ସାଧାରଣତଃ କେବଳ 'ଚମ୍ପୂ' କହିଲେ ଓଡ଼ିଶାରେ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂକୁ ବୁଝାଏ । କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଶହ ଶହ ବର୍ଷ ଧରି ଅତ୍ୟନ୍ତ ଆଦୃତ ହେବାରୁ ଏପରି ହୋଇଛି । କିନ୍ତୁ 'ଚମ୍ପୂ' ଶବ୍ଦ ସାହିତ୍ୟର ଏକ ବିଭାଗକୁ ବୁଝାଏ । ଯେଉଁ କାବ୍ୟ ଗଦ୍ୟ ଓ ପଦ୍ୟ ଉଭୟରେ ରଚିତ, ତାହାକୁ ଚମ୍ପୂ କୁହାଯାଏ । କବିସୂର୍ଯ୍ୟ କିଶୋରଚନ୍ଦ୍ରାନନ୍ଦ ଚମ୍ପୂରେ ଓଡ଼ିଆ ବର୍ଣ୍ଣମାଳାର ବ୍ୟଞ୍ଜନ ବର୍ଣ୍ଣ ୩୪ଟି ଅନୁସାରେ ୩୪ଟି ଗୀତ (ପଦ୍ୟ) ଓଡ଼ିଆରେ ରଚନା କରିଛନ୍ତି ଏବଂ ଗଦ୍ୟାଂଶ ସଂସ୍କୃତରେ ରଚନା କରିଛନ୍ତି । ୩୪ଟି ଓଡ଼ିଆ ଗୀତର ସମସ୍ତ ପାଦର ଆଦ୍ୟ ଅକ୍ଷର ୩୪ଟି ବ୍ୟଞ୍ଜନ ବର୍ଣ୍ଣ । ଏହି ରଚନା ଶୈଳୀ ଏତେ ଆଦୃତ ହେଲା ଯେ ପରବର୍ତ୍ତୀ ଚମ୍ପୂ ରଚୟିତାମାନେ କବିସୂର୍ଯ୍ୟଙ୍କ ଅନୁସରଣରେ ୩୪ଟି ଗୀତ ଓ ଆଦ୍ୟାକ୍ଷର ନିୟମ ପାଳନ କରି ରଚନା କଲେ । କବିସୂର୍ଯ୍ୟଙ୍କ ରଚିତ ଅନ୍ୟ ଦୁଇଟି କବିତାଗୁଚ୍ଛ 'ଚୌପଦୀ ରତ୍ନାକର' ଏବଂ 'ଚୌପଦୀ ପ୍ରେମୋଦୟ' ଜନସମାଜରେ 'ରତ୍ନାକର ଚମ୍ପୂ' ଏବଂ 'ପ୍ରେମୋଦୟ ଚମ୍ପୂ' ଭାବେ ଖ୍ୟାତି ଲାଭ କରିଥିଲେହେଁ କେତେକ ଗବେଷକ ଗଦ୍ୟପଦ୍ୟମୟ ନ ଥିବାରୁ ଏବଂ କବିସୂର୍ଯ୍ୟ ସ୍ୱୟଂ ଏହାକୁ ଚମ୍ପୂ ବୋଲି ଅଭିହିତ ନ କରିଥିବାରୁ ଏ ଦୁଇଟି ଗ୍ରନ୍ଥକୁ ଚମ୍ପୂ ଭାବେ ଗ୍ରହଣ କରନ୍ତି ନାହିଁ ।

"ଚମ୍ପୂ" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ

ମୋଟ ୩ ରୁ ଏହି ଶ୍ରେଣୀ ଭିତରେ ୩ଟି ପୃଷ୍ଠା ଅଛି ।