ସଙ୍ଗୀତ କଳ୍ପଲତା/ମାନ ଅବା ଲାଜ, ନ ଜାଣିଲି ଆଜ

ସଙ୍ଗୀତ କଳ୍ପଲତା ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ମାନ ଅବା ଲାଜ, ନ ଜାଣିଲି ଆଜ

(ରାଗ: ବଙ୍ଗଳାଶ୍ରୀ)

ମାନ ଅବା ଲାଜ, ନ ଜାଣିଲି ଆଜ, ମୁଖଚନ୍ଦ୍ର ନୁଆଇଲୁ।
ଆନ ପକାଇଲି ଅନେକ ମୋ ଗିର କାନପାଖକୁ ନ ନେଲୁ ରେ। ୧।

ଦୋଷ ଦେଖି ଯେବେ ନେତ୍ରେ ତେବେ ସିନା ରୋଷ ଅଙ୍ଗୀକାର କରି,
କି ସକାଶରୁଟି ମୋ ସକଳ ଭାଗ୍ୟ ମୋଷ ରଖିଲୁ ଚତୁରୀ ରେ। ୨।

ପିଆଇ ନ ଦେଲୁ ଅଧର, ଉରଜେ ଦିଆଇ ନ ଦେଲୁ ପାଣି,
ଫିଆଇ ବାସ ମଦନମୁଖୁଁ ମୋତେ ଜୀଆଇବୁ କେହି ପୁଣି ରେ। ୩।

ଛକାଇ ସନ୍ଧିକି ସନ୍ଧିରେ ନିବିଡ଼େ ଜଣାଇ ନ ଦେଲୁ ଦେହ,
ଧକାଇଲୁ ନାହିଁ କେଳିରୁ ପଛକୁ ପକାଇ ଦେଲୁ ମୋ ସ୍ନେହ ରେ। ୪।

ଗିରୀଷ-ପର-ଦଣ୍ଡ ରେ କେତକୀଗୋରି ସରିଲି ମୁଁ ସିନା,
ଶିରୀଷ ସରି ଶରୀର ଉଡ଼ାଇଲୁ ପୁରୁଷଘାତିନୀବାନା ରେ। ୫।

ମଦନମୋହନ ବଚନେ ଶ୍ରୀମତୀ ସଦୟ ହାସ ରଚିଲେ,
ସେ ସମୟ ଛବି ଭାବି ଭାବି କବିରବି ରାୟଗୁରୁ ବୋଲେ ରେ। ୬।