ରସକଲ୍ଲୋଳ/କୃଷ୍ଣ ବାଳକ ଲୀଳା ଏକମନେ


ରସକଲ୍ଲୋଳ ଲେଖକ/କବି: ଦୀନକୃଷ୍ଣ ଦାସ
କୃଷ୍ଣ ବାଳକ ଲୀଳା ଏକମନେ


ପଞ୍ଚମ ଛାନ୍ଦ
ରାଗ – ଗୁଜ୍ଜରୀ


କୃଷ୍ଣ ବାଳକଲୀଳା ଏକମନେ
କର୍ଣ୍ଣ ନିବେଶି ଶୁଣ ସାଧୁଜନେ ।
କଳି କଳୁଷମାନ କ୍ଷୟ ଯାଉ
କାଳ ଦଣ୍ଡିବାକୁ ଭୟ ନ ଥାଉ ।
କୃତାର୍ଥ, କର ମାନବ ଜନ୍ମ
କଣ୍ଠରେ ନିରନ୍ତରେ ଧରି ନାମ । ୧ ।

କଳାକର କଳା ବଢ଼ିଲା ପ୍ରାୟେ
କ୍ରମେ ବଢ଼ିଲେ ଯଶୋଦାଙ୍କ ପୋଏ ।
କର ଜାନୁରେ କରନ୍ତେ ଗମନ
କଟିତଟେ କରେ କିଙ୍କିଣୀ ସ୍ବନ ।
କୁଟିଳ, ନୀଳ କୁନ୍ତଳ ଲୁଳେ
କମଳେ ଯେମନ୍ତ ଭ୍ରମରମାଳେ । ୨ ।

କମ୍ବୁକଣ୍ଠେ କଣ୍ଠଭୂଷଣ ଶୋହେ
କରେ କଙ୍କଣ ଜଗଜ୍ଜନ ମୋହେ ।
କଜ୍ଜ୍ବଳେ ପୂରିତ ପଦ୍ମଲୋଚନ ।
କୋକିଳକୁ ବଳି କଳ ବଚନ
କୁଙ୍କୁମେ, ଶୋଭା କଲା ଶ୍ରୀଅଙ୍ଗ ।
କରେ ଉପହାସ କୋଟି ଅନଙ୍ଗ | ୩ |

କେତେବେଳେ ନନ୍ଦ ପ୍ରାଙ୍ଗଣେ ବୁଲି
କରିକଲଭ ପ୍ରାୟେ ହୋଇ ଝୁଲି ।
କେତେବେଳେ ଧୂଳି ହୋଅନ୍ତି ବୋଳି
କରେ ଧରି ମାୟେ ହୋଅନ୍ତି ଚଳି ।
କାନ୍ଦନ୍ତି ବାଣୀ କର୍କଶ ପାଇ
କପଟେ ଯଶୋଦା ଶାନ୍ତି କରାଇ ।୪।

କେତେବେଳେ ପଙ୍କେ ପଡ଼ନ୍ତି ଯାଇଁ
କର ହୃଦେ ମାରି ଯଶୋଦା ଧାଇଁ ।
କରକର ହୋଇ ଗୋପୀ ହସନ୍ତି
କରେ ତୋଳି ଯଶୋଦାଙ୍କୁ ଦିଅନ୍ତି ।
କରାନ୍ତି କ୍ଷୀର ପାନ ଜନନୀ
କଉତୁକରେ କେ ଯାଆନ୍ତି ଘେନି ।୫।

କରନ୍ତି ଗେଲ ନାନା ସୁଖ ପାଇ
କେ ବୋଲଇ ମୋର ବାପ ଭାଇ ।
କଞ୍ଜଲୋଚନିଆ କଳା କହ୍ନାଇ
କଳା ମୁଖକୁ ଲୁଚି ଯାଉଥାଇଁ ।
କାହିଁକି କାନ୍ଦୁଥାଅ ମୋ ଧନ
କେ ଏତେ ତୁମ୍ଭଙ୍କୁ କରାଇ ମାନ ।୬।

କେ ବୋଲେ ନବଘନଶ୍ୟାମଳୀୟା
କୁଟିଳ-ନୀଳ-ଚୂର୍ଣ୍ଣକୁନ୍ତଳୀୟା ।
କଣ୍ଠର ଅମୂଲ୍ୟ ମର୍କତ ମାଳି
କୋଟି ଦୁଃଖ ହରା ସୁଖ ସଙ୍ଖାଳି ।
କପଟୀ ଧାଇ ପରାଣଖାଆ
କୂଟ ମନ୍ଦିର ମୋ ବାଘ ନଖିଆ ।୭।

କେ ବୋଲେ ମୋହର କୁସୁମଗଭା
କଜ୍ଜ୍ୱଳରେଖା ନୟନର ଶୋଭା ।
କପାଳର ଚାରୁ କସ୍ତୁରୀ ଚିତା
କୁଳ ଉଦ୍ଧାରଣ ଯଶୋଦା ମାତା ।
କାହିରେ ନନ୍ଦ କଲେ କି ତପ
କଉଁ ଭାଗ୍ୟରୁ ପାଇଲେ ଏ ରୂପ ।୮।

କାହା କାଖରୁ କେ ଛଡ଼ାଇ ନେଇ
କୋଳେ ଧରି ମୁଖେ ଚୁମ୍ବନ ଦେଇ ।
କରେ ତୋଳି କୁଚ ଶିରେ ଲଗାଇ
କମଳଚରଣ ଶୀତଳ ପାଇ ।
କରଇ ନିନ୍ଦା ଚନ୍ଦ୍ର ବଦନ
କି ଗୁଣକୁ ଏହା କରି ବନ୍ଦନ ।୯।

କରନ୍ତି ଏହିରୂପେ ଭାବ କେତେ
କହିବାକୁ ସେ ଅଗୋଚର ମୋତେ ।
କଳି ନୁହଇ ସମୁଦ୍ର ତରଙ୍ଗ
କମଳନେତ୍ର ବାଳଲୀଳା ରଙ୍ଗ ।
କଲେ ସେ ଦିନେ କି ରୂପେ ଗୋଳ
କ୍ରୋଧେ ଯଶୋଦା ଖଟାଇଲେ ରୋଳ ।୧୦।

କମଳକୁମାର କୁମାର ଶାପେ
କୁବେର ପୋଏ ଥିଲେ ବୃକ୍ଷ ରୂପେ ।
କଇବଲ୍ୟଦାନୀ ଯଶୋଦା ସୁତ
କଲେ ତାଙ୍କୁ ଲୀଳା ମାତ୍ରେ ମୁକତ ।
କେତେ ହେଁ ଦିନେ ଚାଲିଲେ ହରି
କରି ଆନନ୍ଦ ଜାତ ଗୋପପୁରୀ ।୧୧।

କ୍ରମେ କରି ସଖାମାନଙ୍କୁ ସଙ୍ଗ
କଉତୁକେ ଦିନ ନେଲେ ଶ୍ରୀଅଙ୍ଗ ।
କଉଁ ପୁରେ ପଶି ଲବଣୀ ହରି
କାହିଁ ଦହି ଦୁଧ ଏକତ୍ୱ କରି ।
କେ ଯାଇଁ ଯଶୋଦାଙ୍କୁ କହନ୍ତି
କେ ଅବା ସ୍ନେହଭାବରୁଁ ସହନ୍ତି ।୧୨।