଙ୍ଗରାଗ ବାସ,
ମୃଗଲାଞ୍ଛନ ମରୀଚି ଚୂର୍ଣ୍ଣ ଧାବଲ୍ୟ ପରକାଶ,
ମଧୁ ମାଦକ ଗୁଣ ସୂଚକ କୋକିଳ କଳଘୋଷ,
ମଣିମଣ୍ଡିତ କିଙ୍କିଣୀଯୂତ, ମଞ୍ଜୁମଞ୍ଜୀର ଭୂଷାଶିଞ୍ଜିତ,
ରସନା ରଣୋତ୍କାର ଶ୍ରବଣ କଲା ବିବେକ ମୋଷ ।୨।
ମଧୁ ମଧୁର ବଧୁ ଅଧର, କିଶୋରବର ରଦନାମ୍ବର,
ବିମ୍ବ ଚୁମ୍ବନ ଚୁଁକୃତି ସ୍ୱନମେଳା,
ମୃଦୁ ମନ୍ମନ ଧ୍ୱନି ଜନନ କଲାଟି କ୍ରୋଡ଼ ଖେଳା,
ମହେନ୍ଦ୍ରମଣି ବଳୟଶ୍ରେଣୀ ରଟିଲା ହୋଇ ଲୋଳା,
ମନୋଜ୍ଞ ଚାଟୁ ପୀୟୂଷମୟ, ମିଶ୍ରିତ ହେଉ ହେଉ ସମୟ,
ମାର ମହତ୍ତ୍ୱ ଗଲା କି ନାହିଁ ହେଲା ସଂଶୟ ଦୋଳା ।୩।
ମନ୍ଦାର ବନ ସେ ବନରସା- ଚକ୍ରେ ରଚିଲା ସୂନବରଷା,
ରସିଲେ ସର୍ବ ଗନ୍ଧର୍ବମାନେ ଗାନେ,
ମାତି ତାଣ୍ଡବ ରଚିଲେ ଦେବଦାସିଏ ସାବଧାନେ,
ମର୍ଦ୍ଦଳ ଘୋଷ ହେଲା ତ୍ରିଦଶ ମଣ୍ଡଳେ ସବୁସ୍ଥାନେ,
ମୁକତ ପ୍ରାୟ ହେଲା ତ୍ରିଲୋକ- ମାନସୁମ୍ଳାନ କଲେ ପାତକ,
ଶ୍ରୀ ଜଗଦ୍ଦେବ ହରିଚନ୍ଦନ ସେ ମହୋତ୍ସବ ଧ୍ୟାନେ ।୪।