ରସକଲ୍ଲୋଳ/କର ଆହେ ସାଧୁଜନମାନେ ମନେ ଏକ ଧ୍ୟାନ

ରସକଲ୍ଲୋଳ ଲେଖକ/କବି: ଦୀନକୃଷ୍ଣ ଦାସ
କର ଆହେ ସାଧୁଜନମାନେ ମନେ ଏକ ତାନ


ଦ୍ଵିତୀୟ ଛାନ୍ଦ
ରାଗ - ଚୋଖି

କର ଆହେ ସାଧୁଜନ― ମାନେ ମନ ଏକତାନ
କର୍ଣ୍ଣ ଦେଇ କମଳନୟନ-କଥାକୁ ।
କଳିକଳୁଷସଂଘାତ ଉପରେ କରି ସଂଘାତ
ସଂଶୟ ନ କର କାଳଦଣ୍ଡବ୍ୟଥାକୁ ।
କଳାକରେ ଅନ୍ଧାର ପ୍ରାୟ
କୃଷ୍ଣକଥା ଶ୍ରବଣେ ଦୂରିତ କ୍ଷୟ । ୧ ।
            

କଉଣପକୁଳେ ଭାରୀ ହୋଇ ଧରଣୀ ସୁନ୍ଦରୀ
ବିନୟ ହୋଇ ବ୍ରହ୍ମାଙ୍କ ଆଗେ କହିଲା ।
କଂସ ପ୍ରତାପରେ ଦେହ ହୋଇଲା ଅତି ଦୁଃସହ
କି କରିବି ଏବେ କହ ବୋଲି ବୋଇଲା ।
କୁଶକେତୁ ଶୁଣି ଏ କଥା
କହିଲେ ଜଗନ୍ନାଥଙ୍କୁ ଅବନୀବ୍ୟଥା । ୨ ।
            
            
କମଳମୁଖୀ-କମଳା– କଣ୍ଠ-ମରକତ-ମାଳା
ଆଜ୍ଞା ଦେଲେ କରୁଣା କଟାକ୍ଷେ ଅନାଇଁ
କିଛି ନ ବିଚାର ତୁମ୍ଭେ ଯଦୁକୁଳେ ଯାଇ ଆମ୍ଭେ
ଜାତ ହେବୁଁ କଂସପ୍ରାଣ ଘେନିମା ପାଇଁ
କର ତୁମ୍ଭେ ଏବେ ଗମନ
କରିବାକୁ ଗୋପକେଳି ଆମ୍ଭର ମନ । ୩ ।
            

କୃପାସିନ୍ଧୁ ଆଜ୍ଞା ପାଇ ପରମ ଆନନ୍ଦ ହୋଇ
ପଦ୍ମଯୋନି ପରବେଶ ହୋଇଲେ ପୁରେ ।
କିଛି ଦିନ ଅନ୍ତେ ହରି କୋଟି-କାମରୂପ ଧରି
ରହିଲେ ଯାଇଁ ଦେବକୀ ଦେବୀ ଗର୍ଭରେ ।
କେତେ ଦିନେ ହୋଇଲେ ଜାତ
କେ ଅବା କହିବ ତାହାଙ୍କ ଚରିତ । ୪ ।


କରେ ଶଙ୍ଖ ଚକ୍ର ଧରି କଂସଠାରେ କ୍ରୋଧ କରି
ବାଳକାଳୁଁ ବୀରବେଶ କଲେ ପ୍ରକାଶ ।
କଣ୍ଠେ କଉସ୍ତୁଭମଣି କୋଟି ଶଶଧର ଜିଣି
କିରଣ ପ୍ରକାଶ ପାପ-ଅନ୍ଧାର ନାଶ ।
କଟିତଟେ ପୀତବସନ
କଳାମେଘ-କୋଳରେ ବିଜୁଳି ଯେସନ । ୫ ।
            

କର୍ଣ୍ଣେ ମକରକୁଣ୍ଡଳ ଝଟକେ ଗଣ୍ଡମଣ୍ଡଳ
ମସ୍ତକରେ ମଣିମୟ ମୁକୁଟ ଶୋହେ ।
କଳିତ ଲଳିତ ହୃଦ― ଦେଶରେ ଶ୍ରୀବତ୍ସ ପଦ
ଭାବଗ୍ରାହୀ ନାଥ ଭକ୍ତିଭାବରେ କହି ।
କୋଟି କାମ ନିନ୍ଦେ ଶ୍ରୀଅଙ୍ଗ
କରେ କଙ୍କଣ, ଚରଣେ ନୂପୁର ସଙ୍ଗ । ୬ ।
            
            
କରି ଏ ରୂପ ଦର୍ଶନ କଲେ ସ୍ତୁତି ନିବେଦନ
ଜନକ ଜନନୀ ଅତି ଆଶ୍ଚର୍ଯ୍ୟ ହୋଇ ।
କହୁଁ କହୁଁ ମାୟା କରି ସେ ରୂପ ସଂହରି ହରି
ବାଳ-ମୁକୁନ୍ଦ-ମୂରତି ହେଲେ ଗୋସାଇଁ ।
କଂସର ଯେତେକ ପାହାରୀ
କାଳନିଦ୍ରାରେ ଚେତନା ନାହିଁ କାହାରି । ୭ ।
            

କଲା କାଳେ କନ୍ୟାଦାନ ବସୁଦେବେ ଉଗ୍ରସେନ
କଉତୁକେ କଂସ ରଥ ବାହୁ ଯେ ଥିଲା ।
କୋମଳ ଗଭୀର ବାଣୀ ଆକାଶମଣ୍ଡଳୁଁ ଶୁଣି
ଭଗ୍ନୀ ଭିଣୋଇଙ୍କି ନେଇ ଶାଙ୍କୋଳି ଦେଲା ।
କାଳେ ସେ ଚରଣୁଁ ଫିଟିଲା
କରିବାକୁ ବିଜେ ଶୁଭଲଗ୍ନ ଖଟିଲା । ୮ ।


କରେ ଧରି ସୁତ ଧୀରେ ଗମନ କରନ୍ତେ ଖରେ
ଉଗ୍ରସେନ ଆସି ଉଗାଳିଲା ଖରେ ।
କରେ ଶଙ୍ଖ ଚକ୍ର ଧରି ଦରଶନ ଦେଇ ହରି
ପ୍ରବେଶ ହୋଇଲେ ଗୋପେ ନନ୍ଦମନ୍ଦିରେ ।
କି କି ହୋଇ ଦଇବଯୋଗେ
କୁମାରୀ ହୋଇଛି ନନ୍ଦଙ୍କର ସେ ଲାଗେ । ୯ ।
            

କରି ତାହା ପ୍ରତିଦାନ ସତ୍ଵରେ କରି ଗମନ
ପ୍ରବେଶ ହୋଇଲେ ବସୁଦେବ-ମନ୍ଦିରେ ।
କୁହାଁ କୁହାଁ ବାଣୀ ଶୁଣି ଉଠିଲେ ରକ୍ଷକ ଶ୍ରେଣୀ
କହିଲେ କଂସକୁ ଯାଇଁ ନିଶି ଶେଷରେ ।
କଠୋର ହୃଦୟ ଦଇତ
କରିବାକୁ ନାଶ ତା ଅଇଲା ତୁରିତ । ୧୦ ।
            
            
କ୍ରୋଧଭରେ ବୋଲେ ବାଣୀ ଦିଅ ସେ ବାଳକ ଆଣି
କାଳ ମୋର ଜନମିଛି ତୁମ୍ଭ କୋଳରେ ।
କହୁଛନ୍ତି ଦେବଗଣ ଅବଶ୍ୟ ତୋହୋର ପ୍ରାଣ
ନେମ ଏହାର ଅଷ୍ଟମଗର୍ଭ ବେଳରେ ।
କରଇଁ ମୁଁ ତାହାକୁ ନାଶ
କଲେ ହେଳା ଶତ୍ରୁଠାରେ ନ ପାଇ ଯଶ । ୧୧ ।
            

କର ଯୋଡି ବସୁଦେବ ବୋଲଇ ଶୁଣ ହେ ଦେବ
କୁମର ନୁହଇ ସେ ହୋଇଛି କୁମାରୀ ।
କରୁଣା-ହୃଦୟ ହୁଅ ମୋତେ ଏ ଦୁହିତା ଦିଅ
ବିଚାରିଲେ ତୁମ୍ଭର ଏ ନୋହେ ବଇରୀ ।
କଲେ ହେଁ ଅନେକ ଯତନ
କଳା ଧଳା କରିବାକୁ କେ ବା ଭାଜନ । ୧୨ ।


କର୍ପୂର ଚନ୍ଦନ ଦେଇ ରସୁଣ ରୋପିଲେ ନେଇ
କେତେବେଳେ ଛାଡଇ କୁତ୍ସିତ-ବାସନା।
କୁଟିଳ ଦୁଷ୍ଟ ନାସ୍ତିକ ମହାପାପୀ ଅବିବେକ
ଲୋକଙ୍କ ସ୍ଵଭାବ ସେହି ପ୍ରକାରେ ସିନା ।
କୋକିଳ ବଚନ ମଧୁର
କରଇ ବିଯୋଗୀ ଜନ ମନ ବିଧୁର । ୧୩ ।
            

କଲା ମନରେ ବିଚାର ବିଷ୍ଣୁମାୟା ଅଗୋଚର
କାମିନୀ ରୂପେ ମାରିଛି ବଇଲୋଚନ ।
କରିଛି ଶିବକୁ ଯାହା କର୍ଣ୍ଣେ ଶୁଣିଅଛି ତାହା
କେମନ୍ତେ ଏହାକୁ ମୁଁ କରିବି ମୋଚନ ।
କାତ୍ୟାୟନୀ ଯୁବତୀ ହୋଇ
କଉଣପକୁଳକୁ ସେ କି କରିନାହିଁ । ୧୪ ।
            
            
କରେ ଧରି କୁମାରୀକି କଚାଡନ୍ତି ଶିଳେ ଟେକି
ଆକାମଣ୍ଡଳେ ଦେବୀ ଯାଇଁ ରହିଲେ ।
କାରଣ ନ ଥାଇ ମୋତେ କୋପ ଯେ କଲୁ ତୁ ଚିତ୍ତେ
କାଳେ କାଳକୁ ଦେଖିବୁ ବୋଲି ବୋଇଲେ ।
କହି ହେଲେ ଅନ୍ତରହିତ
କୁରାଳଚକ୍ର ପରାୟେ ଭ୍ରମିଲା ଚିତ୍ତ । ୧୫ ।
            

କଲା ପୁଣି ଅବିଚାର କେଶୀ, ଅଘା, ବକାସୁର
ଶକଟା, ତୃଣାବର୍ତ୍ତକ, ପୂତନା ଡାକି ।
କରିବ ତୁମ୍ଭେ ଏତେକ କଅଁଳା ପୁଅ ଯେତେକ
ମାରିବାକୁ ଯେ ଯାହାରେ ରହିବ ଟାକି ।
କଂସ ଆଜ୍ଞା ପାଇ ସେ ଦୂତେ
କଲେ ବାଳକନାଶନ ଉପାୟ ଚିତ୍ତେ । ୧୬ ।



କମଳନୟନ ହରି ନନ୍ଦପୁରେ ବିଜେ କରି
କଲେ ନାନା ଉତ୍ସବ ଆନନ୍ଦ ଭିଆଣ ।
କେତେ ଠାରେ କେତେ ଗୀତ କେତେ ରୂପେ ହୋଏ ନୃତ୍ୟ
କହିବାକୁ ବଚନେ କେ ଅବା ସିହାଣ ।
କଲେ ସୂତଗୃହ ବିଧାନ
କେ କହିବା ନନ୍ଦ ଦେଲେ ଯେତେକ ଦାନ । ୧୭ ।

            

କନକର ଦୀପାବଳୀ ଚାରି ପାରୁଶରେ ଜାଳି
ଚାରୁ ଚନ୍ଦ୍ରାତପମାନ ନେଇ ମଣ୍ଡିଲେ ।
କର୍ପୂର ଚନ୍ଦନ ଛରା ପକାଇ ସେ ପୁର ତୋରା
କରାଇ, ଅଳକାପୁରତୋରା ଖଞ୍ଜିଲେ ।
କନ୍ୟା ଖମ୍ବେ ଖଟାଇ ଦୋଳି
କୁମାରଙ୍କୁ ଶୁଆଇ ଦେଲେ ହୁଳହୁଳି । ୧୮ ।
            


କାମପାଳ ଆଗ ତହିଁ ଜାତ ହୋଇଥିଲେ ରହି
କ୍ରମେ ବେନି ଭାଇ ଯାଇ ହୋଇଲେ ସଙ୍ଗ ।
କାଳିନ୍ଦୀ ସୁରସରିତ ହୋଇଲା ପ୍ରାୟେ ଏକତ୍ଵ
କମନୀୟ ଦିଶେ କଳାଧଳା ଶ୍ରୀଅଙ୍ଗ ।
କରିବାକୁ କଳୁଷ ନାଶ
କଲା ବିହି ମଞ୍ଚେ ବେନି ତୀର୍ଥ ପ୍ରକାଶ । ୧୯ ।
            

କରଇ ପବିତ୍ର ଆନ ତୀର୍ଥଜଳେ କଲେ ସ୍ନାନ
ଏ ତୀର୍ଥ ନାମରେ ନାନା ଦୂରିତ ନାଶେ ।
କଇବଲ୍ୟ ଲଭି ହେଳେ ନ ପଡି ଜଠର ଜଳେ
ବଇକୁଣ୍ଠେ ବସି ବଇକୁଣ୍ଠ ସନ୍ତୋଷେ ।
କରି ଏହି ତୀର୍ଥ କୀର୍ତ୍ତନ
କରୁଥାଇ ଦୀନକୃଷ୍ଣ ସୁଖେ ନର୍ତ୍ତନ । ୨୦ ।