ସଙ୍ଗୀତ କଳ୍ପଲତା/ମୋହିଲା ରେ, ବରମହିଳା ରେ

ସଙ୍ଗୀତ କଳ୍ପଲତା ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ମୋହିଲା ରେ, ବରମହିଳା ରେ

ମୋହିଲା ରେ, ବରମହିଳା ରେ। ପଦ।

ନୂଆ ମୃଦୁ ଜଳପ,-ବତୀରସକଳପ,-
ବଲ୍ଲୀ କି ସଂକଳପ, କରି ଚାହିଁ ଅଳପ। ୧।

କରି ଭୂରୁ ନର୍ତନ, ନ ଚାହୁଁ ସଖୀଜନ,
ସ୍ନେହମୟ ମୋହନ ହାସେ ଧନ ମୋ ଧନ। ୨।

ପୂରୁବେ ମହାବ୍ରତେ, ଶିବା ଶିବଙ୍କୁ କେତେ,
ସେବିଥିଲି କି ସତେ, କି ସ୍ନେହେ ବାଳା ମତେ। ୩।

କେବଳ ମୋ ବିବେକ, ହରି ନାହିଁ ସେ ପିକ-
ବାଣୀର କଉତୁକ, ଜଗତୀ ଗୋଟିଯାକ। ୪।

ସତେ କି ବନ୍ଧୁ ସଞ୍ଜ-ବେଳେ ମଣ୍ଡିବ କୁଞ୍ଜ,
ବନୀ ଅବନୀ କଞ୍ଜ,-ନେତ୍ରାର ଛବିପୁଞ୍ଜ। ୫।

ଅଷ୍ଟଦୁର୍ଗେଶ ଭାଷେ, କିଶୋରଙ୍କ ଶୋଭା ସେ,
କିଶୋରୀ ଦେଖି ତୋଷେ ଭାବିଲେ ସଙ୍ଗ ଆସେ। ୬।