ବୈଦେହୀଶ ବିଳାସ/ବର୍ଣ୍ଣନେ କବି ଅଶେଷ ଯେଉଁ ମହୋତ୍ସବ

ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଦ୍ୱିପଂଚାଶତ ଛାନ୍ଦ: ବର୍ଣ୍ଣନେ କବି ଅଶେଷ ଯେଉଁ ମହୋତ୍ସବ

ଦ୍ୱିପଂଚାଶତ ଛାନ୍ଦ: ବର୍ଣ୍ଣନେ କବି ଅଶେଷ ଯେଉଁ ମହୋତ୍ସବ

ରାଗ – ମଙ୍ଗଳ
ବର୍ଣ୍ଣନେ କବି ଅଶେଷ ଯେଉଁ ମହୋତ୍ସବ ।
ବଂଶଚିତ ଚରିତରେ ବିଞ୍ଜେ ଅର୍ଥ ହେବ ହେ ।୧।
ବ୍ରହ୍ମପୁତ୍ର କହିବାର ଗୁରୁପୁଷ୍ୟାଯୋଗେ ।
ବାରୁଣାଳୟ କୃପାରେ ଯେ ସେ ସୀତାସଙ୍ଗେ ଯେ ।୨।
ବିଶାରଦ ଗଭୀର ଗୁଣରେ ଅତିଅନ୍ତ ।
ବିଳସିତ ରଙ୍ଗେ ବହୁଭୁବନେ ରାଜିତ ହେ ।୩।
ବକ ବାଜୀ ଶାମଳ କୁମ୍ଭୀରେ ସ୍ଥାନ ପୂର୍ଣ୍ଣ ।
ବିଦିତ ଶଙ୍ଖ ମଧରୀ ଆନକ ନିସ୍ୱନ ଯେ ।୪।
ବିଭାନ ଅନନ୍ତ ଯହିଁ ଆନ ଲକ୍ଷ ନାହିଁ ।
ବିସ୍ତୃତ ତାରତର ନେତ୍ରରେ ଚାରୁ ମୋହି ହେ ।୫।
ବିସ୍ତାରକ ସୁମନସପଦ୍ଧତି ଆହୁରି ।
ବିଧୂତ ଚନ୍ଦ୍ର ଝଲକାବଳୀ କି ମାଧୁରୀ ଯେ ।୬।
ବିଳାସବଶରେ ଘନସାର ପ୍ରଚରିତ ।
ବିଜ୍ଜ୍ବଳ ଛାୟାମଣ୍ଡପ କନ୍ୟାସ୍ତମ୍ଭ କୃତ ଯେ ।୭।
ବାଡ଼ମୋହିନୀ ସ୍ୱଭାବେ ବିବୁଧରଞ୍ଜତ ।
ବିଭାତିରେ ତମଚକ୍ର ହୋଇଛି ଖଣ୍ଡତ ଯେ ।୮।
ବିମ୍ବ ନିର୍ମଳ ଦେଖାଇ ସେ ବେଦିକାସାର
ବହନର ଭ୍ରମ ଏତ ଅବଜାତପୁର ଯେ।୯।
ବରଷାରପରାଭୂଭୃତଶିରମଣ୍ଡନ।
ବିଜେ ଚଞ୍ଚଳା ଘନରଞ୍ଜନ ଭଦ୍ରାସ(ଶ)ନ ଯେ।୧୦।
ବିରାଜିତ ଶାରଙ୍ଗପତ୍ରିରେ ହୋଇଛନ୍ତି ।
ବେଗେ ଅମ୍ବର ପ୍ରକାଶ ଭରତ କରନ୍ତି ଯେ ।୧୧ ।
ବିଶଦ ଲକ୍ଷ୍ମଣେ ଛତ୍ର ହୋଇଲା ଉଦୟ।
ବାତଜାତ ପୟରେ ଦୀପିତ ସେ ସମୟ ଯେ ।୧୨।
ବର୍ହିପ୍ରଭା ଶତ୍ରୁଘ୍ନ ଚାମର ଚଳାଉଛ ।
ବିଭୀଷଣ ଯୁକ୍ତ ଚନ୍ଦ୍ରହାସେ ହୋଇଅଛ ଯେ ।୧୩
ବିଦ୍ୟ ପ୍ଳବଗ ବରହିପୁଚ୍ଛ ପ୍ରଚାଳନ ।
ବିଧିପୂର୍ବେ ସାର ଦିଶେ ସକଳ ଭୂବନେ ଯେ ।୧୪।
ବିଭ୍ରାଜିତ ବାରିଝରୀ ତାରାଭବ ଯହିଁ ।
ବିଶେଷିତ ଜ୍ୟୋତିର୍ବିଦ ୠକ୍ଷପତି ତହିଁ ଯେ ।୧୫।
ବିକଶିତ କୁମୁଦାଦି ସୁମନ ରଭସେ ।
ବିମଳ ଅଗସ୍ତି ଭରଦ୍ୱାଜ ବାକ୍ୟ ଘୋଷେ ଯେ ।୧୬।
ବିହିତ ଏ ସରୁପକ ଶ୍ଳେଷରିତି ପୁଣ ।
ବେଢ଼ି ସପ୍ତୠଷି ମିଳି କର୍ମର କାରଣ ଯେ ।୧୭।
ବରଳିଭୂତ ତପସ୍ୱି ଗଣେ କରେ ଦାନ ।
ବିଟପୀ ରମ୍ଭା ସୁଷମା ଘଟ ବାରିପୂର୍ଣ୍ଣ ଯେ ।୧୮।
ବନ୍ଦନୀୟ ଦ୍ୱୀପିନ ଥେ ପାଶେ ଅନୁସରି।
ବିଶୁଦ୍ଧ ଲକ୍ଷଣ ଦାନ ହୋଇଛି ମାଧୁରି ଯେ ।୧୯।
ବାଦ୍ୟନାଦ ବଳି ଶୁଭେ ରସନାର ସ୍ୱନ।
ବାରନାରୀସାର ନୃତ୍ୟଗୀତର ବିଧାନ ଯେ ।୨୦।
ବ୍ୟୋମ ଆଚ୍ଛାଦିତ ଶୂରପ୍ରଭା ସାଧୂ ଚାହିଁ।
ବୃଦ୍ଧି ସକଳ ଲୋକ ପ୍ରମୋଦ ଯହିଁ ହୋଇ ଯେ ।୨୧।
ବ୍ୟକ୍ତ ଗନ୍ଧର୍ବଗାୟକ ରସାଳେ ମାଧୂର୍ଯ୍ୟ।
ବସନ୍ତ ମଙ୍ଗଳ ରାଗେ ଏକଭାଗେ ଭଜ ଯେ ।୨୨।
ବ୍ରହ୍ମା ହର ସ୍ତୁତି ଶ୍ରୁତିରଞ୍ଜନ ସ୍ୱଭାବେ।
ବନ୍ଦିବଚନ ହୋଇଛି ସେକାଳ ଉତ୍ସବ ଯେ ।୨୩।
ବହୁତ ନେତ୍ର ଆନନ୍ଦ ବିସ୍ତାରି ଦର୍ଶନ।
ବହୁତ ମୁଖରେ କୀର୍ତ୍ତି ଶେଷ ଅଭାଜନ ଯେ ।୨୪।
ବାଡବଜାତ ପ୍ରଭାବିହୀନରେ ଭାବିତ।
ବିଶ୍ୱେ ସାର ରାମ କାମ ଦାନକରି ସ୍ଥିତ ଯେ ।୨୫।
ବିସ୍ତାରି ଏ ଭାବେ ମତି ବିଧାତାକୁମର।
ବ୍ରହ୍ମାଣ୍ଡଭାଣ୍ଡରେ ଚକ୍ରବର୍ତ୍ତୀ ଚାପଧର ଯେ ।୨୬।
ବିଚାରନ୍ତି ପୁଣ୍ୟଜନ ବରଶ୍ରୀ ଆଶ୍ରୀତ।
ବିକ୍ଷେପକ ମେଘପୁଷ୍ପ ସଧୀର ମରୁତ ଯେ ।୨୭।
ବିବେକ ଜନିତ ଯେ ଯୋଗୀରେ ଧର୍ମରାଜେ।
ବସୁଧାରେ ସତ୍ୟ ଅବତାର ଏ ଉପୁଜେ ଯେ ।୨୮।
ବୈକୁଣ୍ଠ ଶ୍ରୀ କି ଏ ନିଶ୍ଚେଁ ମାର୍କେଣ୍ଡେୟ ଭାଳେ।
ବିହ୍ୱଳ ମୁଁ ପୂର୍ବେ ଅବିଧିରେ ଦେଖି ଡୋଳେ ଯେ ।୨୯।
ବର୍ତ୍ତମାନ ଧନ୍ୟ ଦେଖି ଅପୁର୍ବ ଉତ୍ସବ।
ବଡାଇ ଏ ତୋଷସିଦ୍ଧି ଭବିଷ୍ୟେ ନୋହିବ ଯେ ।୩୦।
ବନ୍ଦାପନାବିଧି ଶେଷ ଅଗୋଚର ଦ୍ରବ୍ୟେ ।
ବାସବର ପୁରଷ୍କାର ଲଭି ତହିଁ ସର୍ବେ ଯେ ।୩୧।
ବସତି ଯେ ସୁମନା ନାଗର-ଗତି ହେଲା ।
ବିଚିତ୍ର ପ୍ରତିମା ଦୋଇ ଈକ୍ଷଣେ ରହିଲା ଯେ ।୩୨।
ବଲ୍ମୀକରୁ ଜ୍ୟୋତି ଜାତ ସତ ଏ ପୁରାଣେ ।
ବିଳାସକ ହୃଦୟ-ପୁଷ୍କରେ କ୍ଷଣେ କ୍ଷଣେ ଯେ ।୩୩।
ବାଞ୍ଛାପୂର୍ଣ୍ଣ ଚତୁରବର୍ଗରେ ପ୍ରଭୁ କଲେ ।
ବିଧାନ କମଳା ସାରପାକେ ଭୋଜ୍ୟ ଦେଲେ ଯେ ।୩୪।
ବିଧୁ ସିନ୍ଧୁ ସ୍ୱର୍ଗପ୍ରାୟ ସେ ଅମୃତାକର ।
ବାମା ଗଜରାଜ କି ସଂଯୋଗ କଟକର ଯେ ।୩୫।
ବାଳସୂର୍ଯ୍ୟ ଜୁବାଗୟାକ ନି ରାଗଯୁକ୍ତ ।
ବୈଶାଖ ପୁଷ୍ପ କନ୍ଦର୍ପ କି ମଧୁରେ ଯୁକ୍ତ ଯେ ।୩୬।
ବାଚକ ହୋଇଲା ସୁଧା ଅଶନ ଭାବିତ ।
ବୁଶ୍ୱ ଘନ କମଳ ସାରଙ୍ଗ ପ୍ରାୟ ଚିତ୍ତ ଯେ ।୩୭।
ବହୁରୂପା ନଳିନୀ ତାର ଧାରିରେ ସୀତା ।
ବିକାଶିତ ରୁଚିରେ ସେ ସମସ୍ତ ତୋଷିତା ଯେ ।୩୮।
ବିରସ ରାମ ଆଜ୍ଞାରେ ସେ ଭାବ ସମ୍ମରେ ।
ବାହୁଡ଼ି ଯୋଗୀ ହୋଇଲେ ସ୍ୱପୁରେ ସମସ୍ତେ ଯେ ।୩୯।
ବାସର ନିଶାରେ ମଧୁସୂଦନ ସହଜେ ।
ବୁଶ୍ୱଧାତ୍ରୀଜାତ ପଦ୍ମବାସୀ ରସେ ମଜ୍ଜେ ଯେ ।୪୦।
ବୈଦେହୀଶ ବିଳାସ ଏ ଗୀତ ମନୋରମ ।
ବାନଛାନ୍ଦେ ଶେଷ ଆହ୍ୟ ବକାର ନିୟମ ଯେ ।୪୧।
ବାଲ୍ମୀକିସଦନେ ଯାଇ ଜାନକୀ ରହୀବା ।
ବଧ ଲବଣର କୁଶ ଲବ ଜନ୍ମ ହେବା ଯେ ।୪୨।
ବିରଚିବ ଯାଗ ରାମସୁତ ଗୀତ ଗାନ ।
ବୈଦେହୀ ଆଣିବା ପୁଣି ପାତାଳେ ଗମନ ଯେ ।୪୩।
ବିଧୁର ହେବା ଲକ୍ଷ୍ମଣ ରାମ ମାତୃଭ୍ରାତ ।
ବହ୍ନିରେ ପଶିବା ଘେନି ସ୍ୱାମୀର ସଙ୍କେତ ଯେ ।୪୪।
ବସୁଧାଭୃତ କରିଣ ଲବକୁଶ ବେନି ।
ବୈକୁଣ୍ଠ ଗମିବା ରାମ ସ୍ୱଜନଙ୍କୁ ଘେନି ଯେ । ୪୫ ।
ବିଭଙ୍ଗ ରସ ବୋଲିଣ ନ ବର୍ଣ୍ଣିଲି ଏତେ ।
ବୁଧେ ବୋଲିଛନ୍ତି ଏହା ଦୋଷ ଛାନ୍ଦଗୀତେ ଯେ ।୪୬।
ବରହିବଂଶେ ଉଭବ ନୃପ-ଧନଞ୍ଜୟ ।
ବିଶିଷ୍ଟେ ଘୁମୁସରଅଧିପ ଗୁଣାଳୟ ଯେ ।୪୭।
ବେନି ଅର୍ଥେ ସେ କବି ଗଣେଶ ବୋଲି ଜାଣ ।
ବନ୍ଦନ ତଦ୍ଧତ ତାଙ୍କ ନନ୍ଦନ ପ୍ରମାଣ ଯେ ।୪୮।
ବସୁଧାପତି ସେ ନୀଳକଣ୍ଠ ନାମେ ଖ୍ୟାତ ।
ବିଧାନରେ ମୁଁ ହିଁ ତାହାଙ୍କର ଜ୍ୟେଷ୍ଠସୁତ ଯେ ।୪୯।
ବୀରବର ପଦ ଉପଇନ୍ଦ୍ର ମୋର ନାମ ।
ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ ।୫୦।
ବିଚିତ୍ର କବିତ୍ୱମାର୍ଗେ ପ୍ରସରିଲା ବୁଦ୍ଧି ।
ବିରଚିଲା ରାମାୟଣ ଏ ମୋ ବଡ଼ସିଦ୍ଧି ଯେ ।୫୧।
ବାନପଦରେ ଆଦର କଲି ଛାନ୍ଦ ପ୍ରାନ୍ତ ।
ବୁଧେ ସରସ କର୍କଶେ ରସାଳ ଏ ସତ ଯେ ।୫୨।