ସଙ୍ଗୀତ କଳ୍ପଲତା/ଅରଜିବି ପଛେ ଜନ ଅପଖ୍ଯାତିକି ଗୋ

ସଙ୍ଗୀତ କଳ୍ପଲତା ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଅରଜିବି ପଛେ ଜନ ଅପଖ୍ଯାତିକି ଗୋ

ଅରଜିବି ପଛେ ଜନ ଅପଖ୍ଯାତିକି ଗୋ,
ବରଜିବି କେହି ଘନଶ୍ୟାମ ପ୍ରୀତିକି ଗୋ। ଘୋଷା।

ତେଜି ଜାଇଦଳ ଶେଯ, ଘନସାର ମଳୟଜ,
କରିବ କେ ରାଜୀବଦଳ ଗତିକି ଗୋ। ୧।

ତା ସୁନ୍ଦର ମନ୍ଦ ହାସ, ରୁଚିର ଭୂରୁବିଳାସ,
ଛାଡ଼ି ଆଡ଼ିବ କେ ଫୁଲବାଣେ ଛାତିକି ଗୋ। ୨।

ପଦକୁ ପୁରନ୍ଦରର, କରିଦେବି କରି ଛାର,
ନିତି ନିତି ତା ସୁରତେ ମାତିକି ଗୋ। ୩।

ତେଜିଣ କୋଣ ଚାହାଣି, ପୀୟୂଷ ମଧୁର ବାଣୀ,
ସହିବ କେ କାମରାଜ ଝଳି କାତିକି ଗୋ। ୪।

କରି ଗାଢ଼େ ପରିରମ୍ଭ, ତା ଅଧର ପକ୍ଵ ବିମ୍ବ,
ପିଇଥିବି ପାହିଯିବା ଯାଏ ରାତିକି ଗୋ। ୫।

ବୋଲେ ବସୁଦୁର୍ଗପତି, ଧ୍ୟାନ କରି ତା ମୂରତି,
ନାମ ଭଜନରେ ହେବି ଯତି କି ଗୋ। ୬।