ମୁଖ୍ୟ ସୂଚୀ ଦେଖିବେ

ବୈଦେହୀଶ ବିଳାସ/ବିଶ୍ରବା ନନ୍ଦନ ତପ ଉଦିତ ପର୍ବତ ରୂପ

< ବୈଦେହୀଶ ବିଳାସ
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ପଞ୍ଚାଶତ୍ ଛାନ୍ଦ:ବିଶ୍ରବାନନ୍ଦନ ତପ ଉଦିତ ପର୍ବତ ରୂପ

ପଞ୍ଚାଶତ୍ ଛାନ୍ଦ:ବିଶ୍ରବାନନ୍ଦନ ତପ ଉଦିତ ପର୍ବତ ରୂପ

ରାଗ-ଭୈରବ
ବିଶ୍ରବାନନ୍ଦନ ତପ ଉଦିତ ପର୍ବତ ରୂପ
ପ୍ରତ ପଦାବାଗ୍ନି ଲୋପ ସ୍ୟନ୍ଦନ ଦୃଶେ
ବରଷାକାଳ ତା କଳ୍ପେ ବଳାହକ ମେଘପୁଷ୍ପେ
ଶୋଭା ଘୋଷଚକ୍ରେ ବ୍ୟାପେ ପ୍ଳବଟ ତୋଷେ ।
ବିଦ୍ୟ ଘନେ । ବିରାଜ ରାମ ଲକ୍ଷ୍ମଣ ଗର୍ଭେ ।
ବିଭ୍ରାଜଇ ବୃଷାଚାପ ଶରପୂର୍ଣ୍ଣରେ ଲୋଲୁପ
ଚପଳା ଗତି ସଂକ୍ଷେପ ନଭେ କି ଶୋଭେ ।୧।
ବିହି ଶରଦଲକ୍ଷଣ ବିବିଦ ରାମଲକ୍ଷଣ
ବିରାଜିତ ଋକ୍ଷଗଣ କୁମୁଦ ତୋଷେ ।
ବଳ ହିମନ୍ତ ପର୍ବତ ପ୍ରବଳ ବାତଜନିତ
ହେବାରୁ ସାଞ୍ଜୁ ଓଡ଼ିତ ରାକ୍ଷସବଂଶେ ।
ବିଶେଷରେ । ବିଶିଷ୍ଟରେ ଇସି ଇସି ଭାଷି ।
ବିଚାରିଲା ଏହି ଶୂର- ଠାରୁ ତ ଅସୁରପର
ନୋହିଲେ କି ରଥବର ମିଳନ୍ତା ଆସି ।୨।
ବତ୍ସସ୍ଵଚ୍ଛମଣି ମଣି ବଶୁଁ ପୁଣି ଆଣି ଆଣି
ଶଙ୍କା ଦର ସେହିକ୍ଷଣି ଲଙ୍କା ରାଜନ ।
ବିପୁଳେ କରି ଗର୍ଜ୍ଜନ ସେ ଧର୍ନୁଗୁଣ ମାର୍ଜ୍ଜନ
ରହରେ ଦେବେ ସର୍ଜ୍ଜନ ତର୍ଜ୍ଜନ ।
ବହୁବାହ । ବହି ତହିଁ ଶର ଶରାଶନ ।
ବଡ଼ାଇଲା ବେଗେ ଚଣ୍ଡୀ ପର୍ବକୀଶପଶୁ ଖଣ୍ଡି
ରକ୍ତପାନ ପାନକୋଳେ ଓଷ୍ଠ ରଞ୍ଜନ ।୩।
ବିଜୟୀ ନନ୍ଦୀଘୋଷରେ ବିଜୟି ଧନୁଘୋଷରେ
କଇଳାସ ବିଳାସ ଛଡ଼ାଇ ଅଣାଇ ।
ବାଛି ଯାର ଯୋଦ୍ଧାବ୍ରତ ମୁର୍ଦ୍ଧାଫାଳ ଫାଳକୃତ
ବକ୍ଷ ଚିରି ବପାପୀତ ମାତ୍ର ଭକ୍ଷାଇଁ ।
ବାଜିନାମୁ । ବିଷ୍କରେ ଜାଣି ମିତ୍ରତା କରି ।
ବିହରୁ ଶବ ବିୟତେ ଘେନି ସେ ତୋଷେ ଭକ୍ଷନ୍ତେ
ଭରମୁଥିଲେ ରକତେ ପଶି ନ ପାରି ।୪।
ବାଣେ ବାଣ ପରିତାଳ ଜ୍ୟୋତି ଜାତ କି ଅନଳ
ଭାନୁ ଚିତ୍ରଭାନୁ ମିତ୍ରଭାବେ ସେ ମେଳ ।
ବିଘାତ ହେବା ସମୟେ କି ଉତ୍ପାତ ଉଲ୍କାମୟେ
ଜଗତଯାକର ହୋଏ ସେହି ମଞ୍ଜୁଳ ।
ବିନାଶନ । ବିଶିଷ୍ଟ ଜ୍ୟୋତି ଲବକୁ ଲବ
ବର୍ଷା ନିଶାରେ ଖଦ୍ୟୋତ ଦିଶି ନ ଦିଶିଲାବତ
ମନକୁ ଆସେ ତେମନ୍ତ ଲୀନ ଉଦ୍ଭବ ।୫।
ବିକାରେ ହୁଁ କାରେ କରି ରାବଣ ଉଲ୍ଲେକ ମାରି
ଭଲେ ରାମ ବେନିଜଙ୍ଘ ଫୁଟାଇ ଦେଲା ।
ବିଭେଦନ ରମ୍ଭା ପୂର୍ବେ ଭେଦନ ରମ୍ଭାକୁ ଏବେ
ଅର୍ଗଳୀ ଉପମା ଥିଲା ସୁଷମା ହେଲା ।
ବର୍ଦ୍ଧମାନ । ବିବେକ ବିଚାରି ବିଷ୍ଣୁ ମୁହିଁ ।
ବିରାଟ ମୁକୁଟ ସେହି ବିରାଟ ଧ୍ଵଜରେ ରହି
ବିରାଟ ମୂର୍ତ୍ତିରେ ସ୍ନେହା ହୋଇଲେ ତହିଁ ।୬।
ବ୍ୟୋମ କୁନ୍ତଳ କରାଇ ଶିରଷ ସେକାଳେ ଯାଇ
ରସାତଳ ତଳସ୍ଥାୟୀ ଚରଣ ଦୁଇ ।
ବକ୍ଷସ୍ଥ ମଣିକି ମଣି ପଦକ ଦ୍ୟୁମଣି ମଣି
ବିଲୋକି ରାକ୍ଷସମଣି ସେହି ବଢ଼ଇ ।
ବାଞ୍ଛେ ଯଥା । ବାମନ ମନ ଲାଙ୍ଗଳୀତୁଙ୍ଗେ ।
ବିବୁଧାଳୟର ପରା ହେବା ଇଛା କଲେ ହୀରା
ହୋଏ କି ଏ ପରମ୍ପରା ହୋଇ ତା ସଙ୍ଗେ ।୭।
ବିଶାରଦ ମହାଭ୍ରୁମ ଅଗ୍ରତେ ଯେମନ୍ତ ଭ୍ରୁମ
ତଥା ଅପୁର୍ବ ସଂଗ୍ରାମ ଶ୍ରୀରାମ ରଚେ ।
ବାଜୀ ନିୟୁତେ ଅୟତେ ଗଜ ରଥ ଲକ୍ଷ ଶତେ
ଦଶକୋଟି ପତ୍ତହତେ କବନ୍ଧେ ନାଚେ ।
ବିଳସିଲେ । ବ୍ୟବସ୍ଥିତରେ କବନ୍ଧକୋଟି ।
ବିହିରେରେ କାର ଗିରେ ଖେଚର କୋଟି ସଂଖ୍ୟାରେ
ଏକଘଣ୍ଟି କୋଦଣ୍ଡରେ ତଥାପି ରଟି ।୮।
ବାଜିଲେ ସପତଘଣ୍ଟି ତୁଟିଏ ତହିଁ ନ ତୁଟି
ସପତଦିନ ପ୍ରକଟି ରଣେ ଏସନ ।
ବିଖନ ଲେଖୁଁ ଗହନ ବିଂଶାକ୍ଷକୁ କଲେ ଧନ୍ୟ
ରଖିଥିଲା ଏତେ ସୈନ୍ୟ ଏବେହେଁ ଘେନ ।
ବିଧ୍ବଂସିଲା । ବାନର ଯୋଦ୍ଧାନୁକୁଳ କୃତ ।
ବିଷ୍ଟି ହୋଇଣ ଆପଣ ଦିଗଶୂଳ ଶୂଳଗଣ
ଲକ୍ଷଣାରେ ତମଗୁଣଗ୍ରସ୍ତ ପୌଲସ୍ତ୍ୟ ।୯।
ବାଲମୀକି ଉକ୍ତିସାର ଗଗନ ଗଗନାକାର
ସାଗର ତୁଲ୍ୟ ସାଗର ଯେଉଁ ପ୍ରକାରେ ।
ବିଶ୍ରୁତ ଲୋଚନ କର ରାମ ରାବଣ ସମର
ରାମରାବଣ ସମର ଖ୍ୟାତ ସଂସାରେ ।
ବିଚାରିଲେ । ବିଲୋକି ରାମରଣ ଜାମ୍ବବ ।
ବୟସ ଗଲାଣି ସରି ଯୁଝି ଯୁଝିଲାର ପରି
ଏ ସଙ୍ଗେ ବିରୋଧ କରିବାର ଉତ୍ସବ ।୧୦।
ବେଭାରେ ଚତ୍ରୀତ ସେହି ଚତ୍ରୀବିଧାନକୁ ବିହି
ଶର ସୂତ୍ର ସୂତ୍ରେ କଞ୍ଚାଭାଣ୍ଡର ତୁଲେ ।
ବଚ୍ଛେଦି କୋପେ ରାଘବ ଦଶଗ୍ରୀବ ଦଶଗ୍ରୀବ
ବିଚ୍ଛେଦ ନୋହିଲା ଲବ ଲାଗେ ତତ୍କାଳେ ।
ବିଘଟିତ । ବୁଦ୍ଧି ହୋଏ ଏହି ଉପମାରେ ।
ବାରି ନୋହେ ଭିନ୍ନ କରି ଯଥା ବୀଚିତରବାରି
ପୁନଃ ପୁନଃ ତରବାରୀମାନ ପ୍ରହାରେ ।୧୧।
ବିରବର ବଶେ ତହିଁ ବୀରବର ବୋଲେ ମୁହିଁ
ଶିରଶ୍ଛେଦେ ନ ମରଇ ସାହସ ତେଜ ।
ବିଜୟୀ ହୋଇଛି ସୁର ଗଣରେ ଆନ ଅସୁର
ନୋହେ ବୁଡାଇବି ଶୂରପଣ ତୋ ଆଜ ।
ବିଷ୍ଣୁଚକ୍ର । ବାଜି ହୃଦେ ଚର୍ମରେ ନ ଗଳି ।
ବକ୍ର ଦାଢ଼ ମୂନ ନାଶ ଚୂର୍ଣ୍ଣ ଭଜେ ଦୁର୍ଗାଈଶ
ଇନ୍ଦ୍ର ଖଡ୍ଗ ଶୂଳ ବଜ୍ର ନ ମାରେ ତୋଳି ।୧୨।
ବୋଲୁଁ ରାମ କୋପେ ଥରେ ଅଷ୍ଟୋତ୍ତରଶତ ଥରେ
ଛେଦନେ ପାତ ପୃଥ୍ବୀରେ ତା ମୁଣ୍ଡ ନୋହି ।
ବ୍ୟଥିତ ଭଜି କଥିତ ଅଗ୍ରେ ଯେ ମାତଳି ସ୍ଥିତ
ଏ ଦୈତ୍ୟ ଅଦ୍ଭୁତ ଭୂତ ଭବିଷ୍ୟେ ନାହିଁ ।
ବର୍ତ୍ତମାନ । ବିଖ୍ୟାତ ଏ ତ ମରିବ କେହି ।
ବ୍ରହ୍ମାଣ୍ଡସାର କ୍ଷତ୍ରିୟ ବ୍ରହ୍ମାସ୍ତ୍ରେ ଭେଦ ହୃଦୟ
ଦେଇଛି କୁମ୍ଭତନୟ ମାତଳି କହି ।୧୩।
ବିନ୍ଧିବାକୁ ନାଗେ ନାକେ ମଧ୍ୟେ କେ ଲାଗିବ ଲାଖେ
ତେଜେ ବସାଉଁ ପିନାକେ ଜଳୁ ସେ ଥିଲା ।
ବାଦୀ ତ୍ରିପୁର ତ୍ରିପୁର ଜିତର ହୁଅନ୍ତେ ହର-
ପ୍ରୟୋଗେ ତୁମ୍ଭେ ପାତର ମୋତେ ଦିଶିଲା ।
ବିରାଧାରି । ବାଣୀ ତାର ଶୁଣି ତତ୍ପର ।
ବଡବାନଳ ସାଗରୁ ଉଦ୍ଧରି ଧରିବା ଚାରୁ
ବାହାର କଲେ ତୂଣୀରୁ ସେ ବ୍ରହ୍ମଶର ।୧୪।
ବାର ଆଦିତ୍ୟ ଉଦିତ ଏକତ୍ଵ ହୋଇ ବ୍ୟକତ
ଏକମଣ୍ଡଳେ ତଦ୍ବତ କୋଦଣ୍ଡ ମଧ୍ୟେ ।
ବସାଇଣ ଆମଞ୍ଚନେ ଭାବେ ପୁଷ୍ପକ ବିମାନେ
ପୁଷ୍ପକ ହେବାର ମନେ ଆଜର ଯୁଦ୍ଧେ ।
ବିତରଣ । ବାଣ କଲା ତୁଚ୍ଛା କରି ତୁଣ ।
ବାଛି ଏଥୁଁ ଭଲ ଜଣେ ମାରି ପାରିବି କି ରଣେ
ଚିରକୀର୍ତ୍ତି ବୀରପଣେ ରହିବ ପୁଣ ।୧୫।
ବ୍ରହ୍ମାସ୍ତ୍ର ବ୍ରହ୍ମାସ୍ତ୍ର ପରେ ଚକ୍ର ଚକ୍ର କୋଦଣ୍ଡରେ
କତୁରୀକି ତ୍ଵରିତରେ ଗୁଣ ଖଣ୍ଡନେ ।
ବିଭୀଷଣ ହନୁମନ୍ତେ କପିବର ବାଳିସୁତେ
ଶକ୍ତିପଦ୍ମେ ଶୂଳ କେତେ ସେନା ଖଣ୍ଡନେ ।
ବିଧାନକ ।ବଳ ଯେତେ ତାଙ୍କୁ କାଣ୍ଡେ କାଣ୍ଡେ ।
ବିଦିଶ ଦିଶ ଅଦୃଶ୍ୟ ଶଲ୍ୟକୀ ସ୍ଵଶଲବଂଶ
ଝାଡ଼ି ଝାଡ଼ି କି ରଭସଗତି ପ୍ରଚଣ୍ଡେ ।୧୬।
ବ୍ୟାଘ୍ର କି ମକ୍ଷିକା ଗ୍ରାସେ ଲକ୍ଷ୍ମଣ ବାଣ ସଦୃଶେ
ଖରଜିତ ବାମ ହସ୍ତ ଦକ୍ଷିଣେ ବୋଲେ ।
ବିଦେହ କନ୍ୟା ଯୋଗରେ ଆଗ କର୍ବୁର ଦାନରେ
ଯୋଗ ହେଉ ପଛେ ଯାଉ ସମରକାଳେ ।
ବାମେ ସେହି ।ବାକ୍ୟରେ ଦକ୍ଷିଣ ପାଣି ଛଳେ ।
ବିଦେହକନ୍ୟା ଯୋଗରେ ଯୋକେ କର୍ବୁର ଦାନରେ
ବଦେ କୃପାଳୁ ସମ୍ମତେ ଶ୍ରୁତିକି ଚଳେ ।୧୭।
ବ୍ରହ୍ମପୂଜିତ ସୁନ୍ଦର ପରଂବ୍ରହ୍ମ ବ୍ରହ୍ମଶର
ପ୍ରୟୋଗି ଏ ସମୟର ଡର ଉପରେ ।
ବୁଡ଼ି ହଂସ ପାରାବାରେ ଯେମନ୍ତ ବାହାରେ ତୀରେ
ଫୁଟି ତଥା ଚରମରେ ସ୍ଥିତ ତୂଣୀରେ ।
ବିଦୃଶତା । ବିମଳାକ୍ଷ ଅନାଉଁ ତମରେ ।
ବିଧ୍ଵସି ଦେଲା ତତ୍ପର ମାଳିତ ଆଦିତ୍ୟଗିର
ସ୍ଵନାମ ତାରକାସାର ଉଦିତ କରେ ।୧୮।
ବତାସେ ଉପୁଡି ଗିରି ପରୁ ମହାଦ୍ରୁମ ପରି
ମହୀପତନ ସୁରାରି ବିମାନୁ ଭଜେ ।
ବଳ୍ କଣ କବଚ ଫଳ ଶାଖା ଶିର ଭୁଜକାଳ
ତେଜି ପ୍ରାଣ ପକ୍ଷମେଳ ଗତି ସହଜେ ।
ବାଜି ହତ । ବାଜି ଗଜ ରଥ ଯେ ଅସୁରେ ।
ବଞ୍ଚିଲାଇଁ ତୋଷ ରଚି ବାନରେ ସଧୀରେ ନାଚି
ରଣସ୍ଥାନେ ପୁଷ୍ପସିଞ୍ଚି ବିଲୋକି ସୁରେ ।୧୯।
ବାହୁଡି ମାତଳି ଯାଇ ରଥ ଘେନି ଆଜ୍ଞା ପାଇ
ବିଭୀଷଣ ଶୋକ ବହି ଲୋକ ଆଚାରେ ।
ବାତେ ଉଡି ପୁଷ୍ପଲତା ପରା ରାବଣ ବନିତା
ଆସି ରଣାଙ୍ଗଣେ ସ୍ଥିତା କହନ୍ତେ ଚାରେ ।
ବିଳାସିନୀ । ବୃନ୍ଦ ବୃନ୍ଦ ପଦ୍ମିନୀ ଏ ତହିଁ ।
ବହେ ମକରନ୍ଦ ଜଳ ନୟନ ଫୁଲ୍ଲ କମଳ ।
ଲାଗି ରହିଛି ଭ୍ରସଳ ଡୋଳାହିଁ ଯହିଁ ।୨୦।
ବାଳିକା ହସ୍ତିନୀଗଣ ଆକୁଳ ହରି ଦାରଣ
ହାର ମୋତି ବିତରଣ ସ୍ତନକୁମ୍ଭୁରୁ ।
ବିଶେଷ ଥିଲେ ଶଙ୍ଖନୀ କଣ୍ଠମାଳୀ ଶୋଭା ଘେନି
ପ୍ରକାଶିତ ଉଚ୍ଚଧ୍ଵନୀ ସେତା ଦମ୍ଭରୁ ।
ବିନୋଦିନୀ । ବର୍ଗ ବର୍ଗ ଚିତ୍ରିଣୀଏ ଥିଲେ ।
ବସୁଧ ମଣ୍ଡିନୀ ଚିତ୍ର ରଜନିକରରେ ଗାତ୍ର
ଚାରିଜାତ ନାରୀ ସାର୍ଥ ଲକ୍ଷଣ ହେଲେ ।୨୧।
ବିଜୁଳିରୁଚି ରୁଚିରା ଏ ଘେନି ଅତି ଅଧୀରା
ହରିଣୀ ଲକ୍ଷ ଚାମର ବାଳ ଚଳାଇ ।
ବାଣିଜ୍ୟ ହା ହା ପଦକ କୃତରୁ ସୁନାରୀଟେକ
ବାଳା କ୍ଷିତିରେ କନ୍ଦକ କୁଚ ଖେଳାଇ ।
ବୋଲାଇ ସେ । ବେଭାରେ ମହିଷୀ ସ୍ଵେଦନୀରେ ।
ବିଗ୍ରହ ମଜ୍ଜାଇ ଦେଇ ଘନରସଦେ ଆଶାୟୀ
ମହାସନ୍ତାପିତ ହୋଇ ସେ ନିରନ୍ତରେ ।୨୨।
ବର ରତନ ଅୟନ ପତନ ଦେଖି ନୟନ
ମନ୍ଦୋଦରୀ କି ଦରିଦ୍ର ଧଇଲା ତୋଳି ।
ବୋଇଲା ଶୋଭାଙ୍ଗୀ ଭାଙ୍ଗି ବାଣୀ କି ଏ ଦଶାରଙ୍ଗା
ଦୀନ ହେଲୁଁ ସୂର୍ଯ୍ୟବଂଶୀ ଉଦିତେ ଝଳି ।
ବୋଧ ଅର୍ଥେ । ବିଭୀଷଣ ପ୍ରସାରେ ଭାରତୀ ।
ବୋଲ ଯା ସତ କାମିନି ତୁଟିଲା ପାପ ରଜନୀ
ଦିବସ ପନ୍ଦକୁ ଘେନି ଚର ସୁଗତି ।୨୩।
ବନିତାଗଣେ ପଣ୍ଡିତା ଦେବର ବାଣୀ ବିଦିତା
ଶ୍ରୁତି ପଚାରେ ତୋଷିତା ଗଲେ ଭବନେ ।
ବନ୍ଧୁ ବର୍ଗ ରୁଣ୍ଡବଶେ ଦଶାନନକୁ ରଭସେ
ଦହନ ସଂଯୋଗ ଶେଷେ ମଜ୍ଜିଲେ ସ୍ନାନେ ।
ବଇକୁଣ୍ଠେ । ବିଜୟ ପାଶେ ପ୍ରବେଶ ଜୟ ।
ବୈଦେହୀ ଶ୍ରୀରାମ ଶୋକ ତେଜି ନେଲେ କି ଅଶୋକ
ବନେ ଛନ୍ତି ପରସ୍ପରେ କଥା ଉଦୟ ।୨୪।
ବଇରୀଭାବେ ତ୍ରିବିଧୀ ମୋକ୍ଷଦାତା ଦୟାନିଧୀ
ସ୍ବବଲ୍ଲଭୀରେ ସଂପଦି ଯେତେ କଷଣ ।
ବସି ବେନି ପ୍ରଶଂସିତ ସୁଜ୍ଞଜନମାନେ ଚିତ୍ତ
ନିଶ୍ଚଳ କରିଣ ଚିନ୍ତ କି ପ୍ରଭୁପଣ ।
ବରଗିଲେ । ବିଶ୍ରବାସୁତ କରି କ୍ଷିତୀଶ ।
ବୀର ଶ୍ରୀରାମ ଅନୁଜ ସହିତେ ବାନରରାଜ
ବାଳିସୁତ ବାତାତ୍ମଜ ଲଙ୍କା ପ୍ରବେଶ ।୨୫।
ବାରତା ମନ୍ଦୋଦରୀରେ ସଲକ୍ଷ୍ମଣ ଅଙ୍ଗଦରେ
ଯୁକ୍ତ ହୋଇଣ ସୁଗ୍ରୀବେ ଗନ୍ଧବହଜେ ।
ବିଭୀଷଣ ପୂର୍ବଦେବ ଇନ୍ଦ୍ରପଦରେ ବସିବ
ବାମା ଚାରୁଧାରା ପରା ତୁମ୍ଭେ ହେବ ଯେ ।
ବୋଲୁଛନ୍ତି । ବୋଲି ଅଛନ୍ତି ଅଯୋଧ୍ୟାରାଜେ ।
ବୋଲ ସପନୀ ସହରେ ସଲକ୍ଷଣ ଅଙ୍ଗଦରେ
ଯୁକ୍ତ ହୋଇଣ ସୁଗ୍ରୀବେ ଗନ୍ଧବହ ଯେ ।୨୬।
ବିଳୋହିଲେ-ନାହିଁ ଆନେ ବିବେକ ପ୍ରଭୁ ସମାନେ
ନାହିଁ ବସି ସିଂହାସନେ ଅଭିଷେକରେ ।
ବଢିବ ସତୀ ସମ୍ପଦ ଅପୂର୍ବ ନ ଘେନ ହୃଦ
ରହିଲା କୀର୍ତ୍ତି ଅହଲ୍ୟା ତାରୁଁ ସଂସାରେ ।
ବାଳିଜାୟା ବିଳସିଲା ସୁଗ୍ରୀବର ଜାନୁ ।
ବଳାଇ ମନ ଏ ଗାରେ ନନାନ୍ଦା କଥା ବିଚାରେ
ସେ ସ୍ଥାନେ ପ୍ରବେଶ କରି ସୁବେଶ ତନୁ ।୨୭।
ବନ୍ଦାଇ ସୁମିତ୍ରାସୁତ ତାରାଭବ ରାମମିତ୍ର
ଆଞ୍ଜନେୟ କପିଗୋତ୍ର ଯୁତ ସମେଳ ।
ବୁହାଇଣ ରତ୍ନକୋଷ ରଥ ଆଦି ଗଜ ଅଶ୍ଵ
ସ୍ଵଦାରାସହ ସୁବେଳେ ଗଲେ ସୁବେଳେ ।
ବିଭୁ ତହିଁ । ବିଲୋକି ମୟଜା ସୁଶୋଭିତ ।
ବିଚାରି ଏଡେ ଆରମ୍ଭା ଥାଉଁ ରସିଲା ଏ ରମ୍ଭା
ଭୋଗକୁ ରାବଣ ଯାହା ମଧୁପ ସତ ।୨୮।
ବିଶ୍ବେ ଏ ସୁରଭି ଅଙ୍ଗ କାନ୍ତି ଅଙ୍ଗୁଳି ସାରଙ୍ଗ
ଗମନ ଅଳକାକଣ୍ଠ ନେତ୍ର ଭୂଲତା ।
ବିଶେଷ ହରି ମନକୁ ମୁଖ ସମ ସେ ପୂର୍ଣ୍ଣକୁ
ନାସା ଓଷ୍ଠ ମଧ୍ୟ ବେଣୀ ତଥା ରାଜିତା ।
ବିଡ଼ମ୍ବନ । ବିହିଲ ମୋତେ ସୁନ୍ଦରୀ କହି ।
ବୋଧୀଲେ ପୁଣ୍ଡରୀକାକ୍ଷ ତାର କର ଧରି ମୂଖ୍ୟ
ସାଧ୍ଵୀରେ ଲେଖା ପ୍ରତ୍ୟକ୍ଷ ହୋଇବୁ ତୁହି ।୨୯।
ବିଭୀଷଣ ସଙ୍ଗେ ରାଜ ଥିବାଯାକ ଚନ୍ଦ୍ର ସୂର୍ଯ୍ୟ
ତୋ ବୟସ ସଉନ୍ଦର୍ଯ୍ୟ ନ ତୁଟୁ ଲବେ ।
ବାହୁଡ଼ାଇ ନିଅ ଧନ ଏଥିରେ କି ପ୍ରୟୋଜନ
ଆଣ ମୋର ପ୍ରାଣଧନ ଜାନକୀ ଏବେ ।
ବନବାସୀ । ବିଧୁରତା କରି ରାଜଭୂତି ।
ବିଚାର ମୁକତିଦାୟୀ ମୁଁ କତି ଛାଡ଼ିଲେ ନାହି
ଯାହାରେ ବିହାର ସେହି କରେ ମୋ ଗତି ।୩୦।
ବୈଦେହୀ ଅମୃତାଧାରୀ ଚାତକ ଚକୋର ପରି
ବିରହି ଜ୍ଵରରେ ଘାରି ସେହି ବିଧାନ ।
ବୋଲୁଁ ସେ ଯାଇ ସସୈନ୍ୟେ ପ୍ରବେଶ ଅଶୋକ ବନେ
ହୋଇଲେ ଅଶୋକ ମନେ ଯାଇ ବହନ ।
ବାର୍ତ୍ତା ଦେଲେ ବିରହ ନବମ ଦଶ ଭୋଗ
ବିଖ୍ୟାତି ମଇଥିଳୀରେ ଲୋଟିଲା ମହୀସ୍ଥଳୀରେ
କରି ଦଶ ଦଶାନନ ଦଶମ ଭୋଗ ।୩୧।
ବିଜେ କର କାନ୍ତ ପାଶେ ହେମ ରତ୍ନ କାନ୍ତିଳଶେ
ମଣନ୍ତୁ ରାଣୀଏ ତୋଷେ ମୋ ନାମେ କହ ।
ବୋଇଲା ସମର୍ପା ଯାଇ ବିଭୀଷଣ ଯାହା କହି
ବିସ୍ତାର କରିବା ପାଇଁ ହରଷବ୍ୟୁହ
ଦେଢିଗଲେ । ବେଗେ ଓଳଗି ମହାଦେବୀଏ ।
ବତ୍ରିଶ ପଦେ ଏ ଛାନ୍ଦ ବୁଝିବ ସର୍ବ କୋବିଦ
ଚିତ୍ତେ ଭଞ୍ଜ ଉପଇନ୍ଦ୍ର ଶ୍ରୀରାମ ଧ୍ୟାୟେ ।୩୨।