ବିଦଗ୍ଧ ଚିନ୍ତାମଣି/ଇ ପୂର୍ବାନୁପ୍ରାସ ଦୀର୍ଘ ହ୍ରସ୍ୱ ବେନି ନିୟମ ଏ ଛାନ୍ଦ

ବିଦଗ୍ଧ ଚିନ୍ତାମଣି
ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର
ଇ ପୂର୍ବାନୁପ୍ରାସ ଦୀର୍ଘ ହ୍ରସ୍ୱ ବେନି ନିୟମ ଏ ଛାନ୍ଦ


ସପ୍ତମ ଛାନ୍ଦ
ଶ୍ରୀକୃଷ୍ଣଙ୍କ ନାମ ଶ୍ରବଶ

ରାଗ-କୁମ୍ଭକାମୋଦି
(ଇ-ପୂର୍ବାନୁପ୍ରାସ)


ଇ-ପୂର୍ବାନୁପ୍ରସା ଦୀର୍ଘ ହ୍ରସ୍ୱ
ବେନି ନିୟମ ଏ ଛାନ୍ଦ।
ଇଚ୍ଛା କର ଧୀରେ ପ୍ରସଙ୍ଗ ବିଧିରେ
ବଢିବ ଆନନ୍ଦ ।୧।
 
ଇଭଗତି ରାଧାପାଶେ ଦିନେ
ପୂର୍ଣ୍ଣମାସୀ ପରବେଶ।
ଇଚ୍ଛି ରାଧାକୃଷ୍ଣ ନବ ଅନୁାରାଗ
କରଣେ ପ୍ରକାଶ ।୨।
 
ଇଜ୍ୟା ମାନ୍ୟ ପାଇ ବସି
ହସି ଭଗବତୀ ବାଣୀ ଭଣି।
ଇତସ୍ତତ ମନ କରୁଛୁ
କାହିଁକି ସର୍ବସୁଲକ୍ଷଣି ।୩।
 
ଇନ୍ଦ୍ରପଦତଳରେ ଯାହାର
ତାହାର କି ଚିନ୍ତା।
ଈନ ପୂଜା କର, ମନୋରଥ
ପୂର୍ଣ୍ଣ କର ରସଲତା ୪।
 
ଇତି ପ୍ରତି ଉକ୍ତି ଲଳିତା
କହନ୍ତି ଗୁରୁଜନ ଡରେ।
ଇରାବତୀ ମତି ପ୍ରସନ୍ନ
ନକରେ ରଜନୀ ବାସରେ ।୫।
 
ଇଷ୍ଟ ଅଭୀଷ୍ଟ କରି କେହି
ମିତ୍ରକୁ ପୂଜିଯିବ ଧନୀ ।
ଇତର କଥାକୁ ଏ ଶାଶୁ ନଣନ୍ଦେ
ଗଞ୍ଜନ୍ତି କି ଘେନି ।୬।
 
ଇଙ୍ଗିତ ଏତେକ ପାଇ
ପୂର୍ଣ୍ଣମାସୀ ଭାଷି ଜଟିଳାକୁ।
ଇଷ୍ଟ ରିଷ୍ଟ ନଷ୍ଟ ହେବ,
ରାଧା ନିତି ପୂଜୁ ମିହିରଙ୍କୁ ।୭।
 
ଇଶିତ୍ୱ ନିଧି ପରାପତ ହୋଇବ,
ଶୁଣି ବୁଢୀ ତୋଷ।
ଈଶ୍ୱରି, ତବ ବଚନ କେ ଭାଙ୍ଗିବ,
ପୂଜନ୍ତୁ ଦିନେଶ ।୮।
 
ଈଷଦ୍ଧାସେ ପୁଣି ରାଧାପାଶେ
ମିଳି ଏକଥା କହିଲେ ।
ଈଶାନ୍ୟେ କାମ୍ୟ ବନେ ମିତ୍ର
ଅଛନ୍ତି ବୋଲି କହିଦେଲେ ।୯।
 
ଇକ୍ଷିତ କର ତୋ ପଦ୍ମଜିତ
ମୁଖ ଦେଖି ମୁଁ ଯିବଇଁ।
ଇନ୍ଦୁଲେଖା କହେ, ଏତେ ଉଦବେଗ
ଚିତ୍ତ କାହିଁପାଇଁ ।୧୦।
 
ଈଦୃଶ ଭାଗ୍ୟ କାହିଁ,
ଆମ୍ଭେ ତୁମ୍ଭଙ୍କୁ ଦେଖିବୁ ସର୍ବଦା।
ଈକ୍ଷଣ ସାର୍ଥ ରାଧାର କରି
ଯାଉଥିବଟି କାମଦା ।୧୧।
 
ଇଦଂ ବାକ୍ୟ ଶୁଣି ଭଗବତୀ
ପ୍ରତିଭକ୍ତି କଲେ ଦତ୍ତ।
ଇନ୍ଦିବରାକ୍ଷୀ ରାଧା ମୋର
କେବଳ ପ୍ରାଣ ପଞ୍ଚଭୂତ ।୧୨।
 
ଇଦାନୀ ରହି ନପାରିବି,
ଚଞ୍ଚଳ ଚିତ୍ତ ଅଛି ହୋଇ।
ଇନ୍ଦୁ କୋଟି ଜିତି ଶ୍ରୀମୁଖ
କୃଷ୍ଣର ଦେଖିବାଇଁ ଯାଇଁ ।୧୩।
 
ଇକ୍ଷୁରସସାର ନାମକୁ ଶୁଣାଇ
ଗଲେ ଭଗବତୀ।
ଇସିକି ମଧୁର ନାମକୁ ଶୁଣିଲି,
ଭାବେ ରସବତୀ ।୧୪।
 
ଇନ୍ଦ୍ରିୟେ ମୋହର ବାଞ୍ଛା
କଲେନି ତ ବିଶେଷ ହେବାକୁ।
ଇନ୍ଦୁର ହେଲା ଭଗବତୀ
ଭାରତୀ ଦମ୍ଭ ବସନକୁ ।୧୫।
 
ଇନ୍ଧନ ପ୍ରତିମା ପରାୟେ
ତନୁକୁ ସ୍ତମ୍ଭ କରାଉଛି ।
ଈଶାନପର ଆକର୍ଣ୍ଣାୟତ୍ତ
କରି ଧନୁକୁ ଆଞ୍ଚୁଛି ।୧୬।
 
ଇଷୁ ଯୋଚିଲାନି, ମାରିବ
ଏଥର ସଂଶୟତ ନାହିଁ ।
ଇଷିତେ ପତିବ୍ରତାବ୍ରତ ସରିଲା,
ଧିକ ଧିକ ମୁହିଁ ।୧୭।
 
ଈଶ୍ୱର ଇଚ୍ଛାକୁ ସବୁ
ଘଟିପାରେ କହିବି କାହାକୁ।
ଈନ ଧରିବା ମନ ଇଚ୍ଛେ,
ଆଉ କେ ବାରିବ ଲୋଭକୁ ।୧୮।
 
ଇନ୍ଦିରାଦି ନାରୀଙ୍କି ମୁଁ
ନଗଣଇଁ ପତିବ୍ରତା ଗୁଣେ।
ଈରିଷା ସେମାନେ କରି ଭିଆଇଲେ
ଏ ନାମ କି ଗୁଣେ ।୧୯।
 
ଇନ୍ଦ୍ରଗୋପଜିତରଙ୍ଗ ଚରଣୀ
ଯେ ଏ ରୂପେ ସୁମରି।
ଇନ୍ଦ୍ରଜିତ ସୁତ ଏ ଛନ୍ଦ ଭଣଇଁ
ରାଧା ଧ୍ୟାନ କରି ।୨୦।